ଗାଙ୍ଗୁଲିଙ୍କ ୨୫ ବର୍ଷ ତଳର କୀର୍ତ୍ତିମାନ ଭାଙ୍ଗିଲେ କନୱେ

ଲଣ୍ଡନ: ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ୍‌ର ପ୍ରଥମ ଦିନରେ ନ୍ୟୁଜିଲାଣ୍ଡ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଡେଭନ କନୱେ ଏକ ଐତିହାସିକ କୀର୍ତ୍ତିମାନର ଅଧିକାରୀ ହୋଇଛନ୍ତି। କ୍ରିକେଟ୍‌ର ମକ୍କା ଭାବେ ପରିଚିତ ଲର୍ଡସ ପଡ଼ିଆରେ ପଦାର୍ପଣକାରୀ ଭାବେ ସର୍ବୋଚ୍ଚ ବ୍ୟକ୍ତିଗତ ରନ୍ କରିବାର ଅନନ୍ୟ ସଫଳତା ଲାଭ କରିଛନ୍ତି ସେ। ଏହି କ୍ରମରେ କନୱେ ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ଟପିଛନ୍ତି। ଗାଙ୍ଗୁଲି ୨୫ ବର୍ଷ ତଳେ ଯେଉଁ କୀର୍ତ୍ତିମାନ କରିଥିଲେ ତାକୁ ଭାଙ୍ଗି ଦେଇଛନ୍ତି।

ଭାରତୀୟ କ୍ରିକେଟ୍ ଦଳର ୧୯୯୬ ମସିହା ଗସ୍ତରେ ଗାଙ୍ଗୁଲି ଲର୍ଡସରେ ଟେଷ୍ଟ୍ ପଦାର୍ପଣ କରି ୧୩୧ ରନ୍‌ର ଅପରାଜିତ ପାଳି ଖେଳିଥିଲେ। ଟେଷ୍ଟ୍ ପଦାର୍ପଣରେ ଶତକ ହାସଲ କରିବାରେ ସେତେବେଳେ ବିଶ୍ବର ଦଶମ ବ୍ୟାଟ୍ସମ୍ୟାନ୍ ହୋଇଥିଲେ ସେ। ବୁଧବାର ୨୯ ବର୍ଷୀୟ କନୱେ ପଦାର୍ପଣରେ ସ୍ମରଣୀୟ ଶତକ ହାସଲ କରିବା ସହ ୨୦୦ ରନ୍‌ରେ ରନ୍‌ଆଉଟ୍‌ ହୋଇ ପ୍ୟାଭିଲିୟନ ଫେରିଥିଲେ। ଫଳରେ ଗାଙ୍ଗୁଲିଙ୍କୁ ଅତିକ୍ରମ କରି ଲର୍ଡସ ପଦାର୍ପଣରେ ସର୍ବୋଚ୍ଚ ବ୍ୟକ୍ତିଗତ ରନ୍ କରିବାର ସୌଭାଗ୍ୟ ଅର୍ଜନ କରିଥିଲେ। କନୱେ ଓ ଗାଙ୍ଗୁଲିଙ୍କ ମଧ୍ୟରେ କିନ୍ତୁ ଏକ ବଡ଼ ସାମଞ୍ଜସ୍ୟ ରହିଛି। ଉଭୟଙ୍କ ଜନ୍ମଦିବସ ହେଉଛି ଜୁଲାଇ ୮ ତାରିଖ। ପଦାର୍ପଣରେ ଶତକ ହାସଲ କରିବାରେ ଅବଶ୍ୟ ସେ ନ୍ୟୁଜିଲାଣ୍ଡର ଦ୍ବାଦଶ ଖେଳାଳି ହୋଇଥିଲେ। କିୱି ଦଳର ଅଧିନାୟକ କେନ୍ ୱିଲିୟମସନ୍ ମଧ୍ୟ ନିଜ ପଦାର୍ପଣରେ ଶତକ ହାସଲ କରିଥିଲେ।

ସମ୍ବନ୍ଧିତ ଖବର