ବଳିଦାନ ପାଇଁ ବିସିସିଆଇକୁ ଧନ୍ୟବାଦ ଦେଲା କ୍ରିକେଟ୍ ଅଷ୍ଟ୍ରେଲିଆ

ଭାରତୀୟ କ୍ରିକେଟ୍ ଦଳର ଚଳିତ ଗସ୍ତ ବେଳେ ବିସିସିଆଇ ଏବଂ ଟିମ୍ ଇଣ୍ଡିଆ ଅନେକ କ୍ଷେତ୍ରରେ ସାଲିସ୍ କରିଥିଲେ। ଖେଳାଳିମାନେ ନିଜ ସ୍ବାଧୀନତାକୁ ବଳିଦାନ ଦେଇଥିଲା ବେଳେ ଅଷ୍ଟ୍ରେଲିଆର ବିଭିନ୍ନ ପ୍ରଦେଶର କଠୋର ସଙ୍ଗରୋଧ ନିୟମକୁ ଖୁସୀରେ ଖୁସୀରେ ମାନି ନେଇଥିଲେ। ଏଥିନେଇ କ୍ରିକେଟ୍ ଅଷ୍ଟ୍ରେଲିଆ ପତ୍ର ଲେଖି ବିସିସିଆଇକୁ ଆନୁଷ୍ଠାନିକ ଭାବେ ଧନ୍ୟବାଦ ଦେଇଛି। କ୍ରିକେଟ୍ ଅଷ୍ଟ୍ରେଲିଆର ମଧ୍ୟବର୍ତ୍ତିକାଳୀନ ମୁଖ୍ୟ କାର୍ଯ୍ୟନିର୍ବାହୀ ନିକ୍ ହକ୍‌ଲି ଏବଂ ଅଧ୍ୟକ୍ଷ ଏର୍ଲ ଏଡିଙ୍ଗ୍ସଙ୍କ ପକ୍ଷରୁ ଲେଖା ଯାଇଥିବା ଏହି ପତ୍ରରେ ବିସିସିଆଇକୁ ଭାରତୀୟ କ୍ରିକେଟ୍‌ ଭିତରେ ଥିବା ବନ୍ଧୁ ଭାବେ ବିବେଚନା କରାଯାଇଛି।

କୋଭିଡ୍-୧୯ ସଙ୍କଟ ଭିତରେ ସୌରଭ ଗାଙ୍ଗୁଲିଙ୍କ ସଭାପତିତ୍ବରେ ଏହି ଶୃଙ୍ଖଳାର ସହଜ ଆୟୋଜନ ପାଇଁ ବିସିସିଆଇ ଯେଉଁ ସାହାଯ୍ୟ ସହଯୋଗ କଲା, ତାକୁ ମଧ୍ୟ କ୍ରିକେଟ୍ ଅଷ୍ଟ୍ରେଲିଆ (ସିଏ) ସଲାମ କରିଛି। ଭାରତୀୟ ଦଳର ଗସ୍ତକୁ ସଫଳତାର ସହ ଶେଷ କରିବା ଲାଗି ବିସିସିଆଇର ପ୍ରଚ୍ଛନ୍ନ ଭୂମିକା ଥିବା ମଧ୍ୟ ସିଏ ସ୍ବୀକାର କରିଛି। ଭାରତୀୟ କ୍ରିକେଟ୍ ଦଳର ଏହି ଗସ୍ତରୁ ସିଏ ୩୦ କୋଟି ଅଷ୍ଟ୍ରେଲୀୟ ଡଲାରର ରାଜସ୍ବ ପାଇଥିବା ମଧ୍ୟ ଜଣାପଡ଼ିଛି। ‘‘ସ୍ବାସ୍ଥ୍ୟ ସଙ୍କଟ ଏବଂ ଆନୁଷଙ୍ଗିକ ବ୍ୟବସ୍ଥା ନେଇ ଥିବା କଠିନ ଆହ୍ବାନ ସତ୍ତ୍ବେ, ବିସିସିଆଇ ସହଯୋଗର ଧର୍ମକୁ ଠିକ୍ ଭାବେ ପାଳନ କରିଥିଲା। ଅନ୍ତର୍ଜାତୀୟ କ୍ରୀଡ଼ାର ଶ୍ରେଷ୍ଠ ଦୂତ ଭାବେ ସମସ୍ତ ପ୍ରକାର ସମର୍ଥନ ଦେଇଥିଲା। ଭାରତରେ ଥିବା ଆମ କ୍ରିକେଟ୍ ବନ୍ଧୁ ଦେଇଥିବା ବଳିଦାନକୁ କେବେ ବି ଭୁଲିବୁ ନାହିଁ। ବିସିସିଆଇ ପାଇଁ ହିଁ ଏହି ଶୃଙ୍ଖଳା ସଫଳତା ଓ ଲୋକପ୍ରିୟତାର ଶୀର୍ଷ ଛୁଇଁଲା’’ ବୋଲି ହକ୍‌ଲେ ଓ ଏଡିଙ୍ଗ୍ସ ପଠାଇଥିବା ପତ୍ରରେ ଉଲ୍ଲେଖ କରିଥିଲେ।

ସମ୍ବନ୍ଧିତ ଖବର