କଟକରେ ଲିଜେଣ୍ଡ୍‌ସ ଲିଗ୍‌ କ୍ରିକେଟ୍‌କୁ ନେଇ ଦ୍ବନ୍ଦ୍ବ: ଆୟୋଜକ ସୂଚୀ ପ୍ରକାଶ କଲେଣି, ଓସିଏ ପାଖରେ ସୂଚନା ନାହିଁ

କଟକ: ବାରବାଟୀ ଷ୍ଟାଡିୟମରେ ଅବସରପ୍ରାପ୍ତ ଆନ୍ତର୍ଜାତିକ କ୍ରିକେଟରଙ୍କୁ ନେଇ ଲିଜେଣ୍ଡ୍‌ସ ଲିଗ୍‌ କ୍ରିକେଟ (ଏଲ୍‌ଏଲ୍‌ସି) ପ୍ରତିଯୋଗିତା ଆୟୋଜିତ ହେବ। ଏଥିପାଇଁ ଆୟୋଜକଙ୍କ ପକ୍ଷରୁ ଖେଳାଳିଙ୍କ ନାମ ଓ ଖେଳ ସୂଚୀ ଘୋଷଣା ହୋଇସାରିଲାଣି। ବାରବାଟୀରେ ସେପ୍ଟେମ୍ବର ୨୭ରୁ ୩୦ ତାରିଖ ପର୍ଯ୍ୟନ୍ତ ମ୍ୟାଚ୍‌ ଖେଳାଯିବ। ହେଲେ ଏତେସବୁ ପରେ ବି କଟକରେ ଏହି ପ୍ରତିଯୋଗିତା ଆୟୋଜନ ହେବା ନେଇ ଦ୍ବନ୍ଦ୍ବ ଦେଖାଦେଇଛି। କାରଣ ପ୍ରତିଯୋଗିତା ଆୟୋଜନ ସ˚କ୍ରାନ୍ତରେ ଯଦିଓ ଓସିଏକୁ ମୌଖିକ ଭାବେ ପ୍ରସ୍ତାବ ଦିଆଯାଇଥିଲା ଏବଂ ଓସିଏ ସେଥିରେ ରାଜି ଥିଲା। କିନ୍ତୁ ଏପର୍ଯ୍ୟନ୍ତ ଆୟୋଜକ ଓ ଓସିଏ ମଧ୍ୟରେ କୌଣସି ଔପଚାରିକ ଯୋଗାଯୋଗ କିମ୍ବା ଚୁକ୍ତିନାମା ହୋଇନାହିଁ। ତେଣୁ ଖୋଦ୍‌ ଓସିଏ କର୍ତ୍ତୃପକ୍ଷ ପ୍ରତିଯୋଗିତା ଆୟୋଜନ ବାବଦରେ ସ୍ପଷ୍ଟ ନୁହଁନ୍ତି। ତଥାପି ହାତରେ ସମୟ ଥିବାରୁ ଆୟୋଜକଙ୍କ ଯୋଗାଯୋଗକୁ ଅପେକ୍ଷା କରାଯାଇଥିବା ଓସିଏ ପକ୍ଷରୁ କୁହାଯାଇଛି।

ଏଲ୍‌ଏଲ୍‌ସିର ଦ୍ବିତୀୟ ସ˚ସ୍କରଣ ସେପ୍ଟେମ୍ବର ୧୬ରୁ ଅକ୍ଟୋବର ୮ ତାରିଖ ପର୍ଯ୍ୟନ୍ତ ୬ଟି ସହରରେ ଖେଳାଯିବ। କୋଲ୍‌କାତାର ଇଡେନ୍‌ ଗାର୍ଡେନରେ ପ୍ରଥମ ପର୍ଯ୍ୟାୟ ଅନୁଷ୍ଠିତ ହେବ। ଲକ୍ଷ୍ନୌ, ନୂଆଦିଲ୍ଲୀ, କଟକ, ଯୋଧପୁରରେ ଲିଗ୍‌ ମ୍ୟାଚ୍‌ ଖେଳାଯିବ। ଅକ୍ଟୋବର ୫ ଓ ୬ରେ ପ୍ଲେ ଅଫ୍‌ ଓ ୮ ତାରିଖରେ ଫାଇନାଲ ଖେଳାଯିବ। ନକ୍‌ଆଉଟ ପର୍ଯ୍ୟାୟ ଦିନଧାର୍ଯ୍ୟ ହୋଇନାହିଁ। ଓସିଏକୁ ସ୍ପଷ୍ଟ ନକରି ଯଦି ଏଲ୍‌ଏଲ୍‌ସି ପକ୍ଷରୁ ପ୍ରେସ୍‌ ବିଜ୍ଞପ୍ତି ପ୍ରକାଶ କରାଯାଉଛି, ତାହେଲେ ଏହାର ବାସ୍ତବତା ନେଇ ଓସିଏ ଏବେଠାରୁ କିଛି କହିପାରିବନି ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ପୂର୍ବରୁ ଓସିଏ ସମ୍ପାଦକ ସ˚ଜୟ ବେହେରା ମଧ୍ୟ ଏସ˚କ୍ରାନ୍ତରେ ସୂଚନା ଦେଇ କହିଥିଲେ ଯେ କେବଳ ଫୋନ୍‌ରେ ପ୍ରତିଯୋଗିତା ବିଷୟରେ ଆମକୁ କୁହାଯାଇଛି। ହେଲେ ସେମାନଙ୍କ ସହିତ ଚୁକ୍ତି ସ୍ବାକ୍ଷର ପାଇଁ ଯେଉଁ ସମୟ ଧାର୍ଯ୍ୟ ହୋଇଥିଲା, ତାହା ମଧ୍ୟରେ ଆୟୋଜକଙ୍କ ପକ୍ଷରୁ କେହି ଯୋଗାଯୋଗ କରିନଥିଲେ। ତେବେ ସେପ୍ଟେମ୍ବର ଶେଷ ଆଡ଼କୁ ମ୍ୟାଚ୍‌ ଖେଳାଯିବାକୁ ଥିବାରୁ ଚୁକ୍ତି ସ୍ବାକ୍ଷର ପାଇଁ ସେମାନେ ଯେବେ ବି ଆସିବେ ଓସିଏ ସେଥିପାଇଁ ପ୍ରସ୍ତୁତ ରହିଛି।

ସମ୍ବନ୍ଧିତ ଖବର