କରୋନା ବିସ୍ଫୋରଣ ପାଇଁ ଆଶଙ୍କାରେ ଆଡିଲେଡ୍ ଟେଷ୍ଟ୍

ସ୍ମିଥ୍, ୱାର୍ନରଙ୍କ ଉପସ୍ଥିତି ଏକ ଆହ୍ବାନ, ହେଲେ ବିଜୟ ସହଜରେ ମିଳେନି: ପୂଜାରା

ଆଡିଲେଡ୍: ବହୁ ପ୍ରତୀକ୍ଷିତ ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ୍ ଶୃଙ୍ଖଳାକୁ ଆଉ ପାଖାପାଖି ଗୋଟିଏ ମାସ ସମୟ ରହିଛି। ସୋମବାର କିନ୍ତୁ ଏଭଳି ଏକ ଖବର ଆସିଛି, ଯାହା କ୍ରିକେଟ୍ ଅଷ୍ଟ୍ରେଲିଆ ସହ ଭାରତୀୟ ପ୍ରଶଂସକଙ୍କୁ ମଧ୍ୟ ଚିନ୍ତାରେ ପକାଇ ଦେଇଛି। ଦକ୍ଷିଣ ଅଷ୍ଟ୍ରେଲିଆର ରାଜଧାନୀ ତଥା ଉପକୂଳବର୍ତ୍ତୀ ସହର ଆଡିଲେଡ୍‌ରେ ହଠାତ୍ କରୋନା ସଂକ୍ରମଣ ସଂଖ୍ୟା ବହୁଗୁଣ ବଢ଼ି ଯାଇଛି। ଫଳରେ ଏଠାରେ ଡିସେମ୍ବର ୧୭ରୁ ଆରମ୍ଭ ହେବାକୁ ଥିବା ଗୋଲାପି ବଲ୍ ଟେଷ୍ଟ୍ (ଦିବା-ରାତ୍ର ଟେଷ୍ଟ୍)କୁ ନେଇ ଆଶଙ୍କା ସୃଷ୍ଟି ହୋଇଛି। ଗତ କିଛି ଦିନ ଭିତରେ ଆଡିଲେଡ୍‌ରେ କରୋନା ପଜିଟିଭ୍ ସଂଖ୍ୟା ହୁ ହୁ ହୋଇ ବଢ଼ି ଚାଲିଛି, ଯାହା ଗୋଲପି ଟେଷ୍ଟ୍‌ର ଆୟୋଜନ ସ୍ଥାନ ବଳଦାଇବା କିମ୍ବା ଏହାର ବିକଳ୍ପ ଖୋଜିବାକୁ କ୍ରିକେଟ୍ ଅଷ୍ଟ୍ରେଲିଆକୁ ବାଧ୍ୟ କରିଛି। ମାମଲା ଉପରେ ତୀକ୍ଷ୍ଣ ନଜର ରଖିଥିବା କ୍ରିକେଟ୍ ଅଷ୍ଟ୍ରେଲିଆର ମୁଖପାତ୍ର ସୋମବାର କହିଛନ୍ତି। ଆଡିଲେଡ୍‌ରେ ମ୍ୟାଚ୍ ଆୟୋଜନ ସମ୍ଭବ ନହେଲେ ଏହା ସିଡ୍‌ନି କ୍ରି‌କେଟ୍ ପଡ଼ିଆରେ ଖେଳା ଯାଇପାରେ ବୋଲି ସେ ସଙ୍କେତ ଦେଇଛନ୍ତି।

ସଂପ୍ରତି ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା କ୍ରିକେଟ୍ ଅଷ୍ଟ୍ରେଲିଆ ଗୋଲାପି ବଲ୍ ଟେଷ୍ଟ୍ ଲାଗି ଦର୍ଶକଙ୍କ ଷ୍ଟାଡିୟମ୍ ପ୍ରବେଶକୁ ବି ଅନୁମତି ଦେଇ ସାରିଛି। ତେବେ ସାମାଜିକ ଦୂରତା ରକ୍ଷା କରି କେବଳ ୫୦ ପ୍ରତିଶତ ସିଟ୍ ପୂରଣ କରାଯିବ ବୋଲି କହିଛି। ହଠାତ୍ କରୋନା ପଜିଟିଭ୍ ବଢ଼ି ଚାଲିଥିବାରୁ ଏହି ନିଷ୍ପତ୍ତିର ପୁନର୍ବିଚାର ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଏହି କାରଣରୁ ଟେଷ୍ଟ୍ ଅଧିନାୟକ ଟିମ୍ ପେନଙ୍କ ସହ ଅନ୍ୟୁନ ଚାରି ଜଣ ଖେଳାଳିଙ୍କୁ ସଙ୍ଗରୋଧରେ ଯିବାକୁ ବି କ୍ରିକେଟ୍ ଅଷ୍ଟ୍ରେଲିଆ ନିର୍ଦ୍ଦେଶ ଦେଇ ସାରିଛି। ବର୍ଡର-ଗାଭାସ୍କର ଟ୍ରଫି ପାଇଁ ଖେଳାଯିବାକୁ ଥିବା ଏହି ଶୃଙ୍ଖଳାରେ ଭାରତ ଓ ଅଷ୍ଟ୍ରେଲିଆ ଚାରିଟି ଟେଷ୍ଟ୍ ଖେଳିବାର ଅଛି। ଆଡିଲେଡ୍‌ରେ ପ୍ରଥମ ଟେଷ୍ଟ୍ ଖେଳାଯିବାର ଥିଲା ବେଳେ ଦ୍ବିତୀୟ ମେଲବର୍ନ, ତୃତୀୟ ସିଡ୍‌ନି ଏବଂ ଚତୁର୍ଥ ତଥା ଶେଷ ଟେଷ୍ଟ୍ ବ୍ରିସବନ୍‌ର ଗାବା ଷ୍ଟାଡିୟମରେ ଖେଳାଯିବାର ସୂଚୀ ରହିଛି।

ସମ୍ବନ୍ଧିତ ଖବର