ଟ୍ରଫି ଟକ୍କର: ଆଜି ତୃତୀୟ ଟେ୍ଵଣ୍ଟି-୨୦

ହାଇଦ୍ରାବାଦ: ଗୌହାଟୀ ଟେ୍ଵଣ୍ଟି-୨୦କୁ ଅଷ୍ଟ୍ରେଲିଆ ଜିତିବା ପରେ ଶୁକ୍ରବାର ଏଠାରେ ଖେଳାଯିବାକୁ ଥିବା ତୃତୀୟ ତଥା ଶେଷ ମୁକାବିଲା ଶୃଙ୍ଖଳା ନିର୍ଣ୍ଣାୟକ ହୋଇଛି। ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍‌ ଜିତି ସମାନ ସ୍ତରରେ ଥିବାରୁ ଆସନ୍ତାକାଲି ଯିଏ ଜିତିବ ସିଏ ଶୃଙ୍ଖଳାର ଶ୍ରେଷ୍ଠ ଦଳ ମାନ୍ୟତା ପାଇବ। ଦିନିକିଆରେ ଆଧିପତ୍ୟ ବିସ୍ତାର କରିଥିବା ଭାରତୀୟ କ୍ରିକେଟ୍‌ ଦଳ ପ୍ରଥମ ଟେ୍ଵଣ୍ଟି-୨୦କୁ ଜିତିବା ପରେ ଅପ୍ରତ୍ୟାଶିତ ଭାବେ ଦ୍ୱିତୀୟରେ ବୃହତ୍‌ ପରାଜୟ ବରଣ କରିଥିଲା। ଫଳରେ ତୃତୀୟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ଟେ୍ଵଣ୍ଟି-୨୦ ଶୃଙ୍ଖଳା ଜିତି ଦିନିକିଆ ପରାଜୟର ପ୍ରତିଶୋଧ ନେବାର ସୁଯୋଗ ମିଳି ଯାଇଛି।
ଗୌହାଟୀରେ ଅଷ୍ଟ୍ରେଲିଆର ଯୁବ ବାମହାତୀ ଦ୍ରୁତ ବୋଲର ଜାସନ ବେହେରେନ୍‌ଡ୍ରଫ୍‌ ଭାରତୀୟ ଶୀର୍ଷକ୍ରମକୁ ଧ୍ୱସ୍ତ ବିଧ୍ୱସ୍ତ କରି ଦେଇଥିଲେ। ସେପଟେ ଦୁଇ ଭାରତୀୟ ଯୁବ ସ୍ପିନର ୟୁଜବେନ୍ଦ୍ର ଚହଲ ଏବଂ କୁଲଦୀପ ଯାଦବଙ୍କୁ ଅଷ୍ଟ୍ରେଲିଆର ଯୁବ ଯୋଡ଼ି ମୋଜେସ ହେନରିକ୍ସ ଏବଂ ଟ୍ରାଭିସ୍‌ ହେଡ୍‌ ପ୍ରବଳ ଧୂଲେଇ କରିଥିଲେ। ଉଭୟ ୧୦୯ ରନ୍‌ର ଭାଗୀଦାରି କରି ଅଷ୍ଟ୍ରେଲିଆକୁ ପ୍ରତୀକ୍ଷିତ ବିଜୟ ଉପହାର ଦେଇଥିଲେ। କୁଲଦୀପ ଏବଂ ଚହଲ ମହଙ୍ଗା ସାବ୍ୟସ୍ତ ହୋଇଥିଲେ ମଧ୍ୟ ଅଧିନାୟକ କୋହଲି ହାଇଦ୍ରାବାଦରେ ସେମାନଙ୍କୁ ବସାଇବାର ଆଦୌ ସମ୍ଭାବନା ନାହିଁ। ଅକ୍ଷର ପଟେଲଙ୍କ ଭଳି ଅଭିଜ୍ଞ ଆଶିଷ ନେହରା ମଧ୍ୟ ଏହି ମ୍ୟାଚ୍‌ ଖେଳିବାର ସମ୍ଭାବନା ନାହିଁ କହିଲେ ଚଳେ। ସେପଟେ ଗୌହାଟୀ ବିଜୟ ଅଷ୍ଟ୍ରେଲିଆ ପାଇଁ ସଞ୍ଜୀବନୀ ସଦୃଶ ହୋଇଛି। ହାଇଦ୍ରାବାଦରେ ବିଜୟୀ ହୋଇ ପାରିଲେ ସେମାନେ ଆତ୍ମବିଶ୍ୱାସର ସହ ଭାରତ ଗସ୍ତ ଶେଷ କରିବେ। ଆସନ୍ତାମାସର ଆସେସ୍‌ ଶୃଙ୍ଖଳା ପୂର୍ବରୁ କଙ୍ଗାରୁ ଖେଳାଳିଙ୍କ ମନୋବଳ ମଧ୍ୟ ବଢ଼ିଯିବ। ଲେଗ୍‌ ସ୍ପିନର ଆଦାମ ଜାମ୍ପା ଗୌହାଟୀରେ ଭଲ ବୋଲିଂ କରିଥିଲେ। ହାଇଦ୍ରାବାଦରେ ଅଧିନାୟକ ତାଙ୍କଠାରୁ ସେହି ସଫଳତା ଆଶା କରୁଥିବେ। ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତଜାତୀୟ ଷ୍ଟାଡିୟମ୍‌ ପାରମ୍ପରିକ ଭାବେ ବ୍ୟାଟ୍ସମ୍ୟାନଙ୍କୁ ସୁହାଇଥାଏ। ହେଲେ ଗତ ସପ୍ତାହରେ ଏଠାରେ ପ୍ରବଳ ବର୍ଷା ହୋଇଥିବାରୁ ବୋଲରଙ୍କୁ ମଧ୍ୟ ଏଥର ଏଠାକାର ପିଚ୍‌ ସହାୟକ ହେବ। ଏହି ଷ୍ଟାଡିୟମରେ ନିୟମିତ ଆଇପିଏଲ୍‌ ଖେଳା ଯାଉଥିଲେ ମଧ୍ୟ ପ୍ରଥମ ଥର ପାଇଁ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳାଯିବ। ଶୁକ୍ରବାର ସଂଧ୍ୟରେ ଏଠାରେ ଝିପି ଝିପି ବର୍ଷା ହେବାର ପୂର୍ବାନୁମାନ ରହିଛି।
ସମ୍ଭାବ୍ୟ ଭାରତ: ବିରାଟ କୋହଲି (ଅଧିନାୟକ), ଶିଖର ଧାଓ୍ଵନ, ରୋହିତ ଶର୍ମା, ମନୀଷ ପାଣ୍ଡେ, ମହେନ୍ଦ୍ର ସିଂହ ଧୋନି, କେଦାର ଯାଦବ, ହାର୍ଦିକ ପାଣ୍ଡ୍ୟା, ଭୁବନେଶ୍ୱର କୁମାର, ଯସପ୍ରୀତ ବୁମରା, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ।
ସମ୍ଭାବ୍ୟ ଅଷ୍ଟ୍ରେଲିଆ: ଡେଭିଡ୍‌ ଓ୍ଵାର୍ନର (ଅଧିନାୟକ), ଜାସନ ବେହେରେନ୍‌ଡ୍ରଫ୍‌, ଡାନ୍‌ କ୍ରିଷ୍ଟିଆନ୍‌, ନାଥନ କୁଲଟର ନାଇଲ୍‌, ଆରୋନ ଫିଞ୍ଚ୍‌, ଟ୍ରାଭିସ୍‌ ହେଡ୍‌, ମୋଜେସ୍‌ ହେନରିକ୍ସ, ଗ୍ଲେନ୍‌ ମ୍ୟାକ୍ସେଓ୍ଵଲ୍‌, ଟିମ୍‌ ପାଇନ, ଆଦାମ ଜାମ୍ପା, ମାର୍କସ ଷ୍ଟୋଇନିସ୍‌।

ସମ୍ବନ୍ଧିତ ଖବର