କୋହଲିଙ୍କ ଏଲ୍‌ବିଡବ୍ଲ୍ୟୁକୁ ନେଇ ବିବାଦ

ପୁଣେ: ଶନିବାରର ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍‌ରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)ର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କୁ ତୃତୀୟ ଅମ୍ପାୟାର ଯେଭଳି ଢଙ୍ଗରେ ଏଲ୍‌ବିଡବ୍ଲ୍ୟୁ ଆଉଟ୍ ଘୋଷଣା କଲେ, ତାକୁ ନେଇ ବଡ଼ ବିବାଦ ମୁଣ୍ଡ ଟେକିଛି। କୋହଲିଙ୍କୁ ଆଉଟ୍ ଘୋଷଣା କଲା ବେଳେ ତୃତୀୟ ଅମ୍ପାୟାର କ୍ରିକେଟ୍ ନିୟମକୁ ଅଣଦେଖା କରିଥିବା ଅଭିଯୋଗ ହୋଇଛି। ଆର୍‌ସିବି ମଧ୍ୟ ଟ୍ବିଟ୍ କରି ତୃତୀୟ ଅମ୍ପାୟାରଙ୍କ ଏହି ନିଷ୍ପତ୍ତିକୁ କଟାକ୍ଷ କରିଛି। ଏଥିରେ ଦଳ ଲେଖିଛି ଆମେ ଏଲ୍‌ବିଡବ୍ଲ୍ୟୁକୁ ନେଇ ଏମ୍‌ସିସିର ନିୟମକୁ ଭଲ ଭାବରେ ପଢ଼ିଲୁ। ପଏଣ୍ଟ ୩୬.୧.୩ରେ ଲେଖାଯାଇଛି ଯେ ବଲ୍ ଯଦି ବ୍ୟାଟର୍‌ଙ୍କ ଗୋଡ଼ ଏବଂ ବ୍ୟାଟ୍‌କୁ ସମାନ୍ତରାଳ ଭାବେ ଛୁଇଁଥାଏ, ତାହେଲେ ବ୍ୟାଟ୍‌କୁ ବଲ୍ ପ୍ରଥମେ ଛୁଇଁଛି ବୋଲି ଧରାଯିବ। ତଥାପି ଏକ ଚମତ୍କାର ପାଳି ଖେଳିଲା ପରେ ବିରାଟ କୋହଲିଙ୍କୁ ଦୁଭାଗ୍ୟଜନକ ଢଙ୍ଗରେ ପ୍ୟାଭିଲିୟନ ଫେରିବାକୁ ପଡ଼ିଲା। ସେପଟେ ଅମ୍ପାୟାରଙ୍କ ଏଭଳି ନିଷ୍ପତ୍ତିକୁ ନେଇ ଆୟର୍ଲାଣ୍ଡ କ୍ରିକେଟ୍ ବୋର୍ଡ ସାମାଜିକ ଗଣମାଧ୍ୟମରେ ବିସିସିଆଇକୁ ଟାହି ଟାପରା କରିଛି। ଟେଲିଭିଜନ ଅମ୍ପାୟାର ଏଭଳି ତ୍ରୁଟି କରିବା ଆମକୁ ବିସ୍ମିତ କରିଛି। ଯଦି ଦରକାର ତାହାଲେ ଆମ ପାଖରେ ବହୁତ ଭଲ ଅମ୍ପାୟାର ଅଛନ୍ତି। ଚାହିଁବେ ଯଦି ଯଥାଶୀଘ୍ର ସେମାନଙ୍କୁ ପଠାଇ ପାରିବୁ ବୋଲି ଆୟର୍ଲାଣ୍ଡ୍ କ୍ରିକେଟ୍ ବୋର୍ଡ ଟ୍ବିଟ୍ କରିଛି।

ସମ୍ବନ୍ଧିତ ଖବର