ଭୁବନେଶ୍ୱର: ଏସୀୟ କ୍ରୀଡ଼ାର ଷୋଡ଼ଶ ସଂସ୍କରଣ ଚୀନ୍ର ଗୁଆଙ୍ଗଜୁରେ ୨୦୧୦ ନଭେମ୍ବର ୧୨ରୁ ୨୭ ତାରିଖ ମଧ୍ୟରେ ଖେଳାଯାଇଥିଲା। ଚୀନ୍ ଦ୍ୱିତୀୟ ଥର ପାଇଁ ଆୟୋଜକ ହୋଇଥିବା ବେଳେ ଦେଶର ଦ୍ୱିତୀୟ ସହର ଭାବେ ଗୁଆଙ୍ଗଜୁରେ ଏହା ସଫଳତାର ସହ ସମ୍ପନ୍ନ ହୋଇଥିଲା। ୪୫ ଦେଶରୁ ୯,୭୦୪ ଖେଳାଳି ଭାଗ ନେଇଥିଲେ ୪୨ ଖେଳ ଅନ୍ତର୍ଗତ ୪୭୬ ଇଭେଣ୍ଟ୍ରେ। ସର୍ବାଧିକ ଇଭେଣ୍ଟ୍ରେ କୀର୍ତିମାନ ହୋଇଥିଲା। ୨୦୧୪ ମସିହାରୁ ଅଣ ଅଲିମ୍ପିକ୍ ଖେଳକୁ ସାମିଲ ନ କରିବାକୁ ନିଷ୍ପତ୍ତି ହେବାରୁ ଶେଷ ଥର ପାଇଁ ୬ ଖେଳ ଗୁଆଙ୍ଗଜୁରେ ସାମିଲ ରହିଥିଲା। ଏସୀୟ କ୍ରୀଡ଼ା ସଂଘ (ଓସିଏ) ନିଷ୍ପତ୍ତିକ୍ରମେ କ୍ରିକେଟ୍କୁ (ଟେ୍ଵଣ୍ଟି-୨୦)କୁ ସାମିଲ କରାଯାଇଥିଲା। କିନ୍ତୁ ଅନ୍ୟ ଅନ୍ତର୍ଜାତୀୟ ସୂଚୀ ଦର୍ଶାଇ ବିସିସିଆଇ ଭାରତୀୟ ଦଳ ନ ପଠାଇବା ବିବାଦର ସୂତ୍ରପାତ କରିଥିଲା। ସେହିଭଳି ପୂର୍ବ ସସ୍କରଣରେ ବିଚାରକଙ୍କ ବିବାଦୀୟ ନିଷ୍ପତ୍ତି କାରଣରୁ ସୁନ୍ଦରସ୍ୱାସ୍ଥ୍ୟକୁ ବାଦ୍ ଦିଆଯାଇଥିଲା। ଅନ୍ୟ ୪ ଖେଳ ଡ୍ୟାନ୍ସସ୍ପୋଟସ୍ର୍, ଡ୍ରାଗନ୍ବୋଟ୍, େଓ୍ଵକି ଏବଂ ରୋଲର୍ ସ୍ପୋର୍ଟସ ସାମିଲ ହୋଇଥିଲା ଗୁଆଙ୍ଗ୍ଜୁ ସଂସ୍କରଣରେ।
ଖେଳ ମଇଦାନରେ ଚୀନ୍ ଲଗାତାର ସପ୍ତମ ଥର ଦଳଗତ ବିଜେତା ହୋଇଥିଲା। ୧୯୯ ସ୍ୱର୍ଣ୍ଣ, ୧୧୯ ରୌପ୍ୟ, ୯୮ କାଂସ୍ୟ ସହିତ ମୋଟ ୪୧୬ ପଦକ ଜିତି ଶୀର୍ଷରେ ରହିଥିଲା। ଦକ୍ଷିଣ କୋରିଆ (୭୬+୬୫+୯୧) ମୋଟ ୨୩୨ ଏବଂ ଜାପାନ (୪୮+୭୪+୯୪) ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଥିଲେ। ଇରାନ୍ (୨୦+୧୫+୨୪), କାଜାକସ୍ତାନ (୧୮+୨୩+୩୮) ତଳେ ରହିଥିଲେ ମଧ୍ୟ ଭାରତ (୧୪+୧୭+୩୪) ଷଷ୍ଠ ସ୍ଥାନକୁ ଉନ୍ନୀତ ହୋଇଥିଲା। ଚାଇନିଜ୍ ତାଇପେ (୧୩+୧୬+୩୮), ଉଜ୍ବେକିସ୍ତାନ (୧୧+୨୨+୨୩), ଥାଇଲାଣ୍ଡ୍ (୧୧+୯+୩୨), ମାଲେସିଆ (୯+୧୮+୧୪) ଯଥାକ୍ରମେ ସପ୍ତମରୁ ଦଶମ ସ୍ଥାନରେ ରହିଥିଲେ।