ଦୋହା: ବିଶ୍ବର ସବୁଠୁ ଧନୀ କ୍ରିକେଟ୍‌ ବୋର୍ଡ ବିସିସିଆଇର ଟ୍ବେଣ୍ଟି-୨୦ ଲିଗ୍‌ ଆଇପିଏଲ୍‌ ବର୍ତ୍ତମାନ ସବୁଠୁ ଅଧିକ ଚର୍ଚ୍ଚିତ ପ୍ରତିଯୋଗିତା ହୋଇଯାଇଛି। ଏପରିକି ଆର୍ଥିକ କ୍ଷେତ୍ରରେ ଅନ୍ୟ କୌଣସି ଲିଗ୍‌ ଆଇପିଏଲ୍‌ର ନିକଟତର ହୋଇପାରିନାହାନ୍ତି। କିନ୍ତୁ ଆଗକୁ ସାଉଦି ଆରବ ବିଶ୍ବର ସବୁଠୁ ଧନୀ ଟ୍ବେଣ୍ଟି-୨୦ ଲିଗ୍ ଆୟୋଜନ କରିବାକୁ ଯୋଜନା କରିଛି। ପୂର୍ବରୁ ଫୁଟବଲ୍‌, ଫର୍ମୁଲା-୧ ଭଳି କ୍ରୀଡ଼ାରେ ବଡ଼ଧରଣର ନିବେଶ କରିବା ପରେ ଏବେ ସାଉଦି ଆରବର ନଜର କ୍ରିକେଟ୍‌ ଉପରେ ପଡ଼ିଛି। ତେଣୁ ଆଇପିଏଲ୍‌ର ବିଭିନ୍ନ ଫ୍ରାଞ୍ଚାଇଜି ମାଲିକମାନଙ୍କୁ ସାଉଦି ଆରବରେ ଟ୍ବେଣ୍ଟି-୨୦ ଲିଗ୍‌ ଆରମ୍ଭ କରିବା ପାଇଁ ପ୍ରସ୍ତାବ ଦେଇଛି।

Advertisment

ପୂର୍ବରୁ ବିସିସିଆଇ ଭାରତୀୟ କ୍ରିକେଟରଙ୍କୁ ଆଇପିଏଲ୍‌ ବ୍ୟତୀତ ଅନ୍ୟ କୌଣସି ଲିଗ୍‌ରେ ଖେଳିବାକୁ ଅନୁମତି ଦେଉନାହିଁ। କିନ୍ତୁ ସାଉଦିରେ ଯଦି ଆଇପିଏଲ୍‌ଠୁ ଧନୀ ଲିଗ୍‌ ଆୟୋଜନ ହୁଏ, ତାହେଲେ ବିସିସିଆଇ ତାହାର ନିୟମରେ କୋହଳ କରିପାରେ ବୋଲି କୁହାଯାଉଛି। ଏସଂକ୍ରାନ୍ତରେ ପ୍ରାୟ ବର୍ଷେ ଧରି ସାଉଦି ଆରବିଆନ୍‌ କ୍ରିକେଟ୍‌ ଫେଡେରେସନ୍‌ ସହିତ ବିସିସିଆଇ ଓ ଆଇପିଏଲ୍‌ ଫ୍ରାଞ୍ଚାଇଜି ମାଲିକମାନଙ୍କର ଆଲୋଚନା ଜାରି ରହିଛି। ସାଉଦି ଅଧିକାରୀମାନେ ମଧ୍ୟ ଆଇପିଏଲ୍‌ର ବିଭିନ୍ନ ମ୍ୟାଚ୍‌ ସମୟରେ ଷ୍ଟାଡିୟମ୍‌ରେ ଉପସ୍ଥିତ ରହିବା ଘଟଣା ଉକ୍ତ ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଉଛି। ଦେଶରେ କ୍ରିକେଟ୍‌କୁ ବିକଶିତ କରିବା ପାଇଁ ଏସିଆ କପ୍‌ର କିଛି ମ୍ୟାଚ୍‌ କିମ୍ବା ଆଇପିଏଲ୍‌ର କିଛି ମ୍ୟାଚ୍‌ ସାଉଦି ଆରବରେ ଆୟୋଜନ କରିବା ପାଇଁ ବିସିସିଆଇ ଆଗରେ ପ୍ରସ୍ତାବ ରଖିଛି। ତଥାପି ସାଉଦିର ଉକ୍ତ ଲିଗ୍‌କୁ ଆଇସିସିର ସ୍ବୀକୃତି ମିଳିପାରିଲେ ବିଶ୍ବର ସମସ୍ତ ଦେଶମାନଙ୍କରୁ ଖେଳାଳିମାନେ ସେଥିରେ ଖେଳିପାରିବେ।