ସମ୍ବଲପୁର: ରବିବାର ଡା. ଝସକେତନ ସାହୁ ସନ୍ତରଣାଗାରରେ ଦେଖିବାକୁ ମିଳିଥିଲା ଏକ ଭିନ୍ନ ଦୃଶ୍ୟ। ପୁରୁଷ, ମହିଳା, ପୁଅ, ଝିଅ, ପ୍ରୌଢ଼, ପ୍ରୌଢ଼ା ସବୁ ବର୍ଗର ଲୋକେ ପାଣି ଉପରେ ଭାସୁଥିଲେ ନିଶ୍ଚଳ ହୋଇ। କିଏ ଅଧ ଘଣ୍ଟା ତ କିଏ ଘଣ୍ଟାଏ। ଆଉ କିଏ ପୁଣି ଦୁଇ ଘଣ୍ଟାରୁ ଅଧିକ। କିଏ ଶବାସନରେ ତ କିଏ ସୁପ୍ତ ପଦ୍ମାସନରେ। ଚାଲିଥିଲା ପାଣି ଉପରେ ଭାସି ରହିବାର ପ୍ରତିଯୋଗିତା। ଅବସର ଥିଲା ଜଗଦୀଶ ଦୁବେ ସ୍ମାରକୀ ଦ୍ୱିତୀୟ ରାଜ୍ୟସ୍ତରୀୟ ଜଳ ଯୋଗାସନ ପ୍ରତିଯୋଗିତା। ଓଡ଼ିଶା ମାଷ୍ଟର୍ସ ସୁଇମର୍ସ କ୍ଲବ ଆୟୋଜିତ ଏହି ପ୍ରତିଯୋଗିତାରେ ୬୪ ବର୍ଷୀୟା ମହିଳା କସ୍ତୁରୀ ବାଗ ୨ ଘଣ୍ଟା ୨୧ ମିନିଟ୍ ୪୫ ସେକେଣ୍ଡ ପାଣିରେ ଭାସି ରହି ଅନ୍ୟ ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ଦେଇଥିଲେ। ସେ ମହିଳା ବର୍ଗର ବିଜୟିନୀ ହୋଇଥିଲେ। ତାଙ୍କ ସ୍ୱାମୀ ସୁରେଶ ବେହେରା (୬୫) ୨ ଘଣ୍ଟା ୨୧ ମିନିଟ୍ ୨୦ ସେକେଣ୍ଡ ପାଣିରେ ଭାସି ରହି ପୁରୁଷ ବର୍ଗରେ ପ୍ରଥମ ହୋଇଥିଲେ। ପୁରୁଷ ବର୍ଗରେ ରାଜେଶ କୁମାର ମୋଦି (୨ ଘଣ୍ଟା ୧୮ ମିନିଟ୍) ଏବଂ ଅଂଶୁମାନ ପାଢ଼ୀ (୧ ଘଣ୍ଟା ୩୩ ମିନିଟ୍) ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଥିଲେ। କନିଷ୍ଠ ବାଳକରେ ଦିବ୍ୟଜ୍ୟୋତି ଧର (୧ ଘଣ୍ଟା ୨୫ ମିନିଟ୍) ବିଜେତା ହୋଇଥିଲେ। ଉପକନିଷ୍ଠ ବାଳକରେ ପ୍ରକ୍ରିତ ପ୍ରୀତ (୧ ଘଣ୍ଟା ୧ ମିନିଟ୍) ପ୍ରଥମ, ପୀୟୁଷ ଠାକୁର ଦ୍ୱିତୀୟ ଏବଂ ରୂପଭ ଲାମା ତୃତୀୟ ସ୍ଥାନ ଅଧିକାର କରିଥିଲେ। ଉପକନିଷ୍ଠ ବାଳିକାରେ ବନ୍ଦନା ବଂଶଲ ପ୍ରଥମ, ଅନୁପ୍ରିୟା ପଣ୍ଡା ଦ୍ୱିତୀୟ ଏବଂ ମହୀକା ମହାକୁର ତୃତୀୟ ସ୍ଥାନ ଲାଭ କରିଥିଲେ। ଓଡ଼ିଶା ମାଷ୍ଟର୍ସ କ୍ଲବ୍ର କାର୍ଯ୍ୟକାରୀ ସଭାପତି ପ୍ରଦୀପ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଜିଲ୍ଲା ଜଜ୍ ଗୋପରଂଜନ ଦୁବେ ଏବଂ ପ୍ରଫେସର ସୁରୁବାବୁ ମେହେର ଅତିଥିଭାବେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡ. ସନ୍ତୋଷ ଦାଶ, ଆର୍ତତ୍ରାଣ ମାଝି, ପ୍ରେମରଂଜନ ପ୍ରଧାନ, ବିଜୟ କୁମାର ଦିକ୍ଷିତ, ଦିଲାଓ୍ଵର ହୋସେନ୍, ସୁନ୍ଦରମଣି ବାରିକ, ଜୟକୃଷ୍ଣ ପଟେଲ, ଲକ୍ଷ୍ମୀଚନ୍ଦ୍ର ମହାକୁର, ଅନିଲ ବେରିହା, ରଂକନିଧି ସେଠ ପ୍ରମୁଖ ଆୟୋଜନରେ ସହଯୋଗ କରିଥିଲେ। ବିପଦ ସମୟରେ ପାଣିରେ ଭାସି ରହିବାର ଜୀବନ ରକ୍ଷାକାରୀ କୌଶଳକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଗତ ବର୍ଷଠାରୁ ସମ୍ବଲପୁରରେ ଏହି ଜଳ ଯୋଗାସନ ପ୍ରତିଯୋଗିତା ଆରମ୍ଭ ହୋଇଛି। ଏହା ସାରା ଦେଶରେ ପ୍ରଥମ ଓ ଏକମାତ୍ର ଏହି ଭଳି ପ୍ରତିଯୋଗିତା। ଚଳିତ ବର୍ଷ ଏହି ପ୍ରତିଯୋଗିତାରେ ମୋଟ ୨୧ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ।
ବାଜି ମାରିଲେ ଦମ୍ପତି
ଜଗଦୀଶ ଦୁବେ ରାଜ୍ୟସ୍ତରୀୟ ଜଳ ଯୋଗାସନ ପ୍ରତିଯୋଗିତା
/sambad/media/post_attachments/wp-content/uploads/2017/11/jal-jogasan-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)