ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକାରେ ପ୍ରଥମେ ଟିହ୍ନଟ ହୋଇଥିବା କରୋନାର ନୂଆ ପ୍ରଜାତି ଓମିକ୍ରନକୁ ନେଇ ସମଗ୍ର ବିଶ୍ବରେ ଆତଙ୍କ ଦେଖାଦେଇଛି । ଏହାର ପ୍ରଭାବ ଭାରତୀୟ କ୍ରିକେଟ ଦଳର ଦକ୍ଷିଣ ଆଫ୍ରିକା ଗସ୍ତ ଉପରେ ବି ପଡ଼ିବାର ଆଶଙ୍କା ଦେଖାଦେଇଛି । ଏହି ଗସ୍ତ ପୂର୍ବରୁ ବିସିସିଆଇ ଭାରତ ସରକାରଙ୍କ ଅନୁମତି ନେବା ଆବଶ୍ୟକ ବୋଲି ଆଜି କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି । କେବଳ ବିସିସିଆଇ ନୁହେଁ ଅନ୍ୟ କ୍ରୀଡ଼ା ସଂଗଠନଗୁଡ଼ିକ ବି ବିଦେଶ ଗସ୍ତ ପୂର୍ବରୁ ସରକାରଙ୍କ ଅନୁମତି ନେବା ଆବଶ୍ୟକ ବୋଲି ସେ କହିଛନ୍ତି ।

Advertisment

ଭାରତୀୟ କ୍ରିକେଟ ଦଳ ଡିସେମ୍ବର ୧୭ରୁ ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବ । ଏହି ଗସ୍ତକାଳରେ ଭାରତ ୩ଟି ଟେଷ୍ଟ, ୩ଟି ଏକଦିବସୀୟ ଓ ୪ଟି ଟି୨୦ ଖେଳିବ ।

ସୂଚନାଯୋଗ୍ୟ ଯେ, ସମଗ୍ର ବିଶ୍ବରେ କରୋନାର ନୂଆ ପ୍ରଜାତି ଓମିକ୍ରନକୁ ନେଇ ଆତଙ୍କ ଖେଳିଯାଇଛି । ଏହାକୁ ଦୃଷ୍ଟିରେ ରଖି ବିଶ୍ବର ଅଧିକାଂଶ ଦେଶ ଦକ୍ଷିଣ ଆଫ୍ରିକାକୁ ନିଜର ଫ୍ଲାଇଟ୍ ବାତିଲ କରିଦେଇଛନ୍ତି । ଭାରତ ସରକାର ମଧ୍ୟ ସତର୍କତା ବଢାଇଦେଇଛନ୍ତି । ଏ ନେଇ ସତର୍କ ରହିବାକୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ରାଜ୍ୟ ସରକାରମାନଙ୍କୁ ପରାମର୍ଶ ଦିଆଯାଇଛି ।