ଆଇପିଏଲ୍‌କୁ ମାଡ଼ିଲା କରୋନା: ବରୁଣ-ସନ୍ଦୀପ ସଂକ୍ରମିତ, କେକେଆର୍‌-ଆର୍‌ସିବି ମ୍ୟାଚ୍ ସ୍ଥଗିତ

ଅହମଦାବାଦ: କରୋନା ସୁନାମିର ସାଂଘାତିକ ସ୍ଥିତି ଓ ସାଧାରଣ ଲୋକଙ୍କ ଅସହାୟତା ଭିତରେ ଆଇପିଏଲ୍‌କୁ ସହଜ ଓ ସୁରକ୍ଷିତ ଭାବେ ସମାପ୍ତ କରିବାର ବାହାସ୍ଫୋଟ ମାରି ଆସୁଥିବା‌ ବିସିସିଆଇ ଗାଲରେ ସୋମବାର ଶକ୍ତ ଚାପୁଡ଼ା ଲାଗିଛି। ଦର୍ଶକ ବିହୀନ ଗ୍ୟାଲେରି, କଠିନ ଜୈବ ବଳୟ, କଡ଼ା ନିୟମ ସହ ନାନା ପ୍ରକାର ଅଙ୍କୁଶ ଓ କଟକଣା ସତ୍ତ୍ବେ କରୋନା ଆଇପିଏଲ୍‌ ଭିତରକୁ ମାଡ଼ିଯାଇଛି। ପୂର୍ବ ବିଜେତା କୋଲକାତା ନାଇଟ୍ ରାଇଡର୍ସ (କେକେଆର୍‌) ଦଳର ଦୁଇଜଣ ଖେଳାଳି ବରୁଣ ଚକ୍ରବର୍ତ୍ତୀ ଓ ସନ୍ଦୀପ ୱାରିୟର କରୋନା ପଜିଟିଭ୍ ଆସିବା ପରେ ସୋମବାର ଖେଳାଯିବାକୁ ଥିବା ମ୍ୟାଚ୍‌କୁ ସ୍ଥଗିତ ରଖିବାକୁ ବାଧ୍ୟ ହୋଇଛି ବିଶ୍ବର ସବୁଠାରୁ ଶକ୍ତିଶାଳୀ ଓ ଧନୀ କ୍ରିକେଟ୍ ଲିଗ୍। କେକେଆର୍‌ ଓ ଆର୍‌ସିବି ମଧ୍ୟରେ ଖେଳା ଯିବାକୁ ଥିବା ଏହି ମ୍ୟାଚ୍ ଅହମଦାବାଦର ନବନିର୍ମିତ ନରେନ୍ଦ୍ର ମୋଦି କ୍ରିକେଟ୍ ଷ୍ଟାଡିୟମ୍‌ରେ ଖେଳାଯିବାର ଥିଲା। ତେବେ ପୂର୍ବାହ୍ନରେ ବରୁଣ ଓ ସନ୍ଦୀପ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିବା ପରେ ଉଭୟ ଦଳର ଶିବିରରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ବିସିସିଆଇର ବରିଷ୍ଠ ଅଧିକାରୀ, ଆଇପିଏଲ୍ ପରିଚାଳନା ପରିଷଦର ସଦସ୍ୟ ଏବଂ ଉଭୟ ଦଳର ଅଧିକାରୀଙ୍କ ସହମତିରେ ମ୍ୟାଚ୍‌କୁ ସ୍ଥଗିତ କରି ଦିଆଯାଇଥିଲା। ଏହି ମ୍ୟାଚ୍ କେବେ ଏବଂ କେଉଁଠାରେ ଆୟୋଜିତ ହେବ ସେ ନେଇ କିନ୍ତୁ ଆଇପିଏଲ୍ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ। ଅହମଦାବାଦରେ ପରବର୍ତ୍ତୀ ମ୍ୟାଚ୍ ଗୁରୁବାର ଦିନ ଆର୍‌ସିବି ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଖେଳାଯିବାର ଅଛି। ଏହି ମ୍ୟାଚ୍‌କୁ ନେଇ ବି କୌଣସି ସ୍ପଷ୍ଟ ସୂଚନା ମିଳିନି।

