ଖାଁ ଖାଁ ଖେଳ ପଡ଼ିଆ, ପ୍ରଭାବିତ ହେବ ଗ୍ରୀଷ୍ମକାଳୀନ ଶିବିର

ଅଲିମ୍ପିକ୍ସ ମାସେ ଘୁଞ୍ଚିଲେ ଅସୁବିଧା ନାହିଁ: ଅମିୟ

ଭୁବନେଶ୍ବର: ମାରାତ୍ମକ କରୋନା ଭୂତାଣୁ ଧୀରେ ଧୀରେ ତା’ର କାୟା ବିସ୍ତାର କରିବା ସହ କ୍ରୀଡ଼ା ଜଗତରେ ଦେଖାଦେଇଥିବା ଅଦିନିଆ ସୁନାମିର ପ୍ରଭାବରେ ଗୋଟିଏ ପରେ ଗୋଟିଏ ପ୍ରତିଯୋଗିତା ବା‌ତିଲ ହୋଇ ଚାଲିଛି। ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟଠାରୁ ଆରମ୍ଭ କରି ଆଇପିଏଲ୍, ଏଟିପି ଟେନିସ୍‌ଠାରୁ ଆରମ୍ଭ କରି ଫର୍ମୁଲାୱାନ୍ କାର୍ ରେସିଂ ପର୍ଯ୍ୟନ୍ତ, ‌ଅଗଣିତ ଛୋଟ ବଡ଼ କ୍ରୀଡ଼ା ପ୍ରତିଯୋଗିତାକୁ ଏଥିଲାଗି ସ୍ଥଗିତ ରଖାଯାଇଛି କିମ୍ବା ବାତିଲ କରି ଦିଆଯାଇଛି। ଓଡ଼ିଶା କ୍ରୀଡ଼ା ମଧ୍ୟ ଏହି ଭୟାବହ ଭୂତାଣୁ ନେଇ ସୃଷ୍ଟି ହୋଇଥିବା ଅଚଳାବସ୍ଥାରୁ ବର୍ତ୍ତି ପାରିନି। କରୋନା ପାଇଁ ରାଜ୍ୟରେ ହେବାକୁ ଥିବା ଭାରତ-କାତାର ଫିଫା ବିଶ୍ବକପ୍ ଯୋଗ୍ୟତା ପର୍ଯ୍ୟାୟ ଭଳି ବଡ଼ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତାକୁ ସ୍ଥଗିତ ରଖାଯାଇଛି।

ସେହିଭଳି ରାଜ୍ୟ ଉପକନିଷ୍ଠ କରାଟେ, ରାଜ୍ୟ ବାହୁକୁସ୍ତି ପ୍ରତିଯୋଗିତା, ଫେ‌ଡେରେସନ୍ କପ୍ ଟେନିସ୍ କ୍ରିକେଟ୍ ପ୍ରତିଯୋଗିତା, ଭୁବନେଶ୍ବରରେ ହେବାକୁ ଥିବା ଜାତୀୟ ପାରାବ୍ୟାଡମିଣ୍ଟନ୍ ପ୍ରତିଯୋଗିତା, କଳାହାଣ୍ଡି କପ୍ କ୍ରିକେଟ୍ ପ୍ରତି‌ଯୋଗିତା ଓ ଟାଟା ଉତ୍କଳିକା ଫୁଟ୍‌ବଲ୍ ପ୍ରତିଯୋଗିତାକୁ ସ୍ଥଗିତ କରି ଦିଆଯାଇଛି। ଜାତୀୟସ୍ତରରେ ଫେଡେରେସନ୍ କପ୍ କନିଷ୍ଠ ଦୌଡ଼କୁଦ, ଇଣ୍ଡିଆନ୍ ଓପନ୍ ବ୍ୟା‌ଡ୍‌ମିଣ୍ଟନ୍, ସନ୍ତୋଷ ଟ୍ରଫି ଫାଇନାଲ୍ ପର୍ଯ୍ୟାୟକୁ ବାତିଲ କରାଯାଇଥିଲା ବେଳେ ଅନ୍ତର୍ଜାତୀୟସ୍ତରରେ ବହୁ ଟେନିସ୍ ପ୍ରତିଯୋଗିତା ସହ ଅଷ୍ଟ୍ରେଲିଆନ୍ ଓପନ୍ ଫର୍ମୁଲାୱାନ୍ ଗ୍ରାଁ ପ୍ରିକୁ ବନ୍ଦ କରି ଦିଆଯାଇଛି। ଐତିହାସିକ ବାରବାଟୀ ଷ୍ଟାଡିୟମ୍ ସହ କଳିଙ୍ଗ ଷ୍ଟାଡିୟମରେ ଅଭ୍ୟାସ କରୁଥିବା ଖେଳାଳିଙ୍କ ସଂଖ୍ୟା ପୂର୍ବାପେକ୍ଷା କମିଛି। ସେହିଭଳି ବିଭିନ୍ନ ଜିଲ୍ଲାରେ ଥିବା ମିନି ଷ୍ଟାଡିୟମ୍‌ ଓ ଅନ୍ୟାନ୍ୟ ଖେଳ ପଡ଼ିଆରେ ପୂର୍ବରୁ ଯେତିକି ଖେଳାଳି ଖେଳିବାକୁ ଆସୁଥିଲେ, ତାହା ଯଥେଷ୍ଟ ସଂଖ୍ୟାରେ କମି ଯାଇଛି। ହକି ଇଣ୍ଡିଆ ସମସ୍ତ ପ୍ରକାର ଘରୋଇ ହକି ପ୍ରତିଯୋଗିତା ଓ ପ୍ରଶିକ୍ଷଣ ଶିବିରକୁ ସ୍ଥଗିତ ରଖିବା ପରେ କଳିଙ୍ଗ ଷ୍ଟାଡିୟମ୍ ହକି କଂପ୍ଲେକ୍ସ ଖାଲି ପଡ଼ିଛି। ପାଖରେ ଥିବା ଅଭ୍ୟାସ ଟର୍ଫରେ ଅବଶ୍ୟ ନାଭାଲ ଟାଟା ହକି ଏକାଡେମିର ଅନ୍ତେବାସୀମାନେ ପୂର୍ବଭଳି ଅଭ୍ୟାସ କରୁଛନ୍ତି। ଏକାଡେମି ପାଇଁ ବାହାର ରାଜ୍ୟରୁ ଆସିଥିବା ହାତଗଣତି ଖେଳାଳି ବି ଟ୍ରାଏଲ ଦେଉଥିବା ଦେଖିବାକୁ ମିଳିଛି। ତେବେ ସାମଗ୍ରିକ ଭାବେ ସବୁବେଳେ ଚଳଚଞ୍ଚଳ ରହୁଥିବା କଳିଙ୍ଗ ଷ୍ଟାଡିୟମ୍ ଯେମିତି ଟିକିଏ ଥମି ଯାଇଛି। ବାରବାଟୀ ଅବସ୍ଥା ମଧ୍ୟ ଠିକ୍ ସେହିଭଳି ରହିଛି।

କରୋନାକୁ ନେଇ ସୃଷ୍ଟି ହୋଇଥିବା ଭୟ ଓ ସଂଶୟ ପାଇଁ ଅବିଭାବକମାନେ ନିଜ ପିଲାମାନଙ୍କୁ ଖେଳିବାକୁ ଛାଡ଼ୁ ନାହାନ୍ତି। ପିଲାଙ୍କୁ ଘରେ ରଖିବାକୁ ସେମାନେ ଅଧିକ ସୁରକ୍ଷିତ ମଣୁଛନ୍ତି। ସେଥିପାଇଁ ଖେଳ ପଡ଼ିଆ ଏବେ ଖାଁ ଖାଁ ଲାଗୁଛି। ଅଲିମ୍ପିକ୍ସ ଭଳି ବଡ଼ ପ୍ରତିଯୋଗିତା ଲାଗି ଯୋଗ୍ୟତା ଅର୍ଜନ କରିବାକୁ ଲକ୍ଷ୍ୟ ରଖିଥିବା ରାଜ୍ୟର ଦୁଇ ସଫଳ କ୍ରୀଡ଼ା ତାରକା ଅମିୟ ମଲ୍ଲିକ ଓ ଦୂତି ଚାନ୍ଦଙ୍କ ଭଳି ଖେଳାଳି ସେମାନଙ୍କ ଅଭ୍ୟାସ ଜାରି ରଖିଛନ୍ତି। ତେବେ ନିଜେ ସତର୍କତା ଅବଲମ୍ବନ କରିବା ସହ ଅନ୍ୟମାନଙ୍କୁ ମଧ୍ୟ ପ୍ରତି‌ଷେଧକ ବ୍ୟବସ୍ଥା ଗ୍ରହଣ କରି ବାହାରକୁ ବାହାରିବା ଲାଗି ଆହ୍ବାନ କରିଛନ୍ତି। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା କିନ୍ତୁ ଅବିଭାବକଙ୍କ ମନରେ ଭୟ ସୃଷ୍ଟି କରିଛି। ‘‘ମୋ ପୁଅ ଜୀବନଜ୍ୟୋ‌ତି ରଣସିଂହ ଟାଉନ୍ କ୍ଲବ୍‌ ପଡ଼ିଆକୁ ନିୟମିତ କ୍ରିକେଟ୍ ଅଭ୍ୟାସ କରିବାକୁ ଯାଏ। ହେଲେ ଗତ ତିନି ଚାରି ଦିନ ହେବ ମୁଁ ତାକୁ ଆଉ ଛାଡ଼ୁନି। କରୋନା ପାଇଁ ଡର ଲାଗୁଛି। କିଛି ଦିନ ପରେ ସ୍ଥିତି ସୁଧୁରିଲା ପରେ ଯାଇ ସେ ପୁଣି ଥରେ ଅଭ୍ୟାସ ଆରମ୍ଭ କରିବ’’ ବୋଲି ପର୍ଶୁରାମ ରଣସିଂହ ନାମକ ଜଣେ ଅବିଭାବକ କହିଛନ୍ତି। କ୍ରିକେଟ୍ ପ୍ରଶିକ୍ଷକ ମନୋଜ ମହାପାତ୍ର ମଧ୍ୟ ସମସ୍ତ ପିଲାଙ୍କୁ ଆବଶ୍ୟକ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବାକୁ ଆହ୍ବାନ କରିଛନ୍ତି। ସେ କହିଛନ୍ତି, ପିଲାଙ୍କ ଉପରେ କରେନା ଭୂତାଣୁର ପ୍ରଭାବ ସେତେଟା ନାହିଁ। ତଥାପି ଆମକୁ ସତର୍କ ରହିବାକୁ ହେବ। ସରକାର ଜାରି କରିଥିବା ନିୟମାବଳୀକୁ ମାନିବାକୁ ମୁଁ ସମସ୍ତଙ୍କୁ ଆହ୍ବାନ କରୁଛି। ସରକାରୀ ନିର୍ଦେଶ ଅନୁସାରେ ଆମେ ସୋମବାରଠାରୁ ଟାଉନ୍ କ୍ଲବ୍ ପଡ଼ିଆରେ ଦେଉଥିବା କ୍ରିକେଟ୍ ପ୍ରଶିକ୍ଷଣକୁ ବନ୍ଦ ରଖିଛୁ। ଭୁବନେଶ୍ବରର ଅନ୍ୟ କେତେକ କ୍ରିକେଟ୍ କ୍ଲବ୍ ମଧ୍ୟ ପ୍ରଶିକ୍ଷଣ ଦେବା ସାମୟିକ ସମୟ ପାଇଁ ବନ୍ଦ ରଖିଛନ୍ତି। ଯାହା ଏକ ଭଲ କଥା।

ପ୍ରଭାବିତ ହେବ ଗ୍ରୀଷ୍ମକାଳୀନ ଶିବିର
ପରୀକ୍ଷା ଋତୁ ଶେଷ ହେବା ପରେ ଏପ୍ରିଲ ଶେଷ ଭାଗ ଓ ମେ’ ପ୍ରାରମ୍ଭରେ ବିଭିନ୍ନ ଖେଳର ଗ୍ରୀଷ୍ମକାଳୀନ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଥାଏ। କେବଳ ରାଜଧାନୀ ଭୁବନେଶ୍ବରରେ ୧୦ରୁ ଅଧିକ ସ୍ଥାନରେ କ୍ରିକେଟ୍ ଓ ଅନ୍ୟାନ୍ୟ ଖେଳର ଏଭଳି ଶିବିର ଆୟୋଜିତ ହୁଏ। ଚଳିତବର୍ଷ କିନ୍ତୁ ଏହା ଉପରେ କରୋନାର ପ୍ରଭାବ ପଡ଼ିବା ଏକପ୍ରକାର ନିଶ୍ଚିତ। କରୋନା ପାଇଁ ଭୁବନେଶ୍ବର ଓ ରାଜ୍ୟର ଅନ୍ୟସ୍ଥାନଗୁଡ଼ିକରେ ଆୟୋଜିତ ‌ହେଉଥିବା ଗ୍ରାଷ୍ମକାଳୀନ କ୍ରୀଡ଼ା ଶିବିର ଏଥର ଆୟୋଜିତ ହୋଇ ନପାରେ। ଏଥିରେ ଗତ ଏକ ଦଶନ୍ଧିରୁ ଅଧିକ ସମୟ ହେବ ଏଭଳି ଶିବିର ଆୟୋଜନ କରି ଆସୁଥିବା ମନୋଜ ମହାପାତ୍ର କହିଛନ୍ତି ଯେ ଗତବର୍ଷ ଏପ୍ରିଲ ୧୭ ତାରିଖରୁ ଟାଇନ୍ କ୍ଲବ୍ ପଡ଼ିଆରେ ଆମେ ଗ୍ରୀଷ୍ମକାଳୀନ କ୍ରିକେଟ୍ ଶିବିର ଆୟୋଜନ କରିଥିଲୁ। ଏଥିରେ କ୍ରିକେଟ୍ ବିଶେଷଜ୍ଞମାନେ ପିଲାମାନଙ୍କୁ ଦୁଇ ସପ୍ତାହ ଧରି ପ୍ରଶିକ୍ଷଣ ଦେଉଥିଲେ। ଏବର୍ଷ କିନ୍ତୁ ଏହାକୁ ଆୟୋଜନ କରିବା ନିଷ୍ପତ୍ତି ଏବେସୁଦ୍ଧା ନେଇ ନାହୁଁ। ସବୁକିଛି କରୋନା ଉପରେ ନିର୍ଭର କରିବ। ସ୍ଥିତି ସଂପୂର୍ଣ୍ଣ ସୁଧୁରି‌ଲେ ହିଁ ଆମେ ଶିବିର ଆୟୋଜନ କଥା ଚିନ୍ତା କରିବୁ।

ସମ୍ବନ୍ଧିତ ଖବର