ଆଜି ଯୁଗଳ ଲଢ଼େଇ: ସିଏସ୍‌କେ-କେକେଆର୍‌, ଆର୍‌ସିବି-ଏମ୍‌ଆଇ

ଆବୁଧାବି/ଦୁବାଇ: ରୋମାଞ୍ଚକର ରବିବାରରେ ଆଜି ‘ଆଇପିଏଲ୍-୨୦୨୧’ ଦ୍ବିତୀୟ ଚରଣର ଦ୍ବିତୀୟ ଡବଲ ହେଡର୍‌ ଦେଖିବାକୁ ମିଳିବ। ଆବୁଧାବିରେ ଖେଳାଯିବାକୁ ଥିବା ଅପରାହ୍ନ ମ୍ୟାଚ୍‌ରେ ଚର୍ଚ୍ଚିତ ଚେନ୍ନାଇ ସୁପରକିଙ୍ଗ୍ସ (ସିଏସ୍‌କେ)କୁ ଆତ୍ମବିଶ୍ବାସଭରା କୋଲକାତା ନାଇଟ୍ ରାଇଡର୍ସ (କେକେଆର୍‌) ଭେଟିବ। ସେହିଭଳି ରାତି ମ୍ୟାଚ୍‌ରେ ପ୍ରଥମ ଟ୍ରଫି ସନ୍ଧାନରେ ଥିବା ବିରାଟ କୋହଲିଙ୍କ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଏବଂ ରୋହିତ ଶର୍ମାଙ୍କ ତାରକା ଖଚିତ ମୁମ୍ବାଇ ଇଣ୍ଡିଆନ୍ସ ମୁହାଁମୁହିଁ ହେବେ। ଉଭୟ ମ୍ୟାଚ୍ ବେଶ୍ ଉତ୍କଣ୍ଠାଭରା ଏବଂ ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି। ଏହା ପୂର୍ବରୁ ଦ୍ବିତୀୟ ପର୍ଯ୍ୟାୟର ପ୍ରଥମ ଯୁଗଳ ମୁକାବିଲାରେ ଶନିବାର ଦିଲ୍ଲୀ କ୍ୟାପିଟାଲ୍ସକୁ ରାଜସ୍ଥାନ ରୟାଲ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦକୁ ପଞ୍ଜାବ କିଙ୍ଗ୍ସ ଭେଟିଥିଲା।

‘ଆଇପିଏଲ୍‌-୨୦୨୧’ର ୩୮ତମ ମ୍ୟାଚ୍‌ରେ ରବିବାର ପରସ୍ପରର ମୁକାବିଲା କଲା ବେଳେ ଚେନ୍ନାଇ ସୁପରକିଙ୍ଗ୍ସ (ସିଏସ୍‌କେ) ଏବଂ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍‌) ବିଜୟଧାରାକୁ ଜାରି ରଖିବା ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବେ। ଉଭୟ ଦଳ ନିଜ ନିଜର ପ୍ରଥମ ଦୁଇ ମ୍ୟାଚ୍‌‌ରେ ବିଜୟୀ ହୋଇଛନ୍ତି। ଏଣୁ ସିଏସ୍‌କେ ତାର ଅଭିଜ୍ଞ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ବଳିଷ୍ଠ ନେତୃତ୍ବରେ ହ୍ୟାଟ୍ରିକ୍ ବିଜୟ ହାସଲ କରିବା ଲକ୍ଷ୍ୟରେ ରହିବ। ସେହିଭଳି ଦ୍ବିତୀୟ ପର୍ଯ୍ୟାୟରେ ନୂଆ ଆତ୍ମବିଶ୍ବାସ ଏବଂ ନୂତନ ରଣନୀତି ନେଇ ପଡ଼ିଆକୁ ଓହ୍ଲାଇଥିବା କେକେଆର୍‌ ମଧ୍ୟ ଆଉ ଏକ ମନୋବଳବୃଦ୍ଧିକାରୀ ବିଜୟ ହାସଲ କରି ପ୍ଲେ ଅଫ୍‌ର ଅନ୍ୟତମ ଦାବିଦାର ହେବାକୁ ଚେଷ୍ଟା କରିବ। କେକେଆର୍‌ ପାଇଁ ସ୍ପିନର ବରୁଣ ଚକ୍ରବର୍ତ୍ତୀ ଟ୍ରମ୍ପକାର୍ଡ ସାବ୍ୟସ୍ତ ହୋଇପାରନ୍ତି। କାରଣ ସେ ସବୁବେଳେ ସିଏସ୍‌କେ ବ୍ୟାଟର୍‌ଙ୍କୁ ଅଡ଼ୁଆରେ ପକାଇ ଆସିଛନ୍ତି। ଅତିରିକ୍ତ ଉଚ୍ଛାଳ ଏବଂ ଅପ୍ରତ୍ୟାଶିତ କୋଣରୁ ବୋଲିଂ କରି ସିଏସ୍‌କେର ଯୁବ ଓପନର ଋୁତରାଜ ଗାଏକ୍ବାଡ୍, ଫାଫ୍ ଡୁ’ପ୍ଲେସିସ୍, ଅମ୍ବାତି ରାୟୁଡୁ, ସୁରେଶ ରାଇନା ଏବଂ ସ୍ବୟଂ ଧୋନିଙ୍କୁ ପରୀକ୍ଷାରେ ପକାଇବାର ଦକ୍ଷତା ରଖନ୍ତି ସେ।

