ଲଣ୍ଡନ: ଦୁର୍ନୀତି ଅଭିଯୋଗରେ ଦୋହଲିଯାଇଥିବା ୟୁରୋପୀୟ ଫୁଟବଲ୍ ପୁଣି ଥରେ ବିବାଦ ଘେରକୁ ଆସିଛି। ୟୁଫା ଚାମ୍ପିଅନ୍ସ ଲିଗ୍ ଫୁଟ୍ବଲ୍ ପ୍ରତିଯୋଗିତା ସହ ସମାନ୍ତରାଳ ଭାବେ ‘ୟୁରୋପୀୟ ସୁପର ଲିଗ୍’ ନାମକ ଆଉ ଏକ ବିଦ୍ରୋହୀ ଲିଗ୍ ଆୟୋଜନ ଘୋଷଣା ପରେ ଏଠାକାର ଫୁଟ୍ବଲ୍ ଜଗତ ଏକପ୍ରକାର ଦୁଇ ଫାଳ ହୋଇଯାଇଛି। ଇଂଲଣ୍ଡ ସରକାରଙ୍କ କାର୍ଯ୍ୟାନୁଷ୍ଠାନ ଧମକ, ପ୍ରଶଂସକଙ୍କ ଲଗାତାର ବିକ୍ଷୋଭ ଓ ବିରୋଧ ପ୍ରଦର୍ଶନ ପରେ ୬ଟି ଲୋକପ୍ରିୟ ଇଂଲିସ୍ ଫୁଟବଲ୍ କ୍ଲବ୍ ଏହି ବିବାଦୀୟ ଲିଗ୍ରୁ ଓହରି ଯାଇଛନ୍ତି। ଫଳରେ ଆରମ୍ଭ ପୂର୍ବରୁ ହିଁ ‘ସୁପର ଲିଗ୍’ ଏକପ୍ରକାର ଭୁଶୁଡ଼ି ଯାଇଛି। ତେବେ ସ୍ପେନ୍ର ଲୋକପ୍ରିୟ କ୍ଲବ୍ ରିଅଲ ମାଦ୍ରିଦର ସଭାପତି ଫ୍ଲୋରେଣ୍ଟିନୋ ପେରେଜଙ୍କ ମାନସ ପୁତ୍ର କୁହାଯାଉଥିବା ଏହି ଲିଗ୍କୁ ନେଇ ସୃଷ୍ଟି ହୋଇଥିବା ବିବାଦ ପାଇଁ ୟୁରୋପୀୟ ଫୁଟ୍ବଲ୍ରେ ଅପୂରଣୀୟ ଫାଟ ସୃଷ୍ଟି ହୋଇଛି।
ମାମଲାର ଗୁରୁତ୍ବ ଏବଂ ସୁଦୂରପ୍ରସାରୀ ପ୍ରଭାବକୁ ଆଖି ଆଗରେ ରଖି ବିଶ୍ବ ଫୁଟ୍ବଲ୍ ମହାସଂଘ ଫିଫା ଏଥିରେ ହସ୍ତକ୍ଷେପ କରିଛି। ବିଦ୍ରୋହୀ ଓ ଅଣସ୍ବୀକୃତ ଲିଗ୍ ଆୟୋଜନ ପାଇଁ ମସୁଧା କରିଥିବା କ୍ରୀଡ଼ା ପ୍ରଶାସକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଧମକ ଦେଇଛି। ପ୍ରଥମେ ସମ୍ମତି ପ୍ରକାଶ କରିଥିବା ଇଂଲିସ୍ ଫୁଟ୍ବଲ୍ କ୍ଲବ୍ଗୁଡ଼ିକ ଓହରିଯିବା ପରେ କିନ୍ତୁ ସ୍ପାନିସ୍ ଓ ଇଟାଲୀୟ କ୍ଲବ୍ ଅଡ଼ୁଆ ପରିସ୍ଥିତିରେ ପଡ଼ିଛନ୍ତି। ଆଗକୁ ଏମାନେ ବହୁ ଅସୁବିଧାର ସମ୍ମୁଖୀନ ହେବାର ଯଥେଷ୍ଟ ଆଶଙ୍କା ରହିଛି। ୟୁରୋପୀୟ ଫୁଟ୍ବଲ୍ ମହାସଂଘ (ୟୁଫା) ଓ ଫିଫା ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାର ବି ଯଥେଷ୍ଟ ସମ୍ଭାବନା ରହିଛି।
ମଙ୍ଗଳବାର ରାତିରେ ପ୍ରସ୍ତାବିତ ‘ସୁପର ଲିଗ୍’ ଫୁଟ୍ବଲ୍ ପ୍ରତିଯୋଗିତାରୁ ଓହରି ଯାଇଥିବା ଇଂଲିସ୍ ଦଳଗୁଡ଼ିକ ମଧ୍ୟରେ ରହିଛନ୍ତି ଆର୍ସେନାଲ, ଚେଲସି, ଲିଭରପୁଲ୍, ମାଞ୍ଚେଷ୍ଟର ୟୁନାଇଟେଡ୍, ମାଞ୍ଚେଷ୍ଟର ସିଟି ଓ ଟୋଟେନହାମ। ପେରେଜ୍ ଏହି ୬ଟି ଦଳ ସହ ସ୍ପେନର ବାର୍ସେଲୋନା, ଆଟଲେଟିକୋ ମାଦ୍ରିଦ, ଜୁଭେଣ୍ଟସ୍, ଇଟାଲିର ଏସି ମିଲାନ, ଇଣ୍ଟନ ମିଲାନ ଆଦି ସହ ସହ ‘ସୁପର ଲିଗ୍’ ପାଇଁ ଚୁକ୍ତି କରିଥିଲେ। ଇଂଲଣ୍ଡର କ୍ଲବ୍ଗୁଡ଼ିକ ଉପରେ ବେଆଇନ ଭାବେ ଚାପ ପ୍ରୟୋଗ କରାଯିବାରୁ ଶେଷ ମୁହୂର୍ତରେ ସେମାନେ ଓହରିଗଲେ। ସାଂପ୍ରତିକ ପରିସ୍ଥିତିରେ ପ୍ରତିଯୋଗିତା ଆୟୋଜନ ସମ୍ଭବ ହେବନାହିଁ। ତେବେ ପ୍ରଶଂସକମାନଙ୍କୁ ଶ୍ରେଷ୍ଠ ଅଭିଜ୍ଞତା ପ୍ରଦାନ କରିବା ସହ ସମଗ୍ର ବିଶ୍ବର ଫୁଟବଲ୍ ପରିବାରର ରୋଜଗାର ବଢ଼ାଇବାକୁ ଆମେ ପ୍ରତିଶ୍ରୁତିବଦ୍ଧ ବୋଲି ‘ସୁପର ଲିଗ୍’ ତରଫରୁ ବୁଧବାର ପ୍ରକାଶ କରାଯାଇଥିବା ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି।
ପୂର୍ବରୁ ଚାମ୍ପିଅନ୍ସ ଲିଗ୍ ନଛାଡ଼ିବାକୁ ୟୁଫା ସଭାପତି ଆଲେକଜାଣ୍ଡର ସେଫେରିନ୍ ଇଂଲଣ୍ଡର ଫୁଟବଲ୍ କ୍ଲବ୍ଗୁଡ଼ିକୁ ନିବେଦନ କରିଥିଲେ। ଏହି କ୍ଲବ୍ଗୁଡ଼ିକ ବହୁତ ବଡ଼ ଭୁଲ କରିଥିଲେ। ଏବେ ସେମାନଙ୍କ ଭୁଲ ବୁଝି ୟୁଫା ଦୃଷ୍ଟିକୋଣକୁ ବୁଝିପାରିଥିବାରୁ ମୁଁ ବହୁତ ଖୁସି ବୋଲି ସେଫେରିନ୍ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ସେହିଭଳି ୟୁରୋପୀୟ ଫୁଟବଲ୍କୁ ଆହୁରି ଶକ୍ତିଶାଳୀ କରିବା ଲାଗି ଆଗେଇ ଆସିବାକୁ ସେ ସମସ୍ତଙ୍କୁ ଆହ୍ବାନ କରିଛନ୍ତି। ସେପଟେ ଇଂଲିସ୍ ପ୍ରିମିୟର ଲିଗ୍ର ବଳକା ୧୪ ଦଳ ‘ସୁପର ଲିଗ୍’ ଫୁଟବଲ୍ର ବିଶ୍ବସନୀୟତା ଓ ସଂହତି ପାଇଁ ବିପଦ ବୋଲି ମିଳିତ ପ୍ରେସ୍ ବିଜ୍ଞପ୍ତିରେ କହିଛନ୍ତି। ଆର୍ସେନାଲ, ଚେଲସି, ଲିଭରପୁଲ୍, ମାଞ୍ଚେଷ୍ଟର ୟୁନାଇଟେଡ୍, ମାଞ୍ଚେଷ୍ଟର ସିଟି ଓ ଟୋଟେନହାମ ଏହି ବିଦ୍ରୋହୀ ଲିଗ୍ ସହ ସଂପର୍କ ଛିନ୍ନ କରିଥିବା ସ୍ପଷ୍ଟ କରିଛନ୍ତି।
ଖେଳାଳିମାନେ କିନ୍ତୁ ଏଭଳି ପରିସ୍ଥିତିରେ ଘୋର ଦ୍ବନ୍ଦ୍ବ ଏବଂ ସଂଶୟରେ ରହିଛନ୍ତି। କ୍ଲବ୍ର ଅଧିକାରୀମାନେ ‘ସୁପର ଲିଗ୍’ରେ ସାମିଲ ହେବାକୁ ନିଷ୍ପତ୍ତି ନେଇଥିଲେ। ଖେଳାଳିମାନଙ୍କର ଏଥିରେ କୌଣସି ହାତ ନଥିଲା। ଏଣୁ ସେମାନଙ୍କୁ ଏହି ବିବାଦୀୟ ପରିସ୍ଥିତି ଲାଗି ଦାୟୀ ନକରିବାକୁ ଲିଭରପୁଲ୍ର ପ୍ରବନ୍ଧକ ଜର୍ଗେନ୍ କ୍ଲୋପ ଓ ମାଞ୍ଚେଷ୍ଟର ସିଟି ପ୍ରବନ୍ଧକ ପେପ୍ ଗୁଆର୍ଡିଓଲୋ ପ୍ରଶଂସକଙ୍କୁ ଆହ୍ବାନ କରିଛନ୍ତି। ସେପଟେ ରିଅଲ ମାଦ୍ରିଦ ପ୍ରଶିକ୍ଷକ ଜିନେଦାଇନ୍ ଜିଦାନ ଏହି ମାମଲାରେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି। ସଭାପତି ପେରେଜ୍ ଏହି ପ୍ରଶ୍ନର ଉତ୍ତର ଦେଇପାରିବେ ବୋଲି ସେ କହିଛନ୍ତି।