କୋପା ଆମେରିକା: ସେମିରେ ଆର୍ଜେଣ୍ଟିନା-କଲମ୍ବିଆ ଭେଟ

ଫ୍ରି`କିକ୍‌ ଗୋଲ୍‌: ରୋନାଲ୍‌ଡୋଙ୍କୁ ଟପିଲେ ମେସି

ଗୋଏନା/ବ୍ରାସିଲା: ଚଳିତ କୋପା ଆମେରିକା ଫୁଟ୍‌ବଲ୍‌ ପ୍ରତିଯୋଗିତାର ଦ୍ବିତୀୟ ସେମିଫାଇନାଲ୍‌ରେ ଆର୍ଜେଣ୍ଟିନା ଓ କଲମ୍ବିଆ ‌ମୁହାଁମୁହିଁ ହେବେ। ଏହି ସେମିଫାଇନାଲ୍‌ ଜୁଲାଇ ୭ ତାରିଖରେ ଅନୁଷ୍ଠିତ ହେବ। ସୋମବାର ଖେଳାଯାଇଥିବା କ୍ବାର୍ଟର ଫାଇନାଲ୍‌ରେ ଆର୍ଜେଣ୍ଟିନା ୩-୦ ଗୋଲ୍‌ରେ ଇକ୍ବେଡରକୁ ଏବଂ କଲମ୍ବିଆ ୪-୨ (୦-୦) ପେନାଲ୍‌ଟି ସୁଟ୍‌ଆଉଟ୍‌ରେ ଉରୁଗୁଏକୁ ପରାସ୍ତ କରିଥିଲା। ଗୋଏନାରେ ଖେଳାଯାଇଥିବା ମ୍ୟାଚ୍‌ର ଆରମ୍ଭରୁ ଆର୍ଜେଣ୍ଟିନାର ତାରକା ଖେଳାଳି ‌ଲିଓନେଲ ମେସି ଏକ ସୁବର୍ଣ୍ଣ ସୁଯୋଗ ହାତଛଡ଼ା କରିଥିଲେ। ହେଲେ ପ୍ରଥମାର୍ଦ୍ଧ ଶେଷ ହେବାର ୫ ମିନିଟ୍‌ ପୂର୍ବରୁ ରୋଡ୍ରିଗୋ ଡି’ପଲ୍‌ (୪୦ ମିନିଟ୍‌)ଙ୍କ ଗୋଲ୍‌ରେ ଆର୍ଜେଣ୍ଟିନା ଅଗ୍ରଣୀ ନେଇଥିଲା। ସେହିପରି ଦ୍ବିତୀୟାର୍ଦ୍ଧ ଶେଷ ହେବା ୫ ମିନିଟ୍‌ ପୂର୍ବରୁ ଲୌଟାରୋ ମାର୍ଟିଞ୍ଜ (୮୫ ମିନିଟ୍‌) ଆର୍ଜେଣ୍ଟିନା ପାଇଁ ଦ୍ବିତୀୟ ଗୋଲ୍‌ କରିଥିଲେ। ତେବେ ଇଞ୍ଜୁରି ସମୟରେ ମେସି (୯୦+୩ ମିନିଟ୍‌) ‌ଦଳ ପାଇଁ ତୃତୀୟ ତଥା ଶେଷ ଗୋଲ୍‌ ଦେଇ ବିଜୟ ମୁଣ୍ଡି ମାରିଥିଲେ।

