କୋପା ଆମେରିକା: ମେସିଙ୍କ ଗୋଲ୍‌ ସତ୍ତ୍ବେ ଆର୍ଜେଣ୍ଟିନା-ଚିଲି ମ୍ୟାଚ୍‌ ଅମୀମାଂସିତ, ବଲିଭିଆକୁ ହରାଇଲା ପାରାଗୁଏ

ରିଓ ଡି’ଜେନିରୋ: ତାରକା ଖେଳାଳି ଲିଓନେଲ ମେସିଙ୍କ ଗୋଲ୍‌ ସତ୍ତ୍ବେ ଆର୍ଜେଣ୍ଟିନା କୋପା ଆମେରିକା ଫୁଟ୍‌ବଲ୍‌ ପ୍ରତିଯୋଗିତାର ‌ଚିଲି ବିପକ୍ଷ ମ୍ୟାଚ୍‌ରେ ପୂରା ପଏଣ୍ଟ ପାଇବାରୁ ବିଫଳ ହୋଇଛି। ମଙ୍ଗଳବାର ଖେଳାଯାଇଥିବା ଏହି ମ୍ୟାଚ୍‌ ୧-୧ ଗୋଲ୍‌ରେ ଅମୀମାଂସିତ ଭାବେ ଶେଷ ହୋଇଥିଲା। ଫଳରେ ଉଭୟ ଦଳ ଗୋଟିଏ ଲେଖାଏଁ ପଏଣ୍ଟ୍‌ରେ ସନ୍ତୁଷ୍ଟ ରହିଥିଲେ। ମ୍ୟାଚ୍‌ର ୩୭ତମ ମିନିଟ୍‌ରେ ମେସି ନିଜର ଟ୍ରେଡ୍‌ମାର୍କ ଫ୍ରିକିକ୍‌ ଜରିଆରେ ଆର୍ଜେଣ୍ଟିନାକୁ ପ୍ରଥମାର୍ଦ୍ଧରେ ଅଗ୍ରଣୀ କରାଇଥିଲେ। ହେଲେ ଦ୍ବିତୀୟାର୍ଦ୍ଧରେ ଚିଲିର ଏଡୁଆର୍ଡୋ ଭାର୍ଗାସ (୫୭ ମିନିଟ୍‌) ଗୋଲ୍‌ଟି ଶୁଝି ସ୍ଥିତି ସମାନ କରିଦେଇଥିଲେ। ୨୦୧୫ ଓ ୨୦୧୬ କୋପା ଆମେରିକା ଫାଇନାଲ୍‌ରେ ଆର୍ଜେଣ୍ଟିନାକୁ ପେନାଲ୍‌ଟିରେ ଚିଲି ହରାଇଥିଲା। ହେଲେ କେବେ ଚିଲି ନିର୍ଦ୍ଧାରିତ ୯୦ ମିନିଟ୍‌ ମଧ୍ୟରେ ଆର୍ଜେଣ୍ଟିନାକୁ ହରାଇନି। କିନ୍ତୁ ଆର୍ଜେଣ୍ଟିନା ବିପକ୍ଷ ମ୍ୟାଚ୍‌ରୁ ଚିଲି ଗୋଟିଏ ପଏଣ୍ଟ ପାଇ ବହୁତ ଖୁସି।

ବଲିଭିଆକୁ ହରାଇଲା ପାରାଗୁଏ
ଚଳିତ କୋପା ଆମେରିକା ଫୁଟ୍‌ବଲ୍‌ ପ୍ରତିଯୋଗିତାରେ ‌ମଙ୍ଗଳବାର ମ୍ୟାଚ୍‌ରେ ପାରାଗୁଏ ୩-୧ ଗୋଲ୍‌ରେ ବଲିଭିଆକୁ ପରାସ୍ତ କରିଛି। ଆରମ୍ଭରୁ ୦-୧ରେ ପଛୁଆ ଥିବା ପାରାଗୁଏ କିନ୍ତୁ ପରବର୍ତ୍ତୀ ସମୟରେ ପ୍ରତ୍ୟାବର୍ତ୍ତନ କରି ବଲିଭିଆଠୁ ପୂରା ୩ ପଏଣ୍ଟ୍‌ ଛଡ଼ାଇ ନେଇଛି। ‌୧୯୬୩ ପରଠୁ କୋପା ଆମେରିକାରେ କେବେ ବି ପାରାଗୁଏକୁ ହରାଇନଥିବା ବଲିଭିଆ ୧୦ ମିନିଟ୍‌ରେ ଅଗ୍ରଣୀ ନେଇଥିଲା। ଏନ୍‌ୱିନ୍‌ ସାଭେଦ୍ରା ପେନାଲ୍‌ଟି ଜରିଆରେ ଏହି ଗୋଲ୍‌ଟି ଦେଇଥିଲେ। କରୋନା ପଜିଟିଭ୍‌ ଯୋଗୁଁ ୫ ଜଣ ଖେଳାଳି ବିନା ପଡ଼ିଆକୁ ଓହ୍ଲାଇଥିବ‌ା ବଲଭିଆ ପାଇଁ ଦ୍ବିତୀୟାର୍ଦ୍ଧରେ ଆଉ ଏକ ବିପତ୍ତି ଆସିଥିଲା। ଦ୍ବିତୀୟାର୍ଦ୍ଧ ଆରମ୍ଭର କିଛି ସମୟ ପରେ ନାଲି କାର୍ଡ ପାଇ ଜାଉମେ କୁଲେର ପଡ଼ିଆ ଛାଡ଼ିବାରୁ ବଲିଭିଆ ୧୦ ଜଣଙ୍କୁ ନେଇ ଖେଳିଥିଲା। ଏହାର ପୂରା ଫାଇଦା ପାରାଗୁଏ ଉଠାଇଥିଲା। ଆଞ୍ଜେଲୋ ରୋମେରୋ (୬୫, ୮୦ ମିିନିଟ)ଙ୍କ ଯୁଗଳ ଏବଂ ଆଲେ‌ଜାଣ୍ଡ୍ରୋ ରୋମେରୋ (୬୩ ମିନିଟ୍‌)ଙ୍କ ଗୋଟିଏ ଗୋଲ୍‌ ବଳରେ ପାରାଗୁଏ ୩-୧ରେ ବିଜୟୀ ହୋଇଥିଲା।

ସମ୍ବନ୍ଧିତ ଖବର