ଗୃହାବଦ୍ଧରେ କ୍ରିକେଟ୍‌ ଯୋଦ୍ଧା, ଗମ୍ଭୀରତାର ସହ ନେବାକୁ ଅଭିଷେକଙ୍କ ଆହ୍ବାନ

ପୁଅଝିଅଙ୍କୁ ପାଠ ପଢ଼ାଉଛନ୍ତି ରଶ୍ମି, ଶାନ୍ତନୁ କହିଲେ ଲଢ଼ିକି ଜିତିବା

ଭୁବନେଶ୍ବର(ସୁରେଶ ସ୍ବାଇଁ): ସାମ୍ପ୍ରତିକ କରୋନା ମହାମାରୀ ପରିସ୍ଥିତି ମଧ୍ୟରେ ବି ରାଜ୍ୟର ଆଗଧାଡ଼ିର କ୍ରିକେଟର୍‌ମାନେ ସେମାନଙ୍କ ଲଢ଼େଇ ଜାରି ରଖିଛନ୍ତି। ଦୀର୍ଘ ୩ ବର୍ଷ ପରେ କ୍ବାର୍ଟର ଫାଇନାଲ୍‌ ଖେଳିଥିବା ଓଡ଼ିଶା ରଣଜୀ ଦଳର ସମସ୍ତ ସଦସ୍ୟଙ୍କୁ ସେମାନଙ୍କ ଦୈନଦିନ କାମ, ଯୋଜନା, କରୋନା ସମ୍ପର୍କିତ ସଚେତନତା ଓ ଦାୟିତ୍ବ ଜାଣିବାକୁ ‘ସମ୍ବାଦ’ ଚେଷ୍ଟା କରିଥିଲା। ନିଜ ଫିଟ୍‌ନେସ୍‌ ଲାଗି ସେମାନେ ବ୍ୟାୟାମ କରିବା ସହିତ ପରିବାର ସହ ସମୟ କାଟିବାରେ ଲାଗିଛନ୍ତି ବୋଲି ମତ ଦେଇଥିଲେ। କରୋନାଠୁ ଆମେ ଜିତିପାରିବାର ଦୃଢୋକ୍ତି ରଖିଥିଲେ। ପ୍ରଥମ ପର୍ଯ୍ୟାୟରେ ଆମେ ଓଡ଼ିଶା ଦଳର ୭ ଜଣଙ୍କୁ ଉପସ୍ଥାପିତ କରିଥିବା ବେଳେ ଅବଶିଷ୍ଟ ୮ ଜଣଙ୍କର ଏଠାରେ ସ୍ଥାନିତ କରୁଛୁ।

ସକାରାତ୍କକ ଭାବନାରେ ସନ୍ଦୀପ
ଏଭଳି ଏକ କଷ୍ଟକର ତଥା ଘଡ଼ିସନ୍ଧୀ ମୁହୂର୍ତରେ ନକାରାତ୍ମକ ଚିନ୍ତା ନ କରି ସକାରାତ୍ମକ ଭାବନା ଭିତରେ ରହିବା ଭଲ। ଏହା ନିଜ ପାଇଁ ଏବଂ ପରିବାର ପାଇଁ ସୁଖଦ ପରିବେଶ ଆଣିବ। ଜୀବନରେ ଖୁବ୍ କମ ସମୟ ଆସିଥାଏ ପରିବାର ତଥା ପସନ୍ଦର ଲୋକଙ୍କ ସହ ଦିନସାରା ରହିବା ସୁଯୋଗ। ସମସ୍ତେ ଘରେ ରହିଲେ ହିଁ ଆମେ ମିଶିକରି କରୋନାକୁ ହରାଇ ପାରିବା। ବ୍ୟକ୍ତିଗତ ଭାବେ ମୁଁ ଦୈନିକ ଛାତ ଉପରେ କିଛି ସମୟ ବ୍ୟାୟାମ କରୁଛି ଏବଂ ଫିଟ୍‌ନେସ୍‌ ବଜାୟ ରଖିବାକୁ ଚେଷ୍ଟା କରୁଛି। ପରିବାର ସହ ସମୟ କାଟିବାର ଭଲ ସମୟ ମିଳିଛି। ମୁଁ ରୋଷେଇ କରୁଛି, ବ୍ୟାଟିଂ ଭିଡିଓ ଦେଖୁଛୁ ଏବଂ ପରିବାର ଲୋକଙ୍କ ସହ ତାସ୍‌ ଖେଳିବାରେ ସମୟ ବିତାଇ ଦେଉଛି ବୋଲି କହିଥିଲେ ଓଡ଼ିଶା ରଣଜୀ ଦଳର ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍ ସନ୍ଦୀପ ପଟ୍ଟନାୟକ। ଓଡ଼ିଶା ପାଇଁ ୧୮ ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳି ୨ ଶତକ, ୧ ଅର୍ଧଶତକ ସହିତ ୭୪୬ ରନ୍ କରିଛନ୍ତି ସନ୍ଦୀପ।

ଶାନ୍ତନୁ କହିଲେ ଲଢ଼ିକି ଜିତିବା
ଓଡ଼ିଶା କ୍ରିକେଟ୍‌ର ଅନ୍ୟତମ ଯୁବ ପ୍ରତିଭା ହେଲେ ଶାନ୍ତନୁ ମିଶ୍ର। କରୋନା କାରଣରୁ ଗୃହାବଦ୍ଧ ଥିବା ଶାନ୍ତନୁ ନିଜ ଫିଟ୍‌ନେସ୍‌ ପାଇଁ ହାଲକା ବ୍ୟାୟାମ କରୁଛନ୍ତି। ମେଡିସିନ୍‌ ବଲ୍‌ ଜରିଆରେ ଶାରୀରିକ ସକ୍ଷମତା ବଢ଼ାଉଛନ୍ତି। ଗମ୍ଭୀରତାର ପ୍ରେରଣାଦାୟୀ ପୁସ୍ତକ ପଢ଼ିବା ମଧ୍ୟ ତାଙ୍କ ଭଲ ଅଭ୍ୟାସ ବୋଲି କୁହନ୍ତି ତାଙ୍କ ପିତା ସୁରେନ୍ଦ୍ର ମିଶ୍ର। ସାମ୍ପ୍ରତିକ ପରିସ୍ଥିତିରେ ସେ ସରକାରଙ୍କ ପଦକ୍ଷେପଗୁଡିକୁ ପ୍ରଶଂସା କରିଛନ୍ତି ଏବଂ ଲୋକଙ୍କ ସହଯୋଗକୁ ସାବାସୀ ଦେଇଛନ୍ତି। ଆମେ ନିଶ୍ଚିତ କରୋନା ଲଢ଼େଇ ବିରୋଧରେ ଜିତିବା ବୋଲି ପ୍ରକାଶ କରିଛନ୍ତି ୨୫ ବର୍ଷୀୟ ଶୀର୍ଷକ୍ରମ ବ୍ୟାଟ୍‌ସମ୍ୟାନ୍‌ ଶାନ୍ତନୁ। ୨୦ ମ୍ୟାଚ୍‌ରୁ ୧ ଶତକ, ୮ ଅର୍ଧଶତକ ସହିତ ୧୧୬୬ ରନ୍ ସଂଗ୍ରହ କରି ସାରିଛନ୍ତି ଏହି ଯୁବ ତାରକା।

ବ୍ୟାୟାମରେ ବିତୁଛି ପ୍ରୀତ୍‌ଙ୍କ ବେଳ
