ଖେଳ ପଡ଼ିଆରେ କରୋନା ଭୟ: ବାତିଲ ହୋଇ ଚାଲିଛି ଗୋଟିଏ ପରେ ଗୋଟିଏ ପ୍ରତିଯୋଗିତା

ନୂଆଦିଲ୍ଲୀ/ ଭୁବନେଶ୍ବର: ମାରାତ୍ମକ କରୋନା ଭୂତାଣୁକୁ ନେଇ କ୍ରୀଡ଼ା ଦୁନିଆରେ ଆତଙ୍କ ଖେଳି ଯାଇଛି। କିଛି ଖେଳାଳି ଏହି ଭୟାବହ ଭୂତାଣୁ ଦ୍ବାରା ସଂକ୍ରମିତ ହେବା ପରେ ଆମେରିକାଠାରୁ ଆରମ୍ଭ କରି ଭାରତ ଓ ସର୍ବୋପରି ଓଡ଼ିଶାରେ ହେବାକୁ ଥିବା ଅନେକ କ୍ରୀଡ଼ା ପ୍ରତିଯୋଗିତାକୁ ବାତିଲ କିମ୍ବା ସ୍ଥଗିତ କରି ଦିଆଯାଇଛି। ବିଶ୍ବର ସବୁଠାରୁ ଧନୀ କ୍ରିକେଟ୍ ଲିଗ୍ ଆଇପିଏଲ୍‌ର ଆୟୋଜନକୁ ନେଇ ସନ୍ଦେହ ଲାଗି ରହିଥିଲା ବେଳେ ଦର୍ଶକଙ୍କ ଷ୍ଟାଡିୟମ୍ ପ୍ରବେଶ ଉପରେ କେନ୍ଦ୍ର ସରକାର ଗୁରୁବାର ଅଙ୍କୁଶ ଜାରି କରିଛନ୍ତି। ଯଦି କୌଣସି ପ୍ରତିଯୋଗିତା ବାତିଲ କରି ‌ହେଉନି, ତାହାଲେ ତାକୁ ବନ୍ଦ ଫାଟକ ଭିତରେ ଆୟୋଜନ କରିବାକୁ ସରକାର ବିସିସିଆଇ ଓ ଅନ୍ୟ ଜାତୀୟ କ୍ରୀଡ଼ା ମହାସଂଘଙ୍କୁ ଆଜି କଡ଼ା ନିର୍ଦେଶ ଦେଇଛନ୍ତି। କରୋନା ଭୟ ପାଇଁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ଦିନିକିଆ କ୍ରିକେଟ୍ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ର ୪୦ ପ୍ରତିଶତ ଟିକେଟ୍‌ ବିକ୍ରି ହୋଇ ନଥିଲା। ଅବଶ୍ୟ ଏହି ମ୍ୟାଚ୍‌କୁ ବର୍ଷା ଧୋଇ ନେଇଥିଲା। ତେବେ ଲକ୍ଷ୍ନୌ ଓ କୋଲ୍‌କାତାରେ ଖେଳାଯିବାକୁ ଥିବା ଦ୍ବିତୀୟ ତଥା ତୃତୀୟ ମୁକାବିଲା ପୂରା ମାନ୍ଦା ପଡ଼ିବାର ଯଥେଷ୍ଟ ଆଶଙ୍କା ରହିଛି। ଉଭୟ ସହରରେ ବିଶ୍ବ କ୍ରିକେଟ୍‌ର ଏହି ଦୁଇ ଶକ୍ତିଶାଳୀ ଦଳ ଫାଙ୍କା ଷ୍ଟାଡିୟମ୍‌ରେ ମ୍ୟାଚ୍ ଖେଳିବାକୁ ଏକପ୍ରକାର ବାଧ୍ୟ ହୋଇପାରନ୍ତି। ସେହିଭଳି ବାସ୍କେଟବଲ୍ ଲିଗ୍ ‘ଏନ୍‌ବିଏ’, ଇଂଲିସ୍ ପ୍ରିମିୟର ଲିଗ୍ ଫୁଟ୍‌ବଲ୍ ପ୍ରତିଯୋଗିତା, ବନ୍ଧୁକ ଚାଳନା ବିଶ୍ବକପ୍, ଇଣ୍ଡିଆନ୍ ଓପନ୍ ବ୍ୟାଡମିଣ୍ଟନ୍ ଓ ଫେଡେରେସନ୍ କପ୍ ଟେନିସ୍ ପ୍ରତିଯୋଗିତା ଭଳି ବଡ଼ ବଡ଼ ପ୍ରତିଯୋଗିତାକୁ ମଧ୍ୟ ବନ୍ଦ କରି ଦିଆଯାଇଛି। କରୋନା ଭୟ ପାଇଁ ଅଷ୍ଟ୍ରେଲିଆନ୍ ଗ୍ରାଁ ପ୍ରି ଫର୍ମୁଲାୱାନ୍ ରେସ୍‌ରୁ ମ୍ୟାକଲରିନ୍ ଦଳ ଓହରି ଯାଇଛି। କିଂବଦନ୍ତି ଖେଳାଳିଙ୍କୁ ନେଇ ଆୟୋଜିତ ହେଉଥିବା ସଡ଼କ ସୁରକ୍ଷା ବିଶ୍ବ ସିରିଜ୍‌ର ବଳକା ମ୍ୟାଚ୍ ଖାଲି ଷ୍ଟାଡିୟମରେ ଆୟୋଜନ କରିବାକୁ ଆୟୋଜକ ଘୋଷଣା କରିଛନ୍ତି। ବିଦେଶରେ ଖେଳୁଥିବା ଭାରତୀୟ କ୍ରୀଡ଼ାବିତଙ୍କୁ ସ୍ବଦେଶ ଫେରିବା ପରେ କିଛି ଦିନ ଘର ବାହାରକୁ ନ ଯିବାକୁ ଭାରତ ସରକାରଙ୍କ ତରଫରୁ ପରାମର୍ଶ ଦିଆଯାଇଛି। ଏହା ଦ୍ବାରା ସେମାନେ ଯଦି ସଂକ୍ରମିତ ହୋଇଥାଆନ୍ତି, ତାହାଲେ ତାକୁ ତୁରନ୍ତ ରୋକା ଯାଇପାରିବ ବୋଲି ଆଶା କରାଯାଉଛି। ଭୁବନେଶ୍ବରରେ ଚଳିତ ମାସରେ ଭାରତ ଓ କାତାର ମଧ୍ୟରେ ଖେଳାଯିବାକୁ ଥିବା ବିଶ୍ବକପ୍ ଯୋଗ୍ୟତା ପର୍ଯ୍ୟାୟ ଫୁଟ୍‌ବଲ୍ ମ୍ୟାଚ୍‌କୁ ମଧ୍ୟ ଫିଫା ନିର୍ଦେଶ ପରେ ସର୍ବଭାରତୀୟ ଫୁଟ୍‌ବଲ୍ ମହାସଂଘ ସ୍ଥଗିତ କରି ଦେଇଛି।

ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଫାଇନାଲ୍‌ ଦର୍ଶକ କରୋନା ଆକ୍ରାନ୍ତ
ମେଲ୍‌ବର୍ନ: ଚଳିତ ମାସ ୮ ତାରିଖରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଏଠାରେ ଖେଳାଯାଇଥିବା ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଫାଇନାଲ୍‌ ମ୍ୟାଚ୍‌କୁ ଉପଭୋଗ କରିଥିବା ଜଣେ ଦର୍ଶକ କରୋନା ଭୂତାଣୁରେ ଆକ୍ରାନ୍ତ ହୋଇଛନ୍ତି। ନଭେଲ କରୋନା ଭୂତାଣୁ ପାଇଁ କରାଯାଇଥିବା ତାଙ୍କ ପରୀକ୍ଷା ସକାରାତ୍ମକ ରହିଛି। ତାଙ୍କଠାରୁ କରୋନା ଭୂତାଣୁ ଚିହ୍ନଟ କରାଯିବା ପରେ ଏହା ଅନ୍ୟମାନଙ୍କୁ ସଂକ୍ରମିତ ହୋଇଛି ନା ନାହିଁ ସେନେଇ ଆତଙ୍କ ଖେଳିଯାଇଛି। ତେବେ ଏନେଇ ଅଧିକ ଭୟଭୀତ ନହେବାକୁ ସ୍ବାସ୍ଥ୍ୟ ବିଭାଗ କହିଛି।

କଳିଙ୍ଗରେ ଭାରତ-କାତାର ଫୁଟ୍‌ବଲ୍ ମ୍ୟାଚ୍ ସ୍ଥଗିତ
ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ୍‌ରେ ଚଳିତମ ମାସ ୨୬ ତାରିଖରେ ଖେଳାଯିବାକୁ ଥିବା ଭାରତ-କାତାର ବିଶ୍ବକପ୍‌ ଫୁଟ୍‌ବଲ୍‌ ଯୋଗ୍ୟତାପର୍ଯ୍ୟାୟକୁ ସ୍ଥଗିତ ରଖାଯାଇଛି। ପରବର୍ତ୍ତୀ ସମୟରେ ଏଥିଲାଗି ନୂଆ ତାରିଖ ଘୋଷଣା କରାଯିବ। ୨୦୨୨ ଫିଫା ବିଶ୍ବକପ୍‌ର ଦ୍ବିତୀୟ ରାଉଣ୍ଡ୍‌ ଏବଂ ୨୦୨୩ ଏଫ୍‌ସି