ନୂଆଦିଲ୍ଲୀ : ପ୍ରଥମ ଭାରତୀୟ ଭାବେ ସୁନିଲ ଗାଭାସ୍କରଙ୍କ ନାମରେ କୌଣସି ଏକ ୟୁରୋପୀୟ ଦେଶରେ ଷ୍ଟାଡିୟମ୍ ନାମିତ ହେବାକୁ ଯାଉଛି। ଶନିବାର ଇଂଲଣ୍ଡର ଲିସେଷ୍ଟର ପଡ଼ିଆକୁ ଗାଭାସ୍କରଙ୍କ ନାମରେ ନାମିତ କରାଯିବ। ପୂର୍ବରୁ ଆମେରିକାର କେଣ୍ଟୁକି ଓ ତାଞ୍ଜାନିଆର ଜଞ୍ଜିବରରେ ମଧ୍ୟ ଗାଭାସ୍କରଙ୍କ ନାମରେ ଷ୍ଟାଡିୟମ୍ ନାମକରଣ ହୋଇଥିଲା। ଗାଭାସ୍କର ବିଶ୍ବ କ୍ରିକେଟ୍ର ଜଣେ ଅସଲ ବ୍ରାଣ୍ଡ ଭାବେ ପରିଚିତ।
ଲିସେଷ୍ଟର୍ରେ ନିର୍ମିତ ୫ ଏକର ପରିମିତ ପଡିଆ ତାଙ୍କ ନାମରେ ନାମିତ ହେବା ପୂର୍ବରୁ ଗାଭାସ୍କର କହିଛନ୍ତି, ‘ମୁଁ ଅତ୍ୟନ୍ତ ଖୁସି, ଏହା ମୋ ପାଇଁ ବଡ଼ ସମ୍ମାନ’। ୭୩ ବର୍ଷୀୟ ଗାଭାସ୍କରଙ୍କର ଏକ ବିଶାଳ ଫଟୋ ଲିସେଷ୍ଟର୍ ଷ୍ଟାଡିୟମ୍ ପ୍ୟାଭିଲିଅନ୍କୁ ଆଛାଦିତ କରିଛି। ଗାଭାସ୍କର ମଧ୍ୟ ଶନିବାର ଏହାର ନାମ ଫଳକକୁ ଉନ୍ମୋଚନ କରିବେ। ଭାରତୀୟ ବଂଶୋଦ୍ଭବ କିଥ୍ ଭାଜ୍ ଯିଏକି ଦୀର୍ଘ ୩୨ ବର୍ଷ ଧରି ବ୍ରିଟେନ୍ ସଂସଦରେ ଏମ୍ପି ଭାବେ ଲିସେଷ୍ଟର୍ର ପ୍ରତିନିଧିତ୍ବ କରିଥିଲେ ଏହି ପ୍ରୟାସ କରିଛନ୍ତି। ପଡ଼ିଆର ଦାୟିତ୍ବ ମଧ୍ୟ ଭାରତ ସ୍ପୋର୍ଟସ ଆଣ୍ଡ୍ କ୍ରିକେଟ୍ କ୍ଲବ୍ ଦାୟିତ୍ବରେ ରହିଛି। ଏହି କ୍ଲବ୍ ୬୮ ବର୍ଷ ଧରି ତିଷ୍ଠି ରହିଛି। ଅନ୍ୟପକ୍ଷରେ ବିଶ୍ବର ପ୍ରଥମ କ୍ରିକେଟର୍ ଭାବେ ଗାଭାସ୍କର ଟେଷ୍ଟ୍ କ୍ରିକେଟ୍ରେ ୧୦,୦୦୦ ରନ୍ ମାଇଲଖୁଣ୍ଟ ଅତିକ୍ରମ କରିଥିଲେ।