କୁକ୍‌ଙ୍କ ଶତକ ଦେଲା ଆଶା, ମେଲବର୍ନରେ ଅଷ୍ଟ୍ରେଲିଆ ସୁଯୋଗ ଛାଡ଼ିଲା

ମେଲ୍‌ବର୍ନ: ଏମ୍‌ସିଜିରେ ଚାଲିଥିବା ଚତୁର୍ଥ ଆସେସ୍‌ ଟେଷ୍ଟ୍‍ରେ ଅଷ୍ଟ୍ରେଲିଆ ସୁବର୍ଣ୍ଣ ସୁଯୋଗ ହାତଛଡ଼ା କରିଥିବାବେଳେ ଇଂଲଣ୍ଡ୍‌ ଲଢ଼ୁଆ ପ୍ରତ୍ୟାବର୍ତନ କରିଛି। ମାତ୍ର ୧୩ ରନ୍‌ରେ ଶେଷ ୫ ଓ୍ଵିକେଟ୍‌ ହରାଇ ଅଷ୍ଟ୍ରେଲିଆ ୩୨୭ ରନରେ ସୀମିତ ରହିଯିବା ପରେ ଇଂଲଣ୍ଡ ଦ୍ୱିତୀୟ ଦିବସ ସୁଦ୍ଧା ୨ ଓ୍ଵିକେଟ୍‌ରେ ୩୨୭ ରନ୍‌ କରିଛି। ଆଲେଷ୍ଟର୍‌ କୁକ୍‌ ତାଙ୍କ ଶତକ ମରୁଡ଼ି ଧାରାକୁ ରୋକିବାରେ ସକ୍ଷମ ହୋଇଛନ୍ତି। ଅଭିଜ୍ଞ ଖେଳାଳିଙ୍କ ଅବଦାନ ବଳରେ ଇଂଲଣ୍ଡ୍‌ ଦ୍ୱିତୀୟ ଦିନର ସମ୍ମାନକୁ ନିଜ ନାମରେ କରିନେଇଛି।

ବୁଧବାର ଅଷ୍ଟ୍ରେଲିଆ ୨୪୪/୩ରୁ ଖେଳି ଆଶ୍ଚର୍ଯ୍ୟଜନକ ଭାବେ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଷ୍ଟିଭେନ୍‌ ସ୍ମିଥ୍‌ (୭୬) ଏବଂ ମାର୍ସ ଭ୍ରାତା ଆଉଟ୍‌ ହେବା ପରେ ଅଷ୍ଟ୍ରେଲିଆ ୩୧୪/୫ରୁ ହଠାତ୍‌ ୩୨୭ରେ ସୀମିତ ହୋଇଯାଇଥିଲା। ଇଂଲଣ୍ଡର ଅଭିଜ୍ଞ ଦ୍ରୁତ ବୋଲଂ ଯୋଡ଼ି ଜେମ୍‌ସ ଆଣ୍ଡରସନ୍‌ ଏବଂ ଷ୍ଟୁଆର୍ଟ ବ୍ରଡ୍‌ ମିଳିତ ଭାବେ ୭ ଓ୍ଵିକେଟ୍‌ ନେଇଥିଲେ। ଫଳରେ ୨୪ ଘଣ୍ଟା ତଳେ ଥିବା ଉଭୟ ଦଳର ଭାଗ୍ୟ ଓଲଟପାଲଟ ହୋଇଯାଇଥିଲା। ସ୍ମିଥ୍‌ ୨୦୧୪ ମସିହା ପରେ ପ୍ରଥମ ଥର ଏମ୍‌ସିଜିରେ ଆଉଟ୍‌ ହେଲେ। ଏହା ମଧ୍ୟରେ ସେ ୪୪୫ ରନ୍‌ ସଂଗ୍ରହ କରିଥିଲେ।
ଅନ୍ୟପକ୍ଷରେ ଇଂଲଣ୍ଡ ଏବେ ୧୩୫ ରନ୍‌ ପଛରେ ଥିବାବେଳେ ଆଲେଷ୍ଟର୍‌ କୁକ୍‌ (୧୦୪*, ୧୬୬ ବଲ୍‌ , ୧୫ ଚୌକା) ଏବଂ ଜୋ ରୁଟ୍‌ (୪୯*, ୧୦୫ ବଲ୍‌, ୬ ଚୌକା) ଆସେସ୍‌ ଅଭିଯାନକୁ ଗୌରବର ସହ ଶେଷ କରିବା ଆଶା ଉଜ୍ଜୀବିତ ରଖିଛନ୍ତି। କୁକ୍‌ ନିଜର ଶେଷ ୧୦ ଟେଷ୍ଟ୍‍ ପାଳିରେ ଗୋଟିଏ ବି ଅର୍ଧଶତକ ଜମାଇ ନଥିବାବେଳେ ଏବେ ଶତକ ସହ ବ୍ୟର୍ଥତାକୁ ଦୂର କରିଛନ୍ତି। ଏଭଳି ଖରାପ ଲୟରେ କୁକ୍‌ ବିଗତ ୧୨ ବର୍ଷ ଭିତରେ କେବେ ନଥିଲେ। ନିଜର ୩୨ତମ ଟେଷ୍ଟ ଶତକ ସହିତ ସେ ମଧ୍ୟ ସର୍ବକାଳୀନ ଟେଷ୍ଟ୍‍ ରନ୍‌ ତାଲିକାରେ ଅଷ୍ଟମ ସ୍ଥାନକୁ ଉଠିଛନ୍ତି।

ସଂକ୍ଷିପ୍ତ ସ୍କୋର: ଅଷ୍ଟ୍ରେଲିଆ ପ୍ରଥମ ପାଳି: ୩୨୭ (ଡେଭିଡ୍‌ ଓ୍ଵାର୍ନର-୧୦୩, ଷ୍ଟିଭେନ୍‌ ସ୍ମିଥ୍‌-୭୬, ସନ୍‌ ମାର୍ସ-୬୧, ଷ୍ଟୁଆର୍ଟ ବ୍ରଡ୍‌-୪/୫୧, ଜେମ୍‌ସ ଆଣ୍ଡରସନ୍‌-୩/୬୧, କ୍ରିସ୍‌ ଓ୍ଵକ୍‌ସ-୨/୭୨)। ଇଂଲଣ୍ଡ ପ୍ରଥମ ପାଳି: ୫୭ ଓଭରରେ ୧୯୨/୨ (ଆେଷ୍ଟେର୍‌ କୁକ୍‌-୧୦୪*, ଜୋ ରୁଟ୍‌-୪୯*, ହାଜେଲ୍‌ଉଡ୍‌-୧/୩୯, ଲିଅନ୍‌-୧/୪୪)।

ସମ୍ବନ୍ଧିତ ଖବର