ଦେବାଳିଆ ସ୍ଥିତିରେ କ୍ରିକେଟ୍‌ ବୋର୍ଡ

ନୂଆଦିଲ୍ଲୀ: କରୋନା ଆତଙ୍କ ପାଇଁ ଅଧିକାଂଶ ଦ୍ବିପାକ୍ଷିକ ସହ ବହୁ ରାଷ୍ଟ୍ରୀୟ କ୍ରିକେଟ୍ ପ୍ରତିଯୋଗିତା ସ୍ଥଗିତ କିମ୍ବା ବାତିଲ ହୋଇଛି। ପ୍ରତିଯୋଗିତା ବାତିଲ ହେବା ସହ ଏହାର ପ୍ରଭାବ କିଛି କ୍ରିକେଟ୍ ‌ବୋର୍ଡର ଆର୍ଥିକ ସ୍ଥିତି ଉପରେ ମଧ୍ୟ ପଡ଼ିଛି। ରାଜସ୍ବ ଆଦାୟ ହେଉ ନଥିବାରୁ କିମ୍ବା ଆସନ୍ତା କିଛିମାସ ପର୍ଯ୍ୟନ୍ତ ଆଦାୟ ହେବାର ଆଶଙ୍କା ନଥିବାରୁ ଶ୍ରୀଲଙ୍କା, ବାଂଲାଦେଶ, ଦକ୍ଷିଣ ଆଫ୍ରିକା, ୱେଷ୍ଟଇଣ୍ଡିଜ୍ ଓ ପାକିସ୍ତାନ ଭଳି କିଛି ଦେଶର କ୍ରିକେଟ୍ ବୋର୍ଡ ଘୋର ଆର୍ଥିକ ଅନଟନ ଦେଇ ଗତି କରୁଛନ୍ତି। ଏପରିକି ଏମାନଙ୍କ ମଧ୍ୟରୁ କେତେକ ଦେବାଳିଆ ହେବାର ବିପଦ ସୃଷ୍ଟି ହୋଇଛି। ବାଂଲାଦେଶ କ୍ରିକେଟ୍ ବୋର୍ଡ ୬ ବର୍ଷର ପ୍ରସାରଣ ଅବଧି ପାଇଁ ୧୪୦ କୋଟି ଟଙ୍କାର କରିଥିବା ଚୁକ୍ତି ଚଳିତ ବର୍ଷ ଶେଷ ହେଉଛି। ହେଲେ ଏହା ଏ ପର୍ଯ୍ୟନ୍ତ ନବୀକରଣ ହୋଇପାରିନାହିଁ। ସେହିଭଳି ପାକିସ୍ତାନ, ଶ୍ରୀଲଙ୍କା ଓ ଦକ୍ଷିଣ ଆଫ୍ରିକା ଶୃଙ୍ଖଳା ଖେଳୁ ନଥିବାରୁ ପ୍ରସାରଣ ଅଧିକାର ବିକ୍ରିରୁ ସେମାନଙ୍କୁ ମିଳୁଥିବା ରାଜସ୍ବର ସ୍ରୋତ ଏକପ୍ରକାର ଶୁଖି ଯାଇଛି। ଇଂଲଣ୍ଡରେ ମଧ୍ୟ ଆସନ୍ତା ୬ ମାସ ପର୍ଯ୍ୟନ୍ତ କ୍ରିକେଟ୍ ଖେଳା ଯିବାର ଆଶା କମ୍ ରହିଛି। ଯାହା ଫଳରେ ଏହି ବୋର୍ଡ ଦେଢ଼ ଶହରୁ ଅଧିକ କୋଟି ଟଙ୍କାର ଆର୍ଥିକ କ୍ଷତି ସହିଛି। ପାକିସ୍ତାନ କ୍ରିକେଟ୍ ବୋର୍ଡ ପିସିଏଲ୍ ଆୟୋଜିତ ନହୋଇ ପାରିବାରୁ ଘୋର ଆର୍ଥିକ କ୍ଷତି ସହିଛି। ବିସିସିଆଇର ଆର୍ଥିକ କ୍ଷମତା ଭଲ ଥିଲେ ମଧ୍ୟ ଆଇପିଏଲ୍ ଆୟୋଜନ ହୋଇ ନପାରିଲେ ବିଶ୍ବ କ୍ରିକେଟ୍‌ର ସବୁଠାରୁ ଧନୀ କ୍ରିକେଟ୍ ବୋର୍ଡକୁ ମଧ୍ୟ ବଡ଼ ଧରଣର ଆର୍ଥିକ ଝଟ୍‌କା ଲାଗିବାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ। ରାଜସ୍ବ ପାଇବାର ଅନ୍ୟ ଏକ ସାଧନ ‌ବିଶ୍ବକପ୍, ହେଲେ ଅଷ୍ଟ୍ରେଲିଆରେ ଚଳିତ ବର୍ଷ ଆୟୋଜିତ ହେବାକୁ ଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍ ବି ବାତିଲ ହୋଇପାରେ। ଏସିଆ କପ୍ ଆୟୋଜନ ନେଇ ମଧ୍ୟ ସଂଶୟ ରହିଛି। ଏଭଳି ସ୍ଥିତିରେ ଖେଳାଳିଙ୍କ ପାଉଣା ସହ କ୍ରିକେଟ୍ ବିକାଶ ଲାଗି କରୁଥିବା ଖର୍ଚ, କେଉଁଠାରୁ ଯୋଗାଡ଼ କରିବେ, ସେ ନେଇ ସବୁ ବୋର୍ଡ ଚିନ୍ତାରେ ରହିଛନ୍ତି।

କରୋନା ପାଇଁ ପ୍ରଭାବିତ ୨୦୨୦ର ଶୃଙ୍ଖଳା
ଟେଷ୍ଟ୍: ୱେଷ୍ଟଇଣ୍ଡିଜ୍‌ର ଇଂଲଣ୍ଡ ଗସ୍ତ, ଅଷ୍ଟ୍ରେଲିଆର ବାଂଲାଦେଶ ଗସ୍ତ, ପାକିସ୍ତାନର ଇଂଲଣ୍ଡ ଗସ୍ତ, ଭାରତର ଶ୍ରୀଲଙ୍କା ଗସ୍ତ, ଦକ୍ଷିଣ ଆଫ୍ରିକାର ୱେଷ୍ଟଇଣ୍ଡିଜ୍ ଗସ୍ତ, ଭାରତର ଅଷ୍ଟ୍ରେଲିଆ ଗସ୍ତ।

ଦିନିକିଆ: ଆୟର୍ଲାଣ୍ଡ-ଜିମ୍ବାୱେ, ବାଂଲାଦେଶ-ଆୟର୍ଲାଣ୍ଡ, ନ୍ୟୁଜିଲାଣ୍ଡ-ସ୍କଟ୍‌ଲାଣ୍ଡ୍‌, ପାକିସ୍ତାନ-ନେଦରଲାଣ୍ଡ୍ସ, ନ୍ୟୁଜିଲାଣ୍ଡ-ୱେଷ୍ଟଇଣ୍ଡିଜ୍, ଅଷ୍ଟ୍ରେଲିଆ-ଇଂଲଣ୍ଡ, ଆୟର୍ଲାଣ୍ଡ-ଇଂଲଣ୍ଡ, ଭାରତ-ଦକ୍ଷିଣ ଆଫ୍ରିକା,।
ଟ୍ବେଣ୍ଟି-୨୦: ‌ଟ୍ବେଣ୍ଟି-୨୦ ବିଶ୍ବକପ୍ ସହ ୧୦ ଦ୍ବିପାକ୍ଷିକ ଶୃଙ୍ଖଳା।

ସମ୍ବନ୍ଧିତ ଖବର