ଲକ୍ଷ୍ନୌ: ଭାରତୀୟ କ୍ରିକେଟ୍ ଦଳର ଚାମ୍ପିଅନ୍ସ ଟ୍ରଫି ଅଭିଯାନରେ ଦ୍ରୁତ ବୋଲର ମହମ୍ମଦ ସାମି ପ୍ରମୁଖ ଭୂମିକା ତୁଲାଇ ଆସୁଛନ୍ତି। ଯଶପ୍ରୀତ୍ ବୁମ୍‌ରାଙ୍କ ଅନୁପସ୍ଥିତିରେ ଭାରତୀୟ ବୋଲିଂ ବାହିନୀର ନେତୃତ୍ବ ଏକପ୍ରକାର ସେ ହିଁ  ନେଉଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ସେମିଫାଇନାଲ୍‌ରେ ମଧ୍ୟ ସାମି ତିନିଟି ବହୁମୂଲ୍ୟ ୱିକେଟ୍ ନେଇଥିଲେ। ହେଲେ ସାମିଙ୍କ ସଫଳତା ଧାରାକୁ ଲାଇନ୍‌ଚ୍ୟୁତ କରିବାକୁ ଜଣେ ମୌଳବାଦୀ ମୌଲାନା ଅଜବ ଯୁକ୍ତି ବାଢ଼ିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ସେମିଫାଇନାଲ୍ ଅବସରରେ ସାମି ଜୁସ୍ (ଏନର୍ଜି ଡ୍ରିଙ୍କ୍ସ) ପିଉଥିବାର ଫଟୋ ସାମ୍ନାକୁ ଆସିବା ପରେ ଉତ୍ତରପ୍ରଦେଶର ଶାହାବୁଦ୍ଦିନ ରଜଭୀ ବରେଲ୍‌ଭି ନାମକ ଏହି ମୁସଲିମ୍ ଧର୍ମଗୁରୁ ତାଙ୍କୁ କଡ଼ା ସମାଲୋଚନା କରିଛନ୍ତି। ପବିତ୍ର ରମ୍‌ଜାନ୍‌ ମାସ ଅବସରରେ ରୋଜା ନରଖି ସାମି ପାପ କରିଛନ୍ତି, ସେ ଜଣେ ଅପରାଧୀ ବୋଲି କହି ଝଡ଼ ସୃଷ୍ଟି କରିଛନ୍ତି ବରେଲ୍‌ଭି। ସେ ମଧ୍ୟ ଭିଡିଓ ଜାରି କରି ଶରିଆତ୍ ନୀତିନିୟମ ମାନିବାକୁ ସାମିଙ୍କୁ ତାଗିଦ କରିଛନ୍ତି। ଫଳରେ ଏହାକୁ ନେଇ ବଡ଼ ବିବାଦ ମୁଣ୍ଡ ଟେକିଛି। ସାମିଙ୍କ ସମର୍ଥନରେ ପୂରା ଦେଶ ବାହାରିପଡ଼ିଛି। ନିଜ ମନ୍ତବ୍ୟ ପାଇଁ ବରେଲ୍‌ଭି ଚାରିଆଡ଼ୁ ଘୋର ସମାଲୋଚନାର ସମ୍ମୁଖୀନ ହେଉଛନ୍ତି। ତାଙ୍କ ମନ୍ତବ୍ୟକୁ ଖଣ୍ଡନ କରିବାକୁ ଯାଇ ଅନ୍ୟ କେତେକ ମୁସଲିମ ଧର୍ମଗୁରୁ କହିଛନ୍ତି, ବରେଲ୍‌ଭିଙ୍କର ଶରିଆତ୍‌କୁ ନେଇ କୌଣସି ଜ୍ଞାନ ନାହିଁ। ସେ ଜାଣି ରଖିବା ଦରକାର ଯେ ଅସୁସ୍ଥତା ସମୟରେ ଏବଂ ଯାତ୍ରା କରୁଥିଲା ବେଳେ ରୋଜା ରଖିବା ବାଧ୍ୟତାମୂଳକ ନୁହେଁ ବୋଲି ପବିତ୍ର କୋରାନରେ ଲେଖାଯାଇଛି। ତାଛଡ଼ା‌ ସାମି ସଂପ୍ରତି ଦେଶର ପ୍ରତିନିଧିତ୍ବ କରୁଛନ୍ତି। ଜଣେ ସଚ୍ଚା ଦେଶ ଭକ୍ତ ଭାବେ ରାଷ୍ଟ୍ରଧର୍ମ ତୁଲାଉଛନ୍ତି। ସେ ପରେ ରୋଜା ରଖିପାରିବେ, ଏଥି‌ରେ କୌଣସି ଅସୁବିଧା ନାହିଁ।

