ଓଡ଼ିଶା କ୍ରୀଡ଼ାରେ କରୋନା ପ୍ରଭାବ: କଳାହାଣ୍ତି କପ୍‌ ଅନ୍ତଃଜିଲ୍ଲା କ୍ରିକେଟ୍‌ ଘୁଞ୍ଚିଲା , ଜାତୀୟ ପାରା ବ୍ୟାଡ୍‌ମିଣ୍ଟନ୍‌ ସ୍ଥଗିତ

କଟକ: କରୋନାର ପ୍ରଭାବ ଏବେ ଓଡ଼ିଶା କ୍ରୀଡ଼ା ଜଗତରେ ପଡ଼ିବା ଆରମ୍ଭ ହେଲାଣି। କରୋନା ପ୍ରତି ସତର୍କ ରହିବା ପାଇଁ ରାଜ୍ୟ ସରକାର ସଭା ସମିତିକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଥିବାରୁ କଳାହାଣ୍ତି କପ୍‌କୁ ଓସିଏ ପକ୍ଷରୁ ଅନିର୍ଦ୍ଧିଷ୍ଟ ସମୟ ପାଇଁ ଘୁଞ୍ଚାଇ ଦିଆଯାଇଛି। କଳାହାଣ୍ତି କପ୍‌ ଆସନ୍ତା ୧୭ ତାରିଖରୁ କଟକ ଓ ଭୁବନେଶ୍ବରରେ ଖେଳାଯିବାକୁ ସ୍ଥିର ହୋଇଥିଲା। କିନ୍ତୁ ପ୍ରତିଯୋଗିତା ବେଳେ ସବୁ ଜିଲ୍ଲାରୁ ଖେଳାଳିମାନେ ଆସି ଗୋଟିଏ ସ୍ଥାନରେ ରହିବାକୁ ଥିବାରୁ ରାଜ୍ୟ ସରକାରଙ୍କ ଘୋଷଣାନାମା ଅନୁସାରେ ପ୍ରତିଯୋଗିତାକୁ ବାତିଲ କରାଯାଇଥିବା ଓସିଏ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ ଶନିବାର ବସିବାକୁଥିବା କଟକ ଜିଲ୍ଲା କ୍ରୀଡ଼ା ସ˚ସଦର ସାଧାରଣ ପରିଷଦ ବୈଠକକୁ ମଧ୍ୟ ବାତିଲ କରାଯାଇଥିବା ଏକ ପ୍ରେସ୍‌ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି। ସେହିଭଳି ମାର୍ଚ୍ଚ ୧୫ ତାରିଖରେ କଟକରେ ହେବାକୁ ଥିବା ଓଡ଼ିଶା କୁସ୍ତି ସଂଘର ସାଧାରଣ ପରିଷଦ ବୈଠକ ଏବଂ ନିର୍ବାଚନକୁ ମଧ୍ୟ ସ୍ଥଗିତ ରଖାଯାଇଛି।

ଭୁବନେଶ୍ବର: ଓଡ଼ିଶାରେ ହେବାକୁ ଥିବା ଚତୁର୍ଥ ଜାତୀୟ ପାରା ବ୍ୟାଡମିଣ୍ଟନ୍‌ ପ୍ରତିଯୋଗିତା ମଧ୍ୟ କରୋନା ଭୂତାଣୁରେ ପ୍ରଭାବିତ ହୋଇଛି। ଭୁବନେଶ୍ବରରେ ଏହି ପ୍ରତ‌ିଯୋଗିତା ମାର୍ଚ ୧୯ରୁ ୨୨ ପର୍ଯ୍ୟନ୍ତ‌ ଖେଳାଯିବାର ଥିଲା।‌ ଖେଳାଳି, ପ୍ରଶିକ୍ଷକ, ପ୍ରବଂଧକ ଏବଂ ପ୍ରଶଂସକଙ୍କ ସ୍ବାସ୍ଥ୍ୟ ଓ ସୁରକ୍ଷା ଦୃଷ୍ଟିରୁ ଏହାକୁ ସ୍ଥଗିତ ରଖାଗଲା ବୋଲି ପାରା ସ୍ପୋର୍ଟସ ଆସୋସିଏସନ୍‌ ଅଫ୍‌ ଓଡ଼ିଶା (ପିଏସ୍‌ଏଓ)ର ସମ୍ପାଦକ ଲୋକନାଥ ମହାନ୍ତି ଏକ ପ୍ରେସ୍‌ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି। ଓଡ଼ିଶା ସରକାର ଏବଂ ଭାରତୀୟ ପାରାଲିମ୍ପିକ୍ ସମିତି (ପିସିଆଇ) ସହିତ ଆଲୋଚନା ପରେ ଏଭଳି ନିଷ୍ପତ୍ତି ନେଇଛି ପିଏସ୍‌ଏଓ।

ସମ୍ବନ୍ଧିତ ଖବର