ଏସୀୟ କପ୍‌ ଯୁଗ୍ମ ଯୋଗ୍ୟତାପର୍ଯ୍ୟାୟ ଚଳିତ ମାସରୁ ଜୁନ୍‌ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିଲା। ହେଲେ କରୋନା ଭୂତାଣୁ ଭୟ ଯୋଗୁ ଏହାକୁ ମଧ୍ୟ ସ୍ଥଗିତ ରଖାଯାଇଛି। ଫୁଟ୍‌ବଲ୍‌ ମ୍ୟାଚ୍‌ ଖେଳିବାକୁ ଥିବା ପ୍ରତ୍ୟେକ ଖେଳାଳିଙ୍କ ସ୍ବାସ୍ଥ୍ୟକୁ ଅଗ୍ରାଧିକାର ଦେଇ ଉଭୟ ଫିଫା ଓ ଏଏଫ୍‌ସି ଏହି ନିଷ୍ପତ୍ତି ନେଇଛନ୍ତି। ଫିଫା ମଧ୍ୟ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍‌ଓ) ସହ ଏନେଇ ଯୋଗାଯୋଗ ରଖିଛି। କାତାର ବିପକ୍ଷ ମୁକାବିଲା ସ୍ଥଗିତ ରହିବା ପରେ ଚଳିତ ମାସରେ କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ଜାତୀୟ ଫୁଟ୍‌ବଲ୍ ଶିବିର ଆୟୋଜନ ହେବନାହିଁ ବୋଲି ସ୍ପଷ୍ଟ କରିଦିଆଯାଇଛି।

ଫୁଟ୍‌ବଲର୍‌ ଡାନିଏଲ୍ ରୁଗାନି ସଂକ୍ରମିତ
ରୋମ୍: ଜୁଭେଣ୍ଟସ୍ ଫୁଟ୍‌ବଲ୍ କ୍ଲବ୍‌ର ୨୫ ବର୍ଷୀୟ ଖେଳାଳି ଡାନିଏଲ୍ ରୁଗାନି କରୋନା ଭୂତାଣୁରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଏଣୁ ତାଙ୍କୁ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ସ୍ଥାପନ କରାଯାଇଥିବା ସ୍ବତନ୍ତ୍ର ଶିବିର ବା‌ କ୍ବାରେଣ୍ଟିନ୍‌କୁ ପଠାଇ ଦିଅଯାଇଛି। ତା’ ସହ କ୍ଲବ୍‌ର କେତେକ ମ୍ୟାଚ୍‌କୁ ସ୍ଥଗିତ କରି ଦିଆଯାଇଛି। ଇଟାଲିର ଅନ୍ୟତମ ଫୁଟ୍‌ବଲ୍ କ୍ଲବ୍ ଇଣ୍ଟର ମିଲାନ ମଧ୍ୟ ତା’ର ସମସ୍ତ ମ୍ୟାଚ୍‌କୁ ବାତିଲ କରି ଦେଇଛି। କରୋନା ସଂକ୍ରମିତ ହୋଇଥିବା ଖବରକୁ ରୁଗାନି ଟ୍ବିଟ୍ କରି ସ୍ବୀକାର କରିଛନ୍ତି। ତେବେ ସଂପ୍ରତି ରୁଗାନି ସଂପୂର୍ଣ୍ଣ ସୁସ୍ଥ ଥିବା ପ୍ରଶଂସକଙ୍କୁ ଆଶ୍ବାସନା ଦେଇଛନ୍ତି। ଅନ୍ତର୍ଜାତୀୟ ଫୁଟ୍‌ବଲ୍ ତାରକା ରୁଗାନି ୨୦୧୫‌ରେ ଜୁଭେଣ୍ଟସ କ୍ଲବ୍‌ରେ ଯୋଗ ଦେଇଥିଲେ। ସେପଟେ ଇଟାଲିରେ କରୋନା ଏକପ୍ରକାର ମହାମାରୀ ରୂପ ନେଇଥିଲା ବେଳେ ସେଠାକାର ସରକାର ଦେଶରେ ଚାଲିଥିବା ସମସ୍ତ କ୍ରୀଡ଼ା ପ୍ରତିଯୋଗିତାକୁ ତୁରନ୍ତ ବନ୍ଦ କରିବାକୁ ନିର୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର