ବେଙ୍ଗାଲୁରୁ,: ଅଲିମ୍ପିଆନ୍ ସାଜନ ପ୍ରକାଶଙ୍କ ଲଗାତାର ଦ୍ବିତୀୟ ଅଲିମ୍ପିକ୍ସ ସ୍ବପ୍ନ କରୋନା ଭୂତାଣୁ ଯୋଗୁଁ ଆଉ ଗୋଟିଏ ବର୍ଷ ଘୁଞ୍ଚିଯାଇଛି। କିନ୍ତୁ ଘୁଞ୍ଚିବା ଘୋଷଣା ପୂର୍ବରୁ ଏହି ଭାରତୀୟ ସନ୍ତରଣକାରୀ ଥାଇଲାଣ୍ଡର ଫୁକେଟ୍ସ୍ଥିତ ଫିନା ପ୍ରଶିକ୍ଷଣ କେନ୍ଦ୍ରରେ ଅଭ୍ୟାସ ଚଳାଇଥିଲେ। ୩ ସପ୍ତାହ ଲକ୍ଡାଉନ୍ ଚାଲିଥିବାରୁ ସେ ସେଠାରୁ ସ୍ବେଦଶ ଫେରିପାରୁନାହାନ୍ତି। େହଲେ ଫୁକେଟ୍ରେ ସେ ଏବେ ସୁରକ୍ଷିତ ଅଛନ୍ତି ବୋଲି କହିଛନ୍ତି। ଫୁକେଟ୍ରେ ଗୁରୁବାର ସୁଦ୍ଧା କରୋନା ଭୂତାଣୁ ଆକ୍ରାନ୍ତ ସଂଖ୍ୟା ୧୬୧ରେ ପହଞ୍ଚିଛି। ଫଳରେ ଏହି ସ୍ଥାନ ଥାଇଲାଣ୍ଡ୍ର ହଟ୍ସ୍ପଟ୍ ହୋଇଯାଇଛି।
ଆମ ସହ ଏହି କେନ୍ଦ୍ରରେ ହଙ୍ଗେରିର ୧୫-୨୦ ସନ୍ତରଣକାରୀ ପ୍ରଶିକ୍ଷଣ ନେଉଥିଲେ। ସେମାନଙ୍କ ମଧ୍ୟରୁ ୯ ଜଣ କରୋନା ଭୂତାଣୁ ଦ୍ବାରା ସଂକ୍ରମିତ ବୋଲି ଜାଣିବାକୁ ପାଇଥିଲି। ଏହି ଖେଳାଳିଙ୍କ ସହ ଆମେ ଏକାଠି ଗୋଟିଏ ସ୍ଥାନରେ ଖିଆପିଆ ମଧ୍ୟ କରିଥିଲୁ। ଏହି ହଙ୍ଗେରୀୟମାନେ ମାର୍ଚ ୧୨ ତାରିଖରେ ନିଜ ଦେଶକୁ ଫେରିଯାଇଥିଲେ। ୧୭ ତାରିଖରେ ଆମ ପ୍ରଶିକ୍ଷଣ କେନ୍ଦ୍ର ସମ୍ପୂର୍ଣ୍ଣ ଲକ୍ଡାଉନ୍ ହୋଇଯାଇଥିଲା। ଫଳରେ ଆମକୁ ହଷ୍ଟେଲ ବାହାରକୁ ଯିବାକୁ ମଧ୍ୟ ଦିଆଯାଉନି ବୋଲି ସାଜନ କହିଛନ୍ତି। ଭାଗ୍ୟବଶତଃ ଆମ କେନ୍ଦ୍ରରେ ଆଉ କରୋନା ଭୂତାଣୁ ସଂକ୍ରମିତ ମିଳିନାହାନ୍ତି। କିନ୍ତୁ ଆମେ ଶୁଣୁଛୁ ଏହିପାଖର ସ୍କୁଲ୍ର ଦୁଇ ଜଣ ଶିକ୍ଷକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ହେଲେ ମୁଁ ଏଠାରେ ସୁରକ୍ଷିତ ଅଛି ଏବଂ ବାହାରକୁ ଯାଉନି କି ବାହାର ଲୋକଙ୍କ ସହ ମିଶୁନି ବୋଲି ଏସୀୟ ବୟସ ବର୍ଗ ବିଜେତା ସାଜନ କହିଛନ୍ତି। ମୁଁ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ପ୍ରତିଯୋଗିତା ପାଇଁ ପ୍ରସ୍ତୁତ ହେଉଥିଲି। କିନ୍ତୁ ଅଲିମ୍ପିକ୍ସ ନିଜ ପକ୍ଷରୁ ସ୍ଥଗିତ ହୋଇଗଲା ବୋଲି ସାଜନ କହିଛନ୍ତି।