କରୋନା ଭଳି ମହାମାରୀ ଏକ ଅପ୍ରତ୍ୟାଶିତ ଓ କଠୋର ପରିସ୍ଥିତି ଆଣି ଦେଇଛି। ଛାନିଆ ନ ହୋଇ କେବଳ ନିୟମ ମାନି ଚଳିବା ଉଚିତ୍‌। ଏହି ମହାମାରୀକୁ ହରାଇବା ଲାଗି ସାମିଲ ସମସ୍ତ ଯୋଦ୍ଧାଙ୍କ ଲାଗି ମୁଁ ପ୍ରାର୍ଥନା କରୁଛି। ମୁଁ ନିଜକୁ ଗୃହାବଦ୍ଧ ରଖି ଫିଟନେସ୍‌ କାମରେ ବିନିଯୋଗ କରିଛି। ଏହି ଦୁର୍ଦିନରୁ ବାହାରିବା ପରେ ସବୁକିଛି ଠିକ୍ ଚାଲିବ ବୋଲି ମୁଁ ଆଶା କରୁଛି। ବ୍ୟକ୍ତିଗତ ଭାବେ ମୁଁ ମୋ ଖେଳ ଜୀବନର ଲକ୍ଷ୍ୟକୁ ହାସଲ କରିବା ଲାଗି ସୁଯୋଗ ପାଇବି ବୋଲି ଆଶା। ଦୈନିକ ମୁଁ ସକାଳ ୫ଟାରୁ ଉଠି ଦୌଡ଼ିବା ସହ ବ୍ୟାଟିଂ ଡ୍ରିଲ୍‌, ପୁସ୍ ଅପ୍‌ ଆଦି କରୁଛି ବୋଲି କହିଥିଲେ ପ୍ରୀତ୍ କୱଁର ସିଂହ ଚୌହାନ। ଗତ ଫେବ୍ରୁଆରିରେ ବେଙ୍ଗଲ ବିପକ୍ଷ ରଣଜୀ ଟ୍ରଫି କ୍ବାର୍ଟର ଫାଇନାଲରେ ପ୍ରଥମ ଶ୍ରେଣୀ ପଦାର୍ପଣ କରିଥିଲେ ପୂର୍ବତନ ଖେଳାଳି ଗୁରଜିତ୍ ସିଂହ ଚୌହାନଙ୍କ ଏହି ସୁପୁତ୍ର। ଦୁଇ ଋତୁ ତଳେ ବିଜୟ ହାଜରେ ଟ୍ରଫି ଖେଳିବା ପରେ ବରିଷ୍ଠ ଦଳରେ ସ୍ଥାନ ପାଇଛନ୍ତି ଏହି ଡାହାଣହାତୀ ଦ୍ରୁତ ବୋଲର।

ମୋଦୀଙ୍କ କଥା ମାନିବାକୁ ଦେବଙ୍କ ଆହ୍ବାନ
କରୋନା ମହାମାରୀ ଭଳି ଜଟିଳ ସାମାଜିକ ସଙ୍କଟ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେଉଁ ପଦକ୍ଷେପ ନେଇଛନ୍ତି ସେସବୁକୁ ମୁଁ ସମର୍ଥନ କରୁଛି। ତାଙ୍କ ନିଷ୍ପତ୍ତିକୁ ମାନି ଆମେ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କଲେ ନିଜେ ବଞ୍ଚିବା ସହିତ ନିଜ ପରିବାରକୁ ସୁରକ୍ଷିତ ରଖିପାରିବା। ଖେଳାଳିମାନଙ୍କୁ ମୁଁ ଏତିକି କହିବି ‌ଘରେ ‌ବିରକ୍ତ ନ ହୋଇ ପରିବାର ସହିତ ଭଲ ସମୟ କାଟନ୍ତୁ। ନିଜ ନିଜ ଫିଟ୍‌ନେସ୍‌ ଉପରେ ଗୁରୁତ୍ବ ଦେବା ସହିତ ସାମାଜିକ ଦାୟିତ୍ବ ବି ତୁଲାଇ ପାରିଲେ ଭଲ ହେବ ବୋଲି କହିଛନ୍ତି ଦେବବ୍ରତ ପ୍ରଧାନ। ମୁଁ ଘରେ ଥିବାରୁ ଦୈନଦିନ ବ୍ୟାୟାମ ସହିତ ବେଳେ ବେଳେ ରୋଷେଇ କରୁଛି। ପରିବାର ସହ ସମୟ କାଟୁଛି ବୋଲି କହିଥିଲେ ଓଡ଼ିଶା ପାଇଁ ୧୧ ମ୍ୟାଚ୍‌ରୁ ୩୫ ୱିକେଟ୍ ସହିତ ୨୮୦ ରନ୍ ସଂଗ୍ରହ କରିଥିବା ଏହି ଯୁବ ଅଲରାଉଣ୍ଡର୍‌।

ପୁଅ ସହ ବିତୁଛି ସୁଜିତଙ୍କ ସମୟ
କ୍ରିକେଟର୍‌ ପତିପତ୍ନୀ ଭାବେ ଓଡ଼ିଶା କ୍ରିକେଟ୍‌ରେ ବେଶ ଜଣାଶୁଣା ସୁଜିତ ଲେଙ୍କା ଏବଂ ସ୍ବାହା ନାୟକ। ଲକ୍‌ଡାଉନ୍ ବି ଏହି କ୍ରିକେଟ୍‌ ଦମ୍ପତ୍ତିଙ୍କ ଉତ୍ସାହକୁ ରୋକି ପାରିନି। ଘରେ ଦୁଇଟି ପିଲାଙ୍କ (ପୁଅ ଜୟ ଓ ଝିଆରି ଶ୍ରୀବାଳୀ) ଯତ୍ନ ନେବା ସହ ଉଭୟ ବି ଶାରୀରିକ ବ୍ୟାୟାମ କରୁଛନ୍ତି। ‘ମୋର ତ ପୂରା ସମୟ ପୁଅ ଜୟ ସହ କଟୁଛି’ ବୋଲି ପ୍ରଥମ ବାକ୍ୟରେ କହିଥିଲେ ଓଡ଼ିଶା ରଣଜୀ ଦଳର ୱିକେଟ୍‌ରକ୍ଷକ ବ୍ୟାଟ୍‌ସମ୍ୟାନ୍‌ ସୁଜିତ ଲେଙ୍କା। କୋଭିଡ୍‌-୧୯ରୁ ମୁକାବିଲା ପାଇଁ ଘରେ ରହିବା ସହ ସାମାଜିକ ଦୂରତା ରକ୍ଷା କରିବାକୁ ପଡ଼ିବ ଏବଂ ସରକାରଙ୍କ ସବୁ ନିୟମ ମାନି ସହଯୋଗ କରିବା ଉଚିତ୍‌ ବୋଲି ପ୍ରକାଶ କରିଥିଲେ ୨୭ ବର୍ଷୀୟ ସୁଜିତ୍‌। ୧୩ ମ୍ୟାଚ୍‌ରୁ ଗୋଟିଏ ଅର୍ଧଶତକ ସହ ୩୩୩ ରନ୍‌ ଏବଂ ୪୯ ଡିସ୍‌ମିସାଲ୍‌ କରିଛନ୍ତି ସୁଜିତ୍‌। ପତ୍ନୀ ସ୍ବାହା ବି ଓଡ଼ିଶା ମହିଳା କ୍ରିକେଟ୍‌ ଦଳରୁ ଢେର କିଛି ସମୟ ଖେଳି ଏବେ ସାଂସାରିକ ଜୀବନରେ ରହିଛନ୍ତି। କ୍ରିକେଟ୍‌ ଜୀବନ ଶେଷ ପରେ ସ୍ବାହା ସୁଜିତ୍‌ଙ୍କ ପରିବାର ସମ୍ଭାଳିଛନ୍ତି।

ଗମ୍ଭୀରତାର ସହ ନେବାକୁ ଅଭିଷେକଙ୍କ ଆହ୍ବାନ
ଓଡ଼ିଶା କ୍ରିକେଟ୍‌ ଦଳର ଅନ୍ୟତମ ଅଲରାଉଣ୍ଡର୍‌ ହେଲେ ଅଭି‌ଷେକ ରାଉତ। ଆଇପିଏଲ୍‌ ସହିତ ଗୋଆ, ମହାରାଷ୍ଟ୍ର ପାଇଁ ରଣଜୀ ଖେଳିବା ପରେ ଓଡ଼ିଶା ଆସିଛନ୍ତି ଏହି କେନ୍ଦୁଝର କ୍ରିକେଟର୍‌। କରୋନା ମହାମାରୀର ଭୟାବହତାକୁ ହାଲକାରେ ନ ନେଇ ଗମ୍ଭୀରତାର ସହ ସରକାରୀ ନିୟମକୁ ମାନିବାକୁ ଆହ୍ବାନ ଦେଇଛନ୍ତି ଅଭିଷେକ। ମୁଖା ଓ ହସ୍ତ ପ୍ରକ୍ଷାଳକ ବ୍ୟବହାର ସହିତ ସାମାଜିକ ଦୂରତାକୁ ମାନିବାକୁ ସେ ନିବେଦନ କରିଛନ୍ତି। ବିଶ୍ବରେ ୮୫ ହଜାରରୁ ଊର୍ଧ୍ବ ଲୋକ ମୃତ୍ୟୁବରଣ କଲେଣି, କିଏ ପିତାକୁ ତ କିଏ ମାତାକୁ, ଆଉ ପୁଣି କିଏ ନିଜ ପିଲାଙ୍କୁ ହରାଇ ସାରିଛି। ଈଶ୍ବର ଏଭଳି ନ କରନ୍ତୁ ଆସନ୍ତାକାଲି ଆମ ନିଜ ପରିବାରରୁ କେହି ଏହାର ଶିକାର ହେଉ। ଆମକୁ ଯେଭଳି ଅନୁତାପ କରିବାକୁ ନପଡିବ ବୋଲି ଅଭିଷେକ କହିଥିଲେ। ଆହତ କାରଣରୁ ସମ୍ପୂର୍ଣ୍ଣ ବିଶ୍ରାମରେ ଥିବା ଅଭିଷେକ କ୍ରିକେଟ୍‌ ପଡିଆକୁ ଫେରିବାକୁ ବ୍ୟାକୁଳ ଅଛନ୍ତି। ଏକାଧିକ ଦଳ ପାଇଁ ଖେଳିଥିବା ଅଭିଷେକ ପ୍ରଥମ ଶ୍ରେଣୀ କ୍ରିକେଟ୍‌ ଜୀବନରେ ୨୦ ମ୍ୟାଚ୍‌ରୁ ୧ ଶତକ ସହାୟତାରେ ୭୭୧ ରନ୍ କରିଛନ୍ତି। ନିଜ ସ୍ପିନ୍‌ ବୋଲିଂ ଜରିଆରେ ୧୫ ୱି‌କେଟ୍‌ ମଧ୍ୟ ନେଇଛନ୍ତି।

ପୁଅଝିଅଙ୍କୁ ପାଠ ପଢ଼ାଉଛନ୍ତି ରଶ୍ମି
ପରିବାର ସହିତ ସମୟ କାଟିବାର ଭଲ ସୁଯୋଗ ପାଇଛନ୍ତି ଓଡ଼ିଶା ରଣଜୀ ଦଳର ମୁଖ୍ୟ ପ୍ରଶିକ୍ଷକ ରଶ୍ମିରଂଜନ ପରିଡ଼ା। ଓଡ଼ିଶୀ ନୃତ୍ୟାଙ୍ଗନା ପତ୍ନୀ ସାଗରିକା ପରିଡ଼ା, ଝିଅ ସୁନୟନା (୧୧), ପୁଅ ଧ୍ୟାନ (୬) ସହିତ ଭଲ ସମୟ ବିତାଉଛନ୍ତି। ଏହି ପ୍ରତିନିଧିଙ୍କ ଟେଲିଫୋନ୍ କଲ୍‌ ବେଳକୁ ରଶ୍ମି ‘ମହାଭାରତ’ ଦେଖୁଥିଲେ। କହିଥିଲେ ବାସ୍ତବରେ ମୋର ଅଧିକାଂଶ ସମୟ ଏବେ ପିଲାଙ୍କ ପାଠପଢ଼ାରେ ଯାଉଛି। ସେମାନଙ୍କ ଅନ୍‌ଲାଇନ୍‌ କ୍ଲାସ୍ ବି ଆରମ୍ଭ ହୋଇଗଲାଣି। ସକାଳୁ ଉଠି ନିଜ ଫିଟ୍‌ନେସ୍‌ ପାଇଁ ଯୋଗ କରୁଛି, ପିଲାଙ୍କୁ ବି ଏଥିରେ ସାମିଲ କରୁଛି। ଘର ସଫେଇ ସହିତ ପତ୍ନୀଙ୍କୁ ବି ରୋଷେଇରେ ସହାୟତା କରୁଛି। ସଂଧ୍ୟାରେ ଛାତ ଉପରେ ପିଲାଙ୍କ ପସନ୍ଦ ଖେଳ ସହିତ କ୍ରିକେଟ୍‌ ବି ଖେଳୁଛି। ବେଳେ ବେଳେ ସମସ୍ତେ ମିଶି କ୍ୟାରମ୍‌ ବି ଖେଳୁଛୁ ବୋଲି କହିଥିଲେ ୨ ଥର ରଣଜୀ ଟ୍ରଫି ବିଜେତା ଏହି ମହାନ ଓଡ଼ିଆ ବ୍ୟାଟ୍‌ସ୍‌ମ୍ୟାନ୍‌। ସାମ୍ପ୍ରତିକ ପରିସ୍ଥିତି ସମ୍ପର୍କରେ ରଶ୍ମି କହିଥିଲେ କୋଭିଡ୍‌-୧୯କୁ ହରାଇବା ଲାଗି ସରକାରଙ୍କ ସବୁ ନିୟମକୁ ମାନିବାକୁ ହେବ। କଷ୍ଟ ହେ‌ଉଛି ସତ ତଥାପି ଏହାର ବିକଳ୍ପ ନାହିଁ। ଆମକୁ ସର୍ବାଧିକ ସୁରକ୍ଷା ବ୍ୟବସ୍ଥା କରିବାକୁ ପଡ଼ିବ। କିଛି ଲୋକ ସାମାଜିକ ଦୂରତାକୁ ମାନୁ ନାହାନ୍ତି, ଧୈର୍ଯ୍ୟ ହରାଉଛନ୍ତି। ତଥାପି ଆମ ଭିତରେ ବିଶ୍ବାସ ରହିଛି ଏ ଲଢ଼େଇରେ ଆମ ନିଶ୍ଚିତ ଜିତିବୁ ବୋଲି କହିଥିଲେ ରଶ୍ମି। ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ୧୩୯ ମ୍ୟାଚ୍‌ ଖେଳି ୮୩୧୭ ରନ୍‌ କରିଥିବା ଏହି ଡାହାଣହାତୀ ବ୍ୟାଟ୍‌ସମ୍ୟାନ୍‌ ତା ମଧ୍ୟରେ ୧୬ ଶତକ ଏବଂ ୫୧ ଅର୍ଧଶତକ ହାସଲ କରିଛନ୍ତି। ପେସାଦାର ଖେଳାଳି ଭାବେ ରାଜସ୍ଥାନ ପାଇଁ ୨ ଥର ରଣଜୀ ଟ୍ରଫି ଜିତିବାର ବିରଳ କୀର୍ତ୍ତିମାନ ବି ରଶ୍ମିଙ୍କ ନାମରେ ରହିଛି। ବିଗତ ୨ ବର୍ଷ ହେବ ଓଡ଼ିଶା ରଣଜୀ ଦଳର ପ୍ରଶିକ୍ଷକ ଦାୟିତ୍ବ ସମ୍ଭାଳିଛନ୍ତି ଏହି ୪୨ ବର୍ଷୀୟ କ୍ରିକେଟର୍‌।

ସମ୍ବନ୍ଧିତ ଖବର