ଚନ୍ନାଇ: କୋଭିଡ୍-୧୯ ମହାମାରୀ କେବଳ ଯେ ଜୀବନ ସହ ଖେଳୁଛି ତା’ ନୁହେଁ, ଜୀବିକା ସହିତ ମଧ୍ୟ ଅଦୃଶ୍ୟ ଲଢ଼େଇରେ ଅବତୀର୍ଣ୍ଣ ହୋଇଛି। ସାଧାରଣ ମଜୁରିଆଙ୍କ ସହ ଖେଳ ଦୁନିଆ ସହିତ ଜଡ଼ିତ ଅନେକ ଦିନ ମଜୁରିଆ ମଧ୍ୟ ଏଥିଲାଗି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜୀବିକା ହରାଇ ଘୋର ଆଶଙ୍କା ମଧ୍ୟରେ ଜୀବନ କାଟୁଛନ୍ତି। ବିଭିନ୍ନ ଖେଳ ସହ ଏମିତି ଅନେକ ମଜୁରିଆ ସମ୍ପୃକ୍ତ ରହିଥାନ୍ତି ଯେଉଁମାନଙ୍କ ପେଟପାଟଣା ଦୈନଦିନ ରୋଜଗାର ଉପରେ ସମ୍ପୂର୍ଣ୍ଣ ନିର୍ଭର କରିଥାଏ। ଏବେ ଭାରତରେ ସମ୍ପୂର୍ଣ୍ଣ ଲକ୍ଡାଉନ୍ ଲାଗି ରହିଥିବାରୁ ସବୁ ଖେଳ ପ୍ରତିଯୋଗିତା ବି ସ୍ଥାଣୁ ଅବସ୍ଥାରେ ରହିଛି। ଏଭଳି ପରିସ୍ଥିତିରେ ବିଭିନ୍ନ ପଡିଆ ଓ ପ୍ରତିଯୋଗିତା ଦାୟିତ୍ବରେ ରହୁଥିବା ଦିନ ମଜୁରିଆମାନେ ନିଜ ଖାଇବା ପିଇବା ସହ ପରିବାର ଚଳାଇବା ନେଇ ନାହିଁ ନଥିବା ଅବସ୍ଥା ଭୋଗୁଛନ୍ତି। ତାମିଲନାଡୁ ଗଲ୍ଫ କ୍ଲବ୍ରେ ପ୍ରାୟ ୧୬୦ କ୍ୟାଡି କାମ କରନ୍ତି, ଯେଉଁମାନେ ଦୈନିକ ପ୍ରାୟ ୫୦୦ ଟଙ୍କା ରୋଜଗାର କରନ୍ତି। ଗ୍ରୀଷ୍ମ ଋତୁ କାରଣରୁ ଏମିତି ବି ଗଲ୍ଫ କୋର୍ସ ବନ୍ଦ ରହିଥାଏ, କିନ୍ତୁ ଚୀନ ଓ କୋରିଆରୁ କିଛି କାର୍ପୋରେଟ୍ ଆସି ସୌଖିନ୍ ପ୍ରତିଯୋଗିତାମାନ କରିଥାନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
କ୍ୟାଡିଜ୍: ୩୦୦ରୁ ୬୦୦ ଟଙ୍କା
ହକି ପଡ଼ିଆ କର୍ମଚାରୀ: ୫୦୦ ଟଙ୍କା
ଫୁଟ୍ବଲ୍ ପଡ଼ିଆ କର୍ମଚାରୀ: ୩୦୦ରୁ ୬୦୦ ଟଙ୍କା
ଫୁଟବଲ୍ ରେଫରି: ୧୨୦୦ ଟଙ୍କା (ମ୍ୟାଚ୍ ପିଛା)
ଲକ୍ଡାଉନ୍ ସେମାନଙ୍କ ଏହି ନିୟମିତ ରୋଜଗାରରେ ଚୋଟ ପକାଇଛି। ତାମିଲନାଡୁ ଗଲଫ୍ ସଂଘର କ୍ୟାଡିମାନେ ମାସାଧିକ କାଳ ବେକାର ବସିଛନ୍ତି। ସଂଘ ପକ୍ଷରୁ କେବଳ ପଞ୍ଜିକୃତ କ୍ୟାଡିଙ୍କୁ ଆର୍ଥିକ ସହାୟତା ଦିଆଯାଇଛି। ଅନ୍ୟମାନଙ୍କୁ କେବଳ ଚାଉଳ, ତେଲ ଆଦି ରାସନ୍ ପ୍ରଦାନ କରାଯାଇଛି। ଯାହାକି ସେମାନଙ୍କ ପାଇଁ ସମୁଦ୍ରକୁ ଶଙ୍ଖେ ଭଳି। ହକି ଓ ଫୁଟ୍ବଲ୍ ଭଳି ଖେଳର ଗ୍ରାଉଣ୍ଡସ୍ମ୍ୟାନ୍ ଓ ରେଫରିମାନେ ମଧ୍ୟ ସମାନ ସ୍ଥିତିରେ ରହିଛନ୍ତି। ତାମିଲନାଡୁ କ୍ରିକେଟ୍ ସଂଘ ଏବଂ ତାମିଲନାଡୁ ଟେନିସ୍ ସଂଘର ପଡିଆ କର୍ମଚାରୀ କିନ୍ତୁ ମାସିକ ଦରମା ପାଉଥିବାରୁ ଟିକିଏ ଉନ୍ନତ ସ୍ଥିତିରେ ରହିଛନ୍ତି। ଚେନ୍ନାଇ ହକି ସଂଘର ସଭାପତି ବାସୁଦେବନ ଭାସ୍କରନ୍ କହିଛନ୍ତି ‘ଆମ ଏ ଅସୁବିଧା କଥା ବୁଝୁଛୁ, କିନ୍ତୁ ସେମାନଙ୍କ ସହ ଯୋଗାଯୋଗ କରିବା ସମ୍ଭବ ହେଉନାହିଁ। ଲକ୍ଡାଉନ୍ ଉଠିବା ପରେ ସମସ୍ତଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବ’। ସମସ୍ତ ଖେଳକୁ ନଜରକୁ ପକାଇଲେ ସରକାରୀ ଚାକିରି ସହିତ ଯେଉଁମାନେ ରେଫରି, ଗ୍ରାଉଣ୍ଡସ୍ମ୍ୟାନ୍, ଅମ୍ପାୟାରିଂ ଆଦି କାରମ କରିଥାନ୍ତି ସେମାନଙ୍କ ଅବସ୍ଥାରେ ବିଶେଷ ପ୍ରଭାବ ପଡିନାହିଁ। କିନ୍ତୁ ଏସବୁ ବୃତ୍ତିରେ ପ୍ରାୟ ଅଧା ଲୋକ ସମ୍ପୂର୍ଣ୍ଣ ନିର୍ଭରଶୀଳ ଥିବାରୁ ଏବେ ସେମାନଙ୍କ ଭବିଷ୍ୟତ ଅନ୍ଧକାରମୟ ହୋଇପଡିଛି। ଦେଶରେ ଥିବା ବହୁ ହକି, କ୍ରିକେଟ୍ ଓ ଅନ୍ୟ ବହୁମୁଖୀ ଷ୍ଟାଡିୟମ୍ରେ କାର୍ଯ୍ୟରତ ଚୁକ୍ତି ଭିତ୍ତିକ ଓ ଠିକା କର୍ମଚାରୀମାନେ ମଧ୍ୟ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ହେଲେ ସେମାନଙ୍କ କଥା ବୁଝିବାକୁ କେହି ନାହିଁ।