ଓଡ଼ିଶା କ୍ରୀଡ଼ାରେ କଳଙ୍କ: ବଜାରରୁ ପଦକ କିଣି ବିଜେତା

ଭୁବନେଶ୍ୱର: ଓଡ଼ିଶା କ୍ରୀଡ଼ାରେ କଳଙ୍କ ବୋଳି ହୋଇ ଯାଇଛି। ଯାହା କେବେ ଶୁଣା ଯାଇନଥିଲା ତାହା ଘଟିଛି। ପ୍ରତିଯୋଗିତାକୁ ଆଦୌ ନଯାଇ ପଦକ ଜିତିବାର ବାହାସ୍ଫୋଟ ମାରିବା ଭଳି ନିନ୍ଦନୀୟ ଘଟଣା ଏବେ ପଦାକୁ ଆସିଛି। ଯାହା ରାଜ୍ୟ କ୍ରୀଡ଼ା ମହଲରେ ଆଲୋଡ଼ନ ସୃଷ୍ଟି କରିଛି। ଏହି କଳା କାରନାମା ଜଣେ କିକ୍‌ ବକ୍ସିଂ ପ୍ରଶିକ୍ଷକ ଏବଂ ଚାରି ଜଣ ଖେଳାଳି କରିଛନ୍ତି। ଜାତୀୟ ସ୍ତରରେ ଏହି ଘଟଣାକୁ ନେଇ ଚର୍ଚା ଆରମ୍ଭ ହୋଇ ଯାଇଥିଲା ବେଳେ ଏଥିପାଇଁ ସାରା ରାଜ୍ୟକୁ ଏବେ ଲଜ୍ଜିତ ହେବାକୁ ପଡ଼ୁଛି। ବିସ୍ମୟକର ବିଷୟ ଯେ ପ୍ରଶିକ୍ଷକ ଜଣକ ନିଜେ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ସପ୍ତମ ସ୍ଥାନରେ ରହିଥିଲେ। ହେଲେ ବିଶ୍ୱ ପ୍ରତିଯୋଗିତା ଲାଗି ଭୁବନେଶ୍ୱରରୁ ହଙ୍ଗେରି ବାଟରେ ଯିବା ବେଳେ ଦିଲ୍ଲୀରେ ଛାଡ଼ି ଯାଇଥିବା ଚାରିି ଜଣ ଚେଲାଙ୍କ ଭିତରୁ ୩ ଜଣ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ବୋଲି ଘୋଷଣା କରି ଗଣମାଧ୍ୟମକୁ ଭୁଆଁ ଭୁଲେଇ ଦେଇଥିଲେ। ସ୍ଥାନୀୟ କିଛି ଗଣମାଧ୍ୟମ ସଂପୃକ୍ତ ପ୍ରଶିକ୍ଷକ ଏବଂ ସେ ସଭାପତି ଥିବା ସଂଘର କଥାକୁ ବିଶ୍ୱାସ କରି ଖବରକୁ ଛାପି ବି ଦେଇଥିଲେ। ବଡ଼ କଥା ହେଲା ପ୍ରଶିକ୍ଷକ ଜଣକ କେବଳ ଗଣମାଧ୍ୟମ ଏବଂ ଓଡ଼ିଶା କ୍ରୀଡ଼ା ପ୍ରେମୀଙ୍କୁ ଚକ୍‌ମା ଦେଖାଇ ନଥିଲେ। ଜଣେ କେନ୍ଦ୍ରମନ୍ତ୍ରୀଙ୍କୁ ମଧ୍ୟ ନିଜ ମିଛ ଜାଲରେ ଫସାଇ ଦେଇଥିଲେ। କେନ୍ଦ୍ରମନ୍ତ୍ରୀ ତାଙ୍କ ସଂଘକୁ ବିଶ୍ୱାସ କରି ବଜାରରୁ ପଦକ କିଣି ନେଇଥିବା ଏହି କ୍ରୀଡ଼ାବିତ୍‌ ଏବଂ ତଥାକଥିତ ପ୍ରଶିକ୍ଷକଙ୍କୁ ସମ୍ବର୍ଧନା ଓ ସାବାସୀ ଦେଇ ସାରିଛନ୍ତି। ଓଡ଼ିଶା କ୍ରୀଡ଼ା ଇତିହାସରେ ପ୍ରଥମ ଥର ପାଇଁ ଏଭଳି ଘଟଣା ଘଟିଛି। ଯାହା ସହଜରେ ବିଶ୍ୱାସ କରି ହେଉନି। ହେଲେ ସଂପୃକ୍ତ ପ୍ରଶିକ୍ଷକ ଏବଂ ତଥାକଥିତ ଖେଳାଳିଙ୍କ ବିରୋଧରେ ସବୁ ପ୍ରମାଣ ‘ସମ୍ବାଦ’ର ହସ୍ତଗତ ହୋଇଛି। ଅନୁଗୁଳରେ ଏକ କ୍ରୀଡ଼ା ସଂସ୍ଥାର ମୁଖ୍ୟାଳୟ କରି ଏଭଳି କାଣ୍ଡ କାରଖାନାରେ ସଂପୃକ୍ତ ଥିବା ପ୍ରଶିକ୍ଷକ ଏବଂ ସଂଘର ବିଶ୍ୱସନୀୟତା ନେଇ ଏବେ ପ୍ରଶ୍ନ ଉଠିଛି। ତାଙ୍କ ଭାଇ ଏବଂ କିଛି ନିକଟତମ ଲୋକ ମଧ୍ୟ ଏଥିରେ ଜଡ଼ିତ ଥିବା ଅଭିଯୋଗ ହୋଇଛି।

କିକ୍‌ ବକ୍ସିଂର ଜଣାଶୁଣା ପ୍ରଶିକ୍ଷକ କାର୍ତିକ ଡାକୁଆ ଏବଂ ଚାରି ଜଣ ଖେଳାଳି ବୀରେନ୍‌ ଦାସ, ସତ୍ୟପ୍ରିୟ ପାତ୍ର, ଜିତେନ୍ଦ୍ର ରାଉତ ଓ ପାର୍ଥ ସାରଥୀ ଦାସଙ୍କ ବିରୋଧରେ ଏହି ସଂଗୀନ ଅଭିଯୋଗ ଆସିଛି। ଚଳିତ ମାସ ୩ରୁ ୧୨ ତାରିଖ ପର୍ଯ୍ୟନ୍ତ ହଙ୍ଗେରିର ବୁଦାପେଷ୍ଟଠାରେ ଆୟୋଜିତ ହୋଇଥିଲା ଓ୍ଵାକୋ ବିଶ୍ୱ କିକ୍‌ ବକ୍ସିଂ ପ୍ରତିଯୋଗିତା। ଏହି ପ୍ରତିଯୋଗିତା ଲାଗି ଓଡ଼ିଶାର ୫ ଜଣ କାର୍ତିକ ଡାକୁଆ, ବୀରେନ୍‌ ଦାସ, ସତ୍ୟପ୍ରିୟ ପାତ୍ର, ଜିତେନ୍ଦ୍ର ରାଉତ ଓ ପାର୍ଥ ସାରଥୀ ଦାସ ଭାରତୀୟ ଦଳରେ ସ୍ଥାନ ପାଇଥିଲେ। ପ୍ରତିଯୋଗିତା ଲାଗି ଯାତ୍ରା କରିବା ପୂର୍ବରୁ ଏହି ଖେଳାଳିମାନେ ଭୁବନେଶ୍ୱର ମହାନଗର ନିଗମର ମେୟର ତଥା ସ୍ପୋର୍ଟସ କିକ୍‌ ବକ୍ସିଂ ଭୁବନେଶ୍ୱରର ସଭାପତି ଅନନ୍ତ ନାରାୟଣ ଜେନା ଓ ସାଂସଦ ପ୍ରସନ୍ନ ପଟ୍ଟଶାଣୀଙ୍କଠାରୁ ଶୁଭେଚ୍ଛା ନେବାକୁ ଭୁଲି ନଥିଲେ। ପିଲାଙ୍କ ସହ ପ୍ରଶିକ୍ଷକ ତଥା ସଂପ୍ରତି ଓଡ଼ିଶାରେ କିକ୍‌ ବକ୍ସିଂ ପରିଚାଳନାର ଏକମାତ୍ର ସଂସ୍ଥା ବୋଲି ଦାବି କରୁଥିବା ଆମେଚର କିକ୍‌ ବକ୍ସିଂ ସଂଘ ଓଡ଼ିଶା ବା ଓ୍ଵାକୋ ଓଡ଼ିଶାର ସଭାପତି ଥିବା କାର୍ତିକ ଡାକୁଆ ବି ୪୮ ଜଣିଆ ଭାରତୀୟ ଦଳରେ ସ୍ଥାନ ପାଇଥିବାର ଦାବି କରିଥିଲେ। ହେଲେ ଦିଲ୍ଲୀ ପହଞ୍ଚିବା ପରେ ହିଁ ଅସଲ ଖେଳ ଆରମ୍ଭ ହୋଇ ଯାଇଥିଲା। ଦିଲ୍ଲୀରେ ଡାକୁଆଙ୍କୁ ଛାଡ଼ି ବୈଷୟିକ ତ୍ରୁଟି ପାଇଁ ଆଶ୍ଚର୍ଯ୍ୟଜନକ ଭାବେ ବୀରେନ୍‌, ସତ୍ୟପ୍ରିୟ, ଜିତେନ୍ଦ୍ର ଏବଂ ପାର୍ଥ ସାରଥୀଙ୍କ ଭିସା ବାତିଲ ହୋଇ ଯାଇଥିଲା। ୩ରୁ ୧୦ ତାରିଖ ପର୍ଯ୍ୟନ୍ତ ଏହି ଖେଳାଳିମାନେ ଦିଲ୍ଲୀରେ ରହିଥିଲେ। ଏଥିରେ ହତୋତ୍ସାହିତ ହୋଇ ସରକାରୀ ଚାକିରି କରୁଥିବା ପାର୍ଥ ୯ ତାରିଖରେ ଘରକୁ ଫେରି ଆସିଥିଲେ। ହେଲେ ଅନ୍ୟ ତିନି ଜଣ ସେଠାରେ ଡେରା ପକାଇଥିଲେ। ଡାକୁଆ ସ୍ୱଦେଶ ଫେରିବା ଦିନ ହିଁ ଓ୍ଵାକୋ ଓଡ଼ିଶା ୭୫ କିଲୋଗ୍ରାମ ସଫ୍ଟ ଷ୍ଟାଇଲରେ ବୀରେନ, ୯୪ କିଲୋଗ୍ରାମ ହାର୍ଡଷ୍ଟାଇଲରେ ସତ୍ୟପ୍ରିୟ ଓ ଜିତେନ୍ଦ୍ର ୮୯ କିଲୋଗ୍ରାମ ପଏଣ୍ଟ ଲାଇଟ୍‌ କଣ୍ଟାକ୍ଟରେ ସ୍ୱର୍ଣ୍ଣ ଜିତିଥିଲେ ବୋଲି ପ୍ରେସ୍‌ ବିଜ୍ଞପ୍ତି ଜରିଆରେ ଦାବି କରିଥିଲେ। ଏଥିରେ ପିଲାମାନେ ଧର୍ମେନ୍ଦ୍ରଙ୍କ ସହ ଉଠାଇଥିବା ଫଟୋ ମଧ୍ୟ ଦିଆ ଯାଇଥିଲା। ଯାହା ପରେ ବିଶ୍ୱ ପ୍ରତିଯୋଗିତାର େଓ୍ଵବସାଇଟରୁ ମିଛ ବୋଲି ଧରା ପଡ଼ିଥିଲା।

ସୂଚନାଯୋଗ୍ୟ ଯେ ଡାକୁଆ କିଛି ଦିନ ତଳେ ରୁଷିଆରେ ଆୟୋଜିତ ଡାଇମଣ୍ଡ କିକ୍‌ ବକ୍ସିଂ ପ୍ରତିଯୋଗିତାକୁ ଓଡ଼ିଶାରୁ ପିଲା ନେଇ ଯାଇଥିଲେ। ସେଠି ମଧ୍ୟ ରାଜ୍ୟ ପ୍ରତିଯୋଗୀମାନେ ୫ ପଦକ ଜିତିଥିଲେ। ଏପରିକି ଏହି ପ୍ରଦର୍ଶନ ଆଧାରରେ କିଛି ପିଲା କର୍ମସଂସ୍ଥାନ ମଧ୍ୟ ପାଇଥିଲେ। ହଙ୍ଗେରି ପଦକ କେଳେଙ୍କାରି ପଦାକୁ ଆସିବା ପରେ ରୁଷିଆରେ ମଧ୍ୟ କିଛି ଗଡ଼ବଡ଼ ହୋଇଥିବାର ଆଶଙ୍କା କରାଯାଉଛି। ତେବେ ରୁଷିଆରେ ୯୪ କିଲୋଗ୍ରାମରୁ ଅଧିକ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଥିବା ଶେଖର ସୁମନ ଦାସ ଏହାକୁ ଅସ୍ୱୀକାର କରିଛନ୍ତି। ଆମେ ରୁଷିଆରେ ଲଢ଼ିକି ପଦକ ଜିିତିଥିଲୁ। ହଙ୍ଗେରିରେ କେମିତି ଏମିତି ହେଲା ମୁଁ ବୁଝି ପାରୁନି। ପଦକ ନ ଜିତି ସିଧା ସୁନା ଜିତିବାର ଦାବି କରିବା କିନ୍ତୁ ଲଜ୍ଜାକର କଥା। ଏବେ ଆମକୁ କେହି ବିଶ୍ୱାସ କରିବେନି। ଏଥିନେଇ ଡାକୁଆଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ୍‌ ଇଠାଇ ନଥିଲେ। ତେବେ ଶନିବାର ଦେଇଥିବା ଏକ ସାକ୍ଷାତକାର ଅବସରରେ ଏହି ମାମଲାରେ ତାଙ୍କର କିଛି ଦୋଷ ନାହିଁ ବୋଲି ସେ କହିଥିଲେ। ଧର୍ମେନ୍ଦ୍ରଙ୍କ ସହ ତାଙ୍କର ଫଟୋ ଥିଲେ ମଧ୍ୟ ପିଲାମାନେ ସବୁ କରିଥିଲେ ବୋଲି ସେ ମତ ଦେଇଥିଲେ। ସେହିଭଳି ତାଙ୍କ ଭାଇ କୃଷ୍ଣ ଡାକୁଆ (ଓ୍ଵାକୋ ଓଡ଼ିଶାର ସକ୍ରୀୟ ସଦସ୍ୟ)ଙ୍କୁ ଯୋଗା ଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ୍‌ ଉଠାଇ ମୁଁ ମେଡିକାଲ କାମରେ ଅଛି। ଅଧ ଘଣ୍ଟା ପରେ ଆପଣଙ୍କୁ କଲ୍‌ ବ୍ୟାକ୍‌ କରିବି ବୋଲି କହିଥିଲେ। ହେଲେ ପରେ ଆଉ କଲ୍‌ କରି ନଥିଲେ କି ଆମ ଫୋନକୁ ଆଉ ଉଠାଇ ନଥିଲେ।

ହଙ୍ଗେରିରେ ୭, ଓଡ଼ିଶାରେ ୧

ସେପଟେ ଡାକୁଆ ୧୪ ତାରିଖରେ ଭୁବନେଶ୍ୱର ପହଞ୍ଚି ସଂଧ୍ୟା ୫ଟାରେ ଏକ ସାମ୍ବଦିକ ସମ୍ମିଳନୀ ଡାକିବାର ଯୋଜନା କରିଥିଲେ। ହେଲେ ପୂର୍ବଦିନ ଏହି ପ୍ରତିଯୋଗିତାରେ ଭାରତ ଗୋଟିଏ ହେଲେ ବି ପଦକ ଜିତି ନଥିବାର ପ୍ରମାଣ ‘ସମ୍ବାଦ’ର ହସ୍ତଗତ ହୋଇ ସାରିଥିଲା। ଏଣୁ ଓ୍ଵାକୋ ଓଡ଼ିଶାର ଦାବିରେ ସନ୍ଦେହ ପ୍ରକଟ କରି ଏହି ଖବରକୁ ଛପିବାରୁ ରୋକି ଦିଆ ଯାଇଥିଲା। ଏପରିକି ସେହିଦିନ ଡାକୁଆଙ୍କ ସହ କଥା ହେବା ଲାଗି ବାରମ୍ବାର ତାଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଫୋନ୍‌ ସୁଇଚ୍‌ ଅଫ୍‌ ଆସିଥିଲା। ବୁଦାପେଷ୍ଟ ବିଶ୍ୱ କିକ୍‌ ବକ୍ସିଂର ଅଫିସିଆଲ୍‌ େଓ୍ଵବ୍‌ସାଇଟ୍‌ର ପଞ୍ଜିକରଣ ତାଲିକାରୁ ମଧ୍ୟ ଓଡ଼ିଶାରୁ କେବଳ ଡାକୁଆ ହଙ୍ଗେରି ଯାଇଥିଲେ ବୋଲି ସ୍ପଷ୍ଟ ହୋଇ ଯାଇଥିଲା। ବିଭିନ୍ନ ବର୍ଗରେ ଅନ୍ୟ ଭାରତୀୟ ଖେଳାଳିଙ୍କ ନାଁ ଥିଲେ ମଧ୍ୟ କୌଣସି ବର୍ଗରେ ତାଙ୍କ ଛଡ଼ା ଓଡ଼ିଶାର ଅନ୍ୟ କୌଣସି ଖେଳାଳିଙ୍କ ନାଁ ନଥିଲା। ଡାକୁଆ ୬୫ କିଲୋଗ୍ରାମ ପୁରୁଷ ମ୍ୟୁଜିକାଲ ବେୟାର ହ୍ୟାଣ୍ଡରେ ସପ୍ତମ ସ୍ଥାନରେ ରହିଥିଲେ। ଯାହା ପ୍ରତିଯୋଗିତାର େଓ୍ଵବସାଇଟରୁ ସ୍ପଷ୍ଟ ହୁଏ। ସେହିଭଳି ଧର୍ମେନ୍ଦ୍ରଙ୍କୁ ସାକ୍ଷାତକଲା ବେଳେ ପିଲାମାନେ ଧରିଥିବା ପଦକ ବୁଦାପେଷ୍ଟ ବିଶ୍ୱ କିକ୍‌ ବକ୍ସିଂରେ ପ୍ରଦାନ କରାଯାଇଥିବା ପଦକ ସହ କୌଣସି ସାମଞ୍ଜସ୍ୟ ନଥିଲା। ଫଟୋସପ୍‌ ନାମକ ଏକ ସଫ୍ଟଓୟାର ସହାୟତାରେ ବୁଦାପେଷ୍ଟର ପଦକ ଷ୍ଟାଣ୍ଡ ଏବଂ ପିଲାଙ୍କ ହାତରେ ପଦକକୁ ଧରାଇ ଦିଆ ଯାଇଥିଲା। ଯାହା ଫଳରେ ଏଭଳି କାରବାର ପୂର୍ବରୁ ମଧ୍ୟ ହେଉଥିବାର ଆଶଙ୍କା ଜାଗ୍ରତ ହୋଇଛି।

ଷଡ଼ଯନ୍ତ୍ରର ଶିକାର ହୋଇଛୁ: ସତ୍ୟପ୍ରିୟ

ବିବାଦ ଘନେଇବା ପରେ ହଙ୍ଗେରି ଯିବାକୁ ଥିବା ଓଡ଼ିଶାର ଅନ୍ୟତମ ସଦସ୍ୟ ଜିତେନ୍ଦ୍ର କହିଛନ୍ତି ଯେ ଡାକୁଆ ସାର୍‌ ୧୩ ତାରିଖରେ ଭାରତ ଫେରି ଜାତୀୟ ସଂଘ ମାଧ୍ୟମରେ ଦିଲ୍ଲୀରେ ପଦକ ଓ ଟ୍ରଫି ଯୋଗାଡ଼ କରିଥିଲେ। ଆମକୁ ଧରି ତାଙ୍କ ଭାଇଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଖକୁ ନେଇ ଗର୍ବରେ ଫଟୋ ଉଠାଇଥିଲେ। ଏହି ଫଟୋକୁ ଅନୁଗୁଳରେ ଥିବା ଆମେଚର କିକ୍‌ ବକ୍ସିଂ ସଂଘ ମାଧ୍ୟମରେ ସାରା ରାଜ୍ୟର ଗଣମାଧ୍ୟମକୁ ପଠାଇଥିଲେ। ସଂଘ ନିଜ ଫେସବୁକ୍‌ ପୃଷ୍ଠାରେ କେବଳ ଧର୍ମେନ୍ଦ୍ରଙ୍କ ସହ ଫଟୋ ଛାଡ଼ି ନଥିଲା। ବୁଦାପେଷ୍ଟରେ ପଦକ ସହ ପିଲାମାନେ ଜାତୀୟ ପତାକା ଧରିବାର ଫଟୋ ମଧ୍ୟ ପୋଷ୍ଟ କରିଥିଲା। ଏଥିନେଇ ସତ୍ୟପ୍ରିୟ କହିଛନ୍ତି ଯେ ମୋତେ ବି ଧର୍ମେନ୍ଦ୍ରଙ୍କ ପାଖକୁ ଯିବାକୁ କୁହା ଯାଇଥିଲା। ହେଲେ ମୁଁ ଯାଇ ନଥିଲି। ଅନ୍ୟ ତିନି ଜଣ ଡାକୁଆ ସାରଙ୍କ ସହ ମନ୍ତ୍ରୀଙ୍କୁ ଭେଟିଥିଲେ। ମୋ ଫଟୋ ପରେ ଯୋଡ଼ି ଦିଆ ଯାଇଥିଲା। ଆମର ସେଠାରେ ପୂରା ବ୍ରେନ୍‌ଓ୍ଵାସ୍‌ କରା ଯାଇଥିଲା। ସତ କହିବାକୁ ଗଲେ ଆମେ ଷଡ଼ଯନ୍ତ୍ରର ଶିକାର ହୋଇଛୁ।

ସମ୍ବନ୍ଧିତ ଖବର