ବ୍ରାସିଲାରେ ଖେଳାଯାଇଥିବା କଲମ୍ବିଆ ଓ ଉରୁଗୁଏ ମ୍ୟାଚ୍‌ ନିର୍ଦ୍ଧାରିତ ସମୟରେ ଗୋଲ୍‌ ଶୂନ୍ୟ ଭାବେ ଅମୀମାଂସିତ ରହିଥିଲା। ତେଣୁ ଫଳାଫଳ ପାଇଁ ପେନାଲ୍‌ଟି ସୁଟ୍‌ଆଉଟ୍‌ର ସହଯୋଗ ନିଆଯାଇଥିଲା। କଲମ୍ବିଆ ନିଜର ପ୍ରଥମ ୪ ସଟ୍‌କୁ ‌ଗୋଲ୍‌ କରିବାରେ ସଫଳ ହୋଇ ବିଜୟୀ ହୋଇଥିଲା। ଅନ୍ୟପକ୍ଷରେ ଉରଗୁଏ ୨ ‌ଗୋଲ୍‌ କରିବାକୁ ସକ୍ଷମ ହୋଇଥିଲା। ଜୋସ ମାରିଆ ଗିମେନେଜ ଓ ମାତିଆସ ଭିନାଙ୍କ ସଟ୍‌କୁ ଅଟକାଇ ଗୋଲ୍‌ ରକ୍ଷକ ଡେଭିସ ଓସ୍ପିନା କଲମ୍ବିଆ ବିଜୟର ହେରୋ ବନିଯାଇଥିଲେ। ଓସ୍ପିନାଙ୍କ ଏହା ୧୧୨ତମ ମ୍ୟାଚ୍‌ ଥିଲା ବେଳେ କଲିମ୍ବିଆ ପକ୍ଷରୁ ସର୍ବାଧିକ ମ୍ୟାଚ୍‌ ଖେଳିବାର କୀର୍ତ୍ତିମାନ କରିଥିଲେ।

ଫ୍ରି`କିକ୍‌ ଗୋଲ୍‌: ରୋନାଲ୍‌ଡୋଙ୍କୁ ଟପିଲେ ମେସି
ଗୋଏନା: ଚଳିତ କୋପା ଆମେରିକା ଫୁଟ୍‌ବଲ୍‌ ପ୍ରତିଯୋଗିତାର ଦ୍ବିତୀୟ ସେମିଫାଇନାଲ୍‌ରେ ଆର୍ଜେଣ୍ଟିନା ୩-୦ ଗୋଲ୍‌ରେ ଇକ୍ବେଡର୍‌କୁ ପରାସ୍ତ କରିଥିଲା। ଏଥିରେ ତାରକା ଖେଳାଳି ଲିଓନେଲ୍‌ ମେସି ଗୋଟିଏ ଗୋଲ୍‌ ଫ୍ରିକିକ୍‌ ଜରିଆରେ କରିଥିଲେ। ଏହା ଥିଲା ଆର୍ଜେଣ୍ଟିନା ପାଇଁ ମେସିଙ୍କର ମୋଟ ୫୮ତମ ଫ୍ରି କିକ୍‌ ଗୋଲ୍‌। ଏହି ଗୋଲ୍‌ ବଳ‌ରେ ସର୍ବାଧିକ ଫ୍ରି କିକ୍‌ ଗୋଲ୍‌ କରିବାରେ ମେସି ତାଙ୍କ ପ୍ରତିଦ୍ବନ୍ଦ୍ବୀ ତଥା ପର୍ତୁଗାଲ ତାରକା କ୍ରିଷ୍ଟିଆନ୍‌ ରୋନାଲ୍‌ଡୋଙ୍କ କୀର୍ତ୍ତିମାନକୁ ଟପି ଯାଇଥିଲେ। ପୁଣି ଆର୍ଜେଣ୍ଟିନା ପାଇଁ ମଧ୍ୟ ମେସିଙ୍କ ବ୍ୟକ୍ତିଗତ ଗୋଲ୍‌ ସଂଖ୍ୟା ୭୬ରେ ପହଞ୍ଚିଯାଇଛି। ଏକ୍ଷେତ୍ରରେ ସେ ମଧ୍ୟ ପୁରୁଷ ଆନ୍ତର୍ଜାତିକ ଫୁଟ୍‌ବଲ୍‌ରେ ଜଣେ ଦକ୍ଷିଣ ଆମେରିକୀୟ ଭାବେ ବ୍ରାଜିଲ ମହାନ୍‌ ପେଲେଙ୍କ କୀର୍ତ୍ତିମାନଠୁ ଗୋଟିଏ ପଛରେ ରହିଛନ୍ତି। ପେଲେଙ୍କ ଆନ୍ତର୍ଜାତିକ ଗୋଲ୍‌ ସଂଖ୍ୟା ୭୭ ରହିଛି।

ସମ୍ବନ୍ଧିତ ଖବର