ଏକାଠି ବ୍ୟାଟିଂ କଲେ ଦମ୍ପତି

ସେଣ୍ଟଲୁସିଆ: ୱେଷ୍ଟଇଣ୍ଡିଜ୍‌ରେ ଚାଲିଥିବା ମହିଳା କ୍ରିକେଟ୍ ବିଶ୍ବକପ୍ ଅବସରରେ ବୁଧବାର ଏକ ନିଆରା କୀର୍ତ୍ତିମାନ ହୋଇଥିଲା। ଦକ୍ଷିଣ ଆଫ୍ରିକା କ୍ରିକେଟ୍ ଦଳର ସମଲିଙ୍ଗୀ ଯୋଡ଼ି ଡାନେ ଭାନ୍ ନିକେର୍କ ଓ ମାରିଜାନେ କାପ୍ ଏକାଠି ବ୍ୟାଟିଂ କରିଥିଲେ। ଏପରି କରିବାରେ ସେମାନେ ବିଶ୍ବର ପ୍ରଥମ ବୈବାହିକ ସମଲିଙ୍ଗୀ କ୍ରିକେଟ୍ ଦମ୍ପତ୍ତି ହୋଇଥିଲେ। ଏହି ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା‌ ୭ ୱିକେଟ୍‌ରେ ଶ୍ରୀଲଙ୍କାକୁ ପରାସ୍ତ କରିବା ମଧ୍ୟ ଉଭୟଙ୍କ କୀର୍ତ୍ତିମାନକୁ ଆହୁରି ସ୍ମରଣୀୟ କରି ଦେଇଥିଲା। ଡାନେ ଏହି ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାର ନେତୃତ୍ବ ନେଉଥିଲେ। ପତି-ପତ୍ନୀ ମିଳିତ ଭାବେ କେବଳ ଦକ୍ଷିଣ ଆଫ୍ରିକାକୁ ସଙ୍କଟରୁ ଉଦ୍ଧାର କରି ନଥିଲେ, ମହତ୍ବପୂର୍ଣ୍ଣ ବିଜୟ ମଧ୍ୟ ଉପହାର ଦେଇଥିଲେ। ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ନିର୍ଧାରିତ ୨୦ ଓଭରରେ ୮ ୱିକେଟ୍ ହରାଇ ୯୯ ରନ୍ କରିଥିଲା। ଦକ୍ଷିଣ ଆଫ୍ରିକା ମାତ୍ର ୬ ରନ୍‌ରେ ଦୁଇଟି ୱିକେଟ୍ ହରାଇବା ପରେ ଡା‌ନେ ଓ ମାରିଜାନେ ତୃତୀୟ ୱିକେଟରେ ୬୭ ରନ୍ ଯୋଡ଼ି ଶ୍ରୀଲଙ୍କା ହାତରୁ ମ୍ୟାଚ୍ ଛଡ଼ାଇ ନେଇଥିଲେ। ସୂଚନାଯୋଗ୍ୟ ଯେ ଢେର କିଛି ବର୍ଷ ପ୍ରେମ କରିବା ପରେ ଉଭୟ ଚଳିତ ବର୍ଷ ଜୁଲାଇ ମାସରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। କ୍ରିକେଟର ପ୍ରଥମ ଯୋଡ଼ି ଭାବେ ଏମାନେ ଏବେ ଗୋଟିଏ ଦଳରୁ ଏକାଠି ଖେଳୁଛନ୍ତି। କୌଣସି ଆଇସିସି ପ୍ରତିଯୋଗିତାରେ ଖେଳିବାରେ ଏମାନେ ମଧ୍ୟ ବିଶ୍ବର ପ୍ରଥମ କ୍ରିକେଟ୍ ଦମ୍ପତ୍ତି ହୋଇଛନ୍ତି। ଡାନେ ଦକ୍ଷିଣ ଆଫ୍ରିକା ତରଫରୁ ୭୧ ଏବଂ ମାରିଜାନେ ୬୮ ଟ୍ବେଣ୍ଟି-୨୦ ଖେଳିଛନ୍ତି।

ସମ୍ବନ୍ଧିତ ଖବର