କରୋନା ପ୍ରଭାବ: ମାଉଣ୍ଟ ଏ‌ଭରେଷ୍ଟ ବନ୍ଦ କଲା ନେପାଳ

କାଠମାଣ୍ଡୁ: ସଂପ୍ରତି ମହାମାରୀ ରୂପ ନେଇଥିବା କରୋନା ଭୂତାଣୁ ଆତଙ୍କ ଯୋଗୁଁ ଚୀନ୍‌ ପରେ ନେପାଳ ମଧ୍ୟ ପର୍ବତାରୋହୀଙ୍କ ପାଇଁ ମାଉଣ୍ଟ ଏ‌ଭରେଷ୍ଟ ବନ୍ଦ କରିଦେଇଛି। ଗୁରୁବାର ଚୀନ୍‌ ତା’ ପଟରୁ ବନ୍ଦ କରିଥିଲା ବେଳେ ଶୁକ୍ରବାର ନେପାଳ ମାଉଣ୍ଟ ଏ‌ଭରେଷ୍ଟ ସମେତ ତା’ର ସମସ୍ତ ହିମାଳୟ ଗିରିଶୃଙ୍ଗ ପର୍ବତାରୋହୀଙ୍କ ପାଇଁ ବନ୍ଦ ଘୋଷଣା କରିଛି। ମାଉଣ୍ଟ ଏ‌ଭରେଷ୍ଟ ସମେତ ବିଶ୍ବର ୧୪ ସର୍ବୋଚ୍ଚ ଗିରିଶୃଙ୍ଗ ମଧ୍ୟରୁ ୮ ନେପାଳରେ ରହିଛି। ଏହି ସବୁ ଗିରିଶୃଙ୍ଗ ଆରୋହଣ ବାବଦରେ ରାଜ୍ୟ ମଧ୍ୟ ପ୍ରାୟ ୪ ମିଲିୟନ୍‌ ଡଲାରରୁ ଅଧିକ ରାଜସ୍ବ ଆଦାୟ କରିଥାଏ। ‌ହେଲେ କରୋନା ଭୟ ଏଥର ପର୍ବତାରୋହୀଙ୍କ ବାଟ ଓଗାଳିଛି। ଫଳରେ ମାର୍ଚ୍ଚରୁ ମେ’ ମାସ ପର୍ଯ୍ୟନ୍ତ ପର୍ବତାରୋହଣ କାର୍ଯ୍ୟକ୍ରମକୁ ବାତିଲ କରାଯା‌ଇଛି ବୋଲି ନେପାଳ ପର୍ଯ୍ୟଟନ ମନ୍ତ୍ରୀ ଯୋଗେଶ ଭଟ୍ଟରାୟ ସୂଚନା ଦେଇଛନ୍ତି।

ଚଳିତ ଋତୁରେ ପର୍ବତାରୋହଣ ବନ୍ଦ ରହିଲା ବୋଲି ସେ କହିଛନ୍ତି। ଏହାକୁ ମିଶାଇ କିଛି ବର୍ଷ ମଧ୍ୟରେ ଦ୍ବିତୀୟ ଥର ପାଇଁ ଏ‌ଭରେଷ୍ଟ ଆରୋହଣ ବାଧାପ୍ରାପ୍ତ ହେଲା। ଏହା ପୂର୍ବରୁ ୨୦୧୫ ଏପ୍ରିଲ ୨୫ ତାରିଖରେ ଭୟଙ୍କର ଭୂକଂପ ଯୋଗୁଁ ଏ‌ଭରେଷ୍ଟ ଆରୋହଣ ବନ୍ଦ ରଖାଯାଇଥିଲା। ଏଠାରେ ସୂଚନା‌ଯୋଗ୍ୟ, ବିଶ୍ବର ସର୍ବୋଚ୍ଚ ଉଚ୍ଚତା ବିଶିଷ୍ଟ ଗିରିଶୃଙ୍ଗ ଏ‌ଭରେଷ୍ଟ (୮୮୫୦ ମିଟର/୨୯୦୩୫ ଫୁଟ) ସାଧାରଣତଃ ଉଭୟ ନେପାଳ ଓ ତିବତ୍‌ (ଚୀନ୍‌ ଅଧୀନ) ସୀମାବର୍ତୀ।

ସମ୍ବନ୍ଧିତ ଖବର