କ‌ରୋନା ଲଢ଼େଇ : ସଚିନ, ରେଡପଥ୍‌ଙ୍କ ଉଦାହରଣ ଦେଲେ ଚାପେଲ

ନୂଆଦିଲ୍ଲୀ : ମହାମାରୀ କରୋନା ବିପକ୍ଷ ଲଢ଼େଇ କିଭଳି ଜିତି ହେବ ତାକୁ ନେଇ ପୂର୍ବତନ ଅଷ୍ଟ୍ରେଲୀୟ ଅଧିନାୟକ ଇଆନ୍ ଚାପେଲ ତାଙ୍କ ସାଥୀ ଇଆନ୍‌ ରେଡ୍‌ପାଥ ଏବଂ ଭାରତୀୟ କିଂବଦନ୍ତି ସଚିନ ତେନ୍ଦୁଲକରଙ୍କ ଉଦାହରଣ ଦେଇଛନ୍ତି। ଚାପେଲ ‌କରୋନା ମହାମାରୀକୁ ପାଞ୍ଚ ଦିନିଆ ଖେଳ ସହିତ ତୁଳନା କରି କହିଛନ୍ତି ଯେ ଟେଷ୍ଟ୍‌ କ୍ରିକେଟ୍‌ରେ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଘଣ୍ଟାକର ଆବଶ୍ୟକତା ହେଉଛି ଧୈର୍ଯ୍ୟ, ନିଷ୍ଠା ଏବଂ ପଦକ୍ଷେପ। କରୋନା ବିପକ୍ଷ ଲଢ଼େଇ ପାଇଁ ଆମକୁ ଏହାକୁ ଅନୁସରଣ କରିବାକୁ ପଡ଼ିବ।

ଚାପେଲ ୧୯୯୮ରେ ଚେନ୍ନାଇରେ ଖେଳାଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ୍‌ରେ ତେନ୍ଦୁଲକରଙ୍କ ସ୍ମରଣୀୟ ପାଳିକୁ ଉଦାହରଣରେ ନେଇଛନ୍ତି। ସେ ଏହି ଟେଷ୍ଟ୍‌ର ଦ୍ବିତୀୟ ପାଳିରେ ଶତକ (୧୫୫ ରନ୍‌) ଅର୍ଜନ କରି ଭାରତକୁ ବିଜୟୀ କରାଇଥିଲେ। ସଚିନଙ୍କ ପ୍ରଦର୍ଶନ ବିନା ଭାରତ ଏହି ଶୃଙ୍ଖଳାରେ ଆଗରେ ରହି ପାରିନଥାନ୍ତା ବୋଲି ଚାପେଲ୍‌ ଏକ ସ୍ତମ୍ବରେ ଲେଖିଛନ୍ତି। ତେନ୍ଦୁଲକର ପୂର୍ବତନ ଅଲରାଉଣ୍ଡର ରବି ଶାସ୍ତ୍ରୀଙ୍କୁ ପଚାରିଥିଲେ ଯେ ଚାମ୍ପିଅନ ଅଷ୍ଟ୍ରେଲୀୟ ଲେଗ୍‌ସ୍ପିନର୍‌ ୱର୍ନ ଯଦି ରାଉଣ୍ଡ ଦି ୱିକେଟ୍ ପକାଇବେ କିପରି ଖେଳିବି। ଏହାର ଉତ୍ତରରେ ଶାସ୍ତ୍ରୀ ସଧାରଣ ଭାବେ କହିଥିଲେ, ମୋର ଦୀର୍ଘ ସମୟ ଅନୁଭୂତିରୁ କହୁଛି ୱର୍ନଙ୍କ ବୋଲିଂରେ ମୁଁ ରକ୍ଷଣାତ୍ମକ ଖେଳେ। କିନ୍ତୁ ତୁମେ ତାହା କରୁନାହଁ। ଫୁଟ୍ ମାର୍କରେ ୱର୍ନଙ୍କ ବୋଲିଂକୁ ମୁକାବିଲା କରିବା ପାଇଁ ତୁମକୁ ଏକ ଆକ୍ରମଣତ୍ମକ ବିକଳ୍ପ ପ୍ରସ୍ତୁତ କରିବାକୁ ପଡ଼ିବ। ଏହି ସ୍ମୃତିକୁ ମନେପକାଇ ଚାପେଲ କହିଛନ୍ତି ଯେ ତେନ୍ଦୁଲକର ତାଙ୍କ ବରିଷ୍ଠ ସାଥୀ ଖେଳାଳିଙ୍କ ପରାମର୍ଶକୁ କେତେ ଗମ୍ଭୀରତାର ସହ ଗ୍ରହଣ କଲେ ଏବଂ ୱର୍ନଙ୍କ ବିପକ୍ଷରେ ନିଜକୁ ପ୍ରସ୍ତୁତ କଲେ। ପ୍ରଥମ ପାଳିରେ ୪ ୱିକେଟ୍‌ ନେଇ ଦୃଢ଼ ଆତ୍ମବିଶ୍ବାସରେ ଥିବା ୱର୍ନଙ୍କ ବିପକ୍ଷରେ ସଚିନ ଚମତ୍କାର ଖେଳି ଦଳକୁ ଜିତାଇଥିଲେ।

ଏହି ପ୍ରସଙ୍ଗରେ ଚାପେଲ ଆଉ ଏକ ପାଳି ଉପରେ କହିଥିଲେ। ତାହା ଥିଲା ୧୯୭୬ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ରେଡପାଥ୍‌ଙ୍କ ପ୍ରଦର୍ଶନ। ତେନ୍ଦୁଲକରଙ୍କ ପଦକ୍ଷେପ ଓ ନିଷ୍ଠା ସହ ରେଡପାଥଙ୍କ ଧୈର୍ଯ୍ୟର ସାହସକୁ ମିଶାନ୍ତୁ। ଏହି ଭୟଙ୍କର ମହାମାରୀରୁ ବଞ୍ଚିବା ପାଇଁ ଆପଣଙ୍କର ଏହି କିଛି ଗୁଣ ଦରକାର ବୋଲି ୭୬ ବର୍ଷୀୟ ଏହି କିଂବଦନ୍ତୀ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ୍‌ କହିଛନ୍ତି।

ସମ୍ବନ୍ଧିତ ଖବର