କୁକ୍‌ଙ୍କ କିଂବଦନ୍ତି ତାଲିକା: କେବଳ କୋହଲି ଲାରାଙ୍କ ସମକକ୍ଷ

ଶ୍ରେଷ୍ଠ ୫ରେ କୋହଲି, କାଲିସ୍, ସାଙ୍ଗାକାରା, ପଣ୍ଟିଂ, ଲାରା

ଲଣ୍ଡନ୍‌: ଇଂଲଣ୍ଡର ପୂର୍ବତନ ବ୍ୟାଟ୍ସମ୍ୟାନ୍‌ ଆଲେଷ୍ଟର କୁକ୍‌ ଅନେକ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍‌ଙ୍କ ସହ ଖେଳିବାର ସୌଭାଗ୍ୟ ପାଇଛନ୍ତି। ସେ ମଧ୍ୟ ଇଂଲଣ୍ଡର ଅନ୍ୟତମ ସର୍ବକାଳୀନ ଶ୍ରେଷ୍ଠ ଟେଷ୍ଟ୍‌ ବ୍ୟାଟ୍ସମ୍ୟାନ୍‌ ଭାବେ ପରିଗଣିତ। ସଚିନ ତେନ୍ଦୁଲକର, ବ୍ରାଏନ୍‌ ଲାରା, ରିକି ପଣ୍ଟିଂ, ରାହୁଲ ଦ୍ରାବିଡ଼, କୁମାର ସାଙ୍ଗାକାରା, ଜ୍ୟାକ୍ କାଲିସଙ୍କ ଭଳି କିଛି ନାମକରା ବ୍ୟାଟ୍ସମ୍ୟାନ୍‌ଙ୍କ ବିପକ୍ଷରେ କୁ୍କ୍ ଖେଳିଛନ୍ତି ଏବଂ ଏଥିଲାଗି ନିଜକୁ ସୌଭାଗ୍ୟବାନ ଭାବୁଛନ୍ତି। କୁକ୍‌ଙ୍କ ନଜରରେ କିନ୍ତୁ ଇଣ୍ଡିଜ୍ କିଂବଦନ୍ତି ଲାରା ହେଉଛନ୍ତି ଏମାନଙ୍କ ମଧ୍ୟରେ ସର୍ବଶ୍ରେଷ୍ଠ। ଏକ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମରେ ୧୬୧ ଟେଷ୍ଟ୍‌ ମ୍ୟାଚ୍‌ ଖେଳି ୧୨୪୭୨ ରନ୍‌ କରିଥିବା ଇଂଲଣ୍ଡର ଏହି ସର୍ବାଧିକ ରନ୍‌ ହାସଲକାରୀ ଏକ ଟୁର୍‌ ମ୍ୟାଚ୍‌ କଥା ମନେ ପକାଇଥିଲେ। ଯେଉଁଥିରେ ଲାରା ଗୋଟିଏ ପାଳିରେ ଶତକ ହାସଲ କରିଥିଲେ। ‘‘ୱେଷ୍ଟ୍‌ଇଣ୍ଡିଜ୍‌ ୨୦୦୪ ମସିହାରେ ଇଂଲଣ୍ଡ ଗସ୍ତରେ ଆସିଥିଲା। ଗସ୍ତର ପ୍ରଥମ ମ୍ୟାଚ୍‌ ଅରୁନଦେଲରେ ଖେଳାଯାଇଥିଲା।

ସେତେବେଳେ ମୁଁ ଏମ୍‌ସିସି ଦଳର ସଦସ୍ୟ ଥିଲି। ସାଇମନ୍ ଜୋନ୍ସ, ମାଥ୍ୟୁ ହୋଗାର୍ଡ ଏବଂ ମିନ୍‌ ପଟେଲଙ୍କୁ ନେଇ ଆମ ବୋଲିଂ ବାହିନୀ ଭଲ ଥିଲା। ମଧ୍ୟାହ୍ନ ଭୋଜନ ଏବଂ ଚା’ପାନ ବିରତି ମଧ୍ୟରେ ଲାରା ଶତକ ଅର୍ଜନ କରିଥିଲେ। ତାଙ୍କର ଏହି ଚମତ୍କାର ବ୍ୟାଟିଂକୁ ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଥିଲି। ସତରେ ଏହା ଚମତ୍କାର ଥିଲା।’’ ବୋଲି କହିଛନ୍ତି କୁକ୍‌। କୁକ୍‌ ‌ଆଧୁନିକ ଯୁଗରେ ଲାରା (୧୩୧ ଟେଷ୍ଟ୍‌, ୧୧୯୫୩ ରନ୍‌ ଓ ୨୯୯ ଦିନିକିଆ, ୧୦୫୦୫ ରନ୍‌)ଙ୍କ ନିକଟତର ହୋଇଥିବା ୪ ବ୍ୟାଟ୍ସମ୍ୟାନ୍‌ଙ୍କ ନାମ ନେଇଥିଲେ। ଏଥିରେ ୩ ପୂର୍ବତନ ବ୍ୟାଟ୍ସମ୍ୟାନ୍‌ ପଣ୍ଟିଂ, ସାଙ୍ଗାକାରା ଓ କାଲିସଙ୍କୁ ରଖିଥିଲେ। ଅନ୍ୟଜଣଙ୍କ ବର୍ତ୍ତମାନ ଖେଳୁଥିବା ଜଣେ ଭାରତୀୟ ବ୍ୟାଟ୍ସମ୍ୟାନ୍‌। ଲାରାଙ୍କ ଷ୍ଟ୍ରୋକ୍‌ପ୍ଲେ ସହିତ ତାଙ୍କର ମେଳ ଖାଉଛି। ‌ସେ ହେଉଛନ୍ତି ଭାରତୀୟ ଅଧିନାୟକ ବିରାଟ କୋହଲି। ୩ ଫର୍ମାଟ୍‌ରେ କୋହଲିଙ୍କ ବ୍ୟାଟିଂ ହାରାହାରି ୫୦ରୁ ଅଧିକ ରହିଛି। ସେ ୨୪୮ ଦିନିକିଆ ଖେଳି ୩୮ ଶତକ ସହ ୧୧୮୬୭ ରନ୍ କରିସାରିଛନ୍ତି। ଏଥିରେ ତାଙ୍କ ହାରାହାରି ୬୦ ପାଖାପାଖି ରହିଛି। ୮୬ ଟେଷ୍ଟ୍‌ରେ ୨୭ ଶତକ ଓ ୫୩.୬୨ ହାରରେ ସେ ୭୨୪୦ ରନ୍ ସଂଗ୍ରହ କରିଛନ୍ତି। ଏଣୁ ଆଧୁନିକ କ୍ରିକେଟରଙ୍କ ମଧ୍ୟରେ କେବଳ କୋହଲି ହିଁ ଲାରାଙ୍କ ସହ ତୁଳନୀୟ ବୋଲି ଇଂଲଣ୍ଡର ପୂର୍ବତନ ଅଧିନାୟକ କୁକ୍ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର