କରୋନା ପ୍ରଭାବ: ଘୁଞ୍ଚିଲା ଆଜଲାନ ସାହା କପ୍‌

ନୂଆଦିଲ୍ଲୀ: ଚୀନ୍‌ରେ ଦେଖାଦେଇଥିବା କରୋନା ଭାଇରସ୍‌ର ପ୍ରଭାବ ଏବେ କ୍ରୀଡ଼ା ଦୁନିଆରେ ପଡ଼ିଛି। ବର୍ତ୍ତମାନ ଏହା କୋରିଆ ଓ ଜାପାନ ଆଡ଼କୁ ମୁହାଁଇଥିବାରୁ ଏକାଧିକ ଆନ୍ତର୍ଜାତିକ କ୍ରୀଡ଼ା ପ୍ରତିଯୋଗିତାକୁ ବାତିଲ କିମ୍ବା ସ୍ଥଗିତ କରିବାକୁ ପଡ଼ିଲାଣି। ଏଥିଯୋଗୁଁ ମାଲେସିଆରେ ଖେଳାଯିବାକୁ ଥିବା ମର୍ଯ୍ୟଦାଜନକ ଆଜଲାନ ସାହା କପ୍‌ ହକି ପ୍ରତିଯୋଗିତାକୁ ସୋମବାର ସେପ୍ଟେମ୍ବରକୁ ଘୁଞ୍ଚାଇ ଦିଆଯାଇଛି। ଏଥିପୂର୍ବରୁ ଚାଇନିଜ୍‌ ଗ୍ରାଁ ପ୍ରି ଫର୍ମୁଲା ଵାନ୍‌, ଏସୀୟ ମୁଷ୍ଟିଯୁଦ୍ଧ, ଫେଡ୍‌ କପ୍‌ ଟେନିସ୍‌, ବିଶ୍ବକପ୍‌ ଟେବୁଲ ଟେନିସ୍‌, ବିଶ୍ବ ରଗ୍‌ବି ସେଭେନ୍ସ ସିରିଜ୍‌କୁ କରୋନା ଭୟ ଯୋଗୁଁ ସ୍ଥଗିତ ରଖିବାକୁ ପଡ଼ିଛି।

ମାଲେସିଆର ଇପୋ ସହରରେ ଏପ୍ରିଲ ୧୧ରୁ ୧୮ ତାରିଖ ମଧ୍ୟରେ ଆଜଲାନ ସାହା କପ୍‌ ଖେଳାଯିବାକୁ ସ୍ଥିର ହୋଇଥିଲା। ଏବେ ସେପ୍ଟେମ୍ବେର ୨୪ରୁ ଅକ୍ଟୋବର ୩ ମଧ୍ୟରେ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଖେଳାଳି, ମ୍ୟାଚ୍‌ ପରିଚାଳନା ଅଧିକାରୀ ଏବ˚ ଖେଳ ସହିତ ଜଡ଼ିତ ସମସ୍ତ ବ୍ୟକ୍ତି ବିଷେଶଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଆଜଲାନ ସାହା କପ୍‌ର ୨୯ତମ ସ˚ସ୍କରଣକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଉଥିବା ଆୟୋଜନ ସମିତି ଅଧ୍ୟକ୍ଷ ଦାତୋ ହାଜି ଅବିଦ ରହିମ ବିନ୍‌ କହିଛନ୍ତି। ଏଭଳି ନିଷ୍ପତ୍ତି ପାଇଁ ଆୟୋଜନ ସମିତି କ୍ଷମା ମାଗିଥିଲାବେଳେ ବର୍ତ୍ତମାନ ସାରା ବିଶ୍ବରେ ଦେଖାଦେଇଥିବା କରୋନା ସଙ୍କଟକୁ ଦୃଷ୍ଟିରେ ରଖି ଏପରି କରିବାକୁ ବାଧ୍ୟ ହୋଇଥିବା ସେ ପ୍ରକାଶ କରିଛନ୍ତି। ଏହି ପ୍ରତିଯୋଗିତାରେ ଚଳିତ ବର୍ଷ ଭାରତ ଅ˚ଶଗ୍ରହଣ କରିବାକୁ ମନା କରିଦେଇଥିଲାବେଳେ ଅଷ୍ଟ୍ରେଲିଆ, କାନାଡ଼ା, ଜାପାନ, ମାଲେସିଆ, ପାକିସ୍ତାନ ଓ ଦକ୍ଷିଣ କୋରିଆ ଏଥର ପ୍ରତିଦ୍ବନ୍ଦ୍ବିତା କରିବେ। ପ୍ରତିଯୋଗିତାରେ ଅଷ୍ଟ୍ରେଲିଆ ସର୍ବାଧିକ ୧୦ ଥର, ଭାରତ ୪ ଓ ପାକିସ୍ତାନ ୩ ଥର ବିଜେତା ହୋଇଛନ୍ତି।

ସମ୍ବନ୍ଧିତ ଖବର