Advertisment

ସାମିଙ୍କ ସଂପର୍କୀୟ ଭାଇ ମୁମତାଜ ମଧ୍ୟ ବରେଲ୍‌ଭିଙ୍କୁ ଦୃଢ଼ ଜବାବ ଦେଇଛନ୍ତି। ସେ କହିଛନ୍ତି, ସାମି ଦେଶ ପାଇଁ ଖେଳୁଛନ୍ତି, ପାକିସ୍ତାନର ଅନେକ ଖେଳାଳି ରୋଜା ନରଖି ମ୍ୟାଚ୍ ଖେଳୁଛନ୍ତି। ଏହା କିଛି ନୂଆ କଥା ନୁହେଁ। ଏଭଳି ମନ୍ତବ୍ୟ ଅତ୍ୟନ୍ତ ଲଜ୍ଜାଜନକ। ଏହା ଉପରେ କୌଣସି ଧ୍ୟାନ ନଦେଇ ଖେଳ ଉପରେ ସବୁ ଧ୍ୟାନ କେନ୍ଦ୍ରୀଭୂତ କରିବାକୁ ଆମେ ସାମିଙ୍କୁ କହିବୁ। ଅଲ୍‌ ଇଣ୍ଡିଆ ମୁସଲିମ୍ ପର୍ସନାଲ ଲ’ ବୋର୍ଡର ମୌଲାନା ଖଲିଦ ରସିଦ ଫିରଙ୍ଗି ମାହଲି ମଧ୍ୟ ବରେଲ୍‌ଭିଙ୍କ ସହ ଏକମତ ହୋଇନାହାନ୍ତି। ସେ କହିଛନ୍ତି ଯେ ସାମି ଏବେ ଦେଶ ବାହାରେ ଅଛନ୍ତି। ଏଣୁ ରୋଜା ନ ରଖିବାର ବିକଳ୍ପ ତାଙ୍କ ପାଖରେ ଖୋଲା ରହିଛି। ତାଙ୍କୁ ଅଙ୍ଗୁଳି ନିର୍ଦ୍ଦେଶ କରିବାର ଅଧିକାର କାହାର ନାହିଁ। ମହାରାଷ୍ଟ୍ର କ୍ରିକେଟ୍ ସଂଘ ସହ ଦେଶର ଅନ୍ୟ କେତେକ କ୍ରିକେଟ୍ ସଂଘ ମଧ୍ୟ ଅଯଥା ବିବାଦ ସୃଷ୍ଟି କରିଥିବାରୁ ବରେଲ୍‌ଭିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଛନ୍ତି। ସେହିଭଳି ଭାରତୀୟ କ୍ରିକେଟ୍ ଦଳ ଏବେ ଚାମ୍ପିଅନ୍ସ ଟ୍ରଫିରେ ଭଲ କରୁଥିଲା ବେଳେ ଅଯଥାରେ ବିବାଦ ସୃଷ୍ଟି କରି କିଛି ଲୋକ ଏଥିରେ ବିଭ୍ରାଟ ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି ବୋଲି ଜଣେ ପୂର୍ବତନ କ୍ରିକେଟର୍ ନିଜ ନାମ ଗୋପନ ରଖି କହିଛନ୍ତି। 

ସୂଚନାଯୋଗ୍ୟ ଯେ କିଛି ଦିନ ତଳେ କଂଗ୍ରେସର ମୁଖପାତ୍ର ସାମା ମହମ୍ମଦ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ରୋହିତ ଶର୍ମାଙ୍କ ଫିଟନେସ୍ ନେଇ ବିବାଦୀୟ ଟିପ୍ପଣୀ ଦେଇଥିଲେ। ଯାହାକୁ ନେଇ ରାଜନୈତିକ ମହଲରେ ଢେର୍‌ ଉଷ୍ମତା ଭରିଥିଲା। ବିଜେପି ନେତାମାନେ ଏଥିଲାଗି ସାମାଙ୍କୁ କଡ଼ା ସମାଲୋଚନା କରିଥିଲେ। କଂଗ୍ରେସ ମଧ୍ୟ ସାମାଙ୍କ ମନ୍ତବ୍ୟ ବ୍ୟକ୍ତିଗତ ବୋଲି କହିଥିଲା। ବିବାଦ ବଢ଼ିବା ଦେଖି ସାମା ‘ଏକ୍ସ’ରେ ରୋହିତଙ୍କୁ ନେଇ ଲେଖିଥିବା ଅଶାଳୀନ ଲେଖାକୁ ଡିଲିଟ୍ କରି ଦେଇଥିଲେ।