କୋପା ଆମେରିକା: କଲମ୍ବିଆକୁ ହରାଇଲା ପେରୁ, ପଏଣ୍ଟ୍ ବାଣ୍ଟିଲେ ଭେନ୍‌ଜୁଏଲା-ଇକ୍ବେଡର

ଆର୍ଜେଣ୍ଟିନା, ଚିଲିର ପ୍ରଥମ ବିଜୟ

ସାଓ ପୌଲୋ: ଚଳିତ କୋପା ଆମେରିକା ଫୁଟ୍‌ବଲ୍‌ ପ୍ରତିଯୋଗିତାରେ ପେରୁ ସୋମବାର ପ୍ରଥମ ବିଜୟ ପାଇଛି। ଗୋଇଆନିଆସ୍ଥିତ ଅଲିମ୍ପିକୋ ଷ୍ଟାଡିୟମରେ ଖେଳା ଯାଇଥିବା କଲମ୍ବିଆ ବିପକ୍ଷ ଏହି ମ୍ୟାଚ୍‌କୁ ୧-୨ରେ ଜିତି ପେରୁ ପଏଣ୍ଟ ଖାତା ଖୋଲିବା ସହ ନକ୍‌ଆଉଟ୍‌ ଆଶା ଉଜ୍ଜୀବିତ ରଖିଛି। ମ୍ୟାଚ୍‌ର ୧୭ତମ ମିନିଟ୍‌ରେ ସର୍ଜିଓ ପେନା ପେରୁ ପାଇଁ ଗୋଲ୍‌ ଶୁଭାରମ୍ଭ କରିଥିଲେ। ଏହି ଗୋଲ୍‌ ବଳରେ ପେରୁ ପ୍ରଥମାର୍ଦ୍ଧ ଅଗ୍ରଣୀରେ ଶେଷ କରିଥିଲା। ହେଲେ ଦ୍ବିତୀୟାର୍ଦ୍ଧର ଅ‌ଷ୍ଟମ ମିନିଟ୍‌ରେ କଲମ୍ବିଆର ମିଗୁଲ ବୋର୍ଜା (୫୩ ମିନିଟ୍‌) ଗୋଲ୍‌ଟି ଶୁଝି ସ୍ଥିତି ବରାବର କରିଥିଲେ। ‌ଏହାର ୧୧ ମିନିଟ୍‌ ପରେ ୟେରି ମିନାଙ୍କ ଆତ୍ମଘାତୀ ଗୋଲ୍‌ ବଳରେ କଲମ୍ବିଆ ୧-୨ରେ ପଛୁଆ ହୋଇଯାଇଥିଲା। ଅନ୍ୟପକ୍ଷରେ ଏହି ଆତ୍ମଘାତୀ ଗୋଲ୍‌ରେ ପେରୁ ବିଜୟୀ ହୋଇ ପୂରା ୩ ପଏଣ୍ଟ କରାୟତ୍ତ କରି ଗ୍ରୁପ୍‌-ବି ଟେବୁଲର ତୃତୀୟ ସ୍ଥାନରେ ପହଞ୍ଚିଥିଲା। କଲମ୍ବିଆ ୩ ମ୍ୟାଚ୍‌ ଖେଳି ଗୋଟିଏ ଲେଖାଏଁ ବିଜୟ, ପରାଜୟ ଓ ଅମୀମାଂସିତରୁ ୪ ପଏଣ୍ଟ ପାଇ ଦ୍ବିତୀୟରେ ରହିଛି।

ପଏଣ୍ଟ୍ ବାଣ୍ଟିଲେ ଭେନ୍‌ଜୁଏଲା-ଇକ୍ବେଡର
ରିଓ ଡି’ଜେନିରୋ: ଷ୍ଟପେଜ୍‌ ଟାଇମ୍‌ରେ ଭେନ୍‌ଜୁଏଲାର ‌ରୋନାଲ୍ଡ ହର୍ଣ୍ଣାଡେଜ ନିଜର ପ୍ରଥମ ଅନ୍ତର୍ଜାତୀୟ ଗୋଲ୍‌ ଦେବା ସହ ଇକ୍ବେଡର ବିପକ୍ଷ କୋପା ଆମେରିକା ମ୍ୟାଚ୍‌କୁ ଅମୀମାଂସିତ ରଖିବାକୁ ସକ୍ଷମ ହୋଇଥିଲେ। ସୋମବାର ଗ୍ରୁପ୍‌-ବିର ଏହି ମ୍ୟାଚ୍‌ ୨-୨ ଗୋଲ୍‌ରେ ଶେଷ ହୋଇଥିଲା। ଫଳରେ ଉଭୟ ଦଳ ଗୋଟିଏ ଲେଖାଏଁ ପଏଣ୍ଟରେ ସନ୍ତୁଷ୍ଟ ରହିଥିଲେ। ୩୯ତମ ମିନିଟ୍‌ରେ ଆର୍ଟନ ‌ପ୍ରିସିଆଡୋଙ୍କ ଗୋଲ୍‌ରେ ଇକ୍ବେଡର ପ୍ରାରମ୍ଭିକ ଆଗ୍ରଣୀ ନେଇଥିଲା। ଦ୍ବିତୀୟାର୍ଦ୍ଧରେ ଏଡସନ କାର୍ସିଲୋ (୫୧ ମିନିଟ୍‌) ଏହାକୁ ଶୁଝି ସ୍ଥିତି ବରାବର କରିଥିଲେ। ୭୧ତମ ମିନିଟ୍‌ରେ ଗୋଞ୍ଜାଲୋ ପ୍ଲାଟୋ ଇକ୍ବେଡର ପାଇଁ ଦ୍ବିତୀୟ ଗୋଲ୍‌ କରି ଦଳକୁ ବିଜୟ ଦିରେ ଅଗ୍ରସର କରାଇଥିଲେ। ହେଲେ ଶେଷ ମିନିଟ୍‌ରେ ହର୍ଣ୍ଣାଡେଜ (୯୦+୧ ମିନିଟ୍‌)ଙ୍କ ଗୋଲ୍‌ ଏହି ଆଶା ଭାଙ୍ଗି ଦେଇଥିଲା। ଭେନ୍‌ଜୁଏଲା (୨) ଓ ଇକ୍ବେଡର (୧) ଗ୍ରୁପ୍‌-ବି ପଏଣ୍ଟ ଟେବୁଲର ଶେଷ ଦୁଇ ସ୍ଥାନରେ ରହିଛନ୍ତି।

ଆର୍ଜେଣ୍ଟିନା, ଚିଲିର ପ୍ରଥମ ବିଜୟ

ବ୍ରାସିଲା: ଚଳିତ କୋପା ଆମେରିକା ଫୁଟ୍‌ବଲ୍‌ ପ୍ରତିଯୋଗିତାରେ ଆର୍ଜେଣ୍ଟିନା ଓ ଚିଲି ନିଜ ନିଜର ପ୍ରଥମ ବିଜୟ ପାଇଛନ୍ତି। ଶନିବାର ଆର୍ଜେଣ୍ଟିନା ୧-୦ ଗୋଲ୍‌ରେ ଉରୁଗୁଏକୁ ଏବଂ ଚିଲି ସମାନ ଭାବେ ୧-୦ ବ୍ୟବଧାନରେ ବଲିଭିଆକୁ ପରାସ୍ତ କରିଥିଲା। ଫଳରେ ଅମୀମାଂସିତରୁ ଅଭିଯାନ ଆରମ୍ଭ କରିଥିବା ଆର୍ଜେଣ୍ଟିନା ଓ ଚିଲି ଏହି ବିଜୟରୁ ‌ପୂରା ୩ ପଏଣ୍ଟ୍‌ ଲେଖାଏଁ କରାୟତ୍ତ କରି ମୋଟ ୪ ପଏଣ୍ଟ୍‌ ସହ ଯୁଗ୍ମ ଭାବେ ଗ୍ରୁପ୍‌-ଏ’ର ଶୀର୍ଷ ସ୍ଥାନ ଦଖଲ କରିଛନ୍ତି।

ଏଷ୍ଟାଡିଓ ନ୍ୟାସ୍‌ନାଲ ଡି’ବ୍ରାସିଲାରେ ଖେଳାଯାଇଥିବା ଉରୁଗୁଏ ବିପକ୍ଷ ମ୍ୟାଚ୍‌ରେ ‌ଆର୍ଜେଣ୍ଟିନା ଗୁଏଡୋ ରୋଦ୍ରିଗୁଏଜଙ୍କ ଗୋଲ୍‌ ବଳରେ ବିଜୟୀ ହୋଇଥିଲା। ମ୍ୟାଚ୍‌ର ୧୩ତମ ମିନିଟ୍‌ରେ ତାରକା ଖେଳାଳି ‌ଲିଓନେଲ୍‌ ମେସିଙ୍କ ଏକ କ୍ରସ ପାସ୍‌କୁ ‌ହେଡର୍‌ ଜରିଆରେ ରୋଦ୍ରିଗୁଏଜ ଗୋଲ୍‌ରେ ପରିଣତ କରି ଆର୍ଜେଣ୍ଟିନାକୁ ଅଗ୍ରଣୀ ଦେଇଥିଲେ। ୨୦୧୯ରେ ଆର୍ଜେଣ୍ଟିନା ପାଇଁ ପଦାର୍ପଣ କରିଥିବା ରୋଦ୍ରିଗୁଏଜ ନିଜର ୧୧ତମ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ପ୍ରଥମ ଗୋଲ୍‌ କରିବାର ସୌଭାଗ୍ୟ ପାଇଥିଲେ। ଦ୍ବିତୀୟାର୍ଦ୍ଧ ଗୋଲ୍‌ ଶୂନ୍ୟରେ ଶେଷ ହେବା ସହ ପ୍ରଥମାର୍ଦ୍ଧର ଅଗ୍ରଣୀ ବଳରେ ଆର୍ଜେଣ୍ଟିନା ବିଜୟୀ ହୋଇଥିଲା। ଅନ୍ୟପକ୍ଷରେ ୧୯୮୯ କୋପା ଆମେରିକା ପରଠୁ କେବେ ଆର୍ଜେଣ୍ଟିନାକୁ ହରାଇନଥିବା ଉରୁଗୁଏ ଏହି ପରାଜୟ ସହ ପଏଣ୍ଟ୍‌ ଶୂନ୍ୟ ରହି ବଲିଭିଆ ସହିତ ଯୁଗ୍ମ ଭାବେ ଶେ‌ଷ ସ୍ଥାନରେ ରହିଛି।

ଏରିନା ପାଣ୍ଟାନାଲରେ ଖେଳାଯାଇଥିବା ବଲିଭିଆ ବିପକ୍ଷ ମ୍ୟାଚ୍‌ରେ ପଦାର୍ପଣ କରିଥିବା ଇଂଲଣ୍ଡରେ ଜନ୍ମିତ ବେନ୍‌ ବ୍ରେ‌ରେଟନ ଚିଲି ପାଇଁ ବିଜୟ ସୂଚକ ଗୋଲ୍‌ କରିଥିଲେ। ଇଂଲିସ ପିତା ଏବଂ ଚିଲିଆନ୍‌ ମା’ଙ୍କ କୋଳରେ ଜନ୍ମ ଲାଭ କରିଥିବା ୨୨ ବର୍ଷୀୟ ବ୍ରେରେଟନ୍‌ ବ୍ଲାକ୍‌ବର୍ନ ରୋଭର୍ସ କ୍ଲବ୍‌ରେ ଭଲ ପ୍ରଦର୍ଶନ କରିବା ପରେ ଚଳିତ କୋପା ଆମେରିକା ଲାଗି ତାଙ୍କୁ ଚିଲି ଦଳରେ ପ୍ରଥମ ଥର ପାଇଁ ସାମିଲ କରାଯାଇଥିଲା। ମ୍ୟାଚ୍‌ର ଦଶମ ମିନିଟ୍‌ରେ ବ୍ରେରେଟନ୍‌ଙ୍କ ଗୋଲ୍‌ ବଳରେ ଦଳ ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା। ଦ୍ବିତୀୟାର୍ଦ୍ଧ‌ ଗୋଲ୍‌ ଶୂନ୍ୟରେ ଶେଷ ହେବାରୁ ଚିଲି ବିଜୟୀ ହୋଇ ପୂରା ପଏଣ୍ଟ କରାୟତ୍ତ କରିଥିଲା। ଆର୍ଜେଣ୍ଟିନା ଓ ଚିଲି ମଧ୍ୟରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌ ୧-୧ ଗୋଲ୍‌ରେ ଅମୀମାଂସିତ ରହିଥିଲା। ଆର୍ଜେଣ୍ଟିନା ପରବର୍ତ୍ତୀ ମ୍ୟାଚ୍‌‌ ସୋମବାର ପାରାଗୁଏ ବିପକ୍ଷରେ ଖେଳିବାକୁ ଥିଲା ‌ବେଳେ ସେହିଦିନ ଚିଲି ଭେଟିବ ଉରୁଗୁଏକୁ।

 

ସମ୍ବନ୍ଧିତ ଖବର