ନୂଆଦିଲ୍ଲୀ: ମହିଳା ବିଶ୍ବକପ୍ର ପାକିସ୍ତାନ-ବାଂଲାଦେଶ ମ୍ୟାଚ୍ରେ ଧାରା ବିବରଣୀ ଦେଉଥିଲା ବେଳେ ପାକ୍ ଅଧିକୃତ କାଶ୍ମୀର (ପିଓକେ)କୁ ଆଜାଦ କାଶ୍ମୀର ଭାବେ ସମ୍ବୋଧନ କରି ପୂର୍ବତନ ପାକିସ୍ତାନୀ କ୍ରିକେଟର୍ ସାନା ମିର୍ ବିବାଦ ଘେରକୁ ଆସିଛନ୍ତି। ପାକିସ୍ତାନ ବେଆଇନ ଭାବେ ପିଓକେକୁ ନିଜ ନିୟନ୍ତ୍ରଣରେ ରଖିଥିଲା ବେଳେ କ୍ରିକେଟ୍ ମ୍ୟାଚ୍ ବେଳେ ଏଭଳି ସ୍ପର୍ଶକାତର ବିଷୟ ଉଠାଇ ମିର୍ ଅଯଥା ରାଜନୀତି କରୁଛନ୍ତି ବୋଲି ଅଭିଯୋଗ ହୋଇଛି। ଏହାକୁ ଭାରତୀୟ କ୍ରିକେଟ୍ପ୍ରେମୀ ତୀବ୍ର ବିରୋଧ କରିବା ସହ ତାଙ୍କର ଭୀଷଣ ଟ୍ରୋଲ୍ କରିଛନ୍ତି।
ଚାରିଆଡ଼ୁ ସମାଲୋଚିତ ହେବା ପରେ ମିର୍ ସ୍ପଷ୍ଟୀକରଣ ଦେବାକୁ ବାଧ୍ୟ ହୋଇଛନ୍ତି। ପ୍ରକାଶଯୋଗ୍ୟ ଯେ ଏହି ମ୍ୟାଚ୍ର ଧାରାବିବରଣୀ ଦେଉଥିଲା ବେଳେ ନିଜ ଦେଶର ଖେଳାଳି ନାତାଲିଆ ପରଭେଜ୍ଙ୍କ ବିଷୟରେ ଆଲୋଚନା କରି ମିର୍ କହିଥିଲେ ଯେ ନାତାଲିଆ ହେଉଛନ୍ତି ଆଜାଦ କାଶ୍ମୀର (ପିଓକେକୁ ପାକିସ୍ତାନ କହିଥାଏ ଆଜାଦ କାଶ୍ମୀର)ର ମୂଳ ବାସିନ୍ଦା। ସେ ଲାହୋରରେ ନିୟମିତ ଭାବେ ଖେଳି ଆସୁଥିଲେ ବି ତାଙ୍କର ଏଭଳି ମନ୍ତବ୍ୟ ପରେ ମିର୍ ଜାଣିଣୁଣି ପିଓକେକୁ ଆଜାଦ କାଶ୍ମୀର ଭାବେ ସମ୍ବୋଧନ କରିଥିବା ଅଭିଯୋଗ ହୋଇଛି। ତେବେ ଏହି ମାମଲାରେ ନିଜ ପ୍ରତିକ୍ରିୟା ରଖିବାକୁ ଯାଇ ସେ କହିଛନ୍ତି, ମୁଁ କାହା ମନରେ କଷ୍ଟ ଦେବା ପାଇଁ ଏଭଳି ମନ୍ତବ୍ୟ ଦେଇ ନଥିଲି। କୌଣସି ବିଷୟର ରାଜନୀତୀକରଣ ମୋର ଉଦ୍ଦେଶ୍ୟ ନଥିଲା। ଅଯଥାରେ ଏଥିନେଇ ବିବାଦ ସୃଷ୍ଟି କରାଯାଉଛି।