କୋଭିଡ୍‌ ନିୟମ ଉଲ୍ଲଂଘନ କରି ଆର୍ଚର୍‌ ବାଦ୍‌

ମା‌ଞ୍ଚେଷ୍ଟର୍‌: ଇଂଲଣ୍ଡର ପ୍ରମୁଖ‌ ପେସ୍‌ ବୋଲିଂ ଅସ୍ତ୍ର ଜୋଫ୍ରା ଆର୍ଚର ଗୁରୁବାରଠାରୁ ଆରମ୍ଭ ହୋଇଥିବା ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ବିତୀୟ ଟେଷ୍ଟ୍‌ରୁ ଶେଷ ମୁହୂର୍ତରେ ବାଦ୍ ପଡ଼ିଛନ୍ତି। ବୁଧବାର ଘୋଷିତ ୧୩ ଜଣିଆ ଦଳରେ ସ୍ଥାନ ପାଇଥିଲେ ମଧ୍ୟ‌ ଜୈବ ସୁରକ୍ଷିତ କୋଭିଡ୍‌-୧୯ ନିୟମ ଉଲ୍ଲଂଘନ କାରଣରୁ ଦୁର୍ଭାଗ୍ୟଜନକ ଭାବେ ତାଙ୍କୁ ବାଦ୍ ଦିଆଯାଇଛି। ପ୍ରଥମ ଟେଷ୍ଟ୍‌ ପରେ ରୋଜ୍‌ବାଉଲ୍‌ରୁ ମା‌‌‌ଞ୍ଚେଷ୍ଟର୍‌ ଯିବା ବାଟରେ ଆର୍ଚର ନିଜ ବ୍ରିଟେନ୍‌ ବାସଭବନରେ ପ୍ରାୟ ଘଣ୍ଟାଏ ଅଟକିଯାଇଥିଲେ।

ଏହା ଦ୍ବାରା ଦଳ ପାଇଁ ଧାର୍ଯ୍ୟ ଜୈବ ସୁରକ୍ଷିତ ବିଧିକୁ ସେ ଉଲ୍ଲଂଘନ କରିଥିଲେ। ଇସିବି ତ୍ରୁଟି ଦର୍ଶାଇନଥିଲେ ମଧ୍ୟ ଆର୍ଚର ନିଜ ଭୁଲ ପାଇଁ କ୍ଷମା ମାଗି ନେଇଛନ୍ତି। ‘ଏବେ ଆର୍ଚର ୫ ଦିନିଆ ସଂଗରୋଧରେ ରହିବେ ଏବଂ ଏହି ସମୟ ମଧ୍ୟରେ ୨ ଥର କୋଭିଡ୍-୧୯ ପରୀକ୍ଷାର ସମ୍ମୁଖୀନ ହେବେ। ‌ପରୀକ୍ଷା ରିପୋର୍ଟ ନେଗେଟିଭ୍ ଆସିଲେ ହିଁ ସେ ଦଳ ସହ ଯୋଗ ଦେଇପାରିବେ’ ବୋଲି ଇସିବିର ଏକ ପ୍ରେସ୍ ବିଜ୍ଞପ୍ତିରେ ଦର୍ଶାଯାଇଛି। ‘ମୁଁ ଯାହା କିଛି କରିଛି ସେଥିପାଇଁ ଦୁଃଖିତ, ମୁଁ କେବଳ ମୋତେ ନୁହେଁ, ସମ୍ପୂର୍ଣ୍ଣ ଦଳକୁ ବି ବିପଦରେ ପକାଇଦେଲି। ଏହାର ପରିଣତିକୁ ଗ୍ରହଣ କରିନେଉଛି। ଶୃଙ୍ଖଳାରେ ଆମେ ୦-୧ରେ ପଛୁଆ ଥିବାରୁ ଦ୍ବିତୀୟ ଟେଷ୍ଟ୍‌ରେ ମୋର ଆବଶ୍ୟକତା ଥିଲା। ଏଥିରୁ ବଞ୍ଚିତ ହୋଇଥିବାରୁ ଯନ୍ତ୍ରଣା ପାଇଛି। ମୁଁ ଉଭୟ ଦଳକୁ ଅସମ୍ମାନ କରିଛି ଏବଂ ପୁଣି ଥରେ କ୍ଷମା ମାଗୁଛି’ ବୋଲି ୨୫ ବର୍ଷୀୟ ଆର୍ଚର ପ୍ରକାଶ କରିଥିଲେ। ଇଂଲଣ୍ଡ ପାଇଁ ଏହି ବାର୍ବାଡସ୍ ଜନ୍ମିତ ଖେଳାଳି ୮ ଟେ‌ଷ୍ଟ୍‌, ୧୪ ଦିନିକିଆ ଏବଂ ଗୋଟିଏ ଟି-୨୦ ଖେଳି ମୋଟ ୫୮ ଅନ୍ତର୍ଜାତୀୟ ୱିକେଟ୍ ନେଇଛନ୍ତି।

ଏହି ଶୃଙ୍ଖଳା ଆରମ୍ଭ ପୂର୍ବରୁ ୱେଷ୍ଟଇଣ୍ଡିଜ୍ କ୍ରିକେଟ୍‌ ଦଳ ପ୍ରଶିକ୍ଷକ ଫିଲ୍ ସିମନ୍ସ ମଧ୍ୟ ନିଜ ଶ୍ବଶୁରଙ୍କ ଅନ୍ତ୍ୟେଷ୍ଟିରେ ଭାଗ ନେଇ ବିବାଦରେ ପଡ଼ିଥିଲେ। ୱେଷ୍ଟଇଣ୍ଡିଜ୍ କ୍ରିକେଟ୍ ବୋର୍ଡର କିଛି ସଦସ୍ୟ ଏହାକୁ ନେଇ ପ୍ରଶ୍ନ ଉଠାଇବା ସହିତ ତାଙ୍କ ବହିଷ୍କାର ଦାବି କରିଥିଲେ। କିନ୍ତୁ ସିମନ୍ସ ଅନୁମତି ନେଇଯାଇଥିବାରୁ ବୋର୍ଡ ସଭାପତି ରିକି ସ୍କେରିଟ୍‌ ତାଙ୍କୁ ଦୃଢ଼ ସମର୍ଥନ କରିଥିଲେ।

ସମ୍ବନ୍ଧିତ ଖବର