ନୂଆଦିଲ୍ଲୀ: ଆଧୁନିକ କ୍ରିକେଟ୍‌ରେ ଫ୍ରାଞ୍ଚାଇଜ୍‌ କ୍ରିକେଟ୍‌ ବୈପ୍ଲବିକ ପରିବର୍ତ୍ତନ ଆଣିଛି। ଏହି ଧରଣର କ୍ରିକେଟ୍‌ ଯୋଗୁଁ ନ୍ୟୁଜିଲାଣ୍ଡ୍‌, ବାଂଲାଦେଶ, ଶ୍ରୀଲଙ୍କା ଓ ୱେଷ୍ଟଇଣ୍ଡିଜ୍‌ ଭଳି ବୋର୍ଡଗୁଡ଼ିକ ବିଶେଷ ଫାଇଦା ଉଠାଇ ପାରୁନଥିଲା ବେଳେ ଭାରତ, ଅଷ୍ଟ୍ରେଲିଆ, ଇଂଲଣ୍ଡ କ୍ରିକେଟ୍‌ ବୋର୍ଡଗୁଡ଼ିକ ଲାଭବାନ୍‌ ହୋଇ ଚାଲିଛନ୍ତି। ଯେଉଁ ବୋର୍ଡଗୁଡ଼ିକ ଲାଭ ଉଠାଇ ପାରୁନାହାନ୍ତି ସେଥିପାଇଁ ଦୁର୍ବଳ ଭିତ୍ତିଭୂମି, ସ୍ବଳ୍ପ ପାଣ୍ଠି ଓ ଯୁବପିଢ଼ିମାନେ କ୍ରିକେଟ୍‌ ଛାଡ଼ି ବାସ୍କେଟବଲ୍‌ ମୁହାଁ ହେଉଥିବାକୁ ଦାୟୀ କରାଯାଉଛି। ଫ୍ରାଞ୍ଚାଇଜ୍‌ କ୍ରିକେଟ୍‌ରେ ଏହାର ମାଲିକ କିମ୍ବା ଦଳକୁ ପରିଚାଳନା କରୁଥିବା ଉଚ୍ଚ ଅଧିକାରୀମାନଙ୍କ ଇଙ୍ଗିତରେ ସବୁ ନିଷ୍ପତ୍ତି ନିଆଯାଉଥିବାରୁ ଏହାକୁ ‘ଛଡ଼ି କ୍ରିକେଟ୍‌’ ବୋଲି ମଧ୍ୟ କୁହାଯାଉଛି। ବୋର୍ଡଗୁଡ଼ିକୁ ଆର୍ଥିକ ଭାବେ ସ୍ବଚ୍ଛଳ କରାଇବାରେ ଫ୍ରାଞ୍ଚାଇଜ୍‌ଗୁଡ଼ିକର ବଡ଼ ଭୂମିକା ରହୁଛି। ତେଣୁ ଖେଳରେ ଖେଳାଳି ତଥା ଖେଳର ସ୍ବାଧୀନତା କ୍ଷୁର୍ଣ୍ଣ ହେଉଥିବା କୁହାଯାଇପାରେ।

Advertisment

ପ୍ରଥମେ ୨୦୦୭ରେ ଦକ୍ଷିଣ ଆଫ୍ରିକାରେ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଆୟୋଜନ କରାଯାଇଥିଲା। ଏହିଠାରୁ ଭାରତରେ ପେସାଦାର ଟ୍ବେଣ୍ଟି-୨୦ କ୍ରିକେଟ୍‌ର ପରିକଳ୍ପନା ଆରମ୍ଭ ହୋଇଯାଇଥିଲା। ଯଦିଓ ଟ୍ବେଣ୍ଟି-୨୦ ଖେଳର ଅୟମାରମ୍ଭ ଇଂଲଣ୍ଡରେ ହୋଇଥିଲା। କାରଣ ପ୍ରଶଂସକଙ୍କ ପାଇଁ କ୍ରିକେଟ୍‌ ଦିନକୁ ଦିନ ବୋରିଂ ହୋଇଯାଉଥିଲା। ତେଣୁ ଫୁଟବଲ୍‌ ଭଳି ଏକ ବିକଳ୍ପ ଚିନ୍ତା ପାଇଁ ସ୍ବଳ୍ପ ଫର୍ମାଟ୍‌ର କ୍ରିକେଟ୍‌ର ଚିନ୍ତା କରାଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ଭାରତରେ ଆଇପିଏଲ୍‌ର ଜନ୍ମ ହୋଇଥିଲା ଏବଂ ୧୫ ବର୍ଷ ପରେ ପୁଣି ନୂଆ ନୂଆ ଫର୍ମାଟ୍‌ରେ କ୍ରିକେଟ୍‌କୁ ଦେଖିବାକୁ ମିଳୁଛି। ଟି୧୦, ହଣ୍ଡ୍ରେଡ୍‌, ସିକ୍ସଟି ଭଳି ନୂଆ ରୂପରେ ଫ୍ରାଞ୍ଚାଇଜ୍‌ କ୍ରିକେଟ୍‌ ଦର୍ଶକଙ୍କ ମନୋରଂଜନ କରୁଛି। ବର୍ତ୍ତମାନ ପ୍ରାୟ ସମସ୍ତ ଦେଶଗୁଡ଼ିକରେ ଏଭଳି ଫ୍ରାଞ୍ଚାଇଜ୍‌ କ୍ରିକେଟ୍‌ ଆୟୋଜନ ହେଉଛି ଏବଂ ସାରା ବିଶ୍ବରେ ପାଖାପାଖି ୧୪ଟି ଲିଗ୍‌ ଖେଳାଯାଉଛି। ଏସବୁକୁ ଦେଖିଲେ ଦିନିକିଆ କ୍ରିକେଟ୍‌ଠୁ ମଧ୍ୟ ପ୍ରଶଂସକମାନେ ଦୂରେଇ ଯିବାକୁ ବସିଲେଣି। ଏପରିକି ଭାରତରେ ହେବାକୁଥିବା ୨୦୨୩ ବିଶ୍ବକପ୍‌ରେ ସେଭଳି କ୍ରେଜ୍‌ ଦେଖିବାକୁ ମିଳିନପାରେ। ଅନ୍ୟପକ୍ଷରେ ଇଂଲଣ୍ଡ, ଭାରତ, ପାକିସ୍ତାନ, ଅଷ୍ଟ୍ରେଲିଆ ଭଳି ଦଳ ଖେଳୁଥିବାରୁ ଟେଷ୍ଟ କ୍ରିକେଟ୍‌ ବଞ୍ଚିରହିଥିବା ଭଳି ଦୃଶ୍ୟମାନ ହେଉଛି। ହେଲେ ଅନ୍ୟଦଳଗୁଡ଼ିକ ଟେଷ୍ଟ କ୍ରିକେଟ୍‌କୁ ଜୀବିତ ରଖିବା ଭଳି କିଛି ରୋମାଞ୍ଚ ଦେଖାଇପାରୁନାହାନ୍ତି।

ତେଣୁ କ୍ରିକେଟ୍‌ ଉପରେ ଫ୍ରାଞ୍ଚାଇଜ୍‌ମାନଙ୍କ ଆଧିପତ୍ୟ ଆସିବା ପରଠୁ ତାରକା କ୍ରିକେଟର୍‌ମାନେ ବି ସେମାନଙ୍କ ଶିକାର ହୋଇଯାଉଛନ୍ତି। ଗତ ନଭମ୍ବେର ୧୧ରେ ପାକିସ୍ତାନ ଅଧିନାୟକ ବାବର ଆଜମ୍‌ କରାଚି ଛାଡ଼ି ପେଶାୱର ସହିତ ଯୋଗଦେଇଥିଲେ। ଏହାର ଠିକ୍‌ ପରେ କରାଚି କିଙ୍ଗ୍ସର ମାଲିକ ଏକ ପ୍ରତିକ୍ରିୟାରେ କହିଥିଲେ ଯେ ଦଳ ହାରୁ କି ଜିତୁ କିନ୍ତୁ ପାକିସ୍ତାନର ଅଧିନାୟକଙ୍କୁ ଆମେ ଦଳରେ ରଖିବାକୁ ଚାହୁଁନୁ। ସେହିପରି ଦକ୍ଷିଣ ଆଫ୍ରିକା ଟ୍ବେଣ୍ଟି-୨୦ ଲିଗ୍‌ରେ ଅଧିନାୟକ ତେମ୍ବା ବଭୂମାଙ୍କ ମୂଳ ଦର ୩୯ ଲକ୍ଷ ଟଙ୍କା (ଭାରତୀୟ ମୁଦ୍ରା) ହୋଇଥିଲେ ବି କୌଣସି ଦଳ କିଣିବାକୁ ଆଗ୍ରହ ଦେଖାଇନଥିଲେ। ଏପରିକି ଦକ୍ଷିଣ ଆଫ୍ରିକାର ଟେଷ୍ଟ ଅଧିନାୟକ ଡିନ୍‌ ଏଲଗର ମଧ୍ୟ ସମାନ ଦଶା ଭୋଗିଥିଲେ। ଭାରତର ପୂର୍ବତନ ଅଧିନାୟକ ଧୋନିଙ୍କୁ ରାଇଜିଂ ପୁଣେ ସୁପରଜାଏଣ୍ଟସ୍‌ ଅଧିନାୟକ ପଦରୁ ହଟାଇ ଷ୍ଟିଭ୍‌ ସ୍ମିଥ୍‌ଙ୍କୁ ଏହି ଦାୟିତ୍ବ ଦେଇଥିଲା। କାରଣ ଦଳର ମାଲିକ ଜଣେ ଯୁବ ଓ ତାଜା ମାନସିକତାର ଖେଳାଳିଙ୍କୁ ନେତୃତ୍ବ ଦେବାକୁ ଚାହିଁଥିଲା। ଯେଉଁଥି ପାଇଁ ଦଳ ତଳପଟୁ ଦ୍ବିତୀୟ ସ୍ଥାନରେ ରହିଥିଲା। ବିସିସିଆଇର ପୂର୍ବତନ ସଭାପତି ସୌରଭ ଗାଙ୍ଗୁଲି ତାଙ୍କ ପୁସ୍ତକ ‘ଏ ସେଞ୍ଚୁରି ଇଜ୍‌ ନଟ୍‌ ଏନ୍‌ଅଫ୍‌’ ରେ କହିଛନ୍ତି ଯେ ପୁଣେ ଦଳର ଚୟନ ପାଇଁ ସମସ୍ତଙ୍କୁ ଏହାର ମାଲିକଙ୍କ ବିମାନ ଲ୍ୟାଣ୍ଡ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ୁଥିଲା। ମାଲିକଙ୍କ ସ୍ବୀକୃତିରେ ଖେଳାଳି ଚୟନ ହେଉଥିଲା। କିନ୍ତୁ ଭାରତୀୟ ଦଳର ଅଧିନାୟକ ଥିବା ବେଳେ ସୌରଭ ନିଜେ ଦଳର ସଦସ୍ୟଙ୍କୁ ବାଛୁଥିଲେ।

ଆଇପିଏଲ୍‌ରେ ଖେଳିବା ପରଠୁ ବର୍ତ୍ତମାନ ଖେଳାଳିମାନେ ବି ନିଜେନିଜେ ବିକଳ୍ପ ବାଛିବା ଆରମ୍ଭ କଲେଣି। ବୋର୍ଡ ଚୁକ୍ତି ପରିବର୍ତ୍ତେ ଫ୍ରାଞ୍ଚାଇଜ୍‌ଙ୍କୁ ଅଧିକ ପସନ୍ଦ କରୁଛନ୍ତି। ଟ୍ରେଣ୍ଟ ବୋଲ୍ଟ ଓ ମାର୍ଟିନ ଗପ୍‌ଟିଲ୍‌ ଏହାର ବଡ଼ ଉଦାହରଣ। ଆନ୍ଦ୍ରେ ରସେଲ୍‌ ୱେଷ୍ଟଇଣ୍ଡିଜ୍‌ ପାଇଁ ଖେଳିବା ପରିବର୍ତ୍ତେ ହଣ୍ଡ୍ରେଡ୍‌ରେ ଖେଳିବାକୁ ଶ୍ରେୟସ୍କର ମଣୁଛନ୍ତି। ହେଲେ ଅଷ୍ଟ୍ରେଲିଆର ପାଟ୍‌ କମିନ୍ସ ଓ ମିଚେଲ୍‌ ଷ୍ଟାର୍କ ଆଇପିଏଲ୍‌ ଅପେକ୍ଷା ନିଜ ବୋର୍ଡର ଚୁକ୍ତିକୁ ଅଗ୍ରାଧିକାର ଦେଇଛନ୍ତି। ପବ୍ଲିକ ସେକ୍ଟର ଲିଡର୍‌ମାନେ ପ୍ରାଇଭେଟ୍‌ ସେକ୍ଟର୍‌ରେ କାମ କରିବା ଆରମ୍ଭ କରିଦେଲେଣି। ଭାରତୀୟ ସେନାର ଅଧିକାରୀମାନେ ବିଭନ୍ନ ଫ୍ରାଞ୍ଚାଇଜ୍‌ଙ୍କ ପ୍ରଶାସନିକ ମୁଖ୍ୟ କିମ୍ବା ନିରାପତ୍ତା ବିଭାଗ ମୁଖ୍ୟ ଭାବେ କାମ କଲେଣି। ଯଦି କ୍ରିକେଟ୍‌ ଏହି ଭଳି ଭାବେ ବ୍ୟବସାୟିକ ଭିତ୍ତିରେ ଚାଲିବ, ତାହେଲେ ଖେଳାଳି ଓ‌ ବୋର୍ଡ ଅପେକ୍ଷା ଫ୍ରାଞ୍ଚାଇଜ୍‌ ମାଲିକମାନେ ଅଧିକ ଶକ୍ତିଶାଳୀ ହୋଇଯିବେ ଏଥିରେ ସନ୍ଦେହ ନାହିଁ।