ଦିଲ୍ଲୀରେ ମଙ୍ଗଳବାର ଖେଳାଯିବାକୁ ଥିବା ସନ୍‌ରାଇଜର୍ସ ହାଇଦ୍ରାବାଦ-ମୁମ୍ବାଇ ଇଣ୍ଡିଆନ୍ସ ମ୍ୟାଚ୍‌ ସୂଚୀରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ଜଣାପଡ଼ିଛି। ତେବେ ଦଳୀୟ ଜୈବ ବଳୟ ଭିତରେ ରହୁଥିବା ଖେଳାଳି କିଭଳି କରୋନା ସଂକ୍ରମିତ ହେଲେ, ସେ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେହିଭଳି ଦେଶ ଅସ୍ବାଭାବିକ ସମୟ ଦେଇ ଗତି କରୁଥିଲା ବେଳେ ଆଇପିଏଲ୍ ଭଳି ବୃହତ୍ ଓ ବଡ଼ ପ୍ରତିଯୋଗିତା ଆୟୋଜନକୁ ଘୋର ନାପସନ୍ଦ କରି ତୁରନ୍ତ ଏହାକୁ ବନ୍ଦ କରିବାକୁ ସାମାଜିକ ଗଣମାଧ୍ୟମରେ କ୍ରିକେଟ୍ ପ୍ରଶଂସକମାନେ ଦାବି କରିଛନ୍ତି। ଅଂଶଗ୍ରହଣକାରୀ ୮ଟି ଯାକ ଦଳ କିନ୍ତୁ ଲିଗ୍ ଚାଲୁରଖିବା ସପକ୍ଷରେ ଅଛନ୍ତି। ଲିଗ୍‌ର ଅଧା ମ୍ୟାଚ୍ ସରିଲାଣି। ଏଣୁ ସଂପ୍ରତିକ ସ୍ଥିତିରେ ଆଉ ପଛକୁ ଫେରିବାର ପ୍ରଶ୍ନ ଉଠୁନି ବୋଲି ଏକ ଦଳର ଅଧିକାରୀ ନିଜ ନାମ ଗୋପନ ରଖି କହିଛନ୍ତି। ତେବେ ବିସିସିଆଇର ଦାୟିତ୍ବ ପୂର୍ବାପେକ୍ଷା ଢେର ବଢ଼ିଗଲା ବୋଲି ସେ ସ୍ବୀକାର କରିଛନ୍ତି। ଏସବୁ ଭିତରେ ଖେଳାଳିମାନେ ଘୋର ମାନସିକ ଚାପରେ ଥିବା ଅଂଶଗ୍ରହଣକାରୀ ଦଳଗୁଡ଼ିକ କିନ୍ତୁ ମାନି ନେଇଛନ୍ତି।

ଅନ୍ୟ ସମସ୍ତେ ନେଗେଟିଭ୍: ବିସିସିଆଇ
ଏହି ମାମଲାକୁ ନେଇ ଆଇପିଏଲ୍ ଓ ବିସିସିଆଇ ପକ୍ଷରୁ ପ୍ରକାଶ କରାଯାଇଥିବା ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି ‘‘ ବରୁଣ ଚକ୍ରବର୍ତ୍ତୀ ଓ ସନ୍ଦୀପ ୱାରିୟରଙ୍କ ରିପୋର୍ଟ ଗତ ଚାରି ଦିନ ଭିତରେ ହୋଇଥିବା ତୃତୀୟ କରୋନା ପରୀକ୍ଷାରେ ପଜିଟିଭ୍ ଆସିଛି। ଅନ୍ୟ ସମସ୍ତେ ନେଗେଟିଭ୍ ରହିଛନ୍ତି। ଉଭୟ ଖେଳାଳି ଦଳଠାରୁ ଅଲଗା ହୋଇ ସଙ୍ଗରୋଧରେ ଅଛନ୍ତି। ଆମ ଚିକିତ୍ସକ ଦଳ ସେମାନଙ୍କ ଯୋଗାଯୋଗରେ ଅଛନ୍ତି ଏବଂ ନିୟମିତ ‌ଦୁଇଜଣ ଯାକଙ୍କ ସ୍ବାସ୍ଥ୍ୟାବସ୍ଥାକୁ ଅନୁଧ୍ୟାନ କରୁଛନ୍ତି। ଅନ୍ୟ ଖେଳାଳିମାନଙ୍କ ସୁରକ୍ଷା ପାଇଁ କେକେଆର୍‌ ଏବେ ଦୈନିକ ପରୀକ୍ଷା ବ୍ୟବସ୍ଥାକୁ ଅପଣାଇଛି। ନମୁନା ଗ୍ରହଣର ୪୮ ଘଣ୍ଟା ପୂର୍ବରୁ ବରୁଣ ଓ ସନ୍ଦୀପ କିଭଳି କରୋନା ସଂକ୍ରମିତ ହେଲେ ସେକଥା ଜାଣିବାକୁ ଚକିତ୍ସକମାନେ ଚେଷ୍ଟା ଚଳାଇଛନ୍ତି। ବିସିସିଆଇ ଓ କେକେଆର୍‌ ଖେଳାଳିଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ଆସୁଛନ୍ତି। ଲିଗ୍‌ରେ ସଂପୃକ୍ତ ଥିବା‌ ପ୍ରତ୍ୟେକ ବ୍ୟକ୍ତିଙ୍କ ସୁରକ୍ଷା ଆମ ପାଇଁ ସର୍ବାଧିକ ମହତ୍ବ ରଖେ’’। ଆର୍‌ସିବି ମଧ୍ୟ ନିଜ ଟ୍ବିଟର ପୃଷ୍ଟାରେ ବରୁଣ ଓ ସନ୍ଦୀପଙ୍କ କଥା କହିବା ସହ ଉଭୟଙ୍କ ଦ୍ରୁତ ଆରୋଗ୍ୟ କାମନା କରିଛି।

କାନ୍ଧ ସ୍କାନ୍ ବେଳେ ସଂକ୍ରମଣ ଆଶଙ୍କା

ବରୁଣ ଓ ସନ୍ଦୀପ କିଭଳି ଓ କେମିତି ସଂକ୍ରମିତ ହେଲେ? ସେ ନେଇ କୌଣସି ଆନୁଷ୍ଠାନିକ ସୂଚନା ମିଳି ନଥିଲେ ମଧ୍ୟ ନିକଟରେ ନିଜ କାନ୍ଧର ସ୍କାନ୍ କରିବା ଲାଗି ବରୁଣ ଡାକ୍ତରଖାନାକୁ ଯାଇଥିଲେ। ସେଠାରେ ମାତ୍ର କିଛି ମିନିଟ୍ ରହିଥିଲେ। ତେବେ ସେଠାରୁ ହିଁ ସେ କରୋନା ସଂକ୍ରମିତ ହୋଇଥିବା ଅନୁମାନ କରାଯାଉଛି। ପରେ ସନ୍ଦୀପ ତାଙ୍କ ଦ୍ବାରା ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି। ତେବେ କେକେଆର୍‌ର ଜଣେ ଅଧିକାରୀ କହିଛନ୍ତି ଯେ ବରୁଣ ଜୈବ ବଳୟ ନିୟମ ଭାଙ୍ଗି ନାହାନ୍ତି। ମାତ୍ର ୫ ମିନିଟ୍ ପାଇଁ ସେ ଡାକ୍ତରଖାନା ଯାଇଥିଲେ। ସେଠାରେ ଉପସ୍ଥିତ ସ୍ବାସ୍ଥ୍ୟକର୍ମୀ ସମସ୍ତ ପ୍ରକାର କରୋନା ନିୟମ ବି ପାଳନ କରିଥିଲେ। ଏଣୁ ସେଠାରୁ କିଭଳି ଏବଂ କେଉଁ ପରିସ୍ଥିତିରେ ସେ ସଂକ୍ରମିତ ହେଲେ, ତାହା ଏବେ ରହସ୍ୟ ଘେରରେ। ତେବେ ଚଳିତବର୍ଷ ଜୈବ ବଳୟ ଭିତର ରହି କୌଣସି ଖେଳାଳି କରୋନା ପଜିଟିଭ୍ ହେବାର ଏହା ପ୍ରଥମ ଘଟଣା। ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସର ଅକ୍ଷର ପଟେଲ ଓ କେକେଆର୍‌ର ନୀତୀଶ ରାଣା କୋଭିଡ୍ ପଜିଟିଭ୍ ହୋଇଥିଲେ। ତେବେ ଉଭୟଙ୍କ ରିପୋର୍ଟ ନେଗେଟିଭ୍ ଆସିବା ପରେ ଯାଇ ସେମାନେ ନିଜ ନିଜ ଦଳର ଜୈବ ବଳୟ ଭିତରେ ପ୍ରବେଶ କରିଥିଲେ।

ତିନି ସିଏସ୍‌କେ ସଦସ୍ୟଙ୍କୁ ନେଇ ଶଙ୍କା

କେକେଆର୍‌ର ଦୁଇ ଜଣ ଖେଳାଳି କରୋନା ପଜିଟିଭ୍ ହେବାର ବାଦ ବିବାଦ ଭିତରେ ଚେନ୍ନାଇ ସୁପରକିଙ୍ଗ୍ସ (ସିଏସ୍‌କେ) ଦଳର ୩ ଜଣ ସଦସ୍ୟ ପ୍ରଥମେ କୋଭିଡ୍ ପଜିଟିଭ୍ ଆସିବା ଏବଂ କିଛି ଘଣ୍ଟା ପରେ ପୁଣି ନେଗେଟିଭ୍ ହେବା ମାମଲାକୁ ଆହୁରି ଗୋଳମାଳିଆ କରିଛି। ମିଳିଥିବା ସୂଚନା ଅନୁସାରେ ସିଏସ୍‌କେର ବୋଲିଂ ପ୍ରଶିକ୍ଷକ ଲକ୍ଷ୍ମୀପତି ବାଲାଜୀ, ଦଳର ଜଣେ ବରିଷ୍ଠ ଅଧିକାରୀ ଓ ଆଉ ଜଣେ ଡ୍ରାଇଭରଙ୍କ ଆର୍‌ଟି-ପିସିଆର୍‌ ରିପୋର୍ଟ ପଜିଟିଭ୍ ଆସିବା ପରେ ସିଏସ୍‌କେ ଶିବିରରେ ଛନକା ପଶି ଯାଇଥିଲା। ପରବର୍ତ୍ତୀ ଟେଷ୍ଟ୍‌ରେ କିନ୍ତୁ ଏମାନଙ୍କ ରିପୋର୍ଟ ପୁଣି ଥରେ ନେଗେଟିଭ୍ ଆସିଥିଲା। ଫଳରେ ପରୀକ୍ଷା କିଟ୍‌ରେ କିଛିଟା ସମସ୍ୟା ଥିବା ଆଶଙ୍କା କରାଯାଉଥିଲା। ଗତବର୍ଷ ମଧ୍ୟ ସିଏସ୍‌କେ ଅନୁରୂପ ସମସ୍ୟାର ସମ୍ମୁଖୀନ ହୋଇଥିଲା। ୟୁଏଇରେ ଖେଳା ଯାଇଥିବା ଗତ ସଂସ୍କରଣର ପ୍ରଥମ ପର୍ଯ୍ୟାୟରେ ଏହି ଦଳର କିଛି ଖେଳାଳି କରୋନା ପଜିଟିଭ୍ ଆସିଥିଲେ। ଫଳରେ ଆଇପିଏଲ୍‌ ପରିଚାଳନା ପରିଷଦ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲା।

ସମ୍ବନ୍ଧିତ ଖବର