ବର୍ମିଙ୍ଗ୍ହାମ୍: ୨୪ ବର୍ଷର ବ୍ୟବଧାନ ପରେ ରାଜ୍ୟଗୋଷ୍ଠୀ କ୍ରୀଡ଼ାକୁ ଫେରିଲା କ୍ରିକେଟ୍। ଇଂଲଣ୍ଡର ବର୍ମିଙ୍ଗ୍ହାମ୍ରେ ୨୦୨୨ରେ ଆୟୋଜିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମହିଳା ଟ୍ବେଣ୍ଟି-୨୦କୁ ସାମିଲ କରାଯାଇଛି ବୋଲି ଆୟୋଜକ ସ୍ପଷ୍ଟ କରିବା ପରେ ଆନ୍ତର୍ଜାତିକ କ୍ରିକେଟ୍ ପରିଷଦ (ଆଇସିସି) ଖୁସୀ ଜାହିର କରିଛି। ଶେଷ ଥର ପାଇଁ ୧୯୯୮ ସଂସ୍କରଣରେ କ୍ରିକେଟ୍କୁ ଏକ ଶୃଙ୍ଖଳା ଭାବେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସାମିଲ କରାଯାଇଥିଲା। କୁଆଲାଲୁମ୍ପୁରରେ ଆୟୋଜିତ ସେହି ସଂସ୍କରଣରେ ୫୦ ଓଭର ବିଶିଷ୍ଟ ପୁରୁଷ ଦିନିକିଆ କ୍ରିକେଟ୍ ପ୍ରତିଯୋଗିତା ସାମିଲ ଥିଲା। ସେଥିରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ଦକ୍ଷିଣ ଆଫ୍ରିକା ସ୍ବର୍ଣ୍ଣ ପଦକ ଜିତିଥିଲା। ଏହାପରଠୁ ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ କ୍ରିକେଟ୍ ଉଭାନ୍ ହୋଇଯାଇଥିଲା। ୨୪ ବର୍ଷ ପରେ ପୁଣି ଥରେ ଫେରିଥିଲେ ମଧ୍ୟ ୨୦୨୨ରେ କେବଳ ମହିଳା ଟ୍ବେଣ୍ଟି-୨୦ ପ୍ରତିଯୋଗିତା ଦେଖିବାକୁ ମିଳିବ। ଏହି ପ୍ରତିଯୋଗିତାରେ ୮ ଦଳ ଅଂଶ ଗ୍ରହଣ କରିବେ। ମହିଳା ଟ୍ବେଣ୍ଟି-୨୦ ପ୍ରତିଯୋଗିତା ଏଜ୍ବାଷ୍ଟନରେ ଖେଳାଯିବ। ରାଜ୍ୟଗୋଷ୍ଠୀ କ୍ରୀଡ଼ାକୁ କ୍ରିକେଟ୍ ଫେରିବା ନେଇ ଆଇସିସି ସ୍ବାଗତ କରିଛି। ଏଭଳି ନିଷ୍ପତ୍ତି ବାସ୍ତବରେ ମହିଳା କ୍ରିକେଟ୍ ଏବଂ ବିଶ୍ବ କ୍ରିକେଟ୍ ସଂପ୍ରଦାୟ ପାଇଁ ଏକ ଐତିହାସିକ ମୁହୂର୍ତ୍ତ ବୋଲି ଆଇସିସି ବିବୃତିରେ କହିଛି। ଏପରିକି ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମହିଳା ଟ୍ବେଣ୍ଟି-୨୦ ପାଇଁ ଆମେ ମ୍ୟାଚ୍ ପରିଚାଳନା ଅଧିକାରୀଙ୍କୁ ପଠାଇବୁ ବୋଲି ଆଇସିସି ପ୍ରତିଶୃତି ଦେଇଛି। ଅନ୍ୟପକ୍ଷରେ ଏହା ବିଶେଷକରି ଅଧିକରୁ ଅଧିକ ମହିଳା ଓ ବାଳିକାଙ୍କୁ କ୍ରିକେଟ୍ ପ୍ରତି ଆକର୍ଷିତ ଓ ପ୍ରେରିତ କରିବ ବୋଲି ଇଂଲଣ୍ଡ ଆଣ୍ଡ୍ ୱେଲ୍ସ କ୍ରିକେଟ୍ ବୋର୍ଡ (ଇସିବି) ମୁଖ୍ୟ କାର୍ଯ୍ୟନିର୍ବାହୀ ଟମ୍ ହାରିସନ୍ କହିଛନ୍ତି।
ଏଠାରେ ସୂଚନାଯୋଗ୍ୟ, ରାଜ୍ୟଗୋଷ୍ଠୀ କ୍ରୀଡ଼ା ପୂର୍ବରୁ ୨୦୨୧ରେ ମହିଳା କ୍ରିକେଟ୍ ବିଶ୍ବକପ୍ ନୁଜିଲାଣ୍ଡରେ ଆୟୋଜିତ ହେବ। ତେଣୁ ମହିଳା ଟ୍ବେଣ୍ଟି-୨୦କୁ ୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସାମିଲ କରାଯାଇଥିବାରୁ ନ୍ୟୁଜିଲାଣ୍ଡ ଅଧିନାୟିକା ଆମି ସାଟର୍ଥୱେଟ୍ ସ୍ବାଗତ କରିଛନ୍ତି। ଆମେ ଯେଉଁ ଦେଶ ବିପକ୍ଷରେ ଖେଳୁପାରୁନଥିଲୁ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସେମାନଙ୍କ ସହ ପ୍ରତିଦ୍ବନ୍ଦ୍ବିତା କରିବାର ଏହା ବଡ଼ ସୁଯୋଗ ହେବ ବୋଲି ସେ କହିଛନ୍ତି। ମହିଳା ଟ୍ବେଣ୍ଟି-୨୦ ବ୍ୟତୀତ ଆଉ ଦୁଇ ଖେଳ ମଧ୍ୟ ୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସାମିଲ ହୋଇଛି। ଏହି ଦୁଇଟି ହେଲା ବିଚ୍ ଭଲିବଲ୍ ଓ ପାରା ଟେବୁଲ ଟେନିସ୍। ତେବେ ବନ୍ଧୁକଚାଳନାକୁ ଏହି ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସାମିଲ କରାଯାଇନାହିଁ। ୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଏହି ତିନି ଖେଳକୁ ସାମିଲ କରାଯାଇଥିବାରୁ ଆମେ ସ୍ବାଗତ କରୁଛୁ ବୋଲି କହିଛନ୍ତି ରାଜ୍ୟଗୋଷ୍ଠୀ କ୍ରୀଡ଼ା ସଂଘ ସଭାପତି ଡେମ୍ ଲୁଇସ୍ ମାର୍ଟିନ୍। ଆମେ ମହିଳା କ୍ରିକେଟ୍ ଓ ପାରା କ୍ରୀଡ଼ା ପାଇଁ ବିଶେଷ ଅନୁରୋଧ କରିଥିଲୁ। ଆଉ ଆଜି ଏହାର ସାମିଲ ସଂପର୍କରେ ସ୍ବତନ୍ତ୍ର ଘୋଷଣା କରି ଅତିମାତ୍ରାରେ ଖୁସୀ ବୋଲି ମାର୍ଟିନ୍ କହିଛନ୍ତି। ଏହି ତିନି ଖେଳର ସାମିଲକୁ ମଧ୍ୟ ବ୍ରିଟେନ୍ କ୍ରୀଡ଼ା ମନ୍ତ୍ରୀ ନିଗେଲ ଆଦାମ୍ସ ସ୍ବାଗତ କରିଛନ୍ତି।
ଏହି ତିନି ଖେଳ ସାମିଲ ପରେ ୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମହିଳାଙ୍କ ଇଭେଣ୍ଟରେ ମୋଟ ପଦକ ସଂଖ୍ୟା ୧୩୫କୁ ବୃଦ୍ଧି ପାଇଛି। ଯାହାକି ପ୍ରଥମ ଥର ଲାଗି କୌଣସି ବହୁ କ୍ରୀଡ଼ା ଶୃଙ୍ଖଳ ପ୍ରତିଯୋଗିତାରେ ପୁରୁଷଙ୍କ ମୋଟ ପଦକ ତୁଳନାରେ ଅଧିକ ରହିଛି। ୨୦୨୨ ସଂସ୍କରଣରେ ପୁରୁଷଙ୍କ ଇଭେଣ୍ଟରେ ମୋଟ ପଦକ ସଂଖ୍ୟା ୧୩୩ ରହିବ। ଏହା ମହିଳା କ୍ରୀଡ଼ାର ବିକାଶରେ ସହାୟକ ହେବ ବୋଲି ଆଦାମ୍ସ କହିଛନ୍ତି। କେବଳ ସେତିକି ନୁହେଁ ପାରା କ୍ରୀଡ଼ାର ମଧ୍ୟ ବିକାଶ ନିମନ୍ତେ ଏହା ସୁଯୋଗ ରଖିବ। ୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଜୁଲାଇ ୨୭ରୁ ଅଗଷ୍ଟ ୧୭ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ। ସେଥିରେ ୧୯ କ୍ରୀଡ଼ା ଶୃଙ୍ଖଳରେ ପ୍ରାୟ ୪୫୦୦ ଆଥ୍ଲେଟ୍ଙ୍କ ସଂପୃକ୍ତି ଦେଖିବାକୁ ମିଳିବ।