ମୁମ୍ବାଇ: ଚଳିତ ଆଇପିଏଲ୍ରେ ୱାଇଡ୍ ବଲ୍ ଓ ଉଚ୍ଚା ନୋ ବଲ୍କୁ ନେଇ ବିବାଦ ମୁଣ୍ଡ ଟେକିଛି। ସୋମବାର ରାତିରେ ଖେଳାଯାଇଥିବା କୋଲକାତା ନାଇଟ୍ ରାଇଡର୍ସ ଏବଂ ରାଜସ୍ଥାନ ରୟାଲ୍ସ ମୁକାବିଲା ପରେ ଏହି ବିବାଦର ସୂତ୍ରପାତ ହୋଇଛି। କେକେଆର୍ ପାଳିର ଶେଷ ଭାଗରେ ଏକାଧିକ ୱାଇଡ୍ ବଲ୍କୁ ନେଇ ରାଜସ୍ଥାନ ରୟାଲ୍ସ ଅଧିନାୟକ ସଞ୍ଜୁ ସମାସନ୍ ଖପ୍ପା ହୋଇଥିଲେ। ବ୍ୟାଟର୍ ରିଙ୍କୁ ସିଂହ ଏବଂ ନୀତିଶ ରାଣା ବଲ୍କୁ ପିଛା କରୁଥିବାରୁ ବୋଲର ସେହି ଅନୁସାରେ ତାଙ୍କଠାରୁ ଦୂରରେ ବଲ୍ ପକାଉଥିଲେ। ଏଭଳି କ୍ଷେତ୍ରରେ ବଲ୍ ୱାଇଡ୍ ହେବା କଥା ନୁହେଁ। ଅମ୍ପାୟାର ନୀତିନ ପଣ୍ଡିତଙ୍କ ସହ ଆଲୋଚନା କରିବା ପରେ ସାମସନ୍ ରିଭ୍ୟୁ ପାଇଁ ମଧ୍ୟ ନିବେଦନ କରିଥିଲେ। କିନ୍ତୁ ୱାଇଡ୍ ଓ ଉଚ୍ଚା ନୋ ବଲ୍ ଲାଗି ଖେଳାଳିଙ୍କ ଆବେଦନ କରିବାର ନିୟମ ନଥିବାରୁ ଅମ୍ପାୟାର୍ ଏହାକୁ ବିଚାର କରିନଥିଲେ।
ଏହି ଦୁଇ ଆବେଦନ ଡିଆର୍ଏସ୍ ପରିସରଭୁକ୍ତ ନାହିଁ। ପୂର୍ବତନ ନ୍ୟୁଜିଲାଣ୍ଡ୍ ଅଧିନାୟକ ଡାନିଏଲ୍ ଭିଟୋରି ଏବଂ ଦକ୍ଷିଣ ଅଫ୍ରିକୀୟ ସ୍ପିନର୍ ଇମ୍ରାନ ତାହିର୍ ଏଭଳି ନିୟମକୁ ନାପସନ୍ଦ କରିଛନ୍ତି। ଖେଳାଳିଙ୍କୁ ଆବେଦନ କରିବାକୁ ଅନୁମତି ମିଳିବା ଉଚିତ ବୋଲି ଉଭୟ ଯୁକ୍ତି ବାଢ଼ିଛନ୍ତି। ଏହା ଦ୍ବାରା ବୋଲରଙ୍କ ବିପକ୍ଷରେ ସବୁ କାର୍ଯ୍ୟ ହେଉଛି ଏବଂ ଅମ୍ପାୟାର୍ ଭୁଲ ସପକ୍ଷରେ ଯିବାକୁ ବାଧ୍ୟ ହେଉଛନ୍ତି। ଭୁଲକୁ ସୁଧାରିବାକୁ ଡିଆର୍ଏସ୍ ପ୍ରଚଳିତ ହୋଇଛି। ଖେଳାଳିମାନେ ଏହି ଦୁଇ ଶ୍ରେଣୀୟ ବୋଲିଂ ସମ୍ପର୍କରେ ଭଲ ବିଚାର କରିପାରନ୍ତି, ନ ହେଲେ ଡିଆର୍ଏସ୍ର ପ୍ରୟୋଗ ନିରର୍ଥକ ବୋଲି ଆର୍ସିବିର ପୂର୍ବ ପ୍ରଶିକ୍ଷକ ଭିଟୋରି ପ୍ରକାଶ କରିଥିଲେ। ସେହିଭଳି ଦିଲ୍ଲୀ କ୍ୟାପିଟାଲ୍ସ ବନାମ ରାଜସ୍ଥାନ ରୟାଲ୍ସ ମ୍ୟାଚ୍ ବେଳେ ମଧ୍ୟ ଉଚ୍ଚା ନୋ ବଲ୍ ବିବାଦ ଦେଖା ଦେଇଥିଲା। ୨୨୩ ରନ୍କୁ ପିଛା କରିଥିବା ଦିଲ୍ଲୀକୁ ଶେଷ ଓଭରରେ ୩୬ ରନ୍ ଆବଶ୍ୟକ ଥିଲା। ରୋଭମାନ ପାୱେଲ୍ ପ୍ରଥମ ୩ ବଲ୍କୁ ଛକା ମାରିଥିଲେ। ତୃତୀୟ ଛକା ମାରିଥିବା ବଲ୍ଟି ଅଣ୍ଟାଠୁ ଉଚ୍ଚା ଥିବାରୁ ନୋ ବଲ୍ ପାଇଁ ପାୱେଲ୍ ଆଶା କରିଥିଲେ ମଧ୍ୟ ମିଳିନଥିଲା। ଡଗ୍ଆଉଟ୍ରୁ ଦିଲ୍ଲୀ ଅଧିନାୟକ ଋଷଭ ପନ୍ତ୍ ଖପ୍ପା ହୋଇ ବ୍ୟାଟରଙ୍କୁ ଫେରିବାକୁ ଡାକିଥିଲେ। ପରେ ଅବଶ୍ୟ ଅମ୍ପାୟାର୍ ବୁଝାଇ ଅନ୍ତିମ ୩ ବଲ୍ ବୋଲିଂ କରିଥିଲେ। କିନ୍ତୁ ଅମ୍ପାୟାର୍ ଏହାକୁ ନୋ ବଲ୍ ପାଇଁ ରେଫର କରିନଥିଲେ।