ଆଇପିଏଲ୍‌କୁ କରୋନା ମାଡ଼: ଓହରିଲେ ଅଶ୍ବିନ, ସ୍ବଦେଶ ଫେରିଲେ ଜାମ୍ପା, ରିଚାର୍ଡସନ୍, ଟାଏ

ମୁମ୍ବାଇ: ସୁନାମିରେ ପରିଣତ ‌ହୋଇଥିବା କରୋନା ମହାମାରୀର ହୁ ହୁ ହୋଇ ବଢ଼ି ଚାଲିଥିବା ସଂକ୍ରମଣକୁ ନେଇ ସମଗ୍ର ଦେଶରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି। ମାତ୍ର ଦିନ କେଇଟା ଭିତରେ ସଂକ୍ରମଣ ସଂଖ୍ୟା ରେକର୍ଡ ସ୍ତର ଛୁଇଁଛି। ପ୍ରତିଦିନ ଏହି ସଂଖ୍ୟା ଆଶାଠାରୁ ଅଧିକ ଗତିରେ ବଢ଼ୁଛି। ଏଥିଲାଗି ଦେଶ ଏବେ ଘୋର ସ୍ବାସ୍ଥ୍ୟ ସଙ୍କଟ ଦେଇ ଗତି କରୁଛି। ଏଭଳି ସ୍ଥିତିରେ ଆଇପିଏଲ୍‌ ଭଳି ଏକ ବୃହତ୍ ଓ ବିଶ୍ବସ୍ତରୀୟ ପ୍ରତିଯୋଗିତା ଭାରତରେ ଆୟୋଜିତ ହେବାକୁ ଅନେକ ପସନ୍ଦ କରୁନାହାନ୍ତି। ରବିବାର ଏକ ଦୈନିକ ଇଂରାଜୀ ଖବରକାଗଜ ନିଜ ବିରୋଧ ପ୍ରଦର୍ଶନ କରିବାକୁ ଯାଇ ଆଇପିଏଲ୍ ଖବର ପରିବେଷଣକୁ ବନ୍ଦ କରିବା ଭଳି ନିଆରା ଘୋଷଣା କରିଥିଲା।

ସୋମବାର ଦିଲ୍ଲୀ କ୍ୟାପିଟାଲ୍ସର ଅଭିଜ୍ଞ ଅଫ୍‌ସ୍ପିନର ତଥା ଭାରତୀୟ କ୍ରିକେଟ୍ ଦଳର ଆଗଧା‌ଡ଼ିର ଖେଳାଳି ରବିଚନ୍ଦ୍ରନ୍‌ ଅଶ୍ବିନ ପରିବାରିକ କାରଣ ଦୃଷ୍ଟିରୁ ଚଳିତ ଆଇପିଏଲ୍‌ରୁ ବିରତି ନେଇଥିବା ଘୋଷଣା କରିଛନ୍ତି। ତାଙ୍କ ସହ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ଦଳର ଦୁଇ ଅଷ୍ଟ୍ରେଲୀୟ ବୋଲର ଆଦାମ ଜାମ୍ପା ଓ କେନ୍ ରିଚାର୍ଡସନ୍ ଏବଂ ରାଜସ୍ଥାନ ରୟାଲ୍ସର ଆଣ୍ଡ୍ର୍ୟୁ ଟାଏ ବିଶ୍ବର ଏହି ସବୁଠାରୁ ଧନୀ ତଥା ଲୋକପ୍ରିୟ କ୍ରିକେଟ୍ ଲିଗ୍‌ରୁ ଓହରି ଯାଇଛନ୍ତି। ଆଉ କେତେକ ବିଦେଶୀ ଖେଳାଳି ଭାରତରେ ରହିବେ କି ନାହିଁ ସେହି ଦ୍ବନ୍ଦ୍ବରେ ଅଛନ୍ତି। ତେବେ ଅଗାମୀ ସମୟରେ ସେମାନଙ୍କ ମଧ୍ୟରୁ କିଛି ଆଇପିଏଲ୍‌ରୁ ଓହରିବାର ଯଥେଷ୍ଟ ସମ୍ଭାବନା ରହିଛି। ପୂର୍ବରୁ ରାଜସ୍ଥାନ ରୟାଲ୍ସ ଦଳର ଇଂଲିସ୍ ତାରକା ଲିଆମ ଲିଭିଂଷ୍ଟୋନ୍ କରୋନା ଭୟରେ ଆଇପିଏଲ୍‌ରୁ ଓହରି ସାରିଛନ୍ତି। କ୍ରିକେଟ୍ ଅଷ୍ଟ୍ରେଲିଆ ଓ ସେଠାକାର କ୍ରିକେଟର୍‌ ସଂଗଠନ ଭାରତର ସାଂପ୍ରତିକ କରୋନା ସ୍ଥିତିକୁ ନେଇ ଚିନ୍ତା‌ ଜାହିର କରିଛନ୍ତି। ଉଭୟ ସଂସ୍ଥା ବିସିସିଆଇ ସଂପର୍କରେ ଅଛନ୍ତି। ଆବଶ୍ୟକ ହେଲେ ଯେ କୌଣସି କଠୋର ନିଷ୍ପତ୍ତି ନେବାକୁ ପଛଘୁଞ୍ଚା ଦେବେ ନାହିଁ ବୋଲି ସେମାନେ ସଙ୍କେତ ଦେଇଛନ୍ତି।

କରୋନା ଲଢ଼େଇରେ ପରିବାରକୁ ସହଯୋଗ କରିବାକୁ ଚାହୁଛି: ଅଶ୍ବିନ
୩୪ ବର୍ଷୀୟ ଅଶ୍ବିନ ତାଙ୍କର ଏହି ନିଷ୍ପତ୍ତିକୁ ଦର୍ଶାଇବାକୁ ଯାଇ କହିଛନ୍ତି ଯେ ମୋ ପରିବାର ଏବେ କରୋନା ବିରୋଧରେ ଲଢ଼େଇ ଜାରି ରଖିଛି। ମୁଁ ଏହି ଅସମୟରେ ସେମାନଙ୍କୁ ସହଯୋଗ କରିବାକୁ ଚାହୁଛି। ସ୍ଥିତି ଠିକ୍ ହେବା ପରେ ମୁଁ ପୁଣି ଥରେ ଆଇପିଏଲ୍-୨୦୨୧କୁ ଫେରିବି। ବ୍ୟକ୍ତିଗତ କାରଣ ପାଇଁ ଆଇପିଏଲ୍‌ରୁ ଓହରିଥିବା ଜାମ୍ପା ଓ ରିଚାର୍ଡସନ୍ କହିଛନ୍ତି। ହେଲେ ଭାରତରେ ବଢ଼ି ଚାଲିଥିବା କରୋନା ସଂକ୍ରମଣକୁ ଆଖି ଆଗରେ ରଖି ସେମାନେ ଏଭଳି ନିଷ୍ପତ୍ତି ‌ନେଇଥିବା ଆଶଙ୍କା କରାଯାଉଛି। ସେପଟେ ଭାରତରେ କରୋନା ସଂଖ୍ୟା ବଢ଼ି ଚାଲିଥିବାରୁ ନିଜ ଘରୋଇ ସହର ପର୍ଥକୁ ଫେରିବା ତାଙ୍କ ପାଇଁ କଷ୍ଟକର ହେବାର ଭୟରେ ଟାଏ ସ୍ବଦେଶ ଫେରିଯାଇଥିବା ଜଣାପଡ଼ିଛି। ସେ କହିଛନ୍ତି ଯେ ଭାରତରେ ଲକ୍‌ଡାଉନ୍ ହେବା ପୂର୍ବରୁ ମୁଁ ଫ୍ରଣ୍ଟ ଫୁଟ୍‌ରେ ଖେଳି ମୋ ଦେଶକୁ ଫେରି ଯିବାକୁ ଚାହୁଛି। ଗତ ଅଗଷ୍ଟ ମାସରୁ ମୁଁ କେବଳ ୧୧ ଦିନ ମୋ ପରିବାର ସହ ରହିଛି। ଏଣୁ ମୁଁ ଏବେ ଘରକୁ ଫେରିବାକୁ ଚାହୁଛି। ଆର୍‌ସିବି ଜାମ୍ପାଙ୍କୁ ୧.୫ କୋଟି ଓ ରିଚାର୍ଡସନଙ୍କୁ ୪ କୋଟି ଟଙ୍କାରେ କିଣିଥିଲା। ଆର୍‌ସିବି ପାଇଁ ରିଚାର୍ଡସନ୍ ଗୋଟିଏ ମ୍ୟାଚ୍ ଖେଳି ୨୯ ରନ୍ ବିନିମୟରେ ଗୋଟିଏ ୱିକେଟ୍ ନେଇଥିଲେ। ଅନ୍ୟ ପକ୍ଷରେ ଜାମ୍ପା ଏପର୍ଯ୍ୟନ୍ତ ଗୋଟିଏ ହେଲେ ବି ମ୍ୟାଚ୍ ଖେଳି ନଥିଲେ। ୩୪ ବର୍ଷୀୟ ଟାଏଙ୍କୁ ରାଜସ୍ଥାନ ରୟାଲ୍ସ ୧ କୋଟି ଟଙ୍କାରେ ନେଇଥିଲା। ଅଶ୍ବିନଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ପଞ୍ଜାବ କିଙ୍ଗ୍ସଠାରୁ କିଣିଥିଲା। ଏଥିଲାଗି ଦିଲ୍ଲୀ ପାଖାପାଖି ୭.୬ କୋଟି ଟଙ୍କା ବ୍ୟୟ କରିଥିଲା। ଅଶ୍ବିନ ୫ଟି ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସର ପ୍ରତିନିଧିତ୍ବ କରି ମାତ୍ର ଗୋଟିଏ ୱି‌କେଟ୍ ନେଇଛନ୍ତି।

ଆଗୁଆ ଫେରିବେ ୱିଲିୟମସନ୍, ବୋଲ୍ଟ
ବିନା ଦର୍ଶକରେ ଖେଳା ଯାଉଥିବା ଆଇପିଏଲ୍ ଶେଷ ଭାଗରେ ଆଉ ଏକ ଝଟ୍‌କା ସହିବ। ଜୁନ୍ ୨ ତାରିଖରୁ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ୍ ଶୃଙ୍ଖଳା ଖେଳିବା ଲାଗି ନ୍ୟୁଜିଲାଣ୍ଡ ତାରକା କେନ୍ ୱିଲିୟମସନ୍ ଓ ଟ୍ରେଣ୍ଟ ବୋଲ୍ଟ ଆଗୁଆ ସ୍ବଦେଶ ଫେରିବେ। ସେମାନେ ସମ୍ଭବତଃ ମେ’ ଶେଷ ସପ୍ତାହ ଆଡ଼କୁ ଆଇପିଏଲ୍ ଛାଡ଼ିବେ। ଏହା ପୂର୍ବରୁ ମଧ୍ୟ ଭାରତ ଛାଡ଼ି ପାରନ୍ତି। ଆଇପିଏଲ୍ ଫାଇନାଲ୍ ମେ ୩୦ ତାରିଖରେ ଖେଳାଯିବାକୁ ଥିବାରୁ ଏମାନଙ୍କ ସହ ମୁମ୍ବାଇ ଇଣ୍ଡିଆନ୍ସ (ବୋଲ୍ଟ) ଓ ସନ୍‌ରାଇଜର୍ସ ହାଇଦ୍ରାବାଦ (ୱିଲିୟମସନ୍) ଫାଇନାଲ୍ ଗଲେ ସେମାନଙ୍କ ସେବାରୁ ବଞ୍ଚିତ ହେବେ। ସୋମବାର ଆଇପିଏଲ୍‌ରୁ ୩ ଜଣ ଅଷ୍ଟ୍ରେଲୀୟ ଖେଳାଳି ଓହରି ଯାଇଥିଲେ ମଧ୍ୟ ଏବେବି ଷ୍ଟିଭେନ୍ ସ୍ମିଥ୍ (ଡିସି), ଡେଭିଡ୍ ୱାର୍ଣ୍ଣର (ସନ୍‌ରାଇଜର୍ସ ହାଇଦ୍ରାବାଦ), ପ୍ୟାଟ୍ କମିନ୍ସ (କେକେଆର୍‌), ରିକି ପଣ୍ଟିଂ (ପ୍ରଶିକ୍ଷକ, ଡିସି), ସାଇମନ୍ କାଟିଚ୍ (ପ୍ରଶିକ୍ଷକ, ଆର୍‌ସିବି)ଙ୍କୁ ମିଶାଇ ୧୪ ଜଣ ଖେଳାଳି ଓ ପ୍ରଶିକ୍ଷକ ବିଭିନ୍ନ ଦଳରେ ଅଛନ୍ତି। ସେହିଭଳି ପୂର୍ବତନ କ୍ରିକେଟର୍‌ ମାଥ୍ୟୁ ହେଡେନ୍, ମାଇକେଲ୍ ସ୍ଲେଟର, ଲିସା ସ୍ଥେଲେକର ପ୍ରମୁଖ ଭାଷ୍ୟକାର ଦାୟିତ୍ବରେ ଅଛନ୍ତି।

ବିସିସିଆଇ ଅଟଳ
କରୋନା ମହାମାରୀର ଅସ୍ବାଭାବିକ ସମୟରେ ଶହ ଶହ ଖେଳାଳି, ଅଧିକାରୀ ଏବଂ ପଡ଼ିଆ କର୍ମଚାରୀଙ୍କୁ ନେଇ ଆଇପିଏଲ୍‌ ଆୟୋଜନ ଜାରି ରଖିଥିବାରୁ ବିସିସିଆଇ ଚାରିଆଡ଼ୁ ତୀବ୍ର ସମାଲୋଚନାର ସମ୍ମୁଖୀନ ହେଉଛି। କ୍ରିକେଟ୍ ଜଗତ ବି ଏହାକୁ ନେଇ ଦୁଇ ଫାଳ ହୋଇଛି। କିଛି ବିଶେଷଜ୍ଞ ଲିଗ୍ ଜାରି ରଖିବା ସପକ୍ଷରେ ଯୁକ୍ତି ବାଢ଼ିଥିଲା ବେଳେ ଅନ୍ୟ କେତେକ ଏହାକୁ ତୁରନ୍ତ ବନ୍ଦ କରିବାକୁ ଦାବି କରିଛନ୍ତି। ସେହିଭଳି ସାମାଜିକ ଗଣମାଧ୍ୟମରେ ଆଇପିଏଲ୍‌ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି। ଆଇପିଏଲ୍‌କୁ ଆଉ ଚାଲୁ ନରଖିବାକୁ କିଛି କ୍ରିକେଟ୍‌ପ୍ରେମୀ ଦାବି କରୁଛନ୍ତି। ଅନ୍ୟମାନେ କିନ୍ତୁ କରୋନାକୁ ନେଇ ସୃଷ୍ଟି ହୋଇଥିବା ନକାରାତ୍ମକ କଥା ଉପରୁ ଧ୍ୟାନ ହଟାଇବା ଲାଗି ଆଇପିଏଲ୍‌ ଏକ ବଳିଷ୍ଠ ମାଧ୍ୟମ ହୋଇଥିବାରୁ ଏହାକୁ ବନ୍ଦ ନ କରିବାକୁ ବିସିସିଆଇକୁ ଆହ୍ବାନ କରିଛନ୍ତି। ବିସିସିଆଇ ମଧ୍ୟ ଆଇପିଏଲ୍‌କୁ ବନ୍ଦ କରିବାର କୌଣସି ଯୋଜନା ଏବେ ନାହିଁ ବୋଲି ସୋମବାର ସ୍ପଷ୍ଟ କରି ଦେଇଛି। ବରଂ ଯେଉଁ ଖେଳାଳିମାନେ ଓହରିବାକୁ ଚାହୁଛନ୍ତି ସେମାନେ ଓହରି ପାରନ୍ତି ବୋଲି ରୋକ୍‌ଠୋକ୍ ଭାବେ କହିଛି।

ସମ୍ବନ୍ଧିତ ଖବର