ଅଲିମ୍ପିକ୍‌ ଲକ୍ଷ୍ୟକୁ କରୋନା ଲାଇନଚ୍ୟୁତ କରିପାରିବନି: ନମିତା

ଟୋକିଓ କ୍ରୀଡ଼ା ବିଳମ୍ବିତ ହେବା ଅଧିକ ଗୋଟିଏ ବର୍ଷ ପାଇଁ ପ୍ରସ୍ତୁତି ସୁଯୋଗ ଦେଇଛି

ବେଙ୍ଗାଲୁରୁ: ବିଶ୍ବବ୍ୟାପୀ ମହାମାରୀ କରୋନାର ଭୟଙ୍କର ପ୍ରକୋପ ଯୋଗୁଁ ଚଳିତ ବର୍ଷ ଆୟୋଜିତ ହେବାକୁ ଥିବା ଟୋକିଓ ଅଲିମ୍ପିକ୍ସ ଆସନ୍ତାବର୍ଷକୁ ଘୁଞ୍ଚିଯାଇଛି। ଏହା ପ୍ରସ୍ତୁତି ପଥରେ ଥିବା ଆଥ୍‌ଲେଟ୍‌ମାନଙ୍କ ପାଇଁ କଷ୍ଟକର ହେଲେ ବି ଆମ ପାଇଁ ଏକ ସୁଯୋଗ। ଅଲିମ୍ପକ୍‌ ପଦକ ଜିତିବା ପାଇଁ ଟୋକିଓ କ୍ରୀଡ଼ା ବିଳମ୍ବିତ ହେବା ହିଁ ଆମକୁ ଆଉ ଗୋଟିଏ ବର୍ଷର ଅଭିଜ୍ଞତା ଭେଟି ଦେଇଛି। ଯାହାକି ଆମ ପ୍ରସ୍ତୁତିରେ ଆହୁରି ସହାୟକ ହେବ ବୋଲି କହିଛନ୍ତି ଭାରତୀୟ ମହିଳା ହକି ଦଳର ଅଭିଜ୍ଞ ମିଡ୍‌ଫିଲ୍‌ଡର ତଥା ଓଡ଼ିଆ ଝିଅ ନମିତା ଟପ୍ପୋ। ଏବେ ଯେଉଁ ସ୍ଥିତିରେ ଅଛୁ ଏବଂ ପ୍ରସ୍ତୁତି ଯେପରି ଅଛି, ଗୋଟିଏ ବର୍ଷ ପରେ ଆମେ ସେଥିରେ ଆହୁରି ଅଭିଜ୍ଞ ହୋଇଯାଇଥିବୁ ଏବଂ ପଦକ ଜିତିବା ସହଜ ହୋଇପାରିବ ବୋଲି ନମିତା ଆଶାବ୍ୟକ୍ତ କରିଛନ୍ତି। ସବୁବେଳେ ଆମର ଲକ୍ଷ୍ୟ ହେଲା ଅଲିମ୍ପିକ୍‌ ପଦକ ଜିତିବା। କରୋନା ଟୋକିଓ କ୍ରୀଡ଼ାକୁ ବିଳମ୍ବିତ କରିପାରେ, ହେଲେ ଆମର ଅଲିମ୍ପିକ୍‌ ପଦକ ଜିତିବାର ଲକ୍ଷ୍ୟରେ କୌଣସି ପରିବର୍ତନ ଘଟାଇ ପାରିବନାହିଁ। ବରଂ ଆସନ୍ତାବର୍ଷ ପାଇଁ ଆମକୁ ଏହା ଅଧିକ ପ୍ରସ୍ତୁତି କରିବାର ସୁଯୋଗ ଦେଇଛି ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ‌ଟୋକିଓରେ ଆମେ ନିଶ୍ଚିତ ବଢ଼ିଆ ପ୍ରଦର୍ଶନ କରିବୁ ବୋଲି ଜୋର୍‌ଦେଇ କହିଛନ୍ତି ଭାରତ ପାଇଁ ୧୬୫ ଆନ୍ତର୍ଜାତିକ ମ୍ୟାଚ୍‌ ଅଭିଜ୍ଞତା ରଖିଥିବା ନମିତା। ମୁଁ ଯାହା ଜାଣିଛି, ଆମ ଦଳ ଯଥେଷ୍ଟ ଭାଗ୍ୟବାନ ଯେ କୌଣସି ବି ବୟସ୍କ ଖେଳାଳି ଦଳରେ ନାହାନ୍ତି। ଆଉ ଏବର ବୟସବର୍ଗର ଖେଳାଳିମାନେ ଲମ୍ବା ସମୟ ଧରି ଏକାଠି ଖେଳି ଆସୁଛନ୍ତି। ତେଣୁ ମୋର ବିଶ୍ବାସ, କେହି ଧୈର୍ଯ୍ୟହରା ହେବେନାହିଁ। ବରଂ ଆଉ ଗୋଟିଏ ବର୍ଷ ପ୍ରସ୍ତୁତିକୁ ମାର୍ଜିତ କରିବାର ଅଭିଜ୍ଞତା ଆମକୁ ଅଲିମ୍ପିକ୍‌ ପଦକ ଜିତିବା ଲକ୍ଷ୍ୟ ସାଧନ କରିବାରେ ସହାୟକ ହେବ ବୋଲି ନମିତା କହିଛନ୍ତି।

ଆହତ ପରର ବିରତି ମୋତେ ମାନସିକ ଭାବେ ଦୃଢ଼ କରିଛି
ଭାରତୀୟ ଦଳର ଅନ୍ୟତମ ସବୁଠୁ ଅଧିକ ଅଭିଜ୍ଞ ଖେଳାଳି ନମିତାଙ୍କୁ ୨୦୧୮ରୁ ୨୦୧୯ ମସିହା ମଧ୍ୟରେ ଆଘାତ ଜନିତ ସମସ୍ୟା ଘାଣ୍ଟି ଦେଇଥିଲା। ଯେଉଁଥିପାଇଁ ସେ ପ୍ରାୟ ୧୦ ମାସ ଧରି ବିଶ୍ରାମ ଯୋଗୁଁ ଜାତୀୟ ଦଳଠୁ ଦୂରେଇ ରହିଥିଲେ। ୨୦୧୮ ଏସୀୟ କ୍ରୀଡ଼ା ଅବସରରେ ସେ ସାଂଘାତିକ ଆଣ୍ଠ ୁଜନିତ ଆଘାତ ପାଇଥିଲେ। ସେଥିପାଇଁ ସେ ୧୦ ମାସ ଧରି ଦଳ ବାହାରେ ରହିଥିଲେ। ଆଉ ଏହି ଲମ୍ବା ସମୟର ବିରତି ହିଁ ତାଙ୍କୁ ମାନସିକ ଭାବେ ଦୃଢ଼ ହେବାରେ ସହାୟକ ହୋଇଥିଲା ବୋଲି କହିଛନ୍ତି ନମିତା। ତଥାପି ଦଳ ବାହାରେ ରହି ମୁଁ ବହୁତ ସଂଘର୍ଷ କରିଥିଲି ବୋଲି ସେ କହିଛନ୍ତି। ୨୪ ବର୍ଷ ବୟସ୍କା ନମିତା ଗତବର୍ଷ ସେପ୍ଟେମ୍ବରରେ ଅଲିମ୍ପିକ୍‌ ଯୋଗ୍ୟତାପର୍ଯ୍ୟାୟ ପୂର୍ବରୁ ହିଁ ଭାରତୀୟ ଦଳକୁ ଫେରିଥିଲେ। ସେତେବେଳେ ମୁଁ ନିଜକୁ କେତେଦୂର ଠିକ୍‌ ରଖିପାରିବି ବୋଲି ସନ୍ଦେହରେ ଥିଲି। ଏପରିକି ଆଉ କେତେ ସମୟ ଦେଶ ପାଇଁ ଖେଳିପାରିବି ସେନେଇ ନିଶ୍ଚିତ ନଥିଲି। ସେଥିପାଇଁ ମନରେ ଦୁଃଖ ରହିଥିଲା। ପୁଣି ଦୁଇ ବର୍ଷ ବାକି ଥିବାରୁ ବିଶେଷକରି ଟୋକିଓ ଅଲିମ୍ପିକ୍‌ ଖେଳିବା ସ୍ବପ୍ନ ଅଧୁରା ରହିଯିବାର ଆଶଙ୍କା ଉଙ୍କି ମାରିଥିଲା। କିନ୍ତୁ ଏବେ ଯେତେବେଳେ ପଛକୁ ଚାହୁଁଛି, ସେତେବେଳେ ସେହି ବିରତି ମୋ ମନୋବଳକୁ ଦୃଢ଼ କରିଦେଇଥିବା ଅନୁଭବ କରୁଛି। ଏସବୁ ସତ୍ତ୍ବେ ତାଙ୍କ ସୁସ୍ଥତା ପାଇଁ ନମିତା ଦଳୀୟ ସାଥୀ ଓ ପ୍ରଶିକ୍ଷକମାନଙ୍କ ସହାୟତାକୁ ପ୍ରଶଂସା କରିଛନ୍ତି। ପ୍ରକୃତରେ ଏହା କଷ୍ଟକର ଥିଲା। ପ୍ରଥମେ ପ୍ରଥମେ ମୁଁ ଯନ୍ତ୍ରଣା ଅନୁଭବ କରୁଥିଲି ଏବଂ ରାତି‌‌ରେ ଭଲ ନିଦ ହେଉନଥିଲା। ଫଳରେ ଦୁଃଶ୍ଚିନ୍ତା ମାଡ଼ି ବସୁଥିଲା। ଏପରିସ୍ଥଳେ ସାଥୀ ଖେଳାଳି ଓ ପ୍ରଶିକ୍ଷକମାନେ ମୋ ମାନସିକ ସ୍ଥିତି ସୁଧାରିବାରେ ପ୍ରମୁଖ ଭୂମିକା ନିଭାଇଥିଲେ ବୋଲି ନମିତା ବିଶ୍ବାସ ରଖିଛନ୍ତି।

ବହୁ ଉତ୍‌ଥାନ ଓ ପତନ ଦେଇ ଭାରତୀୟ ଦଳକୁ ପ୍ରତ୍ୟାବର୍ତନ କରିଥିବା ନମିତା ନିଜର ଦ୍ବିତୀୟ ଅଲିମ୍ପିକ୍‌ କ୍ରୀଡ଼ାରେ ଭାଗ ନେବାର ଦୃଢ଼ ସଂକଳ୍ପ ରଖିଛନ୍ତି। ପ୍ରଥମେ ଦଳ ବାହାରେ କିପରି ୧୦ ମାସ ବିତାଇପାରିବି ସେନେଇ ବିଶ୍ବାସ କରିପାରୁନଥିଲି। ହେଲେ ଆମର ବୈଜ୍ଞାନିକ ପରାମର୍ଶଦାତା ୱେନ୍‌ ଲୋମ୍ବାର୍ଡ ମୋତେ ସଂପୃକ୍ତ ଆଘାତ ସଂପର୍କରେ ପ୍ରାଞ୍ଜଳ ଭାବେ ବୁଝାଇବା ପରେ ମୁଁ ଆଶ୍ବସ୍ତ ହେଲି ଏବଂ କ୍ରମେକ୍ରମେ ସୁସ୍ଥ ହେବାରେ ଲାଗିଲି। ଦଳକୁ ଫେରିବା ପୂର୍ବରୁ ମୋ ଭଳି ଏତେ ଲମ୍ବା ସମୟ ଅନ୍ୟ କିଏ ଚିକତ୍ସା ହୋଇଥିଲେ କି ବୋଲି ସାଥୀ ଖେଳାଳିଙ୍କୁ ପଚାରିଥିଲି। ସେ ଯାହାହେଉ ପୁଣି ଥରେ ପଡ଼ିଆକୁ ଫେରିବା ହିଁ ମୋ ଜୀବନର ଅନ୍ୟତମ ସନ୍ତୋଷଜନକ ଦିନ ଥିଲା। ଯେତେବେଳେ ମୁଁ ପୂରାପୂରି ଫିଟ୍‌ ହେଲି, ହକି ଫୂର୍ତ୍ତି ଫେରିପାଇଲି, ଜାତୀୟ ଶିବିରରେ ଚମକ ଛାଡ଼ିଲି ଏବଂ ଇଂଲଣ୍ଡ ଗସ୍ତ ପାଇଁ ଦଳରେ ସାମିଲ ହେଲି ସେତେବେଳେ ମୋର ବାସ୍ତବ ଖୁସୀ ଦେଖିବାର ଥିଲା। କାରଣ ହେଲା ନିଜ ପାଇଁ କରିଥିବା ଟାର୍ଗେଟ୍‌କୁ ଛୁଇଁବାରେ ସଫଳ ହେବା। ଏହାପରେ ମୋର ଇଛାଥିଲା ଟୋକିଓ ଅଲିମ୍ପିକ୍ସ‌କୁ ଯୋଗ୍ୟତା ହାସଲ କରିବା ପାଇଁ ଦଳକୁ ସାହାଯ୍ୟ କରିବା ଏବଂ ଇଂଲଣ୍ଡ ଗସ୍ତରେ ମ୍ୟାଚ୍‌ ଖେଳିବା। ଏହା ଜରିଆରେ ଦଳରେ ମୋର ଉପସ୍ଥିତି ଜାହିର କରିବାକୁ ମୁଖ୍ୟ ପ୍ରଶିକ୍ଷକଙ୍କ ନିକଟରେ ପ୍ରମାଣ ଛାଡ଼ିବାର ସୁଯୋଗ ରହିବ ବୋଲି ଭାବିଥିଲି। ‌ଶେଷରେ ତାହା ହିଁ ହେଲା ଏବଂ ୨୦୧୯ ନଭେମ୍ବରରେ ଆୟୋଜିତ ହକି ଅଲିମ୍ପିକ୍‌ ଯୋଗ୍ୟତାପର୍ଯ୍ୟାୟ ଖେଳିବାର ସୁଯୋଗ ପାଇଥିଲି ବୋଲି ନମିତା କହିଛନ୍ତି।

ସମ୍ବନ୍ଧିତ ଖବର