ଦୂତିଙ୍କ ଟିପ୍ପଣୀକୁ ନେଇ ଝଡ଼

ଭୁବନେଶ୍ବର: ଡବଲ୍ ଅଲିମ୍ପିଆନ୍‌ ଦୂତି ଚାନ୍ଦ ପୁଣି ଏକ ବିବାଦର କେନ୍ଦ୍ରକୁ ଧସେଇ ପଶିଛନ୍ତି। ଶୁକ୍ରବାର ଅପରାହ୍ନରେ ଦୂତି ନିଜ ଫେସ୍‌ ବୁକ୍ ଆକାଉଣ୍ଟରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ କଡ଼ା ସାମାଲୋଚନା କରି କେଇ ଧାଡ଼ି ଉଲ୍ଲେଖ କରିବା ପରେ ଏହାକୁ ହଟାଇ ଦେଇଥିଲେ। କିନ୍ତୁ ସେଇ କେଇ ଘଣ୍ଟା ଭିତରେ ତାଙ୍କ ପ୍ରତିକ୍ରିୟାର ସ୍କ୍ରିନ୍‌ସଟ୍‌ ଭାଇରାଲ୍ ‌ହୋଇଯାଇଥିଲା। ଦୂତି ଏଥିରେ ଉଲ୍ଲେଖ କରିଥ‌ିଲେ, ‘ଓଡ଼ିଶା ସରକାର ସାରା ରାଜ୍ୟରେ ଖେଳାଳିଙ୍କ ପାଇଁ କୋଟି କୋଟି ଟଙ୍କାର ଭିତ୍ତିଭୂମି ତିଆରି କରିବାରେ ବ୍ୟସ୍ତ କିନ୍ତୁ କ୍ରୀଡ଼ାବିତ୍‌ମା‌ନେ ଦିନକୁ ଦିନ ହଜିଗଲେଣି। ଖାଲି ଯାହା ଖେଳକୁ ନେଇ ଏଠି ରାଜନୀତି ଚାଲିଛି। ଆପଣ ଖାଲି ସେଇ ହକି ଇଣ୍ଡିଆ ଦଳକୁ ନେଇ ନାଚୁଥା’ନ୍ତୁ। ବାକି ସବୁ ଖେଳ ଚୁଲିକୁ ଯାଉ।

ହକି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି କିନ୍ତୁ ଆଥ୍‌ଲେଟିକ୍ସ ପାଇଁ କିଛି ନାହିଁ। ଏ ହକି ବାଡ଼ି କେତେଦିନ ଲାଷ୍ଟିଙ୍ଗ କରିବ? ପୁରୁଣା ‌ହେଲେ ଆପେ ଆପେ ଫାଟିଯିବ। ଏସବୁ ପ୍ରହସନ’। ପୂର୍ବରୁ କରିଥିବା ଆଉ ଏକ ଫେସ୍ ବୁକ୍ ପୋଷ୍ଟରେ ଦୂତି ଲେଖିଥିଲେ, ‘ସରକାର କ’ଣ କେବଳ ଏହି ଲୋକାଲ୍ ମିଟ୍‌ରେ ପଦକ ଜିତିବା ପାଇଁ କାମ କରୁଛନ୍ତି। ଏତେ ଟଙ୍କା ଖର୍ଚ୍ଚ କରି ଆଉ ଅନ୍ତର୍ଜାତୀୟ ଖେଳାଳି ସୃଷ୍ଟି କରିପାରୁନ। ଇଣ୍ଡିଆନ ଗ୍ରାଁ ପ୍ରିରେ କାଂସ୍ୟ ଜିତି ଲାଜ ମାଡ଼ୁନି। ସରକାରଙ୍କ ଅର୍ଥ ଖାଇ ଖୋଳ କରିଦେଲେଣି, ଗୋଟେ ଧନ୍ଦା ଚାଲିଛି ଏଠି’।

ଏହା ପରେ ଦୂତିଙ୍କୁ ସମର୍ଥନ ଅପେକ୍ଷା ବିରୋଧ କରି‌ ଅନେକ ବ୍ୟକ୍ତି ସାମାଜିକ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଥିଲେ। ଯାହାଠୁ ସୁବିଧା ସ‌ୁଯୋଗ ନିଅନ୍ତି ତାଙ୍କ ବିରୋଧରେ ଦୂତି ଅଭିଯୋଗ କରିବା ତାଙ୍କ ଅଭ୍ୟାସ। ସେ ପାଗଳିଟେ, ତାଙ୍କୁ କ୍ଷମା କରିଦିଅନ୍ତୁ। କ’ଣ ପଇସା କମିଗଲା କି ପୁଣି ଅଭିଯୋଗ କରୁଛ। ଅଭାବ ପଡ଼ିଲେ ବିଏମଡବୁଲ୍ୟ ବିକିଦିଅ। ଦୂତି ତୁମେ ଜାଣିନ ସରକାର ପରା କଳିଙ୍ଗ ଷ୍ଟାଡିୟମ୍‌ରେ ଏକ ଅନ୍ତର୍ଜାତୀୟ ସ୍ତରର ୨୦୦ ମିଟର୍ ଇନ୍‌ଡୋର୍‌ ଆଥ୍‌ଲେଟିକ୍ସ ଷ୍ଟାଡିୟମ୍‌ ନିର୍ମାଣ କରୁଛନ୍ତି। ଏଭଳି ଭିନ୍ନ ଭିନ୍ନ ମତ ପ୍ରକାଶ କରିଥିଲେ ଅନେକ।

ଅନ୍ୟ ଖେଳକୁ ପ୍ରୋତ୍ସାହିତ କରାଯାଉ ନାହିଁ ସତ, କିନ୍ତୁ ହକିକୁ ନେଇ ପ୍ରତିକ୍ରିୟା ରଖିଥିବାରୁ ତାଙ୍କ ପ୍ରଶଂସକମାନେ ଏହାକୁ ଗ୍ରହଣ କରିପାରିନଥିଲେ। ଦୂତିଙ୍କ ମନ୍ତବ୍ୟକୁ ସମର୍ଥନ କରି ଯୁବ କ୍ରୀଡ଼ାପ୍ରେମୀ ଶାଶ୍ବତ ରଂଜନ ସାହୁ ଲେଖିଛନ୍ତି, ‘ମୁଁ ଦୂତିଙ୍କ ସହ ଏକମତ, ସରକାର କେବଳ କ୍ରୀଡ଼ା ଆୟୋଜନକୁ ଗୁରୁତ୍ବ ଦେଉଛନ୍ତି, କ୍ରୀଡ଼ାବିତ୍‌ ଗଢ଼ିବାରେ ନୁହେଁ’। ରାଜ୍ୟର ପୂର୍ବତନ ଏକ ନମ୍ବର ବ୍ୟାଡମିଣ୍ଟନ୍ ଖେଳାଳି ବିଭାସ ପରିଡ଼ା ମଧ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ଦୂତି ସାହାସ ଦେଖାଇ ସମାଲୋଚନା କରିଥିବାରୁ ଅଭିନନ୍ଦନ ଓ ଧନ୍ୟବାଦ ମଧ୍ୟ ଜଣାଉଛି। ଓଡ଼ିଶାରେ ଏବେ କେବଳ ବଡ଼ ବଡ଼ ପ୍ରତ‌ିଯୋଗିତା କରାଯିବା ଉପରେ ଗୁରୁତ୍ବ ଦିଆଯାଉଛି। ଓଡ଼ିଶା ଖେଳାଳିଙ୍କୁ ଗଢ଼ି ତୋଳିବା କାମକୁ ଭୁଲି ଯାଉଛନ୍ତି ସରକାର। ତୃଣମୂଳସ୍ତରରୁ ଖେଳାଳିଙ୍କୁ ପ୍ରୋତ୍ସାହିତ କରାଯାଉନାହିଁ। ଓଡ଼ିଆ ଖେଳାଳିଙ୍କୁ‌ କୌଣସିରେ ସମ୍ପୃକ୍ତ କରାଯାଉନାହିଁ କି ପୂର୍ବତନ ଖେଳାଳିଙ୍କ ଅଭିଜ୍ଞତାକୁ ଉପଯୋଗ କରାଯାଉନାହିଁ ବୋଲି ବିଭାସ ଅଭିଯୋଗ କରିଥିଲେ।

ସରକାରଙ୍କ ସମର୍ଥନରେ ଖେଳାଳି ଓ ସଂଘ

ଦୂତିଙ୍କ ତୀକ୍ଷ୍‌ଣ ବାଣ ପରେ ସରକାରଙ୍କ ସମର୍ଥନରେ ବାହାରିଛନ୍ତି ହକି କିଂବଦନ୍ତି ଦିଲୀପ ତିର୍କିଙ୍କ ସହ ରାଜ୍ୟର ବହୁ ଅନ୍ତର୍ଜାତୀୟ ଖେଳାଳି ଓ କ୍ରୀଡ଼ା ସଂଘ। ‘ଜଣେ ଖେଳାଳି ଭାବେ ମୁଁ ଆଉ ଜଣେ ଖେଳାଳିଙ୍କ ଏହିଭଳି ମନ୍ତବ୍ୟକୁ ଘୋର ନିନ୍ଦା କରୁଛି। ରାଜ୍ୟ ସରକାର ପ୍ରତ୍ୟେକ ଖେଳକୁ ସମାନ ଗୁରୁତ୍ଵ ଦେଇ ଆସୁଛନ୍ତି। ସେ ହକି ହେଉ କିମ୍ବା ଅନ୍ୟ ଯେ କୌଣସି ଖେଳ। ଅଲମ୍ପିକ୍ସରେ ପଦକ ଜିତିବା ସମସ୍ତଙ୍କ ପକ୍ଷରେ ସମ୍ଭବ ନୁହେଁ। ଆଜି ଭୁବନେଶ୍ୱରକୁ ଦେଶର କ୍ରୀଡ଼ା ରାଜଧାନୀ କୁହାଯାଉଛି ଏକଥା କାହାକୁ ଅଛପା ନାହିଁ।

କ୍ରୀଡା କ୍ଷେତ୍ରରେ ଅନ୍ତର୍ଜାତୀୟ ସ୍ତରରେ ଭାରତକୁ ପ୍ରଥମ ପରିଚୟ ହକି ହିଁ ଦେଇଛି। ବୋଧହୁଏ ଅନେକ ଖେଳାଳି ଏହା ଜାଣିନାହାନ୍ତି। ଏହି ଭଳି ମନ୍ତବ୍ୟ ଗ୍ରହଣୀୟ ନୁହେଁ। ନିଜେ ଜଣେ ଖେଳାଳି ହେଇ ଅନ୍ୟ ଖେଳାଳିଙ୍କୁ ସମ୍ମାନ ଦେଇ ଶିଖିବା ଉଚିତ୍’’ ‌ବୋଲି ଦିଲୀପ ଟ୍ବିଟ୍‌ କରିଛନ୍ତି। ଦୂତିଙ୍କ ପ୍ରତିକ୍ରିୟାକୁ ବିରୋଧ କରି ଓଡ଼ିଶା ଅଲିମ୍ପିକ୍ସ ଓ ଫୁଟ୍‌ବଲ୍ ସଂଘ ମଧ୍ୟ ସରକାରଙ୍କ ସମର୍ଥନରେ ବାହାରିଛନ୍ତି। ‘ଦୂତିଙ୍କ ଭାଷା ଆପତ୍ତିଜନକ, ରାଜ୍ୟ ସରକାର ଅନେକ ଥର ଦୂତିଙ୍କୁ ସମ୍ବର୍ଧିତ କରିଛନ୍ତି। ହକି ଛଡ଼ା ଦୌଡ଼କୁଦ, ଫୁଟ୍‌ବଲ୍‌, ବ୍ୟାଡମିଣ୍ଟନ୍, ବାସ୍କେଟ୍‌ବଲ୍ ସହ ଅନ୍ୟ ଖେଳକୁ ବି ସରକାର ସମର୍ଥନ କରୁଛନ୍ତି।

ଆମେ ଦୂତିଙ୍କ ପ୍ରତିକ୍ରିୟାକୁ ଦୃଢ଼ ନିନ୍ଦା କରୁଛୁ ଏବଂ ଦୂତି କ୍ଷମା ମାଗନ୍ତୁ’ ବୋଲି ଓଡ଼ିଶା ଅଲିମ୍ପିକ୍ସ ସଂଘ ସମ୍ପାଦକ ଅଭିଜିତ୍ ପାଲ୍ ଏକ ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି। ଦୂତି ମୁଖ୍ୟମନ୍ତ୍ରୀଙ୍କ ନିକଟରେ କ୍ଷମା ମାଗନ୍ତୁ ବୋଲି ଦାବି କରିଛନ୍ତି ଓଡ଼ିଶା ଦୌଡ଼କୁଦ ଓ ଫୁଟ୍‌ବଲ୍ ସଂଘ ସମ୍ପାଦକ ଆଶୀର୍ବାଦ ବେହେରା। ରାଜ୍ୟର ପ୍ରଥମ ଅନ୍ତର୍ଜାତୀୟ କ୍ରିକେଟର ଦେବାଶିଷ ମହାନ୍ତି, ଅଲିମ୍ପିଆନ୍‌ ଅନୁରାଧା ବିଶ୍ବାଳ ପ୍ରମୁଖ ସରକାରଙ୍କୁ ସମର୍ଥନ କରି ଦୂତିଙ୍କୁ ନିନ୍ଦା କରିଛନ୍ତି।

ସମ୍ବନ୍ଧିତ ଖବର