କ୍ରିକେଟ୍‌ ଦୁର୍ନୀତିକୁ ନେଇ ଚିନ୍ତାରେ ରିଚାର୍ଡସନ୍‌

‘କ୍ରିକେଟ୍‌ ଚାରିପଟେ ଅପରାଧୀ ଘୂରି ବୁଲୁଛନ୍ତି, ଟେ୍ଵଣ୍ଟି-୨୦ ଲିଗ୍‌ ଓ ଖେଳାଳିଙ୍କୁ ଫସାଇବାକୁ ଅହରହ ଉଦ୍ୟମ କରୁଛନ୍ତି’
ଦୁବାଇ: କ୍ରିକେଟ୍‌ରେ ଦୁର୍ନୀତି ବଢ଼ି ଚାଲିଛି। ଫୁଲ ଚାରିପଟେ ଯେମିତି ମହୁମାଛି ଘୂରେ ଅପରାଧୀମାନେ ସଂପ୍ରତି ସେମିତି କ୍ରିକେଟ୍‌ ଚାରିପଟେ ଘୂରି ବୁଲୁଛନ୍ତି। ସେମାନେ ବିଭିନ୍ନ ଟେ୍ଵଣ୍ଟି-୨୦ ଲିଗ୍‌, ଘରୋଇ ପ୍ରତିଯୋଗିତା ଓ କନିଷ୍ଠ ସ୍ତରୀୟ କ୍ରିକେଟ୍‌ ଲିଗ୍‌ ସହ ଖେଳାଳିମାନଙ୍କୁ ନିଜ ଜାଲରେ ଫସାଇବାକୁ ଅହରହ ଚେଷ୍ଟା କରୁଛନ୍ତି। ଗତ ସପ୍ତାହରେ ଅଲ୍‌ଜଜିରା ଚ୍ୟାନେଲ୍‌ରେ ପ୍ରସାରିତ ହୋଇଥିବା ଷ୍ଟିଙ୍ଗ୍‌ ଅପରେସନରୁ ଏହା ସ୍ପଷ୍ଟ ହୋଇ ଯାଇଛି। ତେବେ ଦୁର୍ନୀତି ଖୋର ଲୋକ କ୍ରିକେଟ୍‌ରେ ଅଛନ୍ତି ଏବଂ ରହିବେ ମଧ୍ୟ। ସେମାନଙ୍କୁ ନିୟନ୍ତ୍ରଣ କରିବାକୁ ଆମକୁ ଯାହା ଅଧିକ ସତର୍କ ରହିବାକୁ ପଡ଼ିବ। କ୍ରିକେଟ୍‌ରେ ବଢ଼ି ବଢ଼ି ଚାଲିଥିବା ଦୁର୍ନୀତି ନେଇ ଘୋର ଚିନ୍ତା ପ୍ରକଟ କରି ଆଇସିସି ମୁଖ୍ୟ କାର୍ଯ୍ୟନିର୍ବାହୀ ଡେଭିଡ୍‌ ରିଚାର୍ଡସନ୍‌ ଏହା କହିଛନ୍ତି। ଟେଷ୍ଟ କ୍ରିକେଟ୍‌ ପ୍ରତି ଏହି କ୍ଷେତ୍ରରୁ ବିପଦ ଅଧିକ ବୋଲି ସେ ଆଶଙ୍କା ଜାହିର କରିଛନ୍ତି। ଅଲ୍‌ଜଜିରାରେ ପ୍ରସାରିତ ପ୍ରାମାଣିକ ଚିତ୍ର ‘କ୍ରିକେଟ୍ସ ଚିଟର୍ସ’ ଉପରେ ପ୍ରତିକ୍ରିୟା ପ୍ରକାଶ କରି ସେ ଆହୁରି କହିଛନ୍ତି ଯେ ଶୀର୍ଷ ସ୍ତରୀୟ କ୍ରିକେଟ୍‌ ଉପରେ ଆମେ କଡ଼ା ନଜର ରଖିବା ପରେ ବୁକିମାନେ ଏବେ କନିଷ୍ଠ ସ୍ତରୀୟ କ୍ରିକେଟ୍‌ ଉପରେ ଲୋଲୁପ ଦୃଷ୍ଟି ପକାଇବା ଆରମ୍ଭ କରି ଦେଇଛନ୍ତି। ସେହିଭଳି ଖେଳାଳିଙ୍କ ସହ ପଡ଼ିଆ କର୍ମଚାରୀ ଏବଂ ପିଚ୍‌ ପ୍ରସ୍ତୁତକାରୀଙ୍କୁ ସେମାନେ ଲକ୍ଷ୍ୟ କରିବା ଆରମ୍ଭ କରିଦେଲେଣି। ଆମକୁ ଏଥିଲାଗି ନିୟମିତ ଲଢ଼େଇ ଲଢ଼ିବାକୁ ହେବ।

ସମ୍ବନ୍ଧିତ ଖବର