ଭାରତରେ ସଂକ୍ରମଣର ଭୟଙ୍କର ରୂପ, ଦିନକରେ ପ୍ରାୟ ୫୦ ହଜାର ସଂକ୍ରମିତ

ଆମେରିକା ପରେ ଭାରତରେ ସର୍ବାଧିକ ଦୈନିକ ସଂକ୍ରମଣ, ମୃତ୍ୟୁସଂଖ୍ୟା ୩୦ ହଜାର ଟପିଲା

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣର ଭୟଙ୍କର ରୂପ ଦେଖିବାକୁ ମିଳିଛି। ଦୈନିକ ସଂକ୍ରମଣ ମାମଲା ଏବେ ଦେଶରେ ପ୍ରାୟ ୫୦ ହଜାରରେ ପହଞ୍ଚିଲାଣି। ବିଗତ ୨୪ ଘଣ୍ଟା ମଧ୍ୟରେ ୪୯ ହଜାର ୩୧୦ ନୂଆ ମାମଲା ଚିହ୍ନଟ ହୋଇଛି। ଏଥିସହ ଦେଶରେ ମୋଟ୍‌ ସଂକ୍ରମଣ ମାମଲା ୧୨ ଲକ୍ଷ ୮୭ ହଜାର ୯୪୫ରେ ପହଞ୍ଚିଛି ଏବଂ ମୃତ୍ୟୁସଂଖ୍ୟା ମଧ୍ୟ ୩୦ ହଜାର ୬୦୧ ରହିଛି। ଗତକାଲି ଗୋଟିଏ ଦିନରେ ପୁଣି ୭୪୦ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଦେଶରେ ୪ ଲକ୍ଷ ୪୦ ହଜାର ୧୩୫ ସକ୍ରିୟ ମାମଲା ଥିବାବେଳେ ୮ ଲକ୍ଷ ୧୭ ହଜାର ୨୦୯ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ମହାରାଷ୍ଟ୍ରରେ ସର୍ବାଧିକ ୩ ଲକ୍ଷ ୪୭ ହଜାର ୫୦୨, ତାମିଲନାଡ଼ୁରେ ୧ ଲକ୍ଷ ୯୨ ହଜାର ୯୬୪ ଏବଂ ଦିଲ୍ଲୀରେ ୧ ଲକ୍ଷ ୨୭ ହଜାର ୩୬୪ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ମହାରାଷ୍ଟ୍ରରେ ୧ ଲକ୍ଷ ୪୦ ହଜାର ସକ୍ରିୟ ମାମଲା ରହିଛି। ଅନ୍ୟପକ୍ଷେ ତାମିଲନାଡ଼ୁରେ ୫୩ ହଜାର ଏବଂ କର୍ଣ୍ଣାଟକରେ ୫୦ ହଜାର ମାମଲା ରହିଛି। ଆଇସିଏମ୍‌ଆର ଅନୁଯାୟୀ ଦେଶରେ ଗତକାଲି ୩ ଲକ୍ଷ ୫୨ ହଜାର ୮୦୧ ନମୁନା ପରୀକ୍ଷା କରାଯାଇଥିଲା । ଏଯାବତ୍‌ ୧ କୋଟି ୫୪ ଲକ୍ଷ ୨୮ ହଜାର ୧୭୦ ନମୁନା ପରୀକ୍ଷା ହୋଇଛି।

ଭାରତରେ ଦୈନିକ ସଂକ୍ରମଣ ଏବେ ବିଶ୍ବରେ ଆମେରିକା ପରେ ସର୍ବାଧିକ ରହିଛି। ଭାରତ ଦୈନିକ ସଂକ୍ରମଣ ମାମଲାରେ ବ୍ରାଜିଲ୍‌କୁ ମଧ୍ୟ ଟପିଯାଇଛି। ଜୁଲାଇ ୧୬ରୁ ଜୁଲାଇ ୨୨ ପର୍ଯ୍ୟନ୍ତ ୭ ଦିନ ମଧ୍ୟରେ ଭାରତ ମୋଟ୍‌ ୨ ଲକ୍ଷ ୬୯ ହଜାର ୯୬୯ ନୂଆ ସଂକ୍ରମଣ ମାମଲା ରିପୋର୍ଟ କରିଥିବା ବେଳେ ବ୍ରାଜିଲ୍‌ ଏହି ସମୟରେ ୨ ଲକ୍ଷ ୬୦ ହଜାର ୯୬୨ ସଂକ୍ରମଣ ମାମଲା ରିପୋର୍ଟ କରିଛି। ପ୍ରଥମ ଥର ପାଇଁ ଭାରତର ଦୈନିକ ସଂକ୍ରମଣ ମାମଲା ବ୍ରାଜିଲ୍‌କୁ ଟପିଯାଇଛି। ଆମେରିକାରେ ଗତ ସପ୍ତାହରେ ମୋଟ୍‌ ୪ ଲକ୍ଷ ୭୮ ହଜାର ୮୯୯ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ସଂକ୍ରମଣ ମାମଲାରେ ଭାରତ ବ୍ରାଜିଲ୍‌ଠାରୁ ୧୦ ଲକ୍ଷ ପଛରେ ରହିଛି। ସମଗ୍ର ବିଶ୍ବରେ ମୋଟ୍‌ ମାମଲାର ୬୦ ପ୍ରତିଶତ କେବଳ ଆମେରିକା, ବ୍ରାଜିଲ୍‌ ଏବଂ ଭାରତରୁ ଚିହ୍ନଟ ହୋଇଛି। ତେବେ ଦୈନିକ ସଂକ୍ରମଣ ବଢ଼ୁଥିଲେ ମଧ୍ୟ ଭାରତ ପାଇଁ ଏକ ସକରାତ୍ମକ ଦିଗ ହେଉଛି ଭାରତରେ ଆରୋଗ୍ୟ ହାର ବଢ଼ୁଛି। ଭାରତରେ ଆରୋଗ୍ୟ ହାର ୬୩.୧୮ ପ୍ରତିଶତରୁ ଅଧିକ ରହିଛି। ତେବେ ଭାରତରେ ଗତ ୭ ଦିନ ମଧ୍ୟ‌ରେ ୫ ହଜାର ମୃତ୍ୟୁ ହୋଇଛି। ଅନ୍ୟପକ୍ଷେ ମୃତ୍ୟୁସଂଖ୍ୟା ୧୫ ହଜାରରୁ ୨୦ ହଜାର ହେବାପାଇଁ ୧୧ ଦିନ ଏବଂ ୨୦ ହଜାରରୁ ୨୫ ହଜାର ହେବାପାଇଁ ୧୦ ଦିନ ଲାଗିଥିଲା।

ସମ୍ବନ୍ଧିତ ଖବର