କରୋନା ଭୟ! ଶ୍ରୀଲଙ୍କା ଖେଳାଳିଙ୍କ ସହ ହାତ ମିଳାଇବେନି ଇଂଲଣ୍ଡ ଖେଳାଳି

କଲମ୍ବୋ: ମାରାତ୍ମକ କରୋନା ଭୂତାଣୁକୁ ନେଇ ସାରା ବିଶ୍ବରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି। ଏଥିଲାଗି କେତେକ କ୍ରୀଡ଼ା ପ୍ରତିଯୋଗିତା ସ୍ଥଗିତ ହୋଇ ସାରିଥିଲା ବେଳେ ଆଉ କେତେକ ବାତିଲ ହେବା ପଥରେ ରହିଛି। ସଂକ୍ରମଣ ରୋକିବା ଲାଗି ଆୟୋଜକ ଏଭଳି ପଦକ୍ଷେପ ନେଉଛନ୍ତି। ଶ୍ରୀଲଙ୍କା ଗସ୍ତରେ ଥିବା ଇଂଲଣ୍ଡ କ୍ରିକେଟ୍ ଦଳ ମଧ୍ୟ କରୋନା ସଂକ୍ରମଣ ଭୟରେ ପ୍ରତିପକ୍ଷ ଖେଳାଳି କିମ୍ବା ଅଧିକାରୀଙ୍କ ସହ ହାତ ନମିଳାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ପୂର୍ବରୁ ଇଂଲଣ୍ଡ କ୍ରିକେଟ୍ ଦଳ ଦକ୍ଷିଣ ଆଫ୍ରିକା ଗସ୍ତ କଲା ବେଳେ ଦଳର ଏକାଧିକ ଖେଳାଳିଙ୍କୁ ଥଣ୍ଡା ଜ୍ବର ହୋଇଥିଲା। ଶ୍ରୀଲଙ୍କାରେ ଯେମିତି ଏମିତି ପରିସ୍ଥିତି ସୃଷ୍ଟି ନହୁଏ, ସେଥିଲାଗି ଆଗୁଆ ପଦକ୍ଷେପ ନେଇଛି ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ୍ ବୋର୍ଡ। ଏଥିନେଇ ଅଧିନାୟକ ଜୋ ରୁଟ୍ କହିଛନ୍ତି ଯେ ଦକ୍ଷିଣ ଆଫ୍ରିକା ଗସ୍ତରେ ଆମ ଦଳର ଏକାଧିକ ଖେଳାଳିଙ୍କ ଦେହ ଖରାପ ‌ହୋଇ ଯାଇଥିଲା। ଏଣୁ ଆମେ ଏବେ ଲୋକଙ୍କ ସହ ଯେଭଳି କମ୍‌ ସଂସ୍ପର୍ଶରେ ଆସିବୁ, ତାହା ଉପରେ ବି‌ଶେଷ ଧ୍ୟାନ ଦେଉଛୁ। ଆମେ ନିୟମିତ ହାତ ଧୋଉଛୁ। ମେଡିକେଟେଡ୍ ଟିସୁ ପେପରରେ ମୁହଁ ପୋଛୁଛୁ। ଶ୍ରୀଲଙ୍କା ଗସ୍ତ ପୂର୍ବ ନିର୍ଧାରିତ ଯୋଜନାରେ ଚାଲିବ ବୋଲି ଆଶା କରୁଛି। ହେଲେ ଆମେ ବୋର୍ଡ ଅଧିକାରୀଙ୍କ ସହ ନିୟମିତ ସଂପର୍କରେ ରହିଛୁ। ଚଳିତ ଶ୍ରୀଲଙ୍କା ଗସ୍ତରେ ଇଂଲଣ୍ଡ ଦୁଇଟି ଟେଷ୍ଟ ଖେଳିବାର ଅଛି। ଏହା ପୂର୍ବରୁ ଦଳ ଦୁଇଟି ଅଭ୍ୟାସ ମ୍ୟାଚ୍ ଖେଳିବ। ପ୍ରଥମ ଅଭ୍ୟାସ ମ୍ୟାଚ୍ ଶନିବାରଠାରୁ ଆରମ୍ଭ ହେବ।

ସମ୍ବନ୍ଧିତ ଖବର