ବେଙ୍ଗାଲୁରୁ: ଭାରତୀୟ ପୁରୁଷ ହକି ଦଳରେ କରୋନା ପଶିଛି। ଷ୍ଟ୍ରାଇକର ଗୁରଜାନ୍ତ ସିହ ଏବଂ ମୁଖ୍ୟ ପ୍ରଶିକ୍ଷକ ଗ୍ରାହାମ ରିଡ୍ଙ୍କ ସମେତ ଦଳର ୫ ଜଣ ସଦସ୍ୟଙ୍କ ପରୀକ୍ଷା ରିପୋର୍ଟ ପଜିଟିଭ୍ ଆସିଛି। ଫଳରେ ଏଠାରେ ଚାଲିଥିବା ଆଗାମୀ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରସ୍ତୁତିରେ ବାଧା ଉପୁଜିଛି। ବୁଧବାର ସକାଳେ ଖେଳାଳି ଓ ଅଧିକାରୀମାନଙ୍କ ଆର୍ଟି-ପିସିଆର୍ ପରୀକ୍ଷା କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଦୁଇ ଜଣ ଖେଳାଳି ଏବଂ ୩ ଜଣ ସପୋର୍ଟ ଷ୍ଟାଫ୍ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା। ଯେଉଁମାନଙ୍କଠାରେ ସାମାନ୍ୟ ଲକ୍ଷଣ ଦେଖାଯାଇଛି ସେ ସମସ୍ତଙ୍କୁ ଏକାନ୍ତବାସକୁ ପଠାଇ ଦିଆଯାଇଛି ବୋଲି ଗୁରୁବାର ହକି ଇଣ୍ଡିଆ ବିବୃତ୍ତିରେ କହିଛି। ହକି ଇଣ୍ଡିଆ ତା’ର ବିବୃତ୍ତିରେ କାହାରି ନାମ ଉଲ୍ଲେଖ କରିନଥିଲା। ହେଲେ ଦଳୀୟ ସୂତ୍ରରୁ ଗୁରଜାନ୍ତ, ମିଡ୍ଫିଲ୍ଡର ଆଶିଷ କୁମାର ଟପ୍ପୋ (ଉଭୟ ଖେଳାଳି), ରିଡ୍, ଭିଡିଓ ବିଶ୍ଲେଷକ ଅଶୋକ କୁମାର ଚିନ୍ନାସ୍ବାମୀ କରୋନା ସଂକ୍ରମିତ ହୋଇଥିବା କୁହାଯାଇଛି।
ଏବେ ବେଙ୍ଗାଲୁରୁ ସାଇ କ୍ୟାମ୍ପସରେ ଏହି କରୋନା ସଂକ୍ରମିତଙ୍କ ବ୍ୟତୀତ ପିଆର୍ ଶ୍ରୀଜେଶ, ମନ୍ପ୍ରୀତ୍ ସିଂହ, ଲଲିତ କୁମାର ଉପାଧ୍ୟାୟ, ହର୍ମନପ୍ରୀତ୍ ସିଂହ, ବରୁଣ କୁମାର ଏବଂ ଅମିତ ରୋହିଦାସଙ୍କ ସହିତ ମୋଟ ୩୧ ଜଣ ଖେଳାଳି ପ୍ରସ୍ତୁତି ଶିବିରରେ ରହିଛନ୍ତି। ବେଲ୍ଜିୟମ୍ ଏବଂ ନଦେରଲାଣ୍ଡ୍ସ ବିପକ୍ଷ ଏଫ୍ଆଇଏଚ୍ ପ୍ରୋ-ଲିଗ୍ ଡବଲ୍ ହେଡର୍ ମୁକାବିଲା ଶେଷ ହେବା ପରେ ପ୍ରସ୍ତୁତି ଶିବରରେ ଏକାଠି ହୋଇଥିଲେ। ଏହି ଶିବିର ଜୁଲାଇ ୨୩ ତାରିଖରେ ଶେଷ ହେବାକୁ ଥିଲା ବେଳେ ଦଳ ବର୍ମିଙ୍ଗ୍ହାମ୍ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାଗନେବାକୁ ସେଠାରୁ ଯାତ୍ରା କରିବ।