କ୍ରିକେଟ୍‌ ଓ ଆ‌ଥ୍‌ଲେଟିକ୍ସକୁ ଯୋଡ଼ିଲେ ବ୍ଲାକ୍‌, ପ୍ରଥମ ଥର ଭାରତ ଗସ୍ତ

ମୁମ୍ବାଇ (ସୁରେଶ ସ୍ବାଇଁ): ବିଶ୍ବ ଦୌଡ଼କୁଦ ଦୁନିଆର ଅନ୍ୟତମ ମହାନ ଧାବକ ଜାମାଇକାର ୟୋହାନ ବ୍ଲାକ୍‌ ସୋମବାର କ୍ରିକେଟ୍‌ ଓ ଆଥ୍‌ଲେଟିକ୍ସକୁ ଏକ ଅପୂର୍ବ ଢଙ୍ଗରେ ଯୋଡ଼ିଛନ୍ତି। ଭାରତରେ କ୍ରିକେଟ୍‌ ଲୋକପ୍ରିୟ, ଜାମାଇକା ବିଶ୍ବକୁ ଦେଇଛି ବହୁ ମହାନ ସ୍ପ୍ରିଣ୍ଟର୍‌। ‌ୱେଷ୍ଟ୍‌ଇଣ୍ଡିଜ୍‌ କ୍ରିକେଟର୍‌ମାନେ ଭାରତୀୟ ଖେଳାଳିଙ୍କୁ ଅନୁ‌ସରଣ କରୁଛନ୍ତି। ଭାରତୀୟମାନେ ଅନୁରୂପ ଭାବେ ଜାମାଇକା ସ୍ପ୍ରିଣ୍ଟରମାନଙ୍କ ସଫଳତାକୁ ଅନୁସରଣ କରିପାରିବେ। ଏହି ଅବସର‌ରରେ ବିରାଟ କୋହଲିଙ୍କ କୀର୍ତ୍ତିମାନକୁ ପଛରେ ପକାଇବାକୁ ୱେଷ୍ଟ୍‌ଇଣ୍ଡିଜ୍‌ ଖେଳାଳିମାନଙ୍କୁ ଆହ୍ବାନ ଦେଇଥିଲେ ୨୯ ବର୍ଷୀୟ ବ୍ଲାକ୍‌। ସୋମବାର ଭାରତ ଗସ୍ତରେ ଆସିଥିବା ବ୍ଲାକ୍‌ ଏହି ଦୁଇ ଖେଳ ଓ ଦୁଇ ଦେଶକୁ ଭିନ୍ନ ରୂପରେ ଯୋଡ଼ିଥିଲେ। ଆସନ୍ତା ବର୍ଷ ଫେବ୍ରୁଆରି ମାସରେ ଭାରତରେ ଖେଳାଯିବାକୁ ଥିବା ‘ରୋଡ୍‌ ସେଫ୍‌ଟି ବିଶ୍ବ ସିରିଜ୍‌’ ପାଇଁ ନିଜ ସମର୍ଥନ ଅର୍ପଣ କରିବାକୁ କ୍ରୀଡ଼ା ଦୂତ ଭାବେ ଯୋଡ଼ି ହୋଇଛନ୍ତି ୪ ଅଲିମ୍ପିକ୍ସ ଓ ୨ ବିଶ୍ବ ପଦକ ବିଜେତା। ଏଥିସହ ଭାରତର ଏକ ଜଟିଳ ସମସ୍ୟା ‘ସଡ଼କ ଦୁର୍ଘଟଣା ମୃତ୍ୟୁ’ ରୋକିବାକୁ ଅଭିନବ ଅଭିଯାନରେ ମଧ୍ୟ ସାମିଲ ହୋଇଥିଲେ ସେ।

ପ୍ରଥମ ଥର ଭାରତ ଗସ୍ତ
ପ୍ରଥମ ଥର ପାଇଁ ଏହି ମହାନ ଧାବକ ସୋମବାର ମୁମ୍ବାଇର ତାରକା ଟ୍ରାଇଡେଣ୍ଟ୍‌ ହୋଟେଲରେ ‘ରୋଡ୍‌ ସେଫ୍‌ଟି ବିଶ୍ବ ସିରିଜ୍‌’ର ଜର୍ସି ଉନ୍ମୋଚନ କରିଥିଲେ। ନିଜର ପ୍ରଥମ ବାକ୍ୟରେ ହିଁ କହିଥିଲେ, ପ୍ରଥମ ଥର ଲାଗି ଭାରତ ଆସି ମୁଁ ବହୁତ ଖୁସି। କ୍ରିକେଟ୍‌କୁ ଭଲ ପାଉଥିବା ଭାରତକୁ ବି ମୁଁ ଭଲ ପାଏ। ସମାନ ସମୟରେ ମୁଁ ଜାଣିବାକୁ ପାଇଲି ଭାରତରେ ପ୍ରତି ୪ ମିନିଟ୍‌ରେ ଜଣେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଉଛନ୍ତି। ବର୍ଷକୁ ପ୍ରାୟ ସଡ଼କ ଦୁର୍ଘଟଣାରେ ୧,୫୦,୦୦୦ ଲୋକଙ୍କ ଜୀବନ ହରାଉଛି ଏହି ଦେଶ। ବିଶ୍ବରେ ପ୍ରତି ୧ ହଜାରରେ ମଧ୍ୟ ୩୦ ଜଣ ଭାରତୀୟଙ୍କ ପ୍ରାଣବାୟୂ ରାସ୍ତାରେ ଉଡ଼ିଯାଉଛି। ତେଣୁ ଭାରତୀୟମାନେ ସଡ଼କ ସୁରକ୍ଷାକୁ ଗମ୍ଭୀରତାର ସହ ନେବାର ଆବଶ୍ୟକତା ରହିଛି ବୋଲି ବ୍ଲାକ୍‌ ପ୍ରକାଶ କରିଥିଲେ।

କ୍ରିକେଟ୍‌ କିମ୍ବଦନ୍ତୀ ହେବେ ସାମିଲ
ଫେବ୍ରୁଆରି ମାସରେ ମୁମ୍ବାଇ ଓ ପୁନେରେ ଖେଳାଯିବାକୁ ଥିବା ଏହି ବିଶ୍ବ ସିରିଜ୍‌ରେ ବହୁ କ୍ରିକେଟ୍‌ କିମ୍ବଦନ୍ତୀମାନେ ଯୋଡ଼ି ହେବେ। ଭାରତ ସମେତ ଅଷ୍ଟ୍ରେଲିଆ, ଶ୍ରୀଲଙ୍କା, ୱେଷ୍ଟ୍‌ଇଣ୍ଡିଜ୍‌, ଦକ୍ଷିଣ ଆଫ୍ରିକାର ୫ ଦଳ ଭାଗ ନେବେ। କ୍ରିକେଟ୍‌ ଦୂତ ସଚିନ ତେନ୍ଦୁଲକର ଓ ବ୍ରାଏନ ଲାରାଙ୍କ ସହ ବୀରେନ୍ଦ୍ର ସେହବାଗ, ବ୍ରେଟ୍‌ ଲି, ଜଣ୍ଟି ରୋଡ୍ସ, ତିଲକରତ୍ନେ ଦିଲ୍‌ସାନ, ଶିବନାରାୟଣ ଚନ୍ଦରପାଲ, ମୁଥୟା ମୁରଲୀଧରନ ପ୍ରମୁଖ ଅଂଶଗ୍ରହଣ କରିବେ। ଭାରତରେ ସବୁଠୁ ଲୋକପ୍ରିୟ ଖେଳ କ୍ରିକେଟ୍‌ ଜରିଆରେ ସଡ଼କ ସୁ‌ରକ୍ଷାର ବାର୍ତ୍ତା ବାଣ୍ଟିବେ ଏହି ମହାନ ଖେଳାଳିମାନେ। ଏଭଳି ପ୍ରୟାସକୁ ଖୁବ୍‌ ପ୍ରଶଂସା କରିଥିଲେ ବ୍ଲାକ୍‌।

ଟୋକିଓରେ ଯୁଗଳ ସ୍ବର୍ଣ୍ଣ ସହ ବିଦାୟୀ ଆଶା
ଆସନ୍ତା ବର୍ଷ ଟୋକିଓ ଅଲିମ୍ପିକ୍ସ ପାଇଁ ନିଜ ପ୍ରସ୍ତୁତିକୁ ଠିକଣା ପଥରେ ରଖିଛନ୍ତି ବ୍ଲାକ୍‌। ସେଠାରେ ଉଭୟ ୧୦୦ ଓ ୨୦୦ ମିଟର ଦୌଡ଼ରେ ସ୍ବର୍ଣ୍ଣ ପଦକ ଜିତି ଅବସର ନେବି ବୋଲି କହିଛନ୍ତି ଏହି ଜାମାଇକା ଧାବକ। ଅବସର ପରେ ଭାରତରେ ଯୁବ ପ୍ରତିଭାମାନଙ୍କୁ ତାଲିମ ଦେବେ‌ ବୋଲି ପ୍ରକାଶ କରିଥିଲେ ବ୍ଲାକ୍। ଭାରତରେ ପ୍ରତିଭାର ଅଭାବ ନାହିଁ। କେବଳ ସେମାନଙ୍କୁ ଠିକଣା ମାର୍ଗଦର୍ଶନ ଓ ପ୍ରଶିକ୍ଷଣର ଅଭାବ ରହିଛି ବୋଲି କହିଥିଲେ ସେ।

କୋହଲିଙ୍କୁ ବୋଲିଂ କରିବି
କ୍ରିକେଟ୍‌ ମୋ ପ୍ରଥମ ପସନ୍ଦ ଖେଳ। ଏକଦା କ୍ରିସ୍‌ ଗେଲ୍‌ଙ୍କୁ ବୋଲ୍ଡ କରିଥିଲି, ଭବିଷ୍ୟତରେ ସୁଯୋଗ ପାଇଲେ ଭାରତୀୟ ଅଧିନାୟକ ‌ବିରାଟ କୋହଲିଙ୍କୁ ବୋଲିଂ କରିବାକୁ ଇଚ୍ଛା ରହିଛି। ଚଳିତ ଭାରତ ଗସ୍ତରେ ସଚିନ ତେନ୍ଦୁଲକରଙ୍କ ସହ ଫଟୋ ଉଠାଇବା ଓ ଅଟୋଗ୍ରାଫ୍‌ ନେବାର ସୁଯୋଗ ମିଳିଲେ ନିଶ୍ଚିତ ଖୁସି ହେବି ବୋଲି କହିଥିଲେ ବ୍ଲାକ୍‌। କ୍ରିକେଟ୍‌ ମଧ୍ୟ ଅଲିମ୍ପିକ୍ସରେ ସାମିଲ ହେବା ସପକ୍ଷରେ ଯୁକ୍ତି ବାଢ଼ିଥିଲେ ଏହି ୨୯ ବର୍ଷୀୟ ତାରକା।

ଦୂତି ଭଲ ମଣିଷ
ବିଶ୍ବ ସରିଜ୍‌ ଜର୍ସି ଉନ୍ମୋଚନ ଉତ୍ସବରେ ମୁଖ୍ୟ ଆକର୍ଷଣ ସାଜିଥିଲେ ୟୋହାନ୍‌ ବ୍ଲାକ୍‌। କୌଣସି ଭାରତୀୟ ଧାବକଙ୍କୁ ଜାଣିଥିବା ସମ୍ପର୍କରେ ପ୍ରଶ୍ନ ବେଳେ କାହାରି ନାଁଙ୍କୁ ନେଇ ପାରି ନଥିଲେ ସେ। କିନ୍ତୁ ଓଡ଼ିଆ ଅଲିମ୍ପିଆନ୍‌ ଦୂତି ଚାନ୍ଦଙ୍କ ସମ୍ପର୍କରେ ପଚରାଯିବାରୁ ହଁ ଭରିଥିଲେ। ଦୂତି ଜଣେ ଭଲ ଖେଳାଳି ଓ ଭଲ ମଣିଷ। ପ୍ରତିକୂଳ ପରିସ୍ଥିତି‌ରେ ଆଗକୁ ବଢ଼ିଛି ଓ ବଢ଼ିବ ବୋଲି ଶୁଭେଚ୍ଛା ମଧ୍ୟ ଜଣାଇଥିଲେ। ଅନ୍ୟତମ ଉଦୀୟମାନ ଭାରତୀୟ ଧାବିକା ହିମା ଦାସଙ୍କ ସହ ୨୦୧୮ ଗୋଲ୍ଡକୋଷ୍ଟ୍‌ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଦେଖା ହୋଇଥିଲା ବୋଲି ସ୍ବୀକାର କରିଥିଲେ ବ୍ଲାକ୍‌। ସେଠାରେ ମଧ୍ୟ ବ୍ଲାକ୍‌ ଦୁଇଟି କାଂସ୍ୟ ପଦକ ଜିତିଥିଲେ।

କୋହରେ କହିଲେ ଆଝାରୁଦ୍ଦିନ୍‌
ଏହି ଉତ୍ସବରେ ଖୁବ୍‌ ସ୍ବଳ୍ପ ସମୟ ପାଇଁ ଆବିର୍ଭାବ ହୋଇଥିଲେ ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର ହାଇଦ୍ରାବାଦ କ୍ରିକେଟ୍‌ ସଂଘର ସଭାପତି ମହମ୍ମଦ ଆଝାରୁଦ୍ଦିନ୍। ସଡ଼କ ସୁରକ୍ଷା ଅଭିଯାନରେ ଯୋଡ଼ି ହୋଇଥିବାରୁ ବେଶ୍‌ ଭାବବିହ୍ବଳ ହୋଇଥିଲେ ଏହି ବିଗତ ଦିନର ବ୍ୟାଟ୍ସମ୍ୟାନ୍‌। କିଛି ବର୍ଷ ତଳେ ସଡ଼କ ଦୁର୍ଘଟଣାରେ ନିଜ ପୁଅକୁ ହରାଇଥିଲେ ଆଝାର। ସେଥିପ‌ାଇଁ ନିଜ ବକ୍ତବ୍ୟ ବେଳେ କୋହଭରା ସ୍ବରରେ କହିଥିଲେ, ମୁଁ ଏହି ଅଭିନବ ଅଭିଯାନକୁ ସମର୍ଥନ କରୁଛି। ସଡ଼କ ସଚେତନତା ‌ଗୋଟେ ପରିବାର ପାଇଁ କେତେ ଗୁରୁତ୍ବପୂର୍ଣ୍ଣ ମୁଁ ଅଙ୍ଗେ ନିଭାଇଛି। ଆମକୁ ପିଲାଦିନେ ପ୍ରଶିକ୍ଷକ ଯେଭଳି କୁହନ୍ତି, ‘ତୁମକୁ ଖେଳିବାକୁ ହେବ… ତୁମକୁ ଖେଳିବାକୁ ହେବ…।’ ସେହିଭଳି ସଡ଼କ ସୁରକ୍ଷା ଅଭିଯାନରେ ପ୍ରତିଟି ପରିବାର ସାମିଲ ହେବା ଲାଗି ସେ ଆହ୍ବାନ କରିଥିଲେ।

ସମ୍ବନ୍ଧିତ ଖବର