ନୂଆଦିଲ୍ଲୀ: ଏସିଆ କପରେ ଆଜି ଆମ୍ନାସାମ୍ନା ହେବେ ଭାରତ-ପାକିସ୍ତାନ । ସୁପର ସଣ୍ଡେରେ ଆଜି ଦେଖିବାକୁ ମିଳିବ ସୁପର ମୁକାବିଲା । ରାତି ୮ଟାରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଟକ୍କର ଥିବା ବେଳେ ଦୁବାଇରେ ହେବାକୁ ଥିବା ଏହି ମ୍ୟାଚ୍ ଉପରେ ସାରା ବିଶ୍ବର ନଜର ରହିଛି । ଟିମ୍ ଇଣ୍ଡିଆର ବିଜୟ ପାଇଁ ଭାରତରେ ପୂଜାର୍ଚ୍ଚନା ଆରମ୍ଭ ହୋଇଥିବା ବେଳେ ବାରାଣାସୀରେ ମହାଦେବଙ୍କ ପାଖରେ ପୂଜା କରିଛନ୍ତି ପ୍ରଶଂସକ । ବିଜୟ ପାଇଁ ହୋମ କରାଯାଇଥିବା ବେଳେ ସେଠାରେ ଦେଖିବାକୁ ମିଳିଛି ଏକ ନିଆରା ପୋଷ୍ଟର । ଯେଉଁଥିରେ ଲେଖା ହୋଇଛି ଅପରେସନ ସିନ୍ଦୂର-୨ ।

Advertisment

ପୋଷ୍ଟରେ ଭାରତ- ପାକିସ୍ତାନ ଟକ୍କର ସହ ଅପରେସନ ସିନ୍ଦୂର-୨ ଲେଖି ଇଣ୍ଡିଆର ବିଜୟ ପାଇଁ ନାରା ବାଜି ଦିଆଯାଉଛି । ପହଲଗାମ୍ ହମଲା ଏବଂ ଅପରେସନ ସିନ୍ଦୂର ପରେ ଏହା ପାକିସ୍ତାନ ସହ ଭାରତର ପ୍ରଥମ ମ୍ୟାଚ ହୋଇଥିବାରୁ ଏହାକୁ ଅପରେସନ ସିନ୍ଦୂର-୨ ବୋଲି ନାଁ ଦେଇଛନ୍ତି ଫ୍ୟାନ୍ । ଯେଉଁଥିରେ ବି ପାକିସ୍ତାନକୁ ହରାଇବାକୁ ପ୍ରଶଂସକମାନେ ଆଶା ରଖିଛନ୍ତି । ତେବେ ଏପରି ଦୃଶ୍ୟ ବାରଣାସୀରୁ ଆସିଥିବା ବେଳେ ଏହା ବେଶ ଚର୍ଚ୍ଚାରେ ରହିଛି । 

ତେବେ ଦୁଇ ଦେଶ ଚଳିତ ଏସିଆ କପରେ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି । ଭାରତ ଏକତରଫା ମ୍ୟାଚରେ ୟୁଏଇକୁ ପରାସ୍ତ କରିଥିଲା । ସେପଟେ ଓମାନକୁ ହରାଇ ଅଭିଯାନ ଆରମ୍ଭ କରିଥିଲା ପାକିସ୍ତାନ । ଏସିଆ କପରେ ଏଯାଏଁ ଦୁଇ ଦେଶ ପରସ୍ପରକୁ ୧୮ ଥର ସାମ୍ନା କରିଛନ୍ତି । ଭାରତ ୧୦ଟି ମ୍ୟାଚରେ ବିଜୟୀ ହୋଇଥିବା ବେଳେ ୬ଟି ମ୍ୟାଚରେ ପାକିସ୍ତାନ ବିଜୟୀ ହୋଇଛି । ଦୁଇଟି ମ୍ୟାଚର ଫଳାଫଳ ବାହାରି ପାରିନି । ତେଣୁ ରେକର୍ଡ ଭାରତ ସପକ୍ଷରେ ରହିଛି । 

ଆଜି ଭାରତୀୟ ସମୟ ରାତି ୮ଟା ବେଳେ ମ୍ୟାଚ୍ ଖେଳାଯିବ । ଏହି ମ୍ୟାଚକୁ ନେଇ ଭାରତୀୟ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ସେତେଟା ଉତ୍ସାହ ବି ଦେଖିବାକୁ ମିଳୁ ନାହିଁ । ଭାରତ-ପାକିସ୍ତାନ ମ୍ୟାଚ୍ ପୂର୍ବରୁ ଯେପରି ମାହୋଲ ରହିବା କଥା, ସେପରି ଦୃଶ୍ୟମାନ ହେଉ ନାହିଁ। କାରଣ ପହଲଗାମ ଆକ୍ରମଣ ପରେ ଭାରତ ଅପରେସନ୍ ସିନ୍ଦୂର ମାଧ୍ୟମରେ ପାକିସ୍ତାନକୁ ଜବାବ ଦେଇଥିଲା । ଅପରେସନ ସିନ୍ଦୂର ପରେ ଏହା ଭାରତ ଓ ପାକିସ୍ତାନ ମଧ୍ୟରେ ପ୍ରଥମ ମ୍ୟାଚ୍ । ମ୍ୟାଚର ଟିକେଟ ବି ବିକ୍ରି ହୋଇପାରିନି । 

ପାକିସ୍ତାନ ସହ ଭାରତ କାହିଁକି ମ୍ୟାଚ୍ ଖେଳୁଛି ବୋଲି ବିଭିନ୍ନ ବର୍ଗର ଲୋକ ପ୍ରଶ୍ନ ଉଠାଇଛନ୍ତି । ବଲିଉଡ ସେଲିବ୍ରିଟିଠୁ ନେଇ ବିରୋଧୀ ରାଜନେତା ମ୍ୟାଚ୍ ବର୍ଜନ ପାଇଁ ଦାବି କରୁଛନ୍ତି । ଯଦି ମ୍ୟାଚ୍ ହୁଏ ତେବେ ଏହାର ପ୍ରସାରଣ ଭାରତରେ ନକରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ଅପିଲ କରିଛି ଫେଡେରେସନ ଅଫ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ ଏମ୍ପ୍ଲଇଜ । ବିଭିନ୍ନ ସଙ୍ଗଠନ ପକ୍ଷରୁ ମଧ୍ୟ ବିରୋଧ ପ୍ରଦର୍ଶନ ହୋଇଛି । ଏପରିକି ଉଦ୍ଧବ ଠାକରେ ମୋଦୀ ସରକାରଙ୍କୁ ପ୍ରଶ୍ନ ଘେରକୁ ଟାଣିଛନ୍ତି ।