ରୋଷେଇ କରିବା କୌଣସି ରକେଟ ସାଇନ୍ସ ନୁହେଁ: ହରଭଜନ

ନୂଆଦିଲ୍ଲୀ: ଚଳିତ ବର୍ଷ କରୋନା ମହାମାରୀ ବିଶ୍ବରେ ସମସ୍ତଙ୍କ ପାଇଁ ଅନେକ କଷ୍ଟକର ଆହ୍ବାନ ଆଣିଦେଇଛି। କୋଭିଡ୍‌-୧୯ ଆରମ୍ଭ ହେବା ପୂର୍ବରୁ ବର୍ଷ ଆରମ୍ଭରେ ସବୁକିଛି ଠିକ୍‌ଠାକ୍‌ ଚାଲୁଥିଲା। କିନ୍ତୁ ଏବେ ସବୁକିଛି ଠପ୍‌ ହୋଇଯାଇଛି। ଯେତେବେଳେ ଦେଶବ୍ୟାପୀ ତାଲାବନ୍ଦ ଆରମ୍ଭ ହେଲା, ସେବେଠୁ ପୂର୍ବତନ ସ୍ପିନର ହରଭଜନ ସି˚ହ ମୁମ୍ବାଇସ୍ଥିତ ବାସଭବନରେ ପତ୍ନୀ ଓ ଝିଅ ସହିତ ରହିଛନ୍ତି। ତାଙ୍କ ପରିବାର ସହିତ ଏତେ ସମୟ ଧରି ଏକାଠି ରହିବା ସୁଯୋଗ କେବେ ବି ମିଳିନଥିଲା। ଯଦିଓ ସେ ଏବେ ମୁମ୍ବାଇରେ ଅଛନ୍ତି, ତଥାପି ପଞ୍ଜାବର ଜଳନ୍ଧରରେ ରହୁଥିବା ମା’ ଓ ଭଉଣୀଙ୍କ ସହ ନିୟମିତ ଯୋଗାଯୋଗରେ ରହିଥିବା ହରଭଜନ ଏକ ସାକ୍ଷାତକାରରେ କହିଛନ୍ତି।

ଏଭଳି ସମୟରେ ଜଳନ୍ଧରରେ ରହୁଥିବା ଗରିବ ଶ୍ରେଣୀର ଲୋକଙ୍କ ପାଇଁ ହରଭଜନ ସହାୟତାର ହାତ ବଢାଇଛି। ୫ ହଜାର ଗରିବ ପରିବାରକୁ ରାସନ ସାମଗ୍ରୀ ପହଞ୍ଚାଇଥିଲା ବେଳେ ଆଗକୁ ମଧ୍ୟ ଏଭଳି କାର୍ଯ୍ୟ ଜାରି ରହିବ ବୋଲି ସେ କହିଛନ୍ତି। ଏଭଳି କଠିନ ସମୟରେ ସେ ଭଗବାନଙ୍କ ନିକଟତର ହୋଇଥିଲା ଭଳି ଅନୁଭବ କରିଛନ୍ତି ଓ ମାନବ ସମାଜର କଲ୍ୟାଣ ପାଇଁ ପ୍ରତ୍ୟେକ ଦିନ ପ୍ରାର୍ଥନା କରୁଥିବା କହିଛନ୍ତି। ତାଲାବନ୍ଦ ସମୟରେ ଘରେ ଥିବାବେଳେ ଯୋଗ ଓ ରୋଷେଇରେ ସମୟ କଟାଉଛନ୍ତି। ଏହି ଦୁଇ କାର୍ଯ୍ୟରେ ପତ୍ନୀ ଗୀତା ବାସ୍ରା ପୂର୍ଣ୍ଣ ସହଯୋଗ କରୁଛନ୍ତି। ଉଭୟ ଦୁଇରୁ ତିନି ଘଣ୍ଟା ଯୋଗ କରୁଥିଲା ବେଳେ ଘର ସଫା କରିବା ପରେ ଝିଅ ସହିତ ଖେଳୁଛନ୍ତି। ଯେତେବେଳେ ଗୀତା ପିଆନୋ ଅଭ୍ୟାସ କରୁଥାନ୍ତି, ସେତେବେଳେ ହରଭଜନ ଝିଅ କଥା ବୁଝାବୁଝି କରନ୍ତି। ଏଭଳି ପରିସ୍ଥିତି ପୂର୍ବରୁ ସେ କେବେ ବି ରୋଷେଇ ଘରକୁ ପ୍ରବେଶ କରିନଥିଲେ। ତେଣୁ ରୋଷେଇ ଏକ ରକେଟ୍‌ ସାଇନ୍ସ ନୁହେଁ ବୋଲି ଏବେ ଅନୁଭବ କରିପାରୁଛନ୍ତି। ତାଙ୍କ ମତରେ, ରୋଷେଇ ବ୍ୟଞ୍ଜନ ଶେଷ ହେବା ପରେ ଅନେକ ସନ୍ତୁଷ୍ଟି ମିଳୁଛି। ଆଳୁ-ବାଇଗଣ, ଆଳୁ- କୋବି ଓ ଡାଲି ଇତ୍ୟାଦି ରୋଷେଇ କରିଛନ୍ତି। ଆଗକୁ ତାଲାବନ୍ଦ ଶେଷ ହେବା ପରେ ବି କିଛି ନୂଆ ବ୍ୟଞ୍ଜନ ତିଆରି କରିବା ପାଇଁ ରୋଷେଇ କରିବା ଅଭ୍ୟାସ ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ କେବଳ ଦୀପାବଳିରେ ଘରକୁ ସ˚ପୂର୍ଣ୍ଣ ସଫା କରାଯାଉଥିଲା। କିନ୍ତୁ ଏବେ ଜୀବନ ପ୍ରତି ବିପଦଥିବା ରୋଗ ବିଷୟରେ ଜଣାପଡ଼ିବା ପରେ ଘରକୁ ଭଲ ଭାବେ ସଫା କରିବାକୁ ପଡୁଛି। ସେବେଠୁ ଆଉ ବନ୍ଧୁ ମାନଙ୍କ ସହ ଭେଟ କରିବାକୁ ବାହାରକୁ ଯାଇହେଉନାହିଁ, ତେଣୁ ସେମାନଙ୍କ ସହ ଭିଡିଓ କଲ୍‌ ମାଧ୍ୟମରେ ଯୋଗାଯୋଗ ରଖିଛନ୍ତି।

ସେ କହିଛନ୍ତି ଯେ ବର୍ଷର ଏହି ସମୟରେ ଆମେ ଆଇପିଏଲ୍‌ ଖେଳୁଥାଉ ଏବ˚ ଦେଶର ବିଭିନ୍ନ ସ୍ଥାନକୁ ଗସ୍ତ କରିଥାଉ। ଯଦିଓ ଏବେ କ୍ରିକେଟ ବିଷୟରେ ଚିନ୍ତା କରୁନାହିଁ ତଥାପି ଏଭଳି ସ୍ଥିତିର ଶୀଘ୍ର ଅବସାନ ଘଟୁବୋଲି ଆଶା ରଖୁଛି। ଚଳିତ ବର୍ଷ ଆମ ସମସ୍ତଙ୍କ ପାଇଁ ପରୀକ୍ଷାର ବର୍ଷ ହେବ। ଭଗବାନ ଆମକୁ ଯାହା ଆଶୀର୍ବାଦ କରିଛନ୍ତି ତାହାକୁ ପ୍ରଶ˚ସା କରାଯିବା ଉଚିତ୍‌। ଡାକ୍ତର, ନର୍ସ, ପୁଲିସ୍‌ କର୍ମଚାରୀ ଓ ଅନ୍ୟ କରୋନା ଯୋଦ୍ଧା ମାନେ ପ୍ରକୃତ ନାୟକ। ଭଗବାନ ସମୟଙ୍କୁ ଆଶୀର୍ବାଦ କରନ୍ତୁ ବୋଲି ହରଭଜନ ପ୍ରତିକ୍ରିୟାରେ କହିଥିଲେ।

ସମ୍ବନ୍ଧିତ ଖବର