କ୍ରିକେଟ୍‌ ଅଷ୍ଟ୍ରେଲିଆକୁ ବିସିସିଆଇ ସ୍ପଷ୍ଟ କଲା:ଅଷ୍ଟ୍ରେଲିଆରେ ଦିବାରାତ୍ର ଟେଷ୍ଟ୍‍ ଖେଳିବନି ଭାରତ

ନୂଆଦିଲ୍ଲୀ: ଚଳିତ ବର୍ଷ ଶେଷ ଭାଗରେ ଅଷ୍ଟ୍ରେଲିଆ ଗସ୍ତରେ ଭାରତ ଦିବାରାତ୍ର ଟେଷ୍ଟ୍‍ ଖେଳିବ ନାହିଁ। ଏ ସମ୍ପର୍କରେ ଭାରତୀୟ କ୍ରିକେଟ୍‌ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ସୋମବାର କ୍ରିକେଟ୍‌ ଅଷ୍ଟ୍ରେଲିଆକୁ (ସିଏ)କୁ ସ୍ପଷ୍ଟ କରି ଦେଇଛି। ଗୋଲାପୀ ବଲ୍‌ ଟେଷ୍ଟ୍‍ ପାଇଁ ସିଏ ପକ୍ଷରୁ ବାରମ୍ବାର ଅନୁରୋଧ କରାଯିବା ସତ୍ତ୍ୱେ ବିସିସିଆଇ ଏହାକୁ ପ୍ରତ୍ୟାଖାନ କରି ଦେଇଛି। ଭାରତ ଟେଷ୍ଟ୍‍ କ୍ରିକେଟ୍‌କୁ କେବଳ ଲାଲ୍‌ ବଲ୍‌ରେ ଖେଳିବା ଜାରି ରଖିବ ବୋଲି ସ୍ପଷ୍ଟ କରିଛି। ଭାରତୀୟ ଦଳ ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ପ୍ରଶାସନିକ ସମିତି (ସିଓଏ)କୁ ଜଣାଇଦେବା ପରେ ଏବେ ଚିତ୍ର ସ୍ପଷ୍ଟ ହୋଇଛି। ଡିସେମ୍ବର ୬ରୁ ୧୦ ତାରିଖ ମଧ୍ୟରେ ଆଡିଲେଡ୍‌ରେ ଭାରତ ଖେଳିବାକୁ ଥିବା ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ୍‍କୁ ଦିବାରାତ୍ର କରିବାକୁ ସିଏ ମୁଖ୍ୟ ଜେମ୍‌ସ ସଦରଲାଣ୍ଡ୍‌ ପ୍ରସ୍ତାବ ରଖିଥିଲେ। ଦିବାରାତ୍ର ଟେଷ୍ଟ୍‍ ଲାଗି ପ୍ରସ୍ତୁତି କରିବାକୁ ସମୟର ଅଭାବ ରହିଛି, ଅନ୍ୟୁନ ୧୮ ମାସ ଆବଶ୍ୟକ ବୋଲି ଶାସ୍ତ୍ରୀ ଯୁକ୍ତି ବାଢ଼ିଥିଲେ। ସୋମବାର ବିସିସିଆଇ ସମ୍ପାଦକ ଅନିରୁଦ୍ଧ ଚୌଧୁରୀ ଏକ ଇମେଲ୍‌ରେ ସଦରଲାଣ୍ଡଙ୍କୁ ଭାରତର ଅକ୍ଷମତା ବିଷୟ ପ୍ରକାଶ କରିଥିଲେ। ‘ସିଓଏର ନିର୍ଦେଶକ୍ରମେ ଭାରତ ବର୍ଷକ ଭିତରେ ଦିବାରାତ୍ର ଟେଷ୍ଟ୍‍ ଖେଳିବା ସ୍ଥିତିରେ ନାହିଁ। ପ୍ର୍ରସ୍ତାବିତ ଦିବାରାତ୍ର ଟେଷ୍ଟ୍‍ ଖେଳାଯାଇପାରିବ ନାହିଁ ବୋଲି ମୁଁ ଦୁଃଖର ସହ ପ୍ରକାଶ କରୁଛି। ଭାରତର ସବୁ ଟେଷ୍ଟ୍‍ ପାରମ୍ପରିକ ପଦ୍ଧତିରେ ଖେଳାଯିବ’ ବୋଲି ଚୌଧୁରୀ ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧିତ ଖବର