ଭୁବନେଶ୍ବର : କଳିଙ୍ଗ ଷ୍ଟାଡିୟମଠାରେ ଚାଲିଥିବା କନିଷ୍ଠ ହକି ବିଶ୍ବକପ୍ ଉପରେ କରୋନା ମହାମାରୀର କଳାବାଦଲ ଦେଖାଦେଇଛି । ଶୁକ୍ରବାରଦିନ ଷ୍ଟାଡିୟମରୁ ଜଣେ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହେବା ପରେ ବିଶ୍ବକପକୁ ନେଇ ଚିନ୍ତା ବଢିଯାଇଛି । ତେବେ ଆଶ୍ବସ୍ତିର କଥା ହେଉଛି ଖେଳାଳିମାନଙ୍କ ମଧ୍ୟରୁ କେହି ସଂକ୍ରମିତ ହୋଇନାହାନ୍ତି । ଟିମଗୁଡ଼ିକୁ ହୋଟେଲ ଓ ଷ୍ଟାଡିୟମରେ ବାୟୋ ବବଲ ମଧ୍ୟରେ ରଖାଯାଇଛି ।
ମିଳିଥିବା ସୂଚନା ଅନୁସାରେ, ଷ୍ଟାଡିୟମର ମିଡିଆ ସେଣ୍ଟରରେ ଜଣେ ସୋସିଆଲ ମିଡିଆ କର୍ମଚାରୀ କରୋନା ପଜିଟିଭ ବାହାରିଛନ୍ତି । ବିଶ୍ବକପ ରିପୋର୍ଟିଂ କରୁଥିବା ଗଣମାଧ୍ୟମ କର୍ମଚାରୀଙ୍କୁ ପ୍ରତି ୪୮ ଘଣ୍ଟାରେ ଆରଟିପିସିଆର ପରୀକ୍ଷା କରିବାର ବ୍ୟବସ୍ଥା ରହିଥିବାବେଳେ ଜଣେ ବ୍ୟକ୍ତି ପଜିଟିଭ ବାହାରିବା ଆୟୋଜକଙ୍କୁ ଚିନ୍ତାରେ ପକାଇଦେଇଛି । ସଂକ୍ରମିତ ବ୍ୟକ୍ତି ମିଡିଆ ସେଣ୍ଟରରେ କେଉଁ କେଉଁ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସୁଥିଲେ ତାହାର ଯାଞ୍ଚ କରାଯାଉଛି ।
ଗତ ନଭେମ୍ବର ୨୫ରୁ ଆରମ୍ଭ ହୋଇଥିବା କନିଷ୍ଠ ହକି ବିଶ୍ବକପର ପ୍ରଥମ ସପ୍ତାହ ବେଶ ନିର୍ବିଘ୍ନରେ କଟିଯାଇଥିଲା । କରୋନା ମହାମାରୀ ଦୃଷ୍ଟିରୁ ଏହି ବିଶ୍ବକପ ବିନା ଦର୍ଶକରେ କରାଯାଉଛି । କିନ୍ତୁ ଗଣମାଧ୍ୟମ କର୍ମୀଙ୍କୁ ଭିତରକୁ ଛଡ଼ାଯାଉଛି । କିନ୍ତୁ ଏବେ ସଂକ୍ରମଣ ବାହାରିବା ପରେ ଆୟୋଜକଙ୍କ ଚିନ୍ତା ବଢିଯାଇଛି ।