ସିଏସ୍‌କେ ତାର ପ୍ରଥମ ଦୁଇ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ୨୦ ଏବଂ ଆର୍‌ସିବିକୁ ୭ ୱିକେଟ୍‌ରେ ପରାସ୍ତ କରିଥିଲା। ଅନ୍ୟପକ୍ଷରେ କେକେଆର୍‌ ୯ ଓ ୭ ୱିକେଟ୍‌ରେ ଯଥାକ୍ରମେ ଆର୍‌ସିବି ଏବଂ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଥିଲା। ପଏଣ୍ଟ ତାଲିକାରେ କିନ୍ତୁ ସିଏସ୍‌କେ ୯ ମ୍ୟାଚ୍‌ରୁ ୧୪ ପଏଣ୍ଟ ପାଇ କେକେଆର୍‌ଠାରୁ ଯଥେଷ୍ଟ ଆଗରେ ରହିଛି। କେକେଆର୍‌ ୮ ପଏଣ୍ଟ ପାଇ ଚତୁର୍ଥ ସ୍ଥାନ (ଦିଲ୍ଲୀ-ରାଜସ୍ଥାନ ମ୍ୟାଚ୍ ପୂର୍ବରୁ)ରେ ଅଛି। ସିଏସ୍‌କେର ବ୍ୟାଟିଂ ସହ ବୋଲିଂ ବାହିନୀ ମଧ୍ୟ ଚମତ୍କାର ପ୍ରଦର୍ଶନ କରିଛି। ସିଏସ୍‌କେ ବି ଉଭୟ ବର୍ଗରେ ବହୁତ ଭଲ କରିଛି। ଦୁଇ ଦଳର ଅଧିନାୟକ ଧୋନି ଓ ଇଅନ ମୋର୍ଗାନ କିନ୍ତୁ ଏପର୍ଯ୍ୟନ୍ତ ଆଶାଜନକ ପ୍ରଦର୍ଶନ କରିପାରି ନାହାନ୍ତି। ଏଣୁ ରବିବାର ଫର୍ମକୁ ଫେରିବା‌ ଆଶାରେ ରହିବେ। ସିଏସ୍‌କେ ଓ କେକେଆର୍‌ ପରସ୍ପର ମଧ୍ୟରେ ୨୪ ମ୍ୟାଚ୍ ଖେଳିଛନ୍ତି। ସେଥିମଧ୍ୟରୁ ସିଏସ୍‌କେ ୧୫ ମ୍ୟାଚ୍ ଜିତିଥିଲା ବେଳେ କେକେଆର୍‌ ମାତ୍ର ୮ ମ୍ୟାଚ୍‌ରେ ବିଜୟୀ ହୋଇଛି। ଗୋଟିଏ ମ୍ୟାଚ୍‌ର ଫଳାଫଳ ମିଳିନି।

ସମ୍ଭାବ୍ୟ ସିଏସ୍‌କେ ଏକାଦଶ: ଋତୁରାଜ ଗାଏକ୍ବାଡ୍, ଫାଫ୍ ଡୁ’ପ୍ଲେସିସ୍, ମୋଇନ ଅଲ୍ଲୀ, ଅମ୍ବାତି ରାୟୁଡୁ, ସୁରେଶ ରାଇନା, ଏମଏସ୍ ଧୋନି (ଅଧିନାୟକ), ରବୀନ୍ଦ୍ର ଜାଦେଜା, ଡ୍ବେନ୍ ବ୍ରାଭୋ, ଶାର୍ଦୁଳ ଠାକୁର, ଦୀପକ ଚହର, ଜୋସ୍ ହାଜେଲଉଡ୍।

ସମ୍ଭାବ୍ୟ କେକେଆର୍‌ ଏକାଦଶ: ଶୁବମନ ଗିଲ୍, ଭେଙ୍କଟେଶ ଆୟର, ରାହୁଲ ତ୍ରିପାଠୀ, ନୀତୀଶ ରାଣା, ଇଏନ ମୋର୍ଗାନ (ଅଧିନାୟକ), ଦୀନେଶ କାର୍ତ୍ତିକ, ଆନ୍ଦ୍ରେ ରସେଲ, ସୁନିଲ ନାରାୟଣ, ଲୋକି ଫର୍ଗୁସନ୍, ବରୁଣ ଚକ୍ରବର୍ତ୍ତୀ, ପ୍ରସିଦ୍ଧ କ୍ରିଷ୍ଣା।

କୋହଲିଙ୍କ ପାଇଁ ରୋହିତ ପରୀକ୍ଷା

ରବିବାରର ଦ୍ବିତୀୟ ଆଇପିଏଲ୍ ମୁକାବିଲାରେ ଦୁଇ ଶକ୍ତିଶାଳୀ ଦଳ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ଏବଂ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ମୁହାଁମୁହିଁ ହେବେ। ଉଭୟ ଦଳ ଦ୍ବିତୀୟ ଚରଣରେ ନିଜ ନିଜର ପ୍ରଥମ ବିଜୟ ଲକ୍ଷ୍ୟରେ ରହିବେ। କାରଣ ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସ ସହ ବିରାଟ କୋହଲିଙ୍କ ଆର୍‌ସିବି ନିଜ ନିଜର ପ୍ରଥମ ଦୁଇ ମ୍ୟାଚ୍‌ରେ ପରାଜିତ ହୋଇଛନ୍ତି। ଆର୍‌ସିବିକୁ କେକେଆର୍‌ ଓ ସିଏସ୍‌କେ ପରାସ୍ତ କରିଛନ୍ତି। ଅନ୍ୟପକ୍ଷରେ ମୁମ୍ବାଇ ଇଣ୍ଡିଆନ୍ସ ପୁରୁଣା ପ୍ରତିଦ୍ବନ୍ଦ୍ବୀ ସିଏସ୍‌କେ ଓ କେକେଆର୍‌ଠାରୁ ହାରିଛି। ପ୍ରଥମ ଚରଣରେ ଅପେକ୍ଷାକୃତ ଭଲ କରିଥିବା‌ ଉଭୟ ଦଳ ଦ୍ବିତୀୟ ଚରଣ ପ୍ରାରମ୍ଭରେ ସଂଘର୍ଷ କରିବା ପ୍ରଶଂସକଙ୍କୁ ବି ନିରାଶ କରିଛି। ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍‌ରେ ଖେଳାଯିବାକୁ ଥିବା‌ ଏହି ମ୍ୟାଚ୍‌କୁ କିନ୍ତୁ ସମସ୍ତେ ଅପେକ୍ଷା କରି ରହିଛନ୍ତି। ଉଭୟ ଦଳ ନିଜ ନିଜର ବ୍ୟାଟିଂ ବାହିନୀକୁ ସଜାଡ଼ିବା ଲକ୍ଷ୍ୟରେ ରହିଛନ୍ତି।

ପୂର୍ବପ୍ରଦର୍ଶନକୁ ଦେଖିଲେ ଆର୍‌ସିବିଠାରୁ ମୁମ୍ବାଇ ଇଣ୍ଡିଆନ୍ସ ଢେର ଆଗରେ ରହିଛି। ଉଭୟ ଦଳ ପରସ୍ପର ବିପକ୍ଷରେ ୨୮ ମ୍ୟାଚ୍ ଖେଳିଛନ୍ତି। ସେଥିମଧ୍ୟରୁ ମୁମ୍ବାଇ ୧୭ ଏବଂ ଆର୍‌ସିବି ମାତ୍ର ୧୧ ମ୍ୟାଚ୍‌ରେ ବିଜୟୀ ହୋଇଛି। ଗତ ୭ ମୁକାବିଲା ଭିତରୁ ମୁମ୍ବାଇ ୪ଟିରେ ବିଜୟୀ ହୋଇଛି। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଏବି ଡି’ଭିଲିୟର୍ସ ଆର୍‌ସିବି ପାଇଁ ସର୍ବାଧିକ ରନ୍ (୭୭୪ ରନ୍, ୨୪ ମ୍ୟାଚ୍, ୨୪୭.୭୦ ଷ୍ଟ୍ରାଇକ୍ ରେଟ୍) କରିଛନ୍ତି। ବୋଲିଂରେ ଯୁଜବେନ୍ଦ୍ର ଚହଲ (୧୯ ୱିକେଟ୍, ୪/୩୮ ଶ୍ରେଷ୍ଠ ବୋଲିଂ ଚିତ୍ର) ସର୍ବାଧିକ ୱିକେଟ୍ କରାୟତ୍ତ କରିଛନ୍ତି। ଆର୍‌ସିବି ବିପକ୍ଷରେ ମୁମ୍ବାଇ ପାଇଁ ଅଧିନାୟକ ରୋହିତ ଶର୍ମା ୧୩୬.୩୮ ଷ୍ଟ୍ରାଇକ୍ ରେଟ୍‌ରେ ସର୍ବାଧିକ ୭୧୬ ରନ୍ କରିଛନ୍ତି। ଯଶପ୍ରୀତ ବୁମ୍‌ରା ସର୍ବାଧିକ ୨୧ ୱିକେଟ୍ ଅକ୍ତିଆର କରିଛନ୍ତି। ଆର୍‌ସିବି ବିପକ୍ଷରେ ତାଙ୍କ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ହେଉଛି ୩/୧୪)।

ସମ୍ଭାବ୍ୟ ମୁମ୍ବାଇ ଇଣ୍ଡିଆନ୍ସ ଏକାଦଶ: କ୍ବିଣ୍ଟନ୍ ଡି’ କକ୍, ରୋହିତ ଶର୍ମା (ଅଧିନାୟକ), ସୂର୍ଯ୍ୟକୁମାର ଯାଦବ, ଈଶାନ କିଶନ, ସୌରଭ ତିୱାରୀ, କିରଣ ପୋଲାର୍ଡ, କ୍ରୁନାଲ ପାଣ୍ଡ୍ୟା, ଆଦାମ ମିଲ୍‌ନେ, ରାହୁଲ ଚହର, ଯଶପ୍ରୀତ ବୁମ୍‌ରା, ଟ୍ରେଣ୍ଟ ବୋଲ୍ଟ।

ସମ୍ଭାବ୍ୟ ଆର୍‌ସିବି ଏକାଦଶ: ବିରାଟ କୋହଲି (ଅଧିନାୟକ), ଦେବଦତ୍ତ ପଡ଼ିକଲ, ଶ୍ରୀକର ଭରତ, ଗ୍ଲେନ୍ ମ୍ୟାକ୍ସୱେଲ୍, ଏବି ଡି’ଭିଲିୟର୍ସ, ଟିମ୍ ଡେଭିଡ୍, ୱାନିନ୍ଦୁ ହସରଙ୍ଗା, ହର୍ଷଲ ପଟେଲ, ମହମ୍ମଦ ସିରାଜ, ନଭଦୀପ ସୈନି, ୟୁଜବେନ୍ଦ୍ର ଚହଲ।

ସମ୍ବନ୍ଧିତ ଖବର