କରୋନା ବଦଳାଇ ଦେଲା ବୃତ୍ତି, ମାଟି ସହ ମାଟି ହେଉଛନ୍ତି ସୁଖରାମ

ଜୟପୁର (ଶ୍ରୀକାନ୍ତ ସାହୁ): ଦେଶ ତଥା ରାଜ୍ୟ ପାଇଁ ପ୍ରତିଯୋଗିତା ପରେ ପ୍ରତିଯୋଗିତା ଖେଳିଥିଲେ। ଶତକ ପରେ ଶତକ କରି ଦେଶ ପାଇଁ ଗୌରବ ବି ଆଣିଥିଲେ। ଦୃଷ୍ଟିହୀନ ଟି-୨୦ ବିଶ୍ବକପ୍‌ ବି ଜିତିଥିଲେ। ହେଲେ ଏବେ ସେ ଆଲୋଡ଼ା। ସାଂପ୍ରତିକ କରୋନା କାଳରେ ପେଟ ଚାଖଣ୍ଡକ ପାଇଁ କୁଲି କାମ କରୁଛନ୍ତି। ସେଥିରେ ପେଟ ପୁରୁ ନ ଥିବାରୁ ଜମିରେ ଚାଷ କରୁଛନ୍ତି କୋରାପୁଟ ଜିଲ୍ଲା ସୁକ୍ରିଗୁଡ଼ାରେ ରହୁଥିବା ଅନ୍ତଃଜାତୀୟ ଦୃଷ୍ଟିହୀନ କ୍ରିକେଟର ସୁଖରାମ ମାଝୀ। ଯଦିଓ ଦୃଷ୍ଟିହୀନ କ୍ରିକେଟର ସଂଘ ପକ୍ଷରୁ ଲକଡାଉନ ସମୟରେ ୪ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଥିଲା, ସେଥିରେ ତେଲଲୁଣର ସଂସାର ଚଳୁ ନ ଥିବାରୁ ମାଟି ସହ ମାଟି ହୋଇ ଜମିରେ ଖଟୁଛନ୍ତି ସୁଖରାମ। କେତେବେଳେ ସେ କୁଲି କାମ କରି ପରିବାର ଚଳାଉଥିବା ବେଳେ କେତେବେଳେ ନିଜ ଜମିରେ ଧାନ ରୋଉଛନ୍ତି। ଆଉ କେତେବେଳେ ପୈତୃକ ଜମିରେ ହଳ କରୁଥିବା ଦେଖିବାକୁ ମିଳିଛି। କ୍ରିକେଟର୍‌ରୁ ସେ ଏବେ କୁଲିକାମ କରିବା ସହ ଚାଷ ବାସ କରୁଛନ୍ତି। କହିବାକୁ ଗଲେ ସୁଖରାମଙ୍କ ବୃତ୍ତି ପୂରା ବଦଳିଯାଇଛି। କ୍ରିକେଟ୍ ଅଭ୍ୟାସ କରିପାରୁ ନଥିଲା ବେଳେ କେବଳ ଯାହା ୱାର୍ମ ଅପ୍‌ କରୁଛନ୍ତି।

୨୦୧୭ରେ ଦୃଷ୍ଟିହୀନ ଟି-୨୦ ବିଶ୍ବକପ୍‌ କ୍ରିକେଟ୍‌ ଖେଳିଥିଲେ ସୁଖରାମ। ମୋଟ ୧୦ଟି ଅନ୍ତଃଜାତୀୟ ମ୍ୟାଚ ଖେଳିଥିବା ବେଳେ ବିଶ୍ବକପ୍‌ରେ ପାକିସ୍ତାନକୁ ହରାଇ ଦେଶ ପାଇଁ ଗୌରବ ଆଣିଥିଲେ। ନାଗେଶ ଟ୍ରଫିରେ ୧୨ଟି ମ୍ୟାଚ୍‌ ଖେଳି ୮ ଥର ଅପରାଜିତ ରହିଥିବା ବେଳେ ୭୪୭ ରନ୍‌ କରିଛନ୍ତି। ସେଥିରେ ୩ ଶତକ, ୫ ଅର୍ଧଶତକ ଏବଂ ୪ ଥର ୯୬ ରନ୍‌ ସାମିଲ ରହିଛି। ସର୍ବୋଚ୍ଚ ବ୍ୟକ୍ତିଗତ ସ୍କୋର ୧୩୮* ରହିଛି। ଖାଲି ସେତିକି ନୁହେଁ ସେ ବୋଲିଂରେ ମଧ୍ୟ ମାହିର। ନାଗେଶ ଟ୍ରଫିରେ ୧୨ ମ୍ୟାଚ୍ ଖେଳି ୮ଟି ୱିକେଟ୍‌ ନେଇଛନ୍ତି। ଥରେ ତିନିଟି ୱିକେଟ୍‌ ନେବାରେ ପ୍ରଥମ ଓଡ଼ିଆ ଦୃଷ୍ଟିହୀନ କ୍ରିକେଟର ହୋଇଥିଲେ। ଏହାସହ ସେ କ୍ଷେତ୍ରରକ୍ଷଣରେ ବି ଏକ ନମ୍ବର। ଗୋଟିଏ କ୍ୟାଚ୍‌, ୭ ରନ୍‌ ଆଉଟ, ଗୋଟିଏ ଷ୍ଟମ୍ପିଂ ସହ ୩ଟି ରନ୍‌ ଆଉଟରେ ଅନ୍ୟକୁ ସହଯୋଗ କରିବାର ସଫଳତା ହାସଲ କରିଛନ୍ତି। ଭାରତରେ ଅନୁଷ୍ଠିତ ଦୃଷ୍ଟିହୀନ ଟି-୨୦ ବିଶ୍ବକପ୍‌ ବିଜୟୀ ଦଳରେ ବି ସେ ସଦସ୍ୟ ଥିଲେ। ଦୁଇଟି ମ୍ୟାଚ୍‌ ଖେଳି‌ ଗୋଟିଏ ଅର୍ଧଶତକ ହାସଲ କରିଥିଲେ।

ସୁଖରାମ ଏବେ ରେଭେନ୍ସା ବିଶ୍ବବିଦ୍ୟାଳୟରେ ଇଂରାଜୀରେ ପିଜି କରୁଥିବା ବେଳେ ଲକ୍‌ଡାଉନ ପୂର୍ବରୁ ଘରକୁ ଆସିଥିଲେ। ଏହାପରେ କଲେଜ ବନ୍ଦ ହୋଇଯିବାରୁ ଆଉ କଲେଜକୁ ଫେରି ନାହାନ୍ତି। ଘରେ ମା’ ପ୍ରତିମା ମାଝୀ ମଧ୍ୟ ୭୫ ପ୍ରତିଶତ ଦୃଷ୍ଟିହୀନ ହୋଇଥିବାରୁ ଭତ୍ତା ମିଳିଥିଲା। ଏହାସହ ସାମାଜିକ ସୁରକ୍ଷା ଯୋଜନାରେ ଚାଉଳ, ଡାଲି ମିଳିଥିଲା। ସେସବୁ ସମୁଦ୍ରକୁ ଶଙ୍ଖେ ହେବାରୁ ଚାଷ ଓ କୁଲି ବୃତ୍ତିକୁ ଆପଣେଇଛନ୍ତି। ମିଳିଥିବା ଖାଦ୍ୟ ସାମଗ୍ରୀ ଶେଷ ହେବାରୁ ସେ ଏବେ ଚାଷ ସହ କୁଲି କରୁଛନ୍ତି। ବର୍ଷକୁ ଥରେ ମାତ୍ର ହୁଏ ନାଗେଶ ଟ୍ରଫି। ସେଥିରେ ସୁଯୋଗ ମିଳିଲେ ଖେଳର ପ୍ରଦର୍ଶନ କରନ୍ତି ଏହି ଦୃଷ୍ଟିହୀନ କ୍ରିକେଟର। ନାଗେଶ ଟ୍ରଫିରେ ପ୍ରତି ମ୍ୟାଚ୍‌କୁ ୭୦୦ ଟଙ୍କା ମିଳୁଥିବା ବେଳେ ଅନ୍ତଃଜାତୀୟ ମ୍ୟାଚ୍‌ରେ ପାଖାପାଖି ୩ ହଜାର ଟଙ୍କା ପାଉଛନ୍ତି। କିନ୍ତୁ ସେ ଯେଉଁ ସମୟରେ ଖେଳୁଥିଲେ ତାଙ୍କୁ କିଛି ଅର୍ଥ ମିଳି ନ ଥିବା ସେ କହିଛନ୍ତି। ଏହାସହ ଅନ୍ତଃଜାତୀୟ ମ୍ୟାଚ୍‌ ହେଉ ନ ଥିବାରୁ ଅର୍ଥ ନାହିଁ ବୋଲି ସେ କହିଛନ୍ତି। ତେବେ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଜାତୀୟ କ୍ରୀଡ଼ା ଦିବସରେ ତାଙ୍କୁ ସହାୟତା ରାଶି ପ୍ରଦାନ କରାଯାଇଥିବା ବେଳେ ଏହାକୁ ଘର, ମା’ଙ୍କ ଦେହପା’ରେ ଖର୍ଚ୍ଚ କରିଥିବା ବେଳେ ଖେଳ ଜୀବନ ଭବିଷ୍ୟତ ପାଇଁ କିଛି ସଞ୍ଚୟ କରି ରଖିଛନ୍ତି। କିଟ୍‌ ବିଶ୍ବବିଦ୍ୟାଳୟ ପକ୍ଷରୁ ତାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଉଥିଲା। ହେଲେ କିଛି ବର୍ଷ ହେବ ଏହାକୁ ମଧ୍ୟ ବନ୍ଦ କରିଦିଆଯାଇଥିବା